Thursday, December 31, 2015

ସୁଜାତା ଭଟ୍ଟଙ୍କର ଅନୁଦିତ କବିତା - 'ଲେଖକ


ଶିମିଳିପାଳ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସବୁଠାରୁ ଭଲ ଗପ
ଅବଶ୍ୟ, ଲେଖିହୁଏ ନାହିଁ ।
କିମ୍ବା ସତ କହିଲେ 
ସେ ଗପଟିକୁ
ତୁମେ ଆଦୌ ଲେଖିବ ନାହିଁ ।

ସେ ଗପଟିର ଘର
ତୁମର ହୃଦୟ କନ୍ଦର 
କାଗଜର ନଅର
ତ କେବେ ହେଲେ ନୁହେଁ ।

କାଗଜ ଶୁଷ୍କ ।
କ୍ଷୀର ଶୁଖିଯାଉଥିବା ନାରୀର
ସ୍ତନ ଭଳି ବିଲକୁଲ୍ ସପାଟ୍ । 

ଚେର ପାଇଁ ମାଟି କାହିଁ ?
ହଁସାର ଭୂଇଁକୁ କେମିତି ଟେକିବି କୁହ,
ମାଇଲିଏ ଛନଛନିଆ ଜଙ୍ଗଲର 
ଗଛଗୁଡ଼ିକ ଉପରେ ଢୁଳଉଥିବା ପକ୍ଷୀମାନଙ୍କର 
ଅର୍ବୁଦ ଲିଟର ସ୍ୱପ୍ନର 
ସରର ତାରଲ୍ୟରେ ଗାର ନ ପକାଇ ?
ଆଉ ଜଙ୍ଗଲ ତଳର ପର୍ବତ ?
ପ୍ରପାତ ମାନଙ୍କର ନଦୀ ?
ନଦୀମାନଙ୍କରେ ମାଛମାନଙ୍କର ପଟୁଆରର ହାଲ୍ଲୋଳ ଦେଖିବା ପାଇଁ 
ଧସ୍ତାଧସ୍ତି ହେଉଥିବା ଗଛମାନେ ?

ମାଛମାନଙ୍କର ତଳେ
ବଉଦ ।
ଏଠି ଆକାଶରେ ଢେଉ ଉଠେ,
ଆଉ ନଇ ଗୁମୁରେ ।  
ଏ ସବୁ
କାଗଜ ଉପରେ କେମିତି ଚାଲିବେ ?
ବର୍ତ୍ତମାନ ଦେଖ !
କାଗଜସବୁ କେମିତି 
ଗୁଣ୍ଡ ହୋଇ ଉଡ଼େ,
ବାଘର ଚାଲିର ଧର୍ଷଣରେ । 

No comments:

Post a Comment