ନବାନୁରାଗ
(ରାଗ - କଲ୍ୟାଣ)
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
![]() |
ଜାପାନର କିଓଟୋଠାରେ ତୋଦାଜି ମନ୍ଦିରରେ କୃଷ୍ଣ ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଦେଖିଲିଟି କୃଷ୍ଣକୁ ଗୋ, ଆଜ ମୁଁ ସଖି । (ଘୋଷା)
ମୋହନ ବଂଶୀଧାରୀ, ବ୍ରଜବିହାରୀ, ରାସ ରଙ୍ଗେ ନୃତ୍ୟକାରୀ,
ଯମୁନା ଘଟୁଆରୀ, ଲାଟ ଲବଣୀ ଚୋରୀ,
ଗୋପୀଙ୍କ ମନୋହାରୀ, ପୀତ ଦୁକୁଳିଆକୁ ।୧।
ନାସେ ସିନ୍ଧୁଫଳ ଶୋହେ, କାମକୁ ମୋହ ଘନେ ଶୁତ୍ର ଉଦୟେ
ହାର ପଦକ ଦେହେ, ମଣି କଙ୍କଣ ବାହେ,
ନୁପୂର ପଦ୍ମ ପାୟେ, ରତ୍ନ ମୁକୁଟିଆକୁ ।୨।
ସୁନ୍ଦରବର କାଳିଆ, ବନମାଳିଆ, କଦମ୍ବ ତରୁ ତଳିଆ,
ମକର କୁଣ୍ଡଳିଆ, ବଚ୍ଛା ପ୍ରତି ପାଳିଆ,
ସେବତୀ ଚୁଳିଆକୁ ।୩।
ଗୋକୁଳ ରାଜନନ୍ଦନ, ନାଗରୀ ପ୍ରାଣ, ଗୋପୀଙ୍କ ହୃଦଚନ୍ଦନ
କାଳବିଷଖଣ୍ଡନ, ବୃନ୍ଦାବନ ମଣ୍ଡନ,
ବ୍ରହ୍ମା ଗର୍ବ ଗଞ୍ଜନ, ଘନ ଶ୍ୟାମଳିଆକୁ ।୪।
ଦେଖିଲା ବେଳୁ ନୟନ, ଚନ୍ଦ୍ରବଦନ, ଯାହା ହୋଇଛି ମନ,
ଚିତ୍ତ ମୋ ଛନଛନ, ଉଠେ ତାଠାକୁ ମନ,
ଯୁବା ରାଜନନ୍ଦନ, ଧ୍ୟାୟେ ସେହି ରୂପକୁ ।୫।
No comments:
Post a Comment