Tuesday, June 06, 2017

ଆମ ପଡ଼ୋଶୀ - ବିହାର ଓ ଛୋ ନାଗପୁର



ଗୋପୀନାଥ ମହାନ୍ତି 


ବିହାରର ୧୯୪୦ ମସିହାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଓଡ଼ିଶାରୁ ସିଧା ଉତ୍ତରକୁ ଛୋଟ ନାଗପୁର ମାଳଭୂମି, ଏଠାରେ ଘନ ଜଙ୍ଗଲରେ ପ୍ରଚୁର ଶାଳଗଛ ହୁଏ । ସ୍ଥାନେ ସ୍ଥାନେ ସମତଳ ଉପରେ ଘାସ ଓ ବୁଦା-ଜଙ୍ଗଲ । ନଦୀମାନଙ୍କର ଉପତ୍ୟକା ମଧ୍ୟ ପଥୁରିଆ ଓ ସଙ୍କୀର୍ଣ୍ଣ । ଯେଉଁଠି ସୁବିଧା ମିଳେ, ସେଠି ସଙ୍କୀର୍ଣ୍ଣ ଲମ୍ବା କ୍ଷେତ ଉପରେ ଧାନ ଫସଲ ହୁଏ । ଧାନ କ୍ଷେତ ସବୁ ପାହାଚ ପାହାଚ ହୋଇ କଟା ହୋଇଚି । ପାହାଡ଼ ତଳେ ମକା, ବାଜରା, ସୋରିଷ ଓ ରବି ଫସଲ ହୋଇଚି । ଜମିରୁ ଖୁବ ଅଳ୍ପ ଚାଷରେ ଲାଗୁଚି, ବାକି ସବୁ ଜଙ୍ଗଲ, ପଥର, କଙ୍କର୍ । ଜଙ୍ଗଲରେ ଲାଖ ପୋକ ଅଛନ୍ତି; ଗଛ ଡ଼ାଳରେ ଲାଖ ହୋଇଚି । ଲାଖ ଏଠିକାର ପ୍ରଧାନ ଉତ୍ପନ୍ନ ଦ୍ରବ୍ୟ । ଏ ଅଞ୍ଚଳ ଖଣି ଦ୍ରବ୍ୟ ପାଇଁ ବିଖ୍ୟାତ । ଅଭ୍ରକ (ଅଭ୍ର), ଲୁହା, ତମ୍ବା ଓ ଗେଙ୍ଗୁଟି ଏଠି ପ୍ରଚୁର ପରିମାଣରେ ମିଳେ ।

ଏଠି ଯେଉଁ ଲୋକମାନେ ଅଛନ୍ତି ସେମାନେ ଅତି ଅନୁନ୍ନତ ଭାରତର ଆଦିମ ଅଧିବାସୀ । ଏମାନଙ୍କର ଭାଷା ଭିନ୍ନ ଭିନ୍ନ । ସବୁଠାରୁ ବହୁତ ହେଉଛନ୍ତି ସାନ୍ତାଳ । ଏମାନେ ‘ହାଣ୍ଡିଆ’ ମଦ ପିଇ ସ୍ତ୍ରୀ ପୁରୁଷ ଏକାଠି ହୋଇ ନାଚନ୍ତି । ଛୋଟ ନାଗପୁର ମାଳଭୂମି ଉତ୍ତରରେ କ୍ରମେ ଗଙ୍ଗାନଦୀ ଆଡ଼କୁ ଝୁଙ୍କି ପଡ଼ୁଛି; ତା ପରେ ପଡ଼ିଲା ବିହାର ଦେଶ । ହିମାଳୟରୁ ଅନେକ ନଦୀ ଏ ପ୍ରଦେଶକୁ ଗଡ଼ି ଆସିଛି । ତହିଁରୁ ଏ ପ୍ରଦେଶ ପାଣି ପାଏ । ନଦୀ ସବୁ ବର୍ଷା ଦିନେ ଦୁଇ କୂଳ ଭସାଇ ଦିଏ । ବର୍ଷ ବର୍ଷ ପଟୁ ମାଟି ଆଣି ଜମା କରିଦିଏ । ଚାରିଆଡେ଼ ସମତଳ ପ୍ରଦେଶ । ଯେତେଦୁରକୁ ଗଲେ ସୁଦ୍ଧା ଜମିରେ ପଥର ଖଣ୍ଡେ ମିଳିବ ନାହିଁ । ସମତଳ ଉପରେ ଥରେ ଥରେ ନଦୀ ସବୁ ବାଟ ବଦଳାଇ ଦିଏ । ପୂର୍ବ ବାଟ ଯେଉଁଠି ଥିଲା ସେଠି ଧାଡ଼ି ହୋଇ ଜୋଡ଼ ଓ ପୋଖରୀ ରହିଯାଏ ।

ବର୍ଷାଦିନେ ଏଠି ଯଥେଷ୍ଟ ବର୍ଷା ହୁଏ କିନ୍ତୁ ଗଙ୍ଗା ନଦୀର ଦକ୍ଷିଣକୁ ବର୍ଷା ଅଳ୍ପ, ଦୁର୍ଭିକ୍ଷ ବେଶୀ ତେଣୁ ସେଠି ଅନେକ ନାଳ ଖୋଳା ହୋଇଛି । ଖରା ଦିନେ ଗରମ ଓ ଶୀତ ଦିନେ ଥଣ୍ଡା, – ଏହା ଏଠିକାର ଜଳବାୟୁ । ସମୁଦ୍ରଠାରୁ ଯେତିକି ଦୁରକୁ ଦୁରକୁ ଯାଅ ଜଳବାୟୁ ସେତିକି ସେତିକି ଏହିପରି ହୁଏ । 

ଏଠି ଗହମ, ଆଖୁ, ଧାନ ଓ ରବି ଫସଲ ପ୍ରଚୁର ପରିମାଣରେ ହୁଏ, ଭୂମି ଅତି ଉର୍ବର ।

ଏହି ବିହାର ଦେଶ ମଗଧର ଅଞ୍ଚଳ । ଏଠି ଯେଉଁ ପାଟନା ସହର ରାଜଧାନୀ ହୋଇଛି, ସେଠି ଚନ୍ଦ୍ରଗୁପ୍ତ ରାଜତ୍ୱ କରୁଥିଲେ, ଚାଣକ୍ୟ ମନ୍ତ୍ରୀ ଥିଲେ, ଅଶୋକ ଧର୍ମ ପ୍ରଚାର କରୁଥିଲେ । ଆମ ଦେଶର ଖାରବେଳ ବିହାର ଆକ୍ରମଣ କରିଥିଲେ । ଅଶୋକ ଆମ କଳିଙ୍ଗ ଦେଶକୁ ଛାରଖାର କରିଦେଇଥିଲେ । ଏଠିକାର ଏତେ ଲୋକଙ୍କର ହାଣକାଟ ଦେଖି ତାଙ୍କ ମନରେ ଧର୍ମ ଭାବ ଆସିଥିଲା । ସେ ଅହିଂସା ଓ ବୌଦ୍ଧ ନୀତି ଅବଲମ୍ବନ କରିଥିଲେ । 

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

No comments:

Post a Comment