Monday, December 05, 2016

ପାଳୁଅ ଖିରୀ


ପାଳୁଅ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ପାଳୁଅ ଅଧ କପ, ଖିର ଛଅ କପ, ଗୁଡ଼ ୩୦ ଗ୍ରାମ, ଗୁଜୁରାତି ଗୁଣ୍ଡ ପାଞ୍ଚ ଗ୍ରାମ, ଘିଅ ଭଜା କାଜୁ ୧୦ ଗ୍ରାମ, ଘିଅ ଭଜା କିସମିସ ୧୦ ଗ୍ରାମ, ଘିଅ ଭଜା ପେସ୍ତା ବାଦାମ ୧୦ ଗ୍ରାମ ।

ପ୍ରଣାଳୀ - ଖିରକୁ ଅଳପ ଆଞ୍ଚରେ ଫୁଟାନ୍ତୁ । ଧିରେ ଧିରେ ଘାଣ୍ଟୁଥିବେ । ଫୁଟି ଫୁଟି ଖିର ତିନି କପ ହେବ । ଏହା ପରେ ଗୁଡ଼ ଓ ଗୁ଼ଜୁରାତି ଗୁଣ୍ଡ ପକାଇ ଦିଅନ୍ତୁ । ଗୁଡ଼ ଓ ଗୁଜୁରାତି ଗୁଣ୍ଡ ଖିରରେ ମିଶିଗଲେ, ଏଥିରେ କାଜୁ, କିସମିସ ଓ ପେସ୍ତା ବାଦାମ ପକାଇ, ଖିରକୁ ଓହ୍ଲାଇ ତାହାକୁ ଥଣ୍ଡା କରନ୍ତୁ ।  

ପାଳୁଅକୁ ଏକ ଗିଲାସ ପାଣିରେ ଗୋଟିଏ ଛୋଟ ତସଲାରେ ଅଧ ଘଣ୍ଟା ବତୁରାଇ ଦିଅନ୍ତୁ । ତଳ ପାଳୁଅକୁ ନ ହଲାଇ ଉପର ପାଣି ନିଗାଡ଼ି ଦିଅନ୍ତୁ । ଆଉ ଥରେ ଏହି ଧୁଆ ପାଳୁଅରେ ଏକ ଗିଲାସ ପାଣି ମିଶାଇ ଅଧ ଘଣ୍ଟା ବତୁରାନ୍ତୁ । ଅଧ ଘଣ୍ଟା ପରେ ପୁଣି ତଳ ପାଳୁଅକୁ ନ ହଲାଇ ଉପର ପାଣି ନିଗାଡ଼ି ଦିଅନ୍ତୁ । ଏକ ପଲମରେ ଅଧ ଗିଲାସ ପାଣି ଦେଇ ସେଥିରେ ଏହି ଧୁଆ ପାଳୁଅକୁ ପକାଇ ଦିଅନ୍ତୁ ।  ଅଳପ ଆଞ୍ଚରେ ରାନ୍ଧନ୍ତୁ । ଡଙ୍କିରେ ନିରନ୍ତର ଘାଣ୍ଟୁଥିବେ । ପାଳୁଅ ଜମାଟ ବାନ୍ଧିଗଲେ ନିଆଁରୁ ଓହ୍ଲାଇ ଦେବେ ।

ଗୋଟିଏ ବଡ଼, ଗହିରିଆ ଥାଳିରେ ଦୁଇ ଗିଲାସ ପାଣି ଢାଳନ୍ତୁ ।  ଏହି ପାଣି ଭିତରକୁ ଗୋଟିଏ ମୋଟା ସେଉ ଛାଞ୍ଚରେ ପାଳୁଅ ପକାଇ ମୋଟା ସେଉ ତିଆରି କରନ୍ତୁ । ପାଳୁଅ ମୋଟା ସେଉ ଭଳି ହୋଇ ପାଣିରେ ରହିବ । ପାଞ୍ଚ ମିନିଟ ପରେ ପାଳୁଅରୁ ପାଣି ନିଗାଡ଼ି ଦିଅନ୍ତୁ । ଏଥିରେ ଆଗରୁ ରଖା ହୋଇଥିବା ଫୁଟା ଖିର ଢାଳି ଦିଅନ୍ତୁ । ଅଧ ଘଣ୍ଟା ଏହାକୁ ଫ୍ରିଜରେ ରଖନ୍ତୁ । ପାଳୁଅ ଖିରୀ ପ୍ରସ୍ତୁତ ହୋଇଗଲା ।

No comments:

Post a Comment