Tuesday, December 29, 2015

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଅଙ୍ଗାରୁଆ -  ଶ୍ରୀମନ୍ଦିରର ରୋଷଚୂଲିରୁ ଅଙ୍ଗାର, ପାଉଁଶ, ଖଣ୍ଡିଆ ପୋଡ଼ାକାଠ କଢ଼ା ଓ ନଳା ସଫା କାର୍ଯ୍ୟ କରୁଥିବା ସେବକ ।

ଅଟକାଳି - ଚାଉଳ ଓ ବିରିଚୂନା ମିଶ୍ରିତ ମିଠାଯୁକ୍ତ ଜାଉ । ଶ୍ରୀଜୀଉଙ୍କର ଏକ ଭୋଗ ବିଶେଷ । କ୍ଷୀର, ଗୁଡ଼ ବା ଚିନି ସହିତ ଗହମ ବା ଚାଉଳଚୂନା ମିଶ୍ରିତ ବହଳ କ୍ଷୀରି ଯାହାକୁ ଠାକୁରଙ୍କୁ ଅର୍ପଣ କରାଯାଏ ।
ଅଣସର ଦଶମୂଳପାଚନ - ଶ୍ରୀମନ୍ଦିର ଭିତରେ ଶ୍ରୀବିଗ୍ରହମାନେ ଅଣସରରେ ଥାଇ ଜ୍ୱରରୁ ଆରୋଗ୍ୟ ନିମନ୍ତେ ସେବନ କରୁଥିବା ଦଶମୂଳ ପାଚନ । ଆୟୁର୍ବେଦୋକ୍ତ ଦଶ ଗୋଟି ଗଛର ମୂଳ, ଯଥା - ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ (ଲଟା ବରକୋଳୀ), ଅଙ୍କରାନ୍ତି ଓ ଗୋଖୁରା । ଗର୍ଭଣା ସଙ୍କ୍ରାନ୍ତିରେ ଦଶ ଜଣ ଲୋକ ଏହି ଦଶଟି ମୂଳକୁ ପୃଥକ୍ ରୂପେ ସଙ୍ଗ୍ରହ କରି ଆଣି ପାଣିରେ ସିଝାଇ ତିଆରି କରାଯାଇଥିବା ପାଚନ ମୋଦକ ତିଆରି କରାଯାଏ  ।

ଅଣସର ପଣା - ଅଣସର ସମୟରେ ଶ୍ରୀଜୀଉଙ୍କୁ କେବଳ ଫଳମୂଳ ଓ ପଣା ଇତ୍ୟାଦି ଅର୍ପଣ କରାଯାଏ । ପ୍ରତ୍ୟହ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ଦୁଇଥର ସର, ନବାତ, କର୍ପୂର, ଜାଇଫଳ, ଚନ୍ଦନ ମିଶ୍ରିତ ମୋଟ ଅଠେଇଶ ଓଳି ପଣା (ଚଉଦ ଓଳି ସାନ ଓ ଚଉଦ ଓଳି ବଡ଼) ମହାପ୍ରଭୁଙ୍କୁ ସମର୍ପଣ କରାଯାଏ । 

ଅଥାର - ପିଠା ସିଝା ହେବା ପାଇଁ ଏକ ହାଣ୍ଡି । ଏଥିରେ ରାଣି ରଖାଯାଇ ଏହାର ମୁହଁକୁ କନାରେ ଢାଙ୍କି ବାନ୍ଧି ଦିଆଯାଇଥାଏ । ଏହାର ଉପରେ ସୁଦ (ଆଣ) ରଖି ନିଆଁରେ ବସାଯାଇ ବିବିଧ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ । 

ଅଦା ପାଚେଡ଼ି -  ଏକ ପ୍ରକାର ଭୋଗ । ଯାହା କୋଠ ଭୋଗରେ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଏ ।

ଅଧର ପଣା - ଶ୍ରୀ ଦଗନ୍ନାତଙ୍କ ପାଖରେ ରଥ ଉପରେ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ନୀଳାଦ୍ରି ବିଜେର ପୂର୍ବଦିନ ଅଧର ପଣା ଲାଗି କରାଯାଏ । ବାହୁଡ଼ା ପରେ ସିଂହଦ୍ୱାରରେ ଠାକୁର ରଥାୠଢ଼ ଅବସ୍ଥାରେ ଶ୍ରୀଅଧରକୁ ପାଇଲା ଭଳି ତୁମ୍ବ ସଦୃଶ  ତିନୋଟି ହାଣ୍ଡିରେ ଅର୍ପିତ ପଣା ଭୋଗ । ମହାପ୍ରଭୁଙ୍କ ଅଧର ସ୍ପର୍ଶ ମାପ ହୋଇ ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ମାଟି ହାଣ୍ଡିରେ ଏହା ଭୋଗ ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ । କ୍ଷୀରସର, ନବାତ, କଦଳୀ, ଗୋଲମରିଚ, ଅଳେଇଚ ଆଦି ମିଶ୍ରିତ ପଣା, ଯାହାକି ଓଡ଼ିଆ ମଠ, ରାଘବଦାସ ମଠ, ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଗୋଟି ହାଣ୍ଡି ଏକ ସମୟରେ ଭୋଗ କରାଯାଏ ।

ପୂର୍ବେ ବାହୁଡ଼ାଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ଅଧର ପଣା ଲାଗୁଥିଲା । ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି, ଏବଂ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ପରବର୍ତ୍ତୀ କାଳରେ ରଥ ସିଂହଦ୍ୱାରରେ ବାହୁଡ଼ା ଦିନ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା ; କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକାଦିନକେ ନଅ ହାଣ୍ଡିର ଅଧରପଣା ଭୋଗ ହେଉଛି । ପ୍ରକୃତରେ ନଅ ହାଣ୍ଡି ଅଧର ପଣା ନୁହେଁ ବାରହାଣ୍ଡି ଅଧର ପଣା । ପ୍ରତି ରଥରେ ତିନି ହାଣ୍ଡି ଲେଖାଏଁ ନଅ ହାଣ୍ଡି । ଏତଦ୍ ବ୍ୟତୀତ ବଳଭଦ୍ରଙ୍କ ରଥରେ ଅଧିକ ଦୁଇଟି ଛୋଟ ହାଣ୍ଡିରେ ଅଧର ପଣା ଭୋଗ ହୋଇଥାଏ । ରଥରେ ଥିବା ରାମ କୃଷ୍ଣଙ୍କର ଚଳନ୍ତି ବିଗ୍ରହ ନିକଟରେ ଏହି ପଣା ହାଣ୍ଡି ଭୋଗ ହୁଏ । ଆଉ ଏକ ଅଧିକ ଛୋଟ ହାଣ୍ଡି ଅଧର ପଣା ଶ୍ରୀ ଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ ।

ଏହି ପଣା ନଅଟି ଦ୍ରବ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ । ଯଥା - ଦୁଗ୍ଧ, ଦହି, ମହୁ, ଘୃତ, ଛେନାସର, ଗୋଲମରିଚଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି । ଏହାକୁ 'ମହାପଞ୍ଚରାତ୍ର' ବିଧି  ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବାବେଳେ, ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି କହିଥାଆନ୍ତି । ଲୋକ ବିଶ୍ୱାସରେ ଆଶାୟୀ ଚଣ୍ଡୀ ଚାମୁଣ୍ଡା ଆଦିଙ୍କର ପରିତୃପ୍ତି ନିମନ୍ତେ ଏହା ପ୍ରଦାନ କରାଯାଏ । ଭୂତ, ପ୍ରେତଙ୍କ ଉଦ୍ଦେଶ୍ୟରେ ଏହା ଉଦ୍ଦିଷ୍ଟ ଥିବାରୁ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯାଏ ।

ଅଧା - ଅମାଲୁ ଛଣା ତଇ ବା କଡ଼େଇ ଯାହା ଶ୍ରୀମନ୍ଦିର ରୋଷରେ ଅମାଲୁଲ ତିଆରିରେ  ବ୍ୟବହାର କରାଯାଏ ।

ଅଧା ତାଡ଼ିଆ - ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ବିଶେଷ । ଛୋଟ ମାପର ତାଡ଼ରେ ଥିବା ଭୋଗ । ଏହା ଶ୍ରୀଜୀଉଙ୍କୁ ଲାଗି ହୋଇଥାଏ ।


No comments:

Post a Comment