Wednesday, June 07, 2017

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ତୃତୀୟ ଓ ଚତୁର୍ଥ ଅଧ୍ୟାୟ



ଷ୍ଟଇକ ଦାର୍ଶନିକ ଜିନୋଙ୍କର ମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତୃତୀୟ ଅଧ୍ୟାୟ


ଯାହା ଦିବ୍ୟ, ତାହା ବିଧିନିର୍ଦ୍ଦିଷ୍ଟ । ପ୍ରକୃତିରେ, ଅର୍ଥାତ ଦଇବର ଅଧ୍ୟାଦେଶର ଗୂଢ଼ ବୁଣାଟରେ, ନିର୍ଘାତ ସଞ୍ଜୋଗଗୁଡ଼ିକର ମଧ୍ୟ ସ୍ଥାନ ଅଛି । ଦଇବ ହିଁ ସମସ୍ତ ପଦାର୍ଥର ପ୍ରବାହର ଉତ୍ସ । ଏହା ସହିତ ଆବଶ୍ୟକତା ତଥା ବ୍ରହାଣ୍ଡର ମଙ୍ଗଳ ଜଡ଼ିତ । ତୁମ୍ଭେ ନିଜେ ଏହି ଅଖିଳ ବିଶ୍ୱର ଅଂଶ । ଯାହା ସମଷ୍ଟିର ଧର୍ମ ଓ ଯାହା ତାହାକୁ ରକ୍ଷା କରେ, ତାହା ସମସ୍ତ ପ୍ରକାରର ବ୍ୟଷ୍ଟି ପାଇଁ ମଧ୍ୟ ମଙ୍ଗଳଦାୟକ । ସମସ୍ତ ବ୍ରହ୍ମାଣ୍ଡ ପରିବର୍ତ୍ତନ ଦ୍ୱାରା ହିଁ ରକ୍ଷିତ, ସେହି ବଦଳ ମୂଳଭୁତ ପଦାର୍ଥରେ ହେଉ, କିମ୍ବା ସେମାନେ ଗଢ଼ୁଥିବା ବୃହତ୍ତର ସଂରଚନାରେ ହେଉ । ଏହି ଅବଧାରଣାକୁ ତୁମ୍ଭେ ଦୃଢ଼ତାର ସହ ଧରି ରଖ, ଏହା ହିଁ ତୁମ୍ଭର ସିଦ୍ଧାନ୍ତ ହେଉ । ଗ୍ରନ୍ଥମାନଙ୍କ ପାଇଁ ନିଜର ତୃଷ୍ଣା ତୁମ୍ଭେ ପରିହାର କର । ତାହା ହେଲେ ତୁମ୍ଭର ମୃତ୍ୟ ସମୟରେ କୌଣସି ତିକ୍ତତା ଅବଶେଷ ରହିବ ନାହିଁ । ଓ ତୁମ୍ଭେ ମରଣକୁ ହୃଦୟରେ ଦେବତାମାନଙ୍କ ପାଇଁ ନିରୁତା କୃତଜ୍ଞତାର ସହ ସୁଶୋଭନ ଭାବରେ ଭେଟି ପାରିବ । 

ଚତୁର୍ଥ ଅଧ୍ୟାୟ


ନିଜର ଦୀର୍ଘସୂତ୍ରିତାର ନାନାଦି ବର୍ଷ, ତଥା ଦେବତାମାନେ କିପରି ତୁମ୍ଭ ଉପରେ ଯୁଗ ପରେ ଯୁଗ କୃପା କରିଚାଲିଛନ୍ତି, ଯାହାର ତୁମ୍ଭେ କେବେ ବିନିଯୋଗ କରିନାହଁ, ତାହାର  ସ୍ମରଣ କର । ବର୍ତ୍ତମାନ ଏହି ସମୟ ଉପସ୍ଥିତ ଯେ ତୁମ୍ଭେ ଯେଉଁ ବ୍ରହ୍ମାଣ୍ଡର ଅଂଶ, ସେହି ବିଶ୍ୱର ସତ୍ତ୍ୱ ଓ ତୁମେ ଯେଉଁ ନିୟନ୍ତ୍ରଣକାରୀ ଶକ୍ତିର ସନ୍ତାନ, ତାହାଙ୍କୁ ଅନୁଭବ କର । ଏକଥା ମଧ୍ୟ ଅନୁଭର କର ଯେ, ତୁମ୍ଭର ସମୟ ସୀମିତ । ଏହାକୁ, ଏଣୁ, ନିଜର ମୁକ୍ତି ପାଇଁ ବ୍ୟବହାର ନ କଲେ ଏହି କାଳ ଅତିବାହିତ ହେବ, କେବେ ଲେଉଟିବ ନାହିଁ ।

No comments:

Post a Comment