ଡଗର ପତ୍ରିକାରୁ ଓଡିଶା ସମାଚାର
୧୯୩୬ ମସିହା : ୧୩୪୪ ସାଲ, ଆଷାଢ଼ ମାସ
![]() |
ପଣ୍ଡିତ ନୀଳକଣ୍ଠ ଦାସ ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ପୁରୀ ଜୀଲା ରାଜନୈତିକ ସମ୍ମିଳନୀରେ ପଂଡିତ ନୀଳକଂଠ ସଭାପତି ହୋଇଥିଲେ । ସେଠି ଅନ୍ୟ ନେତାଙ୍କ ସହିତ କଳିଗୋଳ ଲାଗିବାରୁ ନେତାମାନେ ପଂଡିତ ଦାସଙ୍କୁ 'ପକ୍ଷପାତ' ବୋଲି କହି ବାହାରି ଆସିଲେ ।
ଭଦ୍ରକ ଥାନା ସେନାଓତର ଶାଖା ସାଳନ୍ଦୀ ନଦୀ ମୁହଁ ରେ ବାଡ଼ ଓ ବନ୍ଧ ସରକାର ଦେଉଥିବାରୁ ଶତ ଶତ ମୌଜା ଚାଷୀ ମହଲରେ ଘୋର ଆତଙ୍କ ପଡିଛି । ଏ ନଦୀର ପାଣି ସେମାନଙ୍କ ଚାଷର ଏକମାତ୍ର ଭରଷା ।
ଯାଜପୁରରେ ଯେଉଁ ନିଖିଳ ଉତ୍କଳ ରାଜନୈତିକ ସମ୍ମିଳନୀ ଗତ ୧୨ତାରିଖରେ ହେବାର ଥିଲା ବର୍ଷା ଯୋଗୁଁ ତାର ଗରମ ଛାଡ଼ି ଯିବାରୁ ଅକ୍ଟୋବର ମାସକୁ ମହଲତ ରହିଲା ।
ଓଡ଼ିଶା ମନ୍ତ୍ରୀ ତିନିହେଁ ସାଙ୍ଗ ହୋଇ ବାଲେଶ୍ୱରରେ ଭୋଜିଖାଇ ଆସି ଭଦ୍ରଖରେ ନାଟ ତାମସା ଦେଖିଲେ ଓ ଭୋଜି ଖାଇଲେ । ଯାଜପୁର ଯାଇ ନ ପାରିବାରୁ ସେ ଠା ନାଟୁଆ ମାନେ ବଡ଼ ଅଭିମାନ କରିଥିଲେ । ଶୁଣାଯାଏ ଏବେ ତାହା ଭାଙ୍ଗିଛି ।
ଉତ୍ତର ବାଲେଶ୍ୱର ଦୁରୁପାଳ ନାମକ ଗ୍ରାମରେ ଭୟଙ୍କର ପୁଲିସ ଅତ୍ୟାଚାର ହୋଇଛି ବୋଲି ଖବର କାଗଜ ମାନଙ୍କରେ ପ୍ରକାଶ । ଏ ସମ୍ପର୍କରେ ଓଡ଼ିଶା ଆସେମ୍ଲିର ନିରପେକ୍ଷ ସଭାପତିଙ୍କ ଘର ଖାନତଲାସ ହୋଇଛି ।
ନରରୂପୀ ନାରାୟଣଙ୍କ ବିରୁଦ୍ଧରେ ଦି'କଥା କହିଥିବା ଅପରାଧରେ ପଣ୍ଡିତ ପ୍ରାଣକୃଷ୍ଣଙ୍କର ବିଚାର ଚାଲିଛି ।
ଆମ ମନ୍ତ୍ରୀମାନଙ୍କୁ ହିନସ୍ତା କରିବା ପାଇଁ ୩୪ ଜଣ ଓଡ଼ିଶା ଏସେମ୍ଲି ସଭ୍ୟ ଏକ ଅନାସ୍ଥା ପତ୍ର ଲାଟଙ୍କଠାକୁ ପଠାଇବାର ବ୍ୟବସ୍ଥା କଲେଣି ।
ଅନ୍ଧାରୀ ମୁଲକର ପ୍ରଜାମାନେ କଟକ ଟାଉନ ହଲରେ ବିଜୁଳିବତୀ ଜାଳି ଏକ ସଭା କରୁଛନ୍ତି । ପଟାଭୀସିତାରାମୟା ତାର ସଭାପତି ।
ବାଣପୁରଠାରେ ଏକ ମସ୍ତ କୃଷକ ସମ୍ମିଳନୀରେ ମହତାବ ସଭାପତି ହୋଇଥିଲେ । ଗୋଷ୍ଠିଗତ ଆନ୍ଦୋଳନ କୃଷକ ସ୍ୱାର୍ଥର ହାନି କରିବ ବୋଲି କୃଷକଙ୍କ କୋଷ୍ଠିରୁ ଜଣାଯାଇ ଥିବାର ଦୂରଦର୍ଶୀ ନେତାମାନଙ୍କର ମତ ସେଠାରେ ପ୍ରକାଶ ପାଇଛି ।
No comments:
Post a Comment