Thursday, December 15, 2016

ବଡ଼ ମାୟାବୀ ଜୀବ ନୋହେ କାହାରି


କବି - ଯଶୋବନ୍ତ ଦାସ


ଚିତ୍ର - 'ମାୟା ଦ ମିରର ଅଫ ଇଲୁଜନସ୍' (୧୯୧୦)
ଚିତ୍ରକର - ଆର୍ଥର ବାୱେନ ଡେଭିସ୍ (ଆମେରିକା : ୧୮୬୨ - ୧୯୨୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି ।

ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।

ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ୱିତୀୟ ମାସେ ତୁ ଯେ ଜଳେ ଯେସନେ ମୀନ 
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଲିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି ।

ପଞ୍ଚମେ ନାଭିକମଳ କଲା ଭିଆଣ
ଷଷ୍ଠରେ ବାସ୍ତରୀ ନାଡ଼ି ଖଞ୍ଜିଲା ଜାଣ । 
ସପ୍ତମେ ନାସା ଜ୍ୱିହା ଆବର ମୁଖ କର୍ଣ୍ଣ
ଚକ୍ଷୁ ଭୃଲତା କାମ କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ ବହଇ ଅନୁକ୍ଷଣ
ଆପେ ମନକୁ କଲା ବିଚାରୀ । 

ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
ନବମାସେ ଚମଡ଼ାକୁ ଢାଙ୍କୁଣି ଦେଲା ।

ଦଶମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦଶିଷ୍ୟ 
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ 
ତୋ ନାମ ଗାଉଥିବି ସୁମରି ।

ଯେଉଁ ବିନ୍ଧାଣୀ ତୋତେଟି କଲା ନିର୍ମାଣ,
ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ ଲଗାଇଲା କବାଟ 
ସୁଷୁମୁନା ଦୁଆରେ ରହିଲେ ନନ୍ଦଚାଟ 
ଯେବେ ପାଇବୁ ଭେଟ ମାୟାକୁ ତୁହି କାଟ
ଗୁରୁ ସେବିଣ ଦେଖ ଶ୍ରିହରୀ ।

ଜନମ ହୋଇ ପଡ଼ିଲୁ ମର୍ତ୍ତ୍ୟମଣ୍ଡଳ
କୁଆଁ ବୋଲନ୍ତେଣ ସବୁ ଗଲ ପାଶୋର ।

ଅନ୍ତୁଡ଼ିଶାଳେ ରହି ହରି ଭଜିଲୁ ନାହିଁ
ପାଞ୍ଚ ବରଷ ଗଲା ବାଳଭାବରେ ରହି
ଦଷ ବରଷେ ଧୂଳି ଘର ଖେଳିଲୁ ତୁହି
ବାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ,
ତେବେ ନ ବୋଲୁ ମୁଖେ ଶ୍ରୀହରି ।

ପନ୍ଦର ବରଷେ ହେଲୁ ଅମରମତା,
କୋଡ଼ିଏ ବରଷେ କଲୁ କାମିନୀ ଚିନ୍ତା ।

କାମିନୀ ସଙ୍ଗେ ରହି ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର ଯୁବା ବୟସ ବହି 
ହରିକଥାକୁ ଦିନେ ମନ ନ କଲୁ ତୁହି 
ହେବୁ କେମନ୍ତେ ଏ ଭବୁ ପାରି ।

ବୃଦ୍ଧବୟସ ଯେ ଏବେ ହେଲା ତୋହରି,
ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ ଗୁରୁଙ୍କ ସେବାକର 
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର
ପୂର୍ବ-ଜନ୍ମ କଳୁୁଷ ଚିତ୍ତରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି ।

No comments:

Post a Comment