Tuesday, December 13, 2016

ବାରମାସୀ କୋଇଲି


କବି - ଶଙ୍କର ଦାସ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆରେ ବାବୁ ଚାପଧାରୀ,
କି ଦଣ୍ଡ ହେଲା ତୋହରି,
କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁ ଶିରୀ ଲୋ,
କୋଇଲି, ଶୁଣ ଲୋ ।

ଏହି ମଗୁଶିର ମାସ,
କାକର ପଡ଼େ ବିଶେଷ,
ଶୀତଳ ପବନ ବହେ ଘନ ଘନ ମୋ ପୁତ୍ର କରିବ କିସ ଲୋ,
କୋଇଲି, ଶୁଣ ଲୋ ।

ପୁଷମାସେ ବଡ଼ ଶୀତ,
କଷ୍ଟ ଦିଏ ଅପ୍ରମିତ,
ବିନା ବସନରେ ବୃକ୍ଷ ବକଳରେ କି ଦୁଃଖ ନ ହେବ ଜାତ ଲୋ,
କୋଇଲି, ଶୁଣ ଲୋ ।

ମାଘରେ ତହୁଁ ଅଧିକ,
ଗରିବ ଦୁଃଖଦାୟକ,
ଅମୂଲ୍ୟ ସୁପାତି ତେଜି ରଘୁପତି ବୁଲଇ କାନନଯାକ ଲୋ,
କୋଇଲି, ଶୁଣ ଲୋ ।

ଫଗୁଣେ ଫଗୁ ଖେଳରେ,
ମାତିଛନ୍ତି ଘରେ ଘରେ,
ମୋ ଅନ୍ଧୁଣୀଧନ ମୋ'ଠୁ ହୋଇ ଭିନ୍ନ ଭସାଇଲା ଶୋକନୀରେ ଲୋ,
କୋଇଲି, ଶୁଣ ଲୋ ।

ଚଇତ୍ର ମାସରେ ଖରା,
ନୀରସ କରଇ ଧରା,
ଶରୀରରୁ ଝାଳ ବହେ ଅନର୍ଗଳ ପରାଣ ହୁଏ ଘାବରା ଲୋ,
କୋଇଲି, ଶୁଣ ଲୋ ।

ବଇଶାଖ ଖରା ଚାହିଁ,
ବାହାରକୁ ନୋହେ ଯାଇ,
କେଉଁ ବୃକ୍ଷମୂଳେ ଜୀବନ ବିକଳେ ଥିବ ମୋର ପୁତ୍ର ରହି ଲୋ,
କୋଇଲି, ଶୁଣ ଲୋ ।

ଜ୍ୟେଷ୍ଠେ ମୋ ଜ୍ୟେଷ୍ଠ ନନ୍ଦନ,
ଜାନକୀ ସହ ଲକ୍ଷ୍ମଣ,
ନାନା ପକ୍ୱଫଳ ଖୋଜି ବୁଲୁଥିବେ ବିଧିର ଏ ବିଡ଼ମ୍ବନ ଲୋ,
କୋଇଲି, ଶୁଣ ଲୋ ।

ଆଷାଢ଼ ମାସରେ ମେଘ,
ଗରଜଇ ଯେହ୍ନେ ବାଘ,
ବେଳେ ଦୃଶ୍ୟ ବେଳେ ହୁଅଇ ଅଦୃଶ୍ୟ ଘୋଟିଯାଏ ଚଉଦିଗ ଲୋ,
କୋଇଲି, ଶୁଣ ଲୋ ।

ଦେଖ ଏ ଧାରା ଶ୍ରାବଣ,
ଜଳ ପଡ଼େ ଅନୁକ୍ଷଣ,
ଘର ଘାଟ ନାହିଁ ିମୋ ଦୁଃଖୀ-ସଙ୍ଖାଳି କିରୂପେ କାଟିବେ ଦିନ ଲୋ,
କୋଇଲି, ଶୁଣ ଲୋ ।

ଭାଦ୍ରବ ହେଲେ ପ୍ରବେଶ,
ସୁନିର୍ମଳ ଦଶଦିଶ,
ଅତି ସୁକୁମାରୀ ଜନକ-କୁମାରୀ ମନେ ଭାଳୁଥିବ କିସ ଲୋ,
କୋଇଲି, ଶୁଣ ଲୋ ।

ଆଶ୍ୱିନେ ଚନ୍ଦ୍ରକିରଣ,
କରଇ ମନ ହରଣ,
କେତେମତେ କେତେ ଉତ୍ସବ କରନ୍ତେ ଘରେ ଥିଲେ ରଘୁରାଣ ଲୋ,
କୋଇଲି, ଶୁଣ ଲୋ ।

ଏ ମହା କାର୍ତ୍ତିକ ମାସ,
ଭଣିଲେ ଶଙ୍କର ଦାସ,
ସୀତା ସଙ୍ଗେ ଘେନି ରଘୁକୁଳମଣି ଭୋଗକଲେ ବାରମାସ ଲୋ,
କୋଇଲି, ଶୁଣ ଲୋ ।

No comments:

Post a Comment