ପରି ବାବୁ ବି.ଏ. ଯେମିତି ପାଶ୍ କରିସାରିଲେ, ସେମିତି ତାଙ୍କ ବାପା ଧୂମ୍ ଲଗାଇଲେ, “ପରି, ଏଥର ଚାକିରୀ ଖଣ୍ଡେ କର ।”
ପରି ବାବୁ କହିଲେ, “ବାପା, ଘରେ ତୁମେ ଆଉ ବୋଉ, ମୁଁ ତ ଏକୁଟିଆ ଲୋକ । ଜମି ଜମା ଯାହା ଅଛି, ସେତକ ଭାଗ ଲଗାଇଦେଲେ ତୁମେ ତ ବର୍ଷକ ସୁଖରେ ଚଳୁଛ, ମୁଁ ଆଉ ଚାକିରୀ କାହିଁକି କରିବି ?”
ବାପା କହିଲେ, “ଚାକିରୀ କଲେ ଦରମା ଗଣ୍ଡାକ ତ ଆସିବ । ଜମିରୁ ତା କାହୁଁ ଆସିବ ? ବିନା ଚାକିରୀରେ ବାବୁଗିରି ରହିପାରିବ ନାହିଁ ।”
ପରି ବାବୁ କହିଲେ, “ସହରରେ ପାଠ ପଢ଼ି ସହର କଥା ମୁଁ ଦେଖି ଆସିଲି । ଚାକିରୀଆଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା । ଦରମା ପାଆନ୍ତି କମ୍, କାମ କରନ୍ତି ବେଶୀ । ମୁଁ ଠିକ୍ କରିଛି, ଚାକିରୀ କରିବି ନାହିଁ । ଅସଲ ବଡ଼ଲୋକି ମାଛ-ଭାତ ଖାଇଲେ ରହେ ନାହିଁ, ଅସଲ ବଡ଼ଲୋକି ଥାଏ ମନରେ ।”
ବାପପୁଅଙ୍କର ତର୍କ ଲାଗିଲା । ବାପ ଯହୁଁ ଦେଖିଲେ ପୁଅର ମନ ଆଉ ଆଡେ଼ ଚାଲିଛି, ସେ ବାଧ୍ୟ କଲେ ନାହିଁ । ପରି ବାବୁ ଗାଁରେ ରହିଲେ ।
ପରି ବାବୁ ପ୍ରଥମେ ଗାଁ ଚାଟଶଳୀ ପ୍ରତି ନଜର ଦେଲେ । ପୁରୁଣା ମାଷ୍ଟର ପଢ଼ାଇବାରେ ଭାରି ଫାଙ୍କି ଦିଅନ୍ତି । ତାଙ୍କ ଦ୍ୱାରା ଚଳୁ ନାହିଁ, ସେ ଖାଲି ବୋଲହାକ କରାଉଛନ୍ତି, ପାଠ ଅର୍ଥ ଖାଲି ମାଡ଼ । ତହୁଁ ଗାଁ ଲୋକଙ୍କୁ କହି ସେ ମାଷ୍ଟରଙ୍କୁ ତଡ଼ି ଦେଲେ ।
ଯେ ପର୍ଯ୍ୟନ୍ତ ନୁଆ ମାଷ୍ଟର ନ ଆସିଛନ୍ତି, ନିଜେ ଚାହାଳିରେ ବସିଲେ; ସେ ପିଲାଙ୍କ ଖେଳା ବୁଲା ବଢ଼ାଇ ଦେଲେ । ଖେଳାଇ ଖେଳାଇ ପାଠ ପଢ଼ାଇଲେ । ନାନାପ୍ରକାର ଉତ୍ସାହ ଦେଖାଇଲେ ।
ଏଣେ ପିଲାଏ ପାଠ ପଢ଼ୁଥାନ୍ତି, ତେଣେ ସ୍କୁଲ ହତାରେ ବଗିଚା କରୁଥାନ୍ତି । ଗୋଟାଏ ଗାଡ଼ିଆ ଥାଏ,- ସେଥିରେ ମାଛ ଛାଡ଼ୁଥାନ୍ତି, ମାଛ ମାରୁଥାନ୍ତି । କଣ୍ଢେଇ ଗଢ଼ି ଖରାରେ ଶୁଖାଇ ରଖୁଥାନ୍ତତି । ଅରଖ ଗଛର ପୋକ ପାଳି ପ୍ରଜାପତି କରୁଥାନ୍ତି ।
ବି.ଦ୍ର. - ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।
No comments:
Post a Comment