Sunday, December 13, 2015

ନମନୀୟ ସହର - ୨


ଲେଖକ - ଜନାଥନ୍ ରାବାନ୍

ଅନୁବାଦକ - ନିଗମାନନ୍ଦ ଷଡ଼ଙ୍ଗୀ

ସମ୍ପାଦକୀୟ ନୋଟ୍ - ସହରୀ ଜୀବନ, ବିଶେଷତଃ ମହାନଗରୀୟ ଜୀବନର, ଆଲୋଚ଼ନାରେ ବ୍ରିଟିଶ୍-ଆମେରିକୀୟ ଲେଖକ ଜନାଥନ୍ ରାବାନ୍ ଙ୍କର ବହି - ସଫ୍ଟ୍ ସିଟି ଏକ ଗୁରୁତ୍ତ୍ୱୁପୂର୍ଣ୍ଣ ଗ୍ରନ୍ଥ । ଉପନ୍ୟାସର ଭାଷାରେ ଲିଖିତ ଏହି ବହିଟିର ଢାଞ୍ଚାଟି, ଲେଖକଙ୍କର ଏକ ଛୋଟ ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ନିରୁପଦ୍ରବ ମାଷ୍ଟ୍ରାମୀ ଛାଡ଼ି, ଲଣ୍ଡନ୍ ମହାନଗରୀରେ ଜୀବନ ଗଢିବା ଓ ଜୀବିକା ସଙ୍ଗ୍ରହ କରିବାର ଲଢେଇର ଅନୁଭବର ଭିତ୍ତିରେ ଠିଆ ହୋଇଛି । ବହିଟିର ପ୍ରଥମ ଅଧ୍ୟାୟର ଅନୁବାଦ ଆପଣ ଆସନ୍ତା କେଇ ଦିନ ନିମନ୍ତେ ଏହି ବ୍ଲଗ୍ ରେ ପଢିବାକୁ ପାଇବେ । 



ଫଟୋ କ୍ରେଡିଟ୍ - ଗୁରୁଦତ୍ତ ଖୁଣ୍ଟିଆ


ଲଣ୍ଡନ: ୧୯୭୨ ମସିହାର ଅକ୍ଟୋବର ମାସ । ସଂଧ୍ୟା ସଅଳ ଗାଢ ହବାକୁ ଆରମ୍ଭ କରିଥାଏ । ଜଣେ ୧୯ ବର୍ଷୀୟ ଯୁବକ ମଲ୍ ନିକଟସ୍ଥ ନ୍ୟାସ ହାଉସ୍ ରୁ ବାହାରି ଆସିଲା ରାସ୍ତା ଉପରକୁ । ରାସ୍ତାଟି ବକିଙ୍ଗହାମ ରାଜପ୍ରାସାଦକୁ ପଡିଥାଏ । ଯୁବକ ଜଣକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଣ୍ଟେମ୍ପୋରାରି ଆର୍ଟସ୍ ରେ ସିନେମା ଦେଖୁଥିଲା । ବିରକ୍ତ ଲାଗିବାରୁ ସିଗାରେଟ୍ ଖଣ୍ଡେ ପାଇଁ ଇଚ୍ଛା ହେଲା । ଇନ୍ଷ୍ଟିଚ୍ୟୁଟ୍ ରେ ଠିକ୍ ବାହାରେ ଓସାରିଆ ପାହାଚମାନ ଥାକ ଥାକ ହୋଇ ଲମ୍ବି ଯାଇଛି । ଗଛ ଛାଇରେ ଯାଗାଟି ଟିକେ ଅନ୍ଧାରୁଆ, ଆଲୁଅ ବି କମ୍ । ପିଲାଟି ସିଗାରେଟ୍ ଟିଏ ଟାଣିବା ଲାଗି ଏହି ଯାଗାକୁ ଆସିଲା । ସେଦିନ ଭାରତୀୟ ଖରାଦିନିଆ ରାତି ପରି ଗରମ ଅନୁଭୂତ ହେଉଥିଲା । ତେଣୁ ହୋଟେଲ୍ ରେ ରାତ୍ରି ଭୋଜନ ସାରି ପର୍ଯ୍ୟଟକ ତଥା  ଦମ୍ପତ୍ତି ଗଣ ଚଲାବୁଲା ପାଇଁ ପଦାକୁ ବାହାରି ଆସିଥିଲେ । ମଲ୍ ଅଞ୍ଚଳଟି ଚଳଚଞ୍ଚଳ ଥିଲା । ସିନେମା ସରିଲା ପରେ ଜନଗହଳି ଦେଖା ଦେଲା । ହେଲେ ସେମାନେ ଯୁବକଟିକୁ ଜଣେ ନିଶାଖୋର ବା ଫୁଟ୍-ପାଥ୍ ମଦୁଆ ବୋଲି ଭୂଲ୍ ରେ ଭାବିଲେ । ପିକାଡିଲି ପାଖରେ ଏମିତି ଏପ୍ରକାରର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳେ । କିନ୍ତୁ ଏଠାରେ ଏ ପ୍ରକାରର ଦୃଶ୍ୟ ବେଖାପ ଲାଗୁଥିଲା । ଅତି ଯତ୍ନରେ ଘସାମଜା ହୋଇ ଚକାଚକ ଏକ ଯାଗାରେ ଏ ଦୃଶ୍ୟ ଥିଲା ଏକ ଅଳିଆ ଦାଗ ପରି ।

ଯୁବକଟି ବଞ୍ଚିବ, କିନ୍ତୁ ସବୁଦିନ ପାଇଁ ପଙ୍ଗୁ ହୋଇଯିବ । ତାର କହିବା ଅନୁସାରେ, ପାହାଚ କଡରୁ ଦୁଇଜଣ ଲୋକ ତା’ ଆଡକୁ ଝପଟି ଆସିଲେ । ଜଣେ ତା ପାଟିକୁ ଚାପି ଧରିଲା ଓ ଆଉ ଜଣେ ତା ବାହୁକୁ ବେକ ଚାରିପାଖେ ବୁଲେଇଦେଇ ଅଢେଇ ଇଞ୍ଚିଆ କଲମ-ତରାସ ଛୁରୀରେ ତାର ସୁଷୁମ୍ନା କାଣ୍ଡକୁ କାଟି ଦେଲା । ସମଗ୍ର କାଣ୍ଡଟି ଅତି ନିିଖୁଣ ଭାବରେ କରାଗଲା । ସେ ଲୋକ ଦୁଇଜଣ ଯୁବକଟିର ସଂପୂର୍ଣ୍ଣ ଅପରିଚିତ ଥିଲେ ଓ ସେମାନେ ତା’ ପାଖରୁ କିଛି ବି ଚୋରି କରିନଥିଲେ ।

‘ଏନଭି’ ନାମକ ଏକ ଗ୍ୟାଙ୍ଗ ବିଷୟରେ ଗୁଜବ ଶୁଣିବାକୁ ମିଳୁଥାଏ । ଅପରିଚିତ ଲୋକମାନଙ୍କ ଉପରେ ସେମାନଙ୍କ ନୃଶଂସ, ଆପତତଃ ଉଦ୍ଦେଶ୍ୟହୀନ ଆକ୍ରମଣ ସମ୍ପର୍କରେ ଖବରକାଗଜରେ ମୋଟାମୋଟି କିଛି ପ୍ରକାଶିତ ହେଉନଥାଏ । ବୋଧହୁଏ ସେହି ସମାନ ଆକ୍ରମଣର ଭୟରେ । କିଏ ଜାଣେ ‘ଏନଭି’ର ଶୀକାର କିଏ ନ ହେବ ବୋଲି? ତମର କାର୍ ଟିଏ ଅଛି, ତମ ସାଙ୍ଗରେ ଝିଅଟିଏ ଅଛି, ତୁମେ ନୂଆ ସୁଟ୍ ଟିଏ ପିନ୍ଧିଛ, ପାଟିରେ ସିଗାରେଟ୍, ଏପରିକି ମୁହଁରେ ହସ ଧାରେ ଲାଖିରହିଛି । ଆଉ ସେମାନେ ସହସା ଅନ୍ଧାର ଭିତରୁ ତମ ଆଡକୁ ଝପଟି ପଡିପାରନ୍ତି । ସେମାନଙ୍କର ଶୀକାର ପାଇଁ ସହରର ସବୁଠୁ ଶାନ୍ତ ସୁନ୍ଦର ଅଞ୍ଚଳମାନଙ୍କୁ ବାଛିଥାନ୍ତି । ତମ ଚେହେରାରେ ସମୃଦ୍ଧି, ସୈାଭାଗ୍ୟ ଓ ସୁଖର ଛାପ ଅଛି କି ନାହିଁ, ତାହା ହିଁ ହୁଏ ସେମାନଙ୍କର ଆକ୍ରମଣର କାରଣ । ସେମାନେ ଅନ୍ୟ ଲୁଟେରାମାନଙ୍କ ପରି ପଇସା ପାଇଁ ବ୍ୟାକୁଳ ନୁହିଁନ୍ତି । ସେମାନେ ତୁମର ବଞ୍ଚିବାର ଅଧିକାର ଛଡେଇ ନବା ଛଡା, ତମଠାରୁ କିଛି ଛଡେଇ ନିଅନ୍ତି ନାହିଁ, କି କିଛି ବି କୁହନ୍ତି ନାହିଁ । ତୁମେ କେବଳ ଯୁଦ୍ଧର ସୈନିକ ପରି ମର ବା କ୍ଷତବିକ୍ଷତ ହୁଅ । କାହିଁକି ନା ତୁମେ ଭୂଲ୍ ପୋଷାକଟିଏ ପିନ୍ଧିଥିଲ, ସେ ବାଳକଟିର କ’ଣ ଭୂଲ୍ ଥିଲା? ତା’ର ପୋଷାକପତ୍ର? ତା’ର ଭାବଭଙ୍ଗୀ? ନାଁ କେବଳ ସଂସ୍କୃ୍ତି-ସଂପନ୍ନ, ମଧ୍ୟବିତ୍ତ-ଗର୍ବିତ ପ୍ରମୋଦ ସ୍ଥଳୀରେ ତାର ଉପସ୍ଥିତି ? 

ଗତ କିଛି ବର୍ଷ ଭିତରେ ଏହା ସଫା ଜଣା ପଡୁଛି କି ଲୁଟେରାମାନଙ୍କର ଆକ୍ରମଣ ଦୃଷ୍ଟିରୁ ସହରର ଆମୋଦ ପ୍ରମୋଦ ଅଞ୍ଚଞ୍ଚଳଟିମାନ ଏହାର ସବୁଠୁଁ ଦୁର୍ବଳ ସ୍ଥାନ । ନିୟୁର୍କର ବ୍ରଡ୍ୱେ ଓ ଦି ପ୍ଲାଜା କୁଖ୍ୟାତ ବିପଦପୂର୍ଣ୍ଣ ସ୍ଥାନ । ସେହି ପରି ଲଣ୍ଡନ୍ ର ୱଲଡ୍ ବ୍ୱିକ୍ ଓ ସାଉଥ୍ ବ୍ୟାଙ୍କ୍ କଳା କେନ୍ଦ୍ରକୁ ବେଢି ରହିଥିବା ୱାଟର୍ଲୁ ଜିିଲ୍ଲାର ଆଖପାଖ ଇଲାକାରେ ବିନା ଉସକାଣିରେ ହିଂସ୍ର ଆକ୍ରମଣ ସବୁଠୁଁ ଅଧିକ ସଂଖ୍ୟାରେ ଘଟୁଛି । ଏହାର କାରଣ ସମ୍ପର୍କରେ ଏମିତି ଏକ ଅନୁମାନ କରାଯାଏ । ଏହି ଅଞ୍ଚଳରେ ଚଳପ୍ରଚଳ କରୁଥିବା ବାସିନ୍ଦାଙ୍କ ପକେଟ୍ ଟଙ୍କାରେ ଗରମ ଥାଏ, ଖାଦ୍ୟ, ମଦ୍ୟ ଓ ଥିଏଟରର ଆବହାୱାରେ ସେମାନଙ୍କ ମିଜାଜ ନରମି ଯାଇଥାଏ । ତେଣୁ ସେମାନେ ଚୋରମାନଙ୍କର ସହଜ ଶୀକାର ପାଲଟି ଯାଆନ୍ତି । ଏ ସଂପର୍କରେ ଆଉ ଏକ ଭୟଙ୍କର ବ୍ୟାଖ୍ୟା ବି ଅଛି । ଆକ୍ରମଣକାରୀମାନେ ଏହିମାନଙ୍କୁ ଆକ୍ରମଣ କରିନ୍ତି ଯେଉଁମାନେ ମଉଜ ମଜଲିସ୍ କରୁଛନ୍ତି ଓ ମଜାରେ ସମୟ କାଟୁଛନ୍ତି ବୋଲି ସେମାନେ ଭାବନ୍ତି । ଅର୍ଥାତ୍ ଲୋଭ ଅପେକ୍ଷା ଇର୍ଷା ହିଁ ଆକ୍ରମଣର ବଳିଷ୍ଠତର ଉଦ୍ଦେଶ୍ୟ । ସହରରେ ଆମେ ବ୍ୟକ୍ତିଠାରୁ ବ୍ୟକ୍ତିକୁ, ଗୋଷ୍ଠୀଠାରୁ ଗୋଷ୍ଠୀକୁ ଏତେ ବିଛିନ୍ନ କରିପକେଇଛୁ ଯେ, ଆମେ ଘୃଣାକୁ ସହଜଜାତ ଏକ ଭୟଙ୍କର ଆବେଗରେ ପରିଣତ କରିଦେଇଛୁ । ଏହା ଅଜାଣତରେ ଆମ ଭିତରେ ବସାବାନ୍ଧି ସାରିଥିବା ରୋଗର ଲକ୍ଷଣ ପରି ଆମ ପାଖରେ ଅତି ହାଲୁକା ତଥା ମାରାତ୍ମକ ଭାବେ ଦେଖାଯାଉଛି ।

ଦିନେ ଓପରବେଳା ଅକ୍ସଫୋର୍ଡ ସ୍ଥିତ ଲଣ୍ଡନ୍ ଭୂତଳ ରେଳ ପ୍ଲାଟଫର୍ମ୍ ରୁ ବାହାରି ଆସୁଥିବା ବେଳେ ଦେଖିଲି ଜଣେ ମଣିଷ ପାଗଳ ପରି ଚିତ୍କାର କରୁଥିଲା । ‘ବେଧ ଶଳେ, ମା--, ଶଳେ’ । ଆମେ ଭିଡ କାଟି ଆଗକୁ ବଢୁଥିବା ବେଳେ ତାର ଶଦ୍ଧଗୁଡିକ ପ୍ଲାଟଫର୍ମର ଚୀନା ମାଟି କାନ୍ଥରେ ଧକ୍କା ଖାଇ ଘୁରିବୁଲାଉଥିଲା । ଲୋକଟି ବଢିଆ ସହରୀ ସୁଟ୍ ପିନ୍ଧିଥିଲା । ତା’ର ଗୋଲାପୀ ହାତରେ ସୁନ୍ଦର ଭାବେ ଭାଙ୍ଗ କରା ହୋଇଥିବା ସୁନ୍ଦର ସହରୀ କାଗଜ ଖଣ୍ଡେ ଥିଲା । ନଖଗୁଡିକ ବି ମୂଳେଇକି କଟାଯାଇଥିଲା । ସବୁଠୁଁ ବଡ କଥା ହେଲା, ଏ ଘଟଣାରେ କେହି ବି ଆଶ୍ଚାର୍ଯ୍ୟାନ୍ୱିତ ହେଲେ ନାହିଁ । ଖାଲି ଗହଳି ଭିତରେ କେତେଜଣଙ୍କର ପାଦର ଗତି ଟିକେ ମୁହଁନେଫଡି ଦେଲା । ବାସ୍, କେବଳ ସେତିକି । 

ମୁଁ ଭାବୁଛି ଆମକୁ ଗାଳି କରୁଥିବା ସେହି ଲୋକଟିକୁ ଯେଉଁ ଆବଦ୍ଧ ସ୍ଥାନ  ଜନିତ ଭୟ (କ୍ଲଷ୍ଟ୍ରୋଫୋବିଆ) ଓ ବୈରଭାବ ପଳପଳ କରି ଖାଇ ଯାଉଥିଲା, ଆମେ ସମସ୍ତେ ତାହା ଜାଣିଥିଲୁ, ମର୍ମେ ମର୍ମେ ନିଜେ ଅନୁଭବୁଥିଲୁ । ଆମେ ନିଜ ଭିତରେ ପରସ୍ପରକୁ ଗାଳି ଦେଉଥିଲୁ । ଭିଡ ସମୟରେ କିଏ ବା ନିଜର ପାଖ ଲୋକକୁ ଭଲ ପାଏ । ମୁଁ ତ ନୁହେଁ । ମୋର ସନ୍ଦେହ ଯେ ସହରୀ ହିଂସାର ଉତ୍ତମ ନିରାପତ୍ତା  ହେଉଛି ଅପରିଚିତମାନଙ୍କ ଠାରୁ ଦୂରରେ ରହିବା; ଆମେ ଛୁଇଁବାକୁ ଚାହୁଁନାହୁଁ ବା ତା’ର ଏତିକି ନିକଟତର ହେବାକୁ ଚାହୁଁନାହୁଁ କି ତାର ଜୀବନର ଦୁର୍ଗନ୍ଧକୁ ବାରିପାରିବୁ । ଲୁଟେରା ଓ ଅନ୍ୟ ଯେଉଁମାନେ ଜନଗହଳି ଭୂତଳ ଟ୍ରେନ୍ ରେ ଝିଅମାନଙ୍କ ଦିହରେ ହାତ ମାରନ୍ତି, ସେମାନେ ଏକ ଏକ ବ୍ୟତିକ୍ରମ ମାତ୍ର । କିନ୍ତୁ ଯଦି ଅପରିଚିତମାନଙ୍କ ପ୍ରତି ଥିବା ଆମର ଘୃଣା ଶାରୀରିକ ବନ୍ଧ ଭାଙ୍ଗି ଏକ ଜନଗହଳି ଭିତରେ ପ୍ରକଟିତ ହେବ, ତେବେ କିଏ ଜାଣେ ଭୂତଳ ରାସ୍ତାରେ ଓ ରାଜପଥରେ କି ନାରାକୀୟ କାଣ୍ଡଟିମାନ ଘଟି ନ ଯିବ ।

No comments:

Post a Comment