Wednesday, June 21, 2017

ଚିଲିକାର ବିଭବ - ୩


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାରେ ଗାଈ ପାଣି ପିଉଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

୨ ବୋଇତ ବାଣିଜ୍ୟ -


ସାଧବ ଘର ସାତ ପୁଅ ବୋଇତ ବାଣିଜ୍ୟକରି ଯିବା କଥା ପିଲା ଦିନରୁ ଆଇ ମାଙ୍କଠାରୁ ଆମେମାନେ ଶୁଣିଥିଲୁ --- ଏଇ ବୋଇତ ବାଣିଜ୍ୟକରି ଆମଦେଶର ସାଧବମାନେ ସୁଦୂର ଜାଭା ଓ ମଳୟ  ପ୍ରଭୃତି ଦ୍ୱୀପପୁଞ୍ଜରେ ଦିନେ ବସତି ସ୍ଥାପନ କରିଥିବାର ଇତିହାସରୁ ଜଣାଯାଏ । ସେ କାଳରେ ଯେଉଁ 'ଅର୍ଣ୍ଣବପୋତ' ମାନ ବ୍ୟବହାର କରାଯାଉଥିଲା ତାହାର କୌଣସି ଚିହ୍ନ ଏଠାରେ ନାହିଁ ସତ, କିନ୍ତୁ ସେକାଳର ଗୋଟିଏ 'ବତୀଘର' ଏଇ ବାଲୁଗାଁ ନିକଟବର୍ତ୍ତୀ ଚିଲିକାକୂଳସ୍ଥ 'ଦୀପମୁଣ୍ଡିଆ' ପାହାଡ଼ ଉପରେ ଥିବାର ଚିହ୍ନ ରହିଛି । ଏକ ସମୟରେ ଚିଲିକାରେ ଅତିବଡ଼ ବୁଡ଼ାଜାହଜ ଓ ଶକ୍ତ ଲୁହାରେ ତିଆରି ହେବା ବୋଇତ ମଧ୍ୟ ବ୍ୟବହାର କରୁଥିବାର ପ୍ରମାଣ ମିଳେ, ଇଂରାଜୀମାନେ ଓଡ଼ିଶା ଅଧିକାର କରିବା ପରେ ମଧ୍ୟ କିଛିକାଳ ଯାଏ ଏଠା ଅଦିବାସୀ ଚିଲିକାରେ ବୋଇତ ବାଣିଜ୍ୟ ଚଳାଇଲେ । କେବଳ ଏହାର କୂଳଦେଇ ରେଳପଥ ତିଆରି ହେବାରୁ ଗଞ୍ଜାମ ଓ ପୁରୀ---କଟକ ଜିଲ୍ଲାର ବାଣିଜ୍ୟ ଜିନିଷ ରେଳରେ ବୋହି ଯାଉଛି ---ଫଳରେ ଚିଲିକାର ବୋଇତ ବାଣିଜ୍ୟ ଲୋପ ହୋଇଛି ! ଏବେସୁଦ୍ଧା ଚିଲିକାର ଏକାଧିକ ସ୍ଥାନରେ ଛୋଟ ଓ ବଡ଼ ନାହା, ଡଙ୍ଗା ପଢ଼ୋଉ ପ୍ରଭୃତି ତିଆରି ହୁଏ, ଏବଂ ରମ୍ଭାଠାରୁ, କେଶପୁର, ବାଲୁଗାଁ, କୌରି କାଳୁପଡ଼ା ଓ ଭୁଷଣ୍ଡପୁର ପ୍ରଭୃତି ସ୍ଥାନ ଗୁଡ଼ିକ ବୋଇତ ବାଣିଜ୍ୟର ପ୍ରଧାନ ପେଣ୍ଠ ହୋଇରହିଛି । ଏ ସବୁ ସ୍ଥାନରେ ଛୋଟ ଓ ବଡ ଡଙ୍ଗାରେ ଧାନ, କାଠ, ଚୂନ, ଶିପ, ବାଉଁଶ --- ୠତୁ ଅନୁସାରେ ---- ଲୁଣ ଓ ଶୁଖୁଆ ପ୍ରଭୃତି ବୁହାଯାଏ ।   ମାଛମାରି ଆଣିବା ପାଇଁ ପ୍ରତିଦିନ ଶତାଧିକ ଡଙ୍ଗା ଚିଲିକାରେ ଯା' ଆସ କରେ । ପ୍ରାୟ ପ୍ରତିଦିନ ଦର୍ଶକ ମାନେ ଚିଲିକାରେ ବୁଲିବା ପାଇଁ କିମ୍ବା ପକ୍ଷୀ ଶିକାର କରିବା ପାଇଁ ଡଙ୍ଗାଚଢ଼ି ବୁଲୁଥିବାର ଦେଖାଯାନ୍ତି ! ଏ ସବୁ ଦୃଶ୍ୟ ଦେଖିଲେ ଓଡ଼ିଆ 'ନାବିକମାନେ ଏ ପର୍ଯ୍ୟନ୍ତ ବୋଇତ ବାଣିଜ୍ୟ' କଥା ପାଶୋରି ନାହାନ୍ତି ବୋଲି ସ୍ପଷ୍ଟ କହିପାରୁ, କେବଳ ସୁବିଧା ପାଇଲେ ଏଇ ବାଣିଜ୍ୟ ଯେ ଅଧିକ ଉନ୍ନତି ଲାଭ କରିପାରେ ଏ ଆଶା ରହିଛି ।   [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

No comments:

Post a Comment