ଏକ ହୁଅ
ମନମୋହନ ମିଶ୍ର (୧୯୨୦-୨୦୦୦)
ପେଟ୍ରୋଗାର୍ଡ଼ର ଉରିତ୍ସକି ଛକ ଠାରେ କମିଣ୍ଟର୍ଣ୍ଣର ଦ୍ୱିତୀୟ କଙ୍ଗ୍ରେସ ଚିତ୍ରକର ବୋରିସ୍ କୁସ୍ତୋଦିଏଭ୍ (୧୮୭୮-୧୯୨୭) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କାରଖାନା ଖଳାବାଡ଼ି ଖାଦାନ ବାଗାନରେ, ଏକ ହୁଅ ।
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।ଘୋଷା।
ନାରୀ ବା ପୁରୁଷ ତୁ ବା ହିନ୍ଦୁ ମୁସଲମାନରେ
ଦେଶମାଟି ସ୍ୱାଧୀନତା ଦାବୀ ତୋ ସମାନରେ
ହେଉ ପଛେ ଶତ ପାର୍ଟି ଶତ ଅନୁଷ୍ଠାନରେ,
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୧।
ହପ୍ତାକ ଖୋରାକେ ସାରି ମାସକ ମଜୁରିରେ
ମରନା ମରନା ତୁହି ପଡ଼ି ପାଇଁ ଝୁରିରେ
ଗୋରା କଳା ଭେଦଭାବ ବୁନିଆଦ ଚୁରିରେ
ଉଠା ଉଠା ଶକ୍ତ ମୁଠା ହାଣି ଆସ୍ମାନରେ,
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୨।
ଭୁଲନା ତୁ ଭୁଲନା, ବିପୁଳ ତୋ ଲଢ଼ାଇର ମୁକତିର ମୂର୍ଚ୍ଛନା
ଭୁଲନା ତୁ ଭୁଲନା, ବନଭୂମି ଜନପଦେ ରକତର ଝରଣା
ଅକାତରେ ବୁହାଇଚୁ ନ କରିଛୁ ଶୋଚନା, ଭୁଲନା ତୁ ଭୁଲନା
ଧନ୍ୟ ତୋର ଜନ୍ମମାଟି ବୀର ବଳିଦାନରେ
ହେଉପଛେ ଉଣା କେତେ ଲୋଚା ବେଇମାନରେ
ବିଦେଶୀ ଦଲାଲ ସିଏ ଜାତ ଅପମାନରେ
ଝୁଟା ସିଏ କୁଟା ଖିଏ ମୁକତି ତୋଫାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୩।
ଦୁନିଆ ମାଲିକ ହୋଇ ରହିଲୁ ଗୋଲାମ, ଦର ବଢ଼ଇ ମଜୁର ନ ବଢ଼େ ଛଦାମ
ଜିନିଷପତ୍ର ଭରଇ ମାଲିକ ଗୋଦାମ, ମାନ୍ୟବର ସାଆନ୍ତଙ୍କ ଭୋଜି ଧୁମଧାମ୍
ଭୋକି ତୁଣ୍ଡେ ଭରିଦିଏ ଲହୁର ଆରାମ, କୁଳବାଳା ଭିଟାହରା ମାଉଁସ ନିଲାମ୍
ମନ କରି ଅନ୍ଧ ତୁରେ ନାହିଁ ଆଖି କାନରେ,
ନିଶବଦେ ଜଳେ ନିଆଁ କୋଟି କୋଟି ପ୍ରାଣରେ
ଏସିଆରେ ପଥେ ଘାଟେ ମୁକତି ନିଶାଣରେ, କଲୋନିର ଯୁଗଯୁଗ ରାତି ଅବସାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୪।
ମୁହାଣରେ ଲାଗିଲାଣି ଜୁଆରରେ ଜୁଆର, ଦୁନିଆର ଜନତାରେ ଜୁହାରରେ ଜୁହାର
ଶାନ୍ତିର କପୋତ ଉଡ଼େ ଦୁଆରରେ ଦୁଆର
ଦୁନିଆ ଜନତା ମାଡ଼େ ହୋଇଲାଣି କାବାର
ଯୁଦ୍ଧଖୋର ଅତ୍ୟାଚାରୀ ହୋଇଲାଣି ବାହାର
ତୋରି ବୁକେ ଅବଶେଷେ ଲୋଡ଼ି ମରେ ଥାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୫।
ଏ ଆକାଶ ଏହି ବାୟୁ ଯେବେ ତୁହି ଭଲ ପାଉ, ଏକ ହୁଅ ଏକ ହୁଅ
ମଣିଷର ପରମାୟୁ ଯେବେ ତୁହି ଭଲପାଉ, ଏକ ହୁଅ ଏକ ହୁଅ
ତୋ କୁଟୀର ରାଣୀ ଡାକେ, ଏକ ହୁଅ ଏକ ହୁଅ
ତୋ ଫସଲ ଲକ୍ଷ୍ମୀ ଡାକେ, ଏକ ହୁଅ ଏକ ହୁଅ
ତୋ ବଣ ଜଙ୍ଗଲ ଡାକେ, ଏକ ହୁଅ ଏକ ହୁଅ
ତୋ ଜନମ ମାଟି ଡାକେ, ଏକ ହୁଅ ଏକ ହୁଅ
ତୋ କୋଣାର୍କ ତାଜ ଡାକେ, ଏକ ହୁଅ ଏକ ହୁଅ
ଗୀର୍ଜା ଗୁରୁଦ୍ୱାର ଡାକେ, ଏକ ହୁଅ ଏକ ହୁଅ
ତୋ ବଡ଼ ଦେଉଳ ଡାକେ, ଏକ ହୁଅ ଏକ ହୁଅ
ମଣିଷର ମାରିବାର ପରମାଣୁ ବାଣରେ, ଯେହୁ ଗଢ଼ି ଗଦାକରେ ମେରୁ ପରିମାଣରେ
ଅୟୁତ ଯୋଜନ ଯିଏ ଏ ମାଟି ଚଟାଣରେ, ମୁନାଫା ବଜାର ଲାଗି ଅସ୍ତ୍ର କରେ ଶାଣରେ
ଅୟୁତ ଯୋଜନ ଯିଏ ଏ ମାଟି ଚଟାଣରେ, ମୁନାଫା ବଜାର ଲାଗି ଅସ୍ତ୍ର କରେ ଶାଣରେ
ଦଳମତ ନିର୍ବିଶେଷେ ହୁଅ ତୁ ମିଶାଣରେ, ହେଉ ପଛେ ଶତମତ ଏକ ଅଭିଯାନରେ
ଏକ ହୁଅ ତୁ ଭାରତ ଜନତା ସଙ୍ଗ୍ରାମର ମଇଦାନରେ ।୬।
ଉତ୍ସ - ଚିନ୍ତାମଣି ବେହେରାଙ୍କ ଦ୍ୱାରା ସଙ୍କଳିତ ଓ ସମ୍ପାଦିତ ପୁସ୍ତକ 'କବିତା ଯେବେ ମନ୍ତ୍ର ଥିଲା' । ପ୍ରକାଶକ - ଓଡ଼ିଶା ସାହିତ୍ୟ ଏକାଡ଼େମୀ (ଭୁବନେଶ୍ୱର, ୨୦୦୪)
ଉତ୍ସ - ଚିନ୍ତାମଣି ବେହେରାଙ୍କ ଦ୍ୱାରା ସଙ୍କଳିତ ଓ ସମ୍ପାଦିତ ପୁସ୍ତକ 'କବିତା ଯେବେ ମନ୍ତ୍ର ଥିଲା' । ପ୍ରକାଶକ - ଓଡ଼ିଶା ସାହିତ୍ୟ ଏକାଡ଼େମୀ (ଭୁବନେଶ୍ୱର, ୨୦୦୪)
No comments:
Post a Comment