Saturday, December 26, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ପ୍ରଥମ ପ୍ରକାଶ – ୧୮୮୭




ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୩୫ - ୪୧


ଶ୍ରୀ ଭଗବାନୁବାଚ 


ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ୟେକ୍ଷାଂଚ ତ୍ୱଂ ବହୁମତେ ଭୂତ୍ୱା ଯାସ୍ୟସି ଲାଘବମ୍ । ୩୫।

ଗାଆନ୍ତି ତୁମ୍ଭର ଯଶ ଯେଉଁ ମହାବୀରେ । ନ ଗହିବ ତୁମ୍ଭମାନ ସେମାନଙ୍କଠାରେ ।।
ସେମାନେ ମନରେ ଏହା କରିବେ ବିଚାର । ଭୟ ଯୋଗୁଁ ଫାଲଗୁନୀ ନ କଲା ସମର । ୩୫ ।

ଅବାଚ୍ୟ ବାଦାଂଶ୍ଚ ବହୂନ୍ ବଦିଷ୍ୟନ୍ତି ତବାହିତାଃ ।
ନିନ୍ଦନ୍ତସ୍ତବ ସମାର୍ଥଂ ତତୋ ଦୁଃଖତରଂ ନୁ କିମ୍ । ୩୬ ।

ଗାଇବେ ଶତ୍ରୁଏ କେତେ ତୁମ୍ଭ ଅପଯଶ ।  ତୁମ୍ଭ ସାମର୍ଥ୍ୟକୁ ନିନ୍ଦା କରିବେ ଅବଶ୍ୟ ।।
ଆହେ ଫାଲଗୁନୀ ତୁମ୍ଭେ ମନରେ ବିଚାର । ଏହାଠାରୁ ତୁମ୍ଭ ପକ୍ଷେ କିବା ନିନ୍ଦାକର । ୩୬ ।

ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ୟୁଦ୍ଧାୟ କୃତନିଶ୍ଚୟ । ୩୭।

ସଂଗ୍ରାମେ କରିବ ଯେବେ ତୁମ୍ଭେ ପ୍ରାଣତ୍ୟାଗ । ଅବଶ୍ୟ କରିବ ପରଲୋକେ ସ୍ୱର୍ଗ ଭୋଗ ।।
ଜୟୀ ହେଲେ ପୃଥ୍ୱୀ ଭୋଗ କରିବ ନିଶ୍ଚିତ । ଅତଏବ ହୁଅ ବେଗେ ସମର ପ୍ରସ୍ତୁତ । ୩୭ ।

ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ।
ତତୋ ୟୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମବାପ୍ସ୍ୟସି । ୩୮ ।

ସୁଖ ଦୁଃଖ ଲାଭାଲାଭ ଜୟ ପରାଜୟ । ଏହି ସର୍ବ ତୁଲ୍ୟ ଜ୍ଞାନ କରି ହେ କୌନ୍ତେୟ ।।
 ସମ୍ପ୍ରତି ଯଦ୍ୟପି ଯୁଦ୍ଧେ ହୁଅ ଅନୁରାଗୀ । ତେବେ କଦାଚିତ ହେବ ନାହିଁ ପାପଭାଗୀ । ୩୮ ।

ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ୟୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ୟୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି । ୩୯।

ଯାହା ଯୋଗେ ହେବ ତୁମ୍ଭ ଆତ୍ମ ତତ୍ତ୍ୱଜ୍ଞାନ । ସେହି ସର୍ବ ତୁମ୍ଭଠାରେ କଲୁ ଯେଁ କୀର୍ତ୍ତନ ।।
କର୍ମ ବିଷୟିଣୀ ବୁଦ୍ଧି ହୁଅ ଅବଗତ । ଯହୁଁ ହେବ କର୍ମରୂପ ବନ୍ଧନୁ ମୁକତ । ୩୯ ।

ନେହାଭିକ୍ରମ ନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋଭୟାତ୍ । ୪୦ ।

ଯେ ଅବା କରେ ନିଷ୍କାମ କର୍ମ ଅନୁଷ୍ଠାନ । ତାହା ଫଳ ବିଫଳଟି ନ ହୁଏ ଅର୍ଜୁନ ।।
ନିଶ୍ଚୟ ତହିଁରେ ଜାଣ ନାହିଁ ମଧ୍ୟ ପାପ । ମହତ ଭୟରୁ ଉଦ୍ଧରଇ ପୁଣ୍ୟ ଅଳ୍ପ । ୪୦ ।

ବ୍ୟବସାୟାତ୍ମିକା ବୁଦ୍ଧିରେକେହ କରୁ-ନନ୍ଦନ ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ । ୪୧ ।

ସଂସାରେ ବିଷୟଯୁକ୍ତ ଅଟେ ଯେଉଁ ଜ୍ଞାନ । ସେହି ଜ୍ଞାନ ଅଟେ ଏକ ଶୁଣ ହେ ଅର୍ଜୁନ ।।
ଯେଉଁ ଜ୍ଞାନଟି ନୁହଁଇ ବ୍ୟବସାୟାତ୍ମିକା । ଅସୀମ ସେ ଜ୍ଞାନ ପୁଣି ହୁଏ ବହୁ ଶାଖା । ୪୧ । 

No comments:

Post a Comment