Saturday, December 03, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୪


ବୋଦ୍ଧ ଜୀବନଚକ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ହେ ବିଶ୍ୱକାରଣ ପ୍ରଭୁ ବିଶ୍ୱ ମୂଳାଧାରେ
ଜାଣିବାକୁ ସମର୍ଥ ଯେ ହୁଏ ଏ ସଂସାରେ ।

ସ୍ୱରୂପ ତାଙ୍କର ହୃଦେ କରେ ଅନୁଭୂତି
ଦେଖ ଏ ଅନନ୍ତ ବିଶ୍ୱ ତାଙ୍କରି ବିସ୍ତୃତି ।

ମରଣ ପୂର୍ବରୁ ଏହି ମର୍ତ୍ତ୍ୟ-କଳେବରେ 
ପାଏ ସେ ବିଦେହ ମୁକ୍ତି, ଭବସିନ୍ଧୁ ତରେ !

ଲଭେ ନାହିଁ ଏଥୁି ଯେହୁ ବ୍ରହ୍ମ ଅବଗତି
ମରଣାନ୍ତେ ହେଲେ ତା'ର ନାହିଁ ମୋକ୍ଷଗତି ।

ଏ ଦେହ ଛାଡ଼ି ସେ ପୁଣି ଆନ ଦେହ ପାଏ
କର୍ମ ଅନୁଯାୟୀ ଦେହୁଁ ଦେହାନ୍ତର ଯାଏ ।

ଅସଂଖ୍ୟ ଯୋନିରେ ଜନ୍ମେ ଭ୍ରମେ ନାନା ଲୋକେ 
ଉଡ଼େ ପଡ଼େ ସୁଖେ ଦୁଃଖେ ସଢ଼େ ଭବ-ଶୋକେ । (ନ.ଉ. ୨।୩।୩।)

No comments:

Post a Comment