Wednesday, December 30, 2015

ସୁଜାତା ଭଟ୍ଟଙ୍କର ଅନୁଦିତ କବିତା - 'ସୁଜାତା - ବୁଦ୍ଧଙ୍କର ପ୍ରଥମ ଶିଷ୍ୟ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଦିନ ସକାଳ ମୋର ପୂରା ମନେ ଅଛି । 
ଗୋଟିଏ ପତଳା, ଲମ୍ବା ଲୋକ ମୋ' ଆଡ଼େ,
ଝୁଲି ଝୁଲି ଆସିଲେ ।
ଆଖିଯୋଡ଼ିକ ଶରତର ସ୍ୱପ୍ନ ପରି ଢ଼ଳଢ଼ଳ,
ବଡ଼ ବଡ଼ ; ବ୍ୟାଧିଗ୍ରସ୍ତ, ହତାଶିଆ ପଥିକର ଆଖିପରି 
ଅର୍ଦ୍ଧ ନିମୀଳିତ ।
ବାଳୁଙ୍ଗାର ଚାଷ ପରି କେଶ, ଆଜାନୁଲମ୍ବିତ । 
ମୋତେ ଶୁଣାଗଲା, 
'ମୁଁ କ୍ଷୁଧିତ ମା, ମୁଁ କ୍ଷୁଧିତ' । 

ଘରକୁ ନେଲି, ରୁଟି ଆଉ ଦହି ଖୁଆଇଲି :
ଗୋଧୋଇପାଧୋଇ ଦେଇ, ଖୌର କରାଇ ;
କାଟିବାକୁ ଅରାଜି ହେବାରୁ
ଶରଧାରେ କେଶ ପଖାଳିଲି । 
ଆଉ ପଚାରିଲି
ଏମିତି କେମିତି ହେଲା 
ବାରେ କୁହ ବୋଲି । 

ସେ କହିଲେ, ଅନେକ ବରଷ ହେଲା ଶୋଇନାହିଁ ମା ।
ଅଖିଆ, ଅନିଦ୍ରା ହୋଇ,
 ଖାଲି ଚିନ୍ତା କରୁଥିଲି ।  
କେଶର ଶେଷ ଜଟା ଖୋଲିଗଲା ପରେ,
ମୋ'ର  କ୍ଲାନ୍ତ ଆଙ୍ଗୁଳିକୁ ଧରି 
ନିଦ୍ରା ଗଲେ ।
ସକାଳୁ ସକାଳୁ
ମୋ' ବାପା ମୋତେ ରୋକି ପାରିବା ପୂର୍ବରୁ,
ସୂରୁଜ ପୂରୂବ ଦିଗରେ ଉଠିବା ଆଗରୁ,
ସେ ସେଇ ଆଙ୍ଗୁଳି ଧରି 
ବୋଧି ମୂଳେ ଘେନିଗଲେ
ଆଉ ବୋଇଲେ,
ଶୁଣ !

No comments:

Post a Comment