ସୁଜାତା ଭଟ୍ଟଙ୍କର ଅନୁଦିତ କବିତା - 'ଥିବା ଓ ହେବା ଭିତରେ ତଫାତ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶରୀର ଭିତରେ ଆତ୍ମା କେଉଁଠି ରହେ ?
ଆଟୁରେ କଏଦୀ ହୋଇ,
କାଚରେ ନିଜର ଡ଼େଣା ଫଡ଼ଫଡ଼ କରି ?
ନା ।
ସେ ଦୁଆର, ଝରକା ତ ସବୁବେଳେ ଫରଚା ।
ପିଲାଦିନେ, ଆମେ ସବୁବେଳେ ବାହାରେ ରହୁଥିଲୁ ।
କୃଷ୍ଣ କପାସ ମୃତ୍ତିକାରେ ଆବଦ୍ଧ,
କଳା ପଥରର ବାମ୍ଫି ।
ଆଉ ତା' ଭିତରେ ଚିକ୍କଣ ଆରିସିର ପ୍ରତିବିମ୍ବ ?
ଜାମୁ ରସ ପରି
ସୁଆଦିଆ ପାଣି ପାଖକୁ
ଲମ୍ବି ଯାଇଥିବା ବୁଢ଼ି ଅସୁରୁଣୀର ଲୋମଶ ଗୋଡ଼ ପରି ପାହାଚ ।
କହୁଣୀ ପର୍ଯ୍ୟନ୍ତ ପାଣି ;
ମୋ ଜାମାରୁ ନିଗୁଡ଼ି ଥିବା ଶୋଷର କାହାଣୀ ।
ତା' ପରେ ଦୁର୍ଗାର ନିମ ଗଛ ପର୍ଯ୍ୟନ୍ତ ଅଝଟ ଦୌଡ଼ ।
ଶୁଖିଲା, ଗୁମସୁମ୍ ପତ୍ର,
ଚେତେରେଇ ହୋଇ ପଡ଼ିଥିବା କୋଳି ।
ଜିଭ ତଳେ ପିତାଳିଆ ମିଠା ସୁଆଦର ବାସ୍ନା ।
କିଛି ଦୂରରେ କାଳିସୀ ଲାଗିଲା ପରି ନାଚୁଥିବା
ଲାଲ୍ ମନ୍ଦାରର ଫୁଲ ।
No comments:
Post a Comment