Saturday, December 12, 2015

ନମନୀୟ ସହର - ୧


ଲେଖକ - ଜନାଥନ୍ ରାବାନ୍

ଅନୁବାଦକ - ନିଗମାନନ୍ଦ ଷଡ଼ଙ୍ଗୀ

ସମ୍ପାଦକୀୟ ନୋଟ୍ - ସହରୀ ଜୀବନ, ବିଶେଷତଃ ମହାନଗରୀୟ ଜୀବନର, ଆଲୋଚ଼ନାରେ ବ୍ରିଟିଶ୍-ଆମେରିକୀୟ ଲେଖକ ଜନାଥନ୍ ରାବାନ୍ ଙ୍କର ବହି - ସଫ୍ଟ୍ ସିଟି ଏକ ଗୁରୁତ୍ତ୍ୱୁପୂର୍ଣ୍ଣ ଗ୍ରନ୍ଥ । ଉପନ୍ୟାସର ଭାଷାରେ ଲିଖିତ ଏହି ବହିଟିର ଢାଞ୍ଚାଟି, ଲେଖକଙ୍କର ଏକ ଛୋଟ ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ନିରୁପଦ୍ରବ ମାଷ୍ଟ୍ରାମୀ ଛାଡ଼ି, ଲଣ୍ଡନ୍ ମହାନଗରୀରେ ଜୀବନ ଗଢିବା ଓ ଜୀବିକା ସଙ୍ଗ୍ରହ କରିବାର ଲଢେଇର ଅନୁଭବର ଭିତ୍ତିରେ ଠିଆ ହୋଇଛି । ବହିଟିର ପ୍ରଥମ ଅଧ୍ୟାୟର ଅନୁବାଦ ଆପଣ ଆସନ୍ତା କେଇ ଦିନ ନିମନ୍ତେ ଏହି ବ୍ଲଗ୍ ରେ ପଢିବାକୁ ପାଇବେ । 


ଫଟୋ କ୍ରେଡ଼ିଟ୍ - ଗୁରୁଦତ୍ତ ଖୁଣ୍ଟିଆ 

ଉତ୍ତାପ ନିରୋଧକ ପ୍ଲାଷ୍ଟିକରେ ତିଆରି କବାବ୍ ଖାନାରୁ ମଧ୍ୟାହ୍ନ ଭୋଜନ ସାରି ମୁଁ ବାହାରି ଆସେ ବାହାରକୁ । ମୁଣ୍ଡଟା ଝିମ୍ ଝିମ୍ କରୁଥାଏ ରେଟ୍ସିନାର ପ୍ରଭାବରେ । ବାହାରଟା କେମିତି ଗୋଟେ ହାଲୁକା, ଧୁଆଁଳିଆ-ଶାଗୁଆନୀଳ ରଙ୍ଗ ପରି ଦିଶୁଥାଏ । ଠିକ୍ ଯେମିତି ଗୋଟେ ସହରର ରଙ୍ଗ । ଆଉ ପବନରେ ନିର୍ଗତ ଧୂଆଁ, ଉଲ୍ଲାସରେ ଭଉଁରୀ କାଟୁଥାଏ । ମୁଁ ଫୁଟପାଥ୍ ରେ ଛିଡା ହୁଏ; ଆଲୁଅ ଥିବା ଯାଗାରେ ରାସ୍ତା ପାରି ହେବାକୁ ଅପେକ୍ଷା କରେ । ହଠାତ୍ ମୋର ଅନୁଭବ ହୁଏ ମୁଁ ଗାଡି ଚଳାଚଳର ଦିଗ ଜାଣି ପାରୁନି । ଏଠି କାର୍ ଗୁଡା ବାଁ ପଟରେ ଚାଲନ୍ତି  ନା ଡାହଣ ପଟରେ? ଏହି ସମୟରେ ଯୋଡା ଯୋଡା ହୋଇ ଦଳେ ଇଟାଲୀୟ ଝିଅ ମତେ ପାରି ହୋଇ ଚାଲିଯାଆନ୍ତି । ସେମାନଙ୍କ ଓଠଚିପା କଥା ଓ ମୁଲାୟମ୍ ସ୍ୱରରୁ ଲାଗୁଥାଏ ସତେ ଯେମିତି କୌଣସି ଏକ ଅପେରାର କୋରସ୍ ଦଳଟି ବାହାରକୁ ବାହାରି ଆସିଛନ୍ତି ! ଦିନ ଗହଳି ଭିତରେ ମୋ କାନରେ ପଡେ ନାରୀସୁଲଭ ଅନୁନାସିକ ଧ୍ୱନି; ଠିକ୍ ଇହୁଦୀ ମାନଙ୍କର ବୀଣା ପରି । ଯେତେବେଳକୁ ମୁଁ ପୁରାପୁରି ହତଚକିତ ଓ ସ୍ମୃତି-ବିକର୍ଷିତ, ବିଲକୁଲ୍ ଜଣେ ବାଉଳା ପର୍ଯ୍ୟଟକ । ମତେ ତ ଏବେ ମୁଣ୍ଡ ଅଣ୍ଡାଳିବାକୁ ହେବ ଯେ ଏଠିକାର ଲୋକଙ୍କ ଭାଷା କଅଣ ବୋଲି ।

ହେଲେ, ଏଇଠି ତ ତୁମେ ବାସ କର; ଏଇଟା ତୁମର ନିଜର ସହର । ହଁ, ତମେ ତାକୁ ଲଣ୍ଡନ୍ କୁହ କି ନିୟୁୟର୍କ୍ କହ ବା ଆଉ କେଉଁ ନାମରେ ଡାକ । ଏ ସହରର ଭାଷା ସହ ତୁମେ ସବୁଦିନ ପରିଚିତ । ସେ ଭାଷା ତୁମର ଓ ମୋର ଅସ୍ତିତ୍ୱ, ଆମେ ତାହାଠାରୁ ଅଭିନ୍ନ । ଟ୍ରାଫିକ୍ ଆଲୁଅ ପାଖରେ ଛିଡା ହେବା ସମୟରେ ସେହି ହତଚକିତ ମୁହୁର୍ତ୍ତ ଗୁଡିକରେ ତୁମେ ନିଜ ପାଖରେ ଅପରିଚିତ ହୋଇଯିବା ସମ୍ଭବ, ନିଜର ପରିଚୟକୁ ନେଇ ନିଜେ ସନ୍ଦେହ କରିବା ସମ୍ଭବ । ତାହାଠାରୁ ତମେ ସନ୍ଦେହ ମୋଚନ କରିବା ପାଇଁ ଖବରକାଗଜ ବିକାଳୀର ଗୁମୁଟିରେ ଲାଗିଥିବା ପ୍ଲାକାର୍ଡ୍ ବା ଟ୍ରାଫିକ୍ ପୁଲିସିର ୟୁନିଫର୍ମ୍ କୁ ପରଖିବ । ତମକୁ ଲାଗିବ ତମେ ଗୋଟେ ସୂତାକଟା ବେଲୁନରେ ବସି ଏଣେ ତେଣେ ଉଡିବୁଲୁଛ ଆଉ କେହି ଜଣେ ଥାନ୍ତା କି ବେଲୁନକୁ ଟାଣି ଆଣି ମାଟିଉପରେ ଠା' ଦିଅନ୍ତା ।

ମୁଁ ଭାବୁଛି ସମାଜ ବିଜ୍ଞାନିକ ଆଖିକୁ ଏଗୁଡିକ ବିଛିନ୍ନତା ବୋଧର ଶାସ୍ତ୍ରୀୟ ଲକ୍ଷଣ ପରି ଲାଗିବ । ସହରୀ ଜୀବନରେ ଥିବା ଯାବତ୍ତୀୟ ମନ୍ଦମାନଙ୍କର ଯେଉଁ ମୋଟା ପଞ୍ଜିକାଟି ଅଛି, ସେଥିରେ ଇଏ ଆଉ ଏକ ପ୍ରମାଣ ଭାବେ ଯୋଡି ହୋଇଯିବ । ଏଇ ମନ୍ଦମାନଙ୍କ ପ୍ରତି ମୁଁ ବେଶ୍ ସଦୟ । କାହିଁକି ନା ଏପରି ମୁହୁର୍ତ୍ତ ମାନଙ୍କରେ ସହରଟି ନମନୀୟ ପାଲଟିଯାଏ; ଏକ ପରିଚୟର ଛାପକୁ ଅପେକ୍ଷା କରେ । ଭଲ ହେଉ କି ଭେଲ ହେଉ, ତାକୁ ଆଉ ଥରେ ଗଢିବାକୁ, ତାକୁ ଏକ ମଜବୁତ୍ ରୂପ ଦେବାକୁ ସେ ତୁମକୁ ଆମନ୍ତ୍ରଣ କରେ ଯାହାକୁ ନେଇ ତୁମେ ବଂଚିବାକୁ  ଚାହିଁବ ।  ତୁମେ ବି ନିଷ୍ପତ୍ତି ନିଅ ତୁମେ କିଏ ବୋଲି । ଦେଖିବ, ତୁମେ ଚାରିପାଖରେ ସହରଟା ଏକ ନିର୍ଦ୍ଧିଷ୍ଟ ରୂପ ଧାରଣ କରିବ । ତୁମେ ସ୍ଥିର କର ଏ ସହରଟା କଅଣ ବୋଲି । ଦେଖିବ, ମାନଚିତ୍ରର ଏକ ନିର୍ଦ୍ଧିଷ୍ଟ ତିନିକୋଣିଆ ବିନ୍ଦୁପରି ତୁମର ପରିଚୟ ଝଲସି ଉଠିବ । ନଗର ଗୁଡିକ ଗାଁ ବା ଛୋଟ ସହର ପରି ନୁହଁନ୍ତି । ସେଗୁଡିକର ପ୍ରକୃତି ମହମ ପରି ତରଳ । ଆମେ ସେଗୁଡିକୁ ଆମ ନିଜ ଛାଞ୍ଚ  ଅନୁସାରେ ଗଢୁ । ଆମେ ଯେତେବେଳେ ସେଗୁଡିକୁ ନିଜର ଛାଞ୍ଚରେ ପକେଇବାକୁ ଚେଷ୍ଟା କରୁ ସେଗୁଡିକୁ ତାହାର ପ୍ରତିରୋଧ କରନ୍ତି ଆଉ ସେହି ପ୍ରକ୍ରିୟା ମାଧ୍ୟମରେ ସେଗୁଡିକ ପୁଣି ଆମକୁ ଗଢନ୍ତି । ଏହି ମର୍ମରେ ସହରରେ ବଞ୍ଚିବାଟା ଏକ କଳା ବୋଲି ମତେ ଲାଗେ । ସହରୀ ଜୀବନର ନିରବିଛିନ୍ନ ସୃଜନଶୀଳ ଲୀଳାଖେଳାରେ ମଣିଷ ଓ ତା’ ଆଖପାଖରେ  ଉପଲବ୍ଧ ସାମଗ୍ରୀର ମଧ୍ୟରେ ଯେଉଁ ଅଜବ ସଂପର୍କ ରହିଛି ତାକୁ ବଣ୍ଟନ କରିବା ପାଇଁ ଆମର ଆବଶ୍ୟକ କଳା ଓ ଶୈଳୀର ଏକ ସ୍ୱତନ୍ତ୍ର ଭାଷ୍ୟ । ଆମର କଳ୍ପନାର ସହର, ଆମର ଆକାଂକ୍ଷା, ଦୁଃସ୍ୱପ୍ନ ଓ ଭ୍ରମର ନମନୀୟ ସହର, ଆମ ମାନଚିତ୍ରରେ, ପରିସଂଖ୍ୟାନରେ, ସହରୀ ସମାଜ ବିଜ୍ଞାନ ଅଧ୍ୟୟନରେ, ଜନସଂଖ୍ୟା ବିଜ୍ଞାନରେ ତଥା ସ୍ଥାପତ୍ୟରେ ଦେଖିଥିବା କଠିନ ସହର  ପରି ବାସ୍ତବ, ହୋଇପାରେ ସେ ସବୁ ଠାରୁ ଅଧିକ ବାସ୍ତବ ।

ତଥାପି ସହର ବିଷୟରେ ଯେଉଁ ନିଦା ତଥ୍ୟ ଗୁଡିକ ଆମେ ପାଉ ତାହା ବେଶ୍ ବଡ ସ୍ପଷ୍ଟ ଓ ନିର୍ମମ । ଶହେ ବର୍ଷ ପୂର୍ବେ ଏହି ତଥ୍ୟ ବୋଇଲେ ଦୟନୀୟ ଦାରିଦ୍ର୍ୟକୁ ହିଁ ବୁଝାଉଥିଲା । ହେନ୍ରୀ ମେହ୍ୟୁୁ ଚାର୍ଲସ୍ ବୁଥ୍ ଙ୍କ ପରି ବଦେଶୀ ପର୍ଯ୍ୟବେକ୍ଷକ ମାନେ ଏହି ନିର୍ଦ୍ଦୟ ବାସ୍ତବତାକୁ ଲିପିବଦ୍ଧ କରିଛନ୍ତି । ଏହାର କିଛି ବର୍ଷ ପରେ ଜ୍ୟାକବ୍ ରିଜ୍ ଆମେରିକା ବିଷୟରେ ଲେଖିଛନ୍ତି । ଆଜି ନିୟୁର୍କ ସହରର ରାସ୍ତାଘାଟରେ କୁହୁଳୁଥିବା ହିଂସା ଜୀବନରେ ଏକ ମସ୍ତବଡ ବାସ୍ତବତା । ବସ୍ତୁତଃ, ଦାରିଦ୍ର୍ୟ ଓ ହିଂସା ସ୍ପଷ୍ଟ ଭାବରେ ପରସ୍ପର ସହ ଜଡିତ । ଏ ଉଭୟ, ଲୋକମାନେ ଅପରିଚିତମାନଙ୍କ ପ୍ରତି ପୋଷଣ କରୁଥିବା ମନୋଭାବ ଉପରେ ନିର୍ଭରଶୀଳ । ଉଭୟ ଗୋଟିଏ ମୂଳ ଭାବନାରୁ ଉତ୍ପନ୍ନ । ଗୋଟିଏ ଉଦାସୀନତାକୁ ଜନ୍ମ ଦେଉଥିବା ବେଳେ, ଅନ୍ୟଟି ଘୃଣାକୁ ସଜୀବ କରାଏ । ଯଦି ସହରଟି ତମକୁ ନିଜ ପାଖରେ ଅପରିଚିତ କରି ପକେଇ ପାରେ, ତେବେ ଏହା ଆହୁରି କେତେ ପ୍ରଭାବଶାଳୀ ଢଙ୍ଗରେ ତମକୁ ଅନ୍ୟମାନଙ୍କ ଜୀବନରୁ ବିଛିନ୍ନ କରି ଦେଇ ନପାରେ । ଏବଂ ତାପରେ ତୁମେ ତୁମର ମସ୍ତିଷ୍କର ନିଜସ୍ୱ ଅପହଞ୍ଚ  ଇଲାକାରେ ବୁଡିରହିପାର ।

No comments:

Post a Comment