ପିଲାଙ୍କ ଗୀତ - ଉଦୁଉଦୁମା
କୁଞ୍ଜବିହାରୀ ଦାସ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ଉଦୁଉଦୁମା, ଧୂସରଧୁମା ।
ବଉଦ ଖୁ଼ଡ଼ୀ, କୁହୁଡ଼ୀ ବୁଢୀ ।
ଧାଇଁଛି କାହିଁ, ଭୂତର ଭାଇ ।
କଣ୍ଟାର ଚଟି, ଚଇତନ ଚୁଟି ।
ଝୋଟର ଦାଢ଼ି, ଓଟର ଗାଡ଼ି ।
ମେଘର କେଶ, ଅଘୋରି ବେଶ ।
ଝପର ଝାଇଁ, ଡରନା ଭାଇ ।
ଘଟରଘୁମା, ଉଦୁଉଦୁମା ।
ଉଦୁଉଦୁମା, ଦେହଟା ରୁମା ।
ରୋଦରେ ଭାତ, ପୂରେନା ପେଟ ।
ନଇଏ ଡାଲି, ପତର ଖାଲି ।
ଦରିଆ ପାଣି, ଶୋଷଇ ଟାଣି ।
ଦୁଇ ପହରେ, ନଇ ପହଁରେ ।
ଗରଜେ ରାତି, ସାପର କାତି ।
ମୁକୁଟ ଦେଇ, ନାଚଇ ସେଇ ।
ବାଘର ଚିର, ଦୁହଁଇ କ୍ଷୀର ।
ଅନ୍ଧାର ଘୋଡ଼ା, ଛୁଟାଏ ଥୋଡ଼ା ।
ବିଜୁଳି ଛାଟ, ଚକ୍ ଚକ୍ ବାଟ ।
ଡରନା ଜମା, ତାଳ ଗୋଟମା ।
ପିତ୍ତଳ ସମା, ଝମ୍ ଝମ୍ ଝୁମା ।
ଝମ୍ ଝମ୍ ଝୁମା, ଉଦୁଉଦୁମା ।
ମୂଳ ରଚନା 'କୁଞ୍ଜବିହାରୀ ସଞ୍ଚୟନ', ତୃତୀୟ ଭାଗରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment