Wednesday, December 16, 2015

ନମନୀୟ ସହର - ୪


ଲେଖକ - ଜନାଥନ୍ ରାବାନ୍

ଅନୁବାଦକ - ନିଗମାନନ୍ଦ ଷଡ଼ଙ୍ଗୀ

ସମ୍ପାଦକୀୟ ନୋଟ୍ - ସହରୀ ଜୀବନ, ବିଶେଷତଃ ମହାନଗରୀୟ ଜୀବନର, ଆଲୋଚ଼ନାରେ ବ୍ରିଟିଶ୍-ଆମେରିକୀୟ ଲେଖକ ଜନାଥନ୍ ରାବାନ୍ ଙ୍କର ବହି - ସଫ୍ଟ୍ ସିଟି ଏକ ଗୁରୁତ୍ତ୍ୱୁପୂର୍ଣ୍ଣ ଗ୍ରନ୍ଥ । ଉପନ୍ୟାସର ଭାଷାରେ ଲିଖିତ ଏହି ବହିଟିର ଢାଞ୍ଚାଟି, ଲେଖକଙ୍କର ଏକ ଛୋଟ ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ନିରୁପଦ୍ରବ ମାଷ୍ଟ୍ରାମୀ ଛାଡ଼ି, ଲଣ୍ଡନ୍ ମହାନଗରୀରେ ଜୀବନ ଗଢିବା ଓ ଜୀବିକା ସଙ୍ଗ୍ରହ କରିବାର ଲଢେଇର ଅନୁଭବର ଭିତ୍ତିରେ ଠିଆ ହୋଇଛି । ବହିଟିର ପ୍ରଥମ ଅଧ୍ୟାୟର ଅନୁବାଦ ଆପଣ ଆସନ୍ତା କେଇ ଦିନ ନିମନ୍ତେ ଏହି ବ୍ଲଗ୍ ରେ ପଢିବାକୁ ପାଇବେ । 



ଏକ ନମ୍ବର ହାଟ - ଭୁବନେଶ୍ୱର
ଫଟୋ କ୍ରେଡିଟ୍ - ଗୁରୁଦତ୍ତ ଖୁଣ୍ଟିଆ

ଏବେ ଘରର କାମ ହେଲା ଅପରିଚିତ ଲୋକମାନଙ୍କୁ ଏକ ରହସ୍ୟମୟ ଢଙ୍ଗରେ ପାଖାପାଖି ରଖିବା । ଫଳତଃ ଏମିତି ଏକ ଅବସ୍ଥା ଯେଉଁ ଅଯାଚିତ ବନ୍ଧତ୍ୱ, ଅନ୍ତରଙ୍ଗ ଦୃଶ୍ୟ, ଅନ୍ତରଙ୍ଗ ଶବ୍ଦ ସବୁ ପ୍ରେରଣ କରେ, ତାହା ସନ୍ଦେହ, ଳଜ୍ଜାଜନକ ପରିସ୍ଥିତ ଓ ଅସନ୍ତୋଷକୁ ଉଦ୍ରେକ କରେ ।

ରାତି ଢେର ବେଶୀ ହବ । ଝିଅଟିର ଚିତ୍କାରର ଶବ୍ଦରେ ମୋର ନିଦ ଭାଙ୍ଗିଯାଏ । ତାହା ଥାଏ ଆନନ୍ଦର ଏକ ଗଭୀର ଶିତ୍କାର । ଅବଶ୍ୟ ତାହା ସହ ମୋର କିଛି ସଂପର୍କ ନାହିଁ । ମୁଁ ତା’ର ପୁରୁଷ ବନ୍ଧୁର ଦୀର୍ଘଶ୍ୱାସ ବି ଶୁଣିପାରୁଥାଏ । ସତେ ଯେମିତି ସେ ଆଉ ମୁଁ ଗୋଟିଏ ଚଦର ତଳେ ଅଛୁ । ଆଉ  ଏବଂ ରାତିରେ ଝରକା ଦେଇ ଟିଭିର କାନଫଟା  ଶବ୍ଦ ଆସୁଥାଏ । କିଛି ଗୋଟେ ବିଳମ୍ବିତ ରାତ୍ରିର  କାର୍ଯ୍ୟକ୍ରମ ଚାଲୁଥାଏ । ପୁଣି ଆଉ ଗୋଟେ ରାତିରେ ନାରୀଟିଏ ଧକେଇ ଧକେଇ କାନ୍ଦୁଥିବାର ଦୟନୀୟ ଶବ୍ଦ ବାଜୁଥାଏ । ଏହି ସମୟରେ ପୁରୁଷ ଲୋକଟିଏର ପଟା ଉପରେ ଚାଲିବାର ମଡ଼ ମଡ଼ ଶଦ୍ଧ ଶୁଭେ । ସେ ହଠାତ୍ ଚିକ୍ରାର କରି ଉଠେ । ‘ବନ୍ଦ କର । କାହିଁକି ଶାଳୀ ଚୁପୁ ହଉନୁ? ' ତା ପରେ, ରାତି ରାତି ଗୁଲିଖଟି ହିଁ ଶୁଣିବାକୁ ମିଳେ । କେହି ଜଣେ ପାଦ୍ରୀମାନଙ୍କ ପରି  ଚେଁ ଚେଁ ସ୍ୱ ରରେ  କହିଲାଣିତ, ପୁଣି ତାକୁ ନେଇ ଆଉ କିଏ ଖେଁ ଖେଁ ହସିଲାଣି । ରାତି ରାତି ଏହି ଧରାବନ୍ଧା କାର୍ଯ୍ୟକ୍ରମ ଗୁଡିକ ଚାଲୁରହେ । ଯାବତ୍ ଦୋ ଅନ୍ଧାରିଗୁଡାକ ଶୁଣୁ ଶୁଣୁ ମୁଁ ଏକୁଟିଆ ନିଦେଇ ଯାଏ ।

କୂଅ ଆର ପାଖ ଫ୍ଲାଟ୍ ରେ ମେଞ୍ଚାଏ ଏଣୁ ତେଣୁ ଲୋକ ରୁହନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଳ୍ପଦିନ ରହି ଚାଲିଯାଆନ୍ତି; ଯାହାକୁ ଯେଉଁ ସମୟ ପଇଟେ ସିଏ ସେହି ସମୟରେ ଉଡିଯାଏ । ରାତିର ସେହି ଶବ୍ଦ ଗୁଡିକ ସହ ମୁଁ ସେମାନଙ୍କ ଚେହେରାକୁ ମେଳ ବସେଇ ପାରେନି । ନାଁ ତ ଜାଣିବା ଦୂରର କଥା । ସେମାନଙ୍କର ଚିଠିପତ୍ର ଆସେ । ସେ ଗୁଡିକ ଚିଠି ବାକ୍ସରେ ପଡି ପଡି ଓଦା ଓ ଲୋଚାକୋଚା ହୋଇଯାଏ । ମୋର ସେମାନଙ୍କ ସହ କିଛି ଦବା ନବା ନଥାଏ ।  ଆମେ ବେଳେ ବେଳେ ସମାନ ଦାଣ୍ଡ ଦରଜାରେ ଯା' ଆସ କରୁ । 

ଅଟା ମେଞ୍ଚାପରି  ଚେହେରାର ଝିଅଟି କ’ଣ ସେହି ଝିଅ ଯାହା ପାଇଁ ସେଦିନ ରାତିଟି ଥିଲା ଏକ ପରିତୃପ୍ତିର ରାତି? ସମ୍ଭବତଃ । କାହିଁକି ନା ସହରୀ ଜୀବନରେ ଅସମ୍ଭବ ଲାଗିବାଟା ହିଁ ଅସଲ କଥା । ଅପରିଚିତ ମାନଙ୍କର ଜୀବନର ଅସଙ୍ଗତ ଟୁକୁଡା ଗୁଡାକୁ ନେଇ ନାନା ପ୍ରକାରେ ଖେଳ ଖେଳାଯାଏ । ୟାର ଗୋଡ ନେଇ ତା ଦିହରେ ଖଞି ଦିଆଯାଏ । ଯେତେବେଳେ ସଙ୍ଗତପୂର୍ଣ୍ଣ ଆଚରଣ ପରିଲକ୍ଷିତ ହୁଏ, ଅପରିଚିତ ଜୀବନର ଟୁକୁଡାଗୁଡା ମେଳ ବସିଯାଆନ୍ତି । ଅପରିଚିତ ଜଣଙ୍କ ପରିଚିତ ଲାଗନ୍ତି । ତାର ଜୀବନର ରୂପରେଖଟି ଆଖିକୁ ସ୍ୱପ୍ନ ଜଣାପଡେ ଯାହାକୁ ବୁଝିହୁଏ, ଯାହାକୁ ସମବେଦନା ଜଣେଇ ହୁଏ । ଯେତେ ଦିନ ପର୍ଯ୍ୟନ୍ତ ତା’ର ଜୀବନଟି ଅସ୍ୱଷ୍ଟ ଓ ରୁପରେଖ ବିହୀନ ଥାଏ , ସେତେ ଦିନ ପର୍ଯ୍ୟନ୍ତ ସିଏ ଗୋଟେ ବଦମାସ୍ ପରି ଲାଗେ । ସେତେବେଳେ ତାକୁ ନେଇ କପୋଳ କଳ୍ପିତ ଭୟାକୂଳ ଚିତ୍ରଟିଏ ଆଙ୍କିବା ହୋଇଯାଏ ସବୁଠୁଁ ସହଜ କାମ । ତେଣୁ ଏକୁଟିଆ ରହୁଥିବା ବୁଢାଲୋକମାନେ, କେବଳ ସହରରେ ନୁହେଁ, ତାଙ୍କ ଚାରିପାଖରେ ଥିବା ସକ୍ରିୟ, ଖଣ୍ଡ ବିଖଣ୍ଡିତ ଜୀବନକୁ ଷଡଯନ୍ତ୍ର ରୁପରେ ପରିକଳ୍ପନା କରନ୍ତି ।

ସହରରେ ବାସ କରିବା ଅର୍ଥ ପରିଚିତମାନଙ୍କର ଏକ ଗୋଷ୍ଠୀରେ ବାସ କରିବା । ଏଠି ଜୀବନ ଗତିଶୀଳ ଓ ଏକୁଟିଆ । ତେଣୁ ଇସାରା ଓ ମନର ଖିଆଲକୁ ନେଇ ଚାଲିବାକୁ ହେବ । ସହରରେ ନିଜର ପରିଚୟଟି ଖଣ୍ଡିତ ଭବରେ, ବିଛିନ୍ନ ଇସାରା ମାଧ୍ୟମରେ, ବିବେକ-ଅସଂଲଗ୍ନ ଠାଣି ସାହାଯ୍ୟରେ, ଜାଙ୍ଗଲିକ ଚିକ୍ରାର ଓ ଫୁସ୍ ଫାସରେ, ନିଜେ ହିଁ ଅନାବୃତ୍ତ ହୁଏ ।  ଅନ୍ୟମାନଙ୍କ ଦ୍ୱାରା ଅନାବୃତ୍ତ ହୁଏ । କିନ୍ତୁ ଏଥିରୁ ଅର୍ଥ ବାହାର କରିବା, ସଙ୍ଗତି ଖୋଜିବାର କାଠିକର ପାଠ । ସହରୀ ବାସିନ୍ଦା ଭାବରେ ଆମେ ଏମିତି ଏକ ଜଗତରେ ବାସ କରୁ ଯେଉଁଠି ପରିଚୟର ନିର୍ଦ୍ଧିଷ୍ଟତା କିଛି ନଥାଏ । ତମ କଡ଼ ଟେବୁଲରେ କିଏ ବସିଛି ତାହାରି ବର୍ଣ୍ଣନା ଅନୁସାରେ ତମର ପରିଚୟ ସୃଷ୍ଟି ହୁଏ - ଯଥା ପାନ ଦୋକାନ ପାଖରେ ଝିଅକୁ କମେଣ୍ଟ୍ ମାରୁଥିବା ଟୋକା, ନବମ ଶ୍ରେଣୀରୁ କାହା ସାଙ୍ଗରେ ପଳେଇ ଯାଇଥିବା  ଝିଅ, ଇତ୍ୟାଦି । ଅର୍ଥାତ୍ ଅପରିଚିତର ପରିଚୟକୁ ନେଇ ମୁଣ୍ଡରେ କେତେ କଅଣ ଖେଳିଯାଇଥାଏ । ଯଦିଓ ବହୁତ କମ ନିର୍ଦ୍ଧିଷ୍ଟ ଓ ଜ୍ଞାତ ଥାଏ । 

ଇସାରା, ଠାଣି, ଭାବ ବିନିମୟର ଅତ୍ୟଧିକ ପାରମ୍ପରିକ ତ୍ୱରିତ ବ୍ୟବସ୍ଥା ହେଉଛି ବଡ ସହରର ଜୀବନ ଶକ୍ତି । ଏସବୁ ବ୍ୟବସ୍ଥା ଯେତେବେଳେ ଅଚଳ ହୋଇଯାଏ, ଯେତେବେଳେ ସହରୀ ଜୀବନର ବ୍ୟାକରଣ ଉପରେ ଆମର ମୁଠା ଢିଲା ପଡିିଯାଏ, ସେତେବେଳେ ‘ଏନଭି’ ପରି ଗୋଷ୍ଠୀ ମାଡି ବସନ୍ତି । ସହର ହେଉଛି ଏକ ବିଶାଳ ଆଧୁନିକ ଢାଞ୍ଚା  । ଏହା ଏତେ ନମନୀୟ ଯେ ଜୀବନର ବହୁରଙ୍ଗ, ବହୁ ସ୍ୱପ୍ନ ଓ ବହୁ ବ୍ୟାଖ୍ୟା ଅନୁସାରେ ବଦଳି ପାରେ । ହେଲେ ସହରର ଏହି ନମନୀୟତା ଯାହା କି ମାନବିକ ପରିଚୟର ମହାନ ମୁକ୍ତିଦାତା, ସିଏ ମଧ୍ୟ ହୋଇପାରେ ମନୋବିକାର ଓ ଏକଛତ୍ରବାଦୀ ଦୁଃସ୍ୱପ୍ନର କାରଣ । ଯଦି ପ୍ଲାଟୋଙ୍କ ଆଦର୍ଶ ଅନୁଯାୟୀ ସହରରଟି ମାନବୀୟ ବୁଦ୍ଧି ଓ ଗୋଷ୍ଠୀବୋଧର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ହୋଇପାରେ, ତେବେ ତାହା ବି ହୋଇପାରେ ହିଂସ୍ର୍ ଓ ଅର୍ଦ୍ଧ-ବାସ୍ତବ । ହୋଇପାରେ ମଣିଷର ଉଦାସୀନତା, ଈର୍ଷା, ଭୟ ଓ ଅପରିଚିତ ପ୍ରତି ଘୃଣାର ଅଭିବ୍ୟକ୍ତି । 

ସହରର ଲୋକମାନଙ୍କୁ କେଉଁଠି ନା କେଉଁଠି ଦେଖିପାରି ଦବା ସହଜ । କାହିଁକି ନା ସହରଟି ଗାଁ ପରି ଆକାରରେ ଛୋଟ ନୁହେଁ; ସେଠି ସମସ୍ତେ ଅଜ୍ଞାତକୂଳଶୀଳ; ସେଠି  ଗ୍ରାମ୍ୟ ଗୋଷ୍ଠୀଜୀବନର ନାନା ପ୍ରକାର ବାରଣ ନ ଥାଏ । ତେଣୁ ସହରୀ ପରିବେଶ ଏମିତି ଆଚରଣକୁ ପ୍ରଶୟ ଦିଏ ଯାହାକୁ ଗ୍ରାମ୍ୟ ଜୀବନ ଜନ୍ମରୁ ହିଁ ନିର୍ବାସନ ଦେଇ ଦିଏ । ସହର ଏମିତି ଏକ ସ୍ଥାନ ଯେଉଠିଁ କି ତମେ ନିଜ ପସନ୍ଦର ସମାଜ ବାଛି ପାରିବ; ସେହି ପରି ତମେ ତମର ପରିତ୍ୟକ୍ତ, ବନ୍ଧୁ, ପୁରୁଣା ପ୍ରେମିକ, ପରିବାର, ନପାରିଲା ମଣିଷମାନଙ୍କୁ ଫୋପାଡି ଦେଇ ପାରିବ । ଫୋପାଡି ଦେଇପାରିବ ଗରିବ ମାନଙ୍କୁ, ସଂଖ୍ୟାଲଘୁ ମାନଙ୍କୁ, ବହିରାଗତ ମାନଙ୍କୁ, ଯାହାକୁ ନାହିଁ ତାହାକୁ । ଅର୍ଥାତ୍, ଯିଏ ବି ତୁମ ରୁଚି ଅନୁଯାୟୀ ନୁହଁ । ଠିକ୍ ସେମିତି ହତ୍ୟାକାରୀମାନେ ବି ନିଜର ଶୀକାରକୁ ଫୋପାଡି ଦେଇ ପାରିବ । ସହରରେ ଆମେ ନିଜ ଇଛା ଅନୁସାରେ ଆମର ପରିଚୟ ବଦଳାଇ ଦେଇ ପାରିବା । ଡିକେନ୍ସ୍ ତାଙ୍କ ଉପନ୍ୟାସରେ ଏ କଥାକୁ ସଗର୍ବେ ବାରମ୍ବର ପ୍ରମାଣିତ କରିଛନ୍ତି ।  ପରିଚୟର ଏହି ବିଛିନ୍ନତା, ବିନା ପାତର ଅନ୍ତରରେ, ଉଭୟ ସହସା-ନାୟକ ଓ ସହସା-ଖଳନାୟକ ମାନଙ୍କୁ ବେଶ୍ ସୁହାଏ । ସହରର ଏହି ଅତି ରଙ୍ଗୀନ, ନାଟକୀୟ ପ୍ରକୃତି ଲଗାତର ସୁଆଙ୍ଗରେ ପରିଣତ ହୁଏ । ଏଠାରେ ମୋର ନିଜର ଲକ୍ଷ୍ୟ ହେଉଛି ଆଧୁନିକ ସହର ନାମକ ପ୍ଲଟ୍ ଟିକୁ ନିରୀକ୍ଷଣ କରିବା ଓ ଚରିତ୍ରମାନଙ୍କ ପ୍ରକୃତି ପାଇଁ ତା’ର ତାତ୍ପର୍ଯ୍ୟକୁ ବୁଝିବା । କେବଳ ଏଇ ଆଶାରେ କି  ଆମେ ଆଉ ଟିକେ ଭଲ ଭାବରେ ବୁଝିପାରିବା ସହରଟି ଆମ ଜୀବନକୁ କେମିତି ପ୍ରଭାବିତ କରେ, ଆମର ଭାବନା, ଚିନ୍ତା ଓ ଜୀବନ ଶୈଳୀକୁ କେମିତି ପରିବର୍ତ୍ତନ କରେ ।

No comments:

Post a Comment