Sunday, June 25, 2017

ପର୍ବତରେ ଧର୍ମୋପଦେଶ - ୧୭


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


'ବାବିଲୋନର ବେଶ୍ୟା'
ମାର୍ଟିନ ଲୁଥର କୃତ ବାଇବେଲର ୧୫୩୪ ମସିହାର ଅନୁବାଦରୁ ଆହୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏଥି ଉତ୍ତାରେ ଯୀଶୁ ଘର ମଧ୍ୟରେ ଭୋଜନ କରିବାକୁ ବସିଅଛନ୍ତି, ଆଉ ଦେଖ, ଅନେକ କରସମ୍ପାଦକ ଓ ପାପିଷ୍ଠ ଲୋକ ଆସି ତାହାଙ୍କ ଓ ତାହାଙ୍କ ଶିଷ୍ୟମାନଙ୍କ ସଙ୍ଗରେ ବସିଲେ । ଫାରୁଶିମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ତୁମ୍ଭମାନଙ୍କର ଗୁରୁ କି ନିମନ୍ତେ କରସମ୍ପାଦକ ଓ ପାପୀବର୍ଗ ସହିତ ଭୋଜନ କରନ୍ତି ? ଯୀଶୁ ତାହା ଶୁଣି ସେମାନଙ୍କୁ ଉତ୍ତର କଲେ, ସୁସ୍ଥ ଲୋକର ବୈଦ୍ୟଠାରେ ପ୍ରୟୋଜନ ନାହିଁ,  ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ ଅଛି । ଏଣୁ "ବଳିଦାନରୁୁ ଆମ୍ଭେ ଦୟାକୁ ଭଲ ଜାଣୁ," ଏହି କଥାର ଅର୍ଥ ଯାଇ ଶିଖ । ଯେହେତୁ ଆମ୍ଭେ ଧାର୍ମିକ ଲୋକଙ୍କୁ ନୁହେଁ, ମାତ୍ର ପାପିମାନଙ୍କୁ ଡାକିବାକୁ ଆସିଅଛୁଁ ।

ସେ ସମୟରେ ୟୋହନଙ୍କର ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଓ ଫାରୁଶିମାନେ ଅନେକଥର ଉପବାସ କରିଥାଉଁ, ମାତ୍ର ତୁମ୍ଭର ଶିଷ୍ୟମାନେ ଉପବାସ କରନ୍ତି ନାହିଁ, ତାହାର କାରଣ କଣ ? ଯୀଶୁ ସେମାନଙ୍କୁ କହିଲେ, ଯେପର୍ଯ୍ୟନ୍ତ ବରଯାତ୍ରିମାନଙ୍କ ସଙ୍ଗରେ ବର ଥାନ୍ତି, ସେପର୍ଯ୍ୟନ୍ତ କି ସେମାନେ ବିଳାପ କରିପାରନ୍ତି ? ପୁଣି ଯେତେବେଳେ ସେମାନଙ୍କ ନିକଟକୁ ବର ନିଆଯିବେ, ଏପରି ସମୟ ଆସିବ; ସେତେବେଳେ ସେମାନେ ଉପବାସ କରିବେ । ପୁରାତନ ବସ୍ତ୍ରରେ କେହି ନୂତନ ବସ୍ତ୍ରର ତାଳୀ ଦିଏ ନାହିଁ, ଯେହେତୁ ସେହି ତାଳୀରେ ପୁରାତନ ବସ୍ତ୍ର ଛିଣ୍ଡି ଯାଏ, ପୁଣି ସେହି ଛିଦ୍ର ଅଧିକ ମନ୍ଦ ଦିଶେ । ଆଉ ପୁରାତନ କୁମ୍ପାରେ କେହି ନୂତନ ଦ୍ରାକ୍ଷାରସ ରଖେ ନାହିଁ; ଯେହେତୁ ତାହା କଲେ କୁମ୍ପା ଫାଟିଯାଇ ଦ୍ରାକ୍ଷାରସ ଗଳି ପଡ଼େ, ପୁଣି କୁମ୍ପାସବୁ ନଷ୍ଟ ହୁଏ; ମାତ୍ର ନୂଆ କୁମ୍ପାରେ ନୂଆ ଦ୍ରାକ୍ଷାରସ ରଖିଲେ ଦୁଇର ରକ୍ଷା ହୁଏ ।      

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment