Monday, December 12, 2016

ବାଇ ମନରେ ବସି ଅବନା ବନ


କବି - ଅଚ୍ୟୁତାନନ୍ଦ ଦାସ


ବିନ୍ଧ୍ୟ ପର୍ବତରେ ଚାରି  ମେଘ ଏକାଠି ହୋଇ ମୌସମୀ ବର୍ଷା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବାଇ ମନରେ, ବସି ଅବନା ବନ ।
ଅବନା ବନିଲେ ଅମାପ ମାପିବୁ, 
ବିଦ୍ୟାରେ ତୋର ହୋଇବ ଧନ୍ୟ ।

ଅମାସ୍ୟା ନିଶିରେ ଷୋଳ କଳା ଚନ୍ଦ୍ର,
ସର୍ବଦା ନିଶିରେ ଚନ୍ଦ୍ର ଦର୍ଶନ ।
ଅହର୍ନିଶ ଯହିଁ ପ୍ରଦୀପ ଜଳଇ,
ଦୀପ ତେଜେ ଅଣଚାଶ ପବନ ।।

ଅଣାକାର ଘରେ ନାମ ସଙ୍କୀର୍ତ୍ତନ,
ଶବଦରେ ନାହିଁ ହରି ଭଜନ ।
ଶହେ ଛୁଆ ଘେନି ହରିଣୀ ଶୋଇଛି,
ବ୍ୟାଘ୍ର ଆଣି ତାକୁ ଦିଏ ଭୋଜନ ।।

ନିର୍ଝର କନ୍ଦରେ ପହଁରୁଛି ହଂସ,
ଅଥଳ ଜଳେ ହରିଣୀ ଆସନ ।
ଚାରିମେଘ ଘୋଟି ଜଳ କଲେ ବୃଷ୍ଟି,
ମରୁଡ଼ିରେ କୃଷି ହେଲେ ଦହନ ।।

ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି,
ଦେଉଳ ଗୋଟିକ ଜଳେ ନିର୍ମାଣ  ।
ଏମନ୍ତ ଦେଉଳ ବିନ୍ଧାଣୀ ଗଢ଼ିଛି,
ଅମୁଦା ଦେଉଳେ ଦିଅଁ  ଦର୍ଶନ ।।

ନିର୍ଦ୍ଧନର ଘର ବହି ନେଲେ ଚୋର,
ବାଟରେ ବସି କରନ୍ତି ରୋଦନ ।
ଧରାଗଲେ ଚୋର ହୋଇବ ଅମର,
କହଇ ଅଚ୍ୟୁତ ମୂଢ଼ ଅଜ୍ଞାନ ।।

No comments:

Post a Comment