Tuesday, June 13, 2017

ଭଦ୍ରକ ସାମ୍ପ୍ରଦାୟିକ ଦଙ୍ଗା, ୨୦୧୭


‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ'ର ତଥ୍ୟ ଅନୁସନ୍ଧାନ ରିପୋର୍ଟ



ଭଦ୍ରକ ସହରର ଏକ ମାନଚିତ୍ର
ମାନଚିତ୍ର ଅଙ୍କନ - ବିଶ୍ୱଜିତ ଆପଟ


ଗଲା ଏପ୍ରିଲ ୬ ତାରିଖ ଦିନ ଦୁଇ ବନ୍ଧୁ ଅଙ୍କିତ ଓ ଅସିଫ ଅଲ୍ଲି ଖାଁଙ୍କର ନିଜସ୍ୱ ବିବାଦ ଓ ପରେ ପରେ ସୋସିଆଲ୍ ମିଡ଼ିଆରେ କଦର୍ଯ୍ୟ ଆଳାପ ସାଙ୍ଗକୁ ଏପ୍ରିଲ ୭ ତାରିଖରେ ଶୋଭାଯାତ୍ରା ଭଦ୍ରକ ସହରର ପରିବେଶକୁ ଅଶାନ୍ତ କରିଦେଇଥିଲା । ଏଥିରେ ଏପ୍ରିଲ୍ ୬ ତାରିଖରେ ଭଦ୍ରକ ସହରର ଜାତୀୟ ରାଜପଥ କଡ଼ରେ ୨୩ଟି ଦୋକାନ ଓ ପରେ ଏପ୍ରିଲ୍ ୭ ତାରିଖରେ ସନ୍ଧ୍ୟା ୬ଟାରୁ ୯ଟା ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଅନେକ ଦୋକାନ, ଗୋଦାମ ଗୃହ ଓ ବେଶ କିଛି ଗାଡ଼ି ଜଳିପୋଡ଼ି ଧ୍ୱଂସ ପାଇଯାଇଥିଲା । ଭଦ୍ରକ ଏକ ଭାଇଚାରାର ସହର ଭାବରେ ଆଗରୁ ଜଣାଶୁଣା ଥିଲେ ମଧ୍ୟ, ତାହା କିଛି ସମୟ ପାଇଁ ‘ସାମ୍ପ୍ରଦାୟିକ ହିଂସା ଓ ଘୃଣାର ସହର’ ପାଲଟି ଯାଇଥିଲା । ଏହାର କାରଣ ଓ ଭବିଷ୍ୟତରେ ଏହାର ପ୍ରତିକାର ଉଦ୍ଦେଶ୍ୟ ରଖି ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଲା ମଇ ୧୬ ଓ ୧୭ ତାରିଖରେ ଭଦ୍ରକ ଯାଇଥିଲେ । ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’ର ବାଲେଶ୍ୱର ଶାଖା ଓ ଭୁବନେଶ୍ୱର ଶାଖାର ସମୁଦାୟ ଚାରି ଜଣ ସଦସ୍ୟ ଉକ୍ତ ଦଳରେ ଯାଇ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର କ୍ଷତିଗ୍ରସ୍ତ ଦୋକାନୀ ଓ ସେମାନଙ୍କ ପରିବାର ସଦସ୍ୟ, ମୁସଲମାନ ସଙ୍ଗଠନ ଓ ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ, ଟାଉନ ଥାନାର ପୁଲିସ ଅଧିକାରୀ ଓ ଜିଲ୍ଲା ଏସ୍.ପି. ତଥା ଶାନ୍ତି ପ୍ରକ୍ରିୟାରେ ସାମିଲ ଥିବା ସର୍ବୋଦୟ କର୍ମୀମାନଙ୍କୁ ଭେଟିଥିଲେ ।

ତଥ୍ୟାନୁସନ୍ଧାନ ସମୟରେ ତିନୋଟି ପ୍ରଶ୍ନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେଗୁଡ଼ିକ ହେଲା, (କ) ଦଙ୍ଗା ଅଥବା ସାମ୍ପଦାୟିକ ହିଂସାର କାରଣ (ଖ) କ୍ଷତିଗ୍ରସ୍ତ ଲୋକଙ୍କ ସ୍ଥିତି (ଗ) ପ୍ରଶାସନ ଓ ପୁଲିସର ଭୂମିକା ।

ପୃଷ୍ଠଭୂମି : ଭଦ୍ରକ ସହରରେ ଏଥର ସାମ୍ପ୍ରଦାୟିକ ହିଂସା ବ୍ୟାପିବା ସହର ପାଇଁ ନୂଆ ନଥିଲା । ଏହା ପୂର୍ବରୁ ୧୯୯୧ ମାର୍ଚ୍ଚ ୨୪ ତାରିଖରେ ଏହି ରାମ ନବମୀ ପୂଜା ଅବସରରେ ଦଙ୍ଗା ହୋଇଥିଲା, ତାହା ରାମ ନବମୀ ପୂଜାର ପ୍ରଥମ ବର୍ଷ । ୨୦୧୭ ମସିହାରେ ଏହି ରାମନବମୀ ପୂଜାର ରୌପ୍ୟ ଜୟନ୍ତୀ ପାଳନ କରାଗଲା ଓ ଏହାର ତିନି ଦିନ ପରେ ସାମ୍ପ୍ରଦାୟିକ ହିଂସା ଭଦ୍ରକ ସହରକୁ କବ୍ଜା କରିଥିଲା । ରାମନବମୀ ସମୟରେ ଯେଉଁ ଶୋଭାଯାତ୍ରା ହୋଇଥାଏ ତାହା ଅଳ୍ପସଂଖ୍ୟକ ଗୋଷ୍ଠୀ ମଧ୍ୟରେ ଭୟ ଆଣିଦେଇଥାଏ । ଏହାକୁ ଆଖିରେ ରଖି ଚଉଦ ମୋହଲ୍ଲା ମୁସ୍ଲିମ୍ ଜାମାତ୍ ପ୍ରାୟ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ଶୋଭାଯାତ୍ରା ଅତିକ୍ରମ କରିବାକୁ ଥିବା ଛକମାନଙ୍କରେ ନିଯୁକ୍ତ କରିଥାଏ । ସେହି ସ୍ୱେଚ୍ଛାସେବୀମାନଙ୍କର କାମ ହେଲା ଯେ ସେମାନେ ରାମନବମୀ ଶୋଭାଯାତ୍ରାରେ ଦିଆଯାଉଥିବା ମୁସଲମାନ ବିରୋଧୀ ସ୍ଲୋଗାନରେ ଉତ୍ତେଜିତ ହୋଇ ନିଜ ସମ୍ପ୍ରଦାୟର ଯୁବକମାନେ ଯେପରି କୌଣସି ଅପ୍ରୀତିକର କାର୍ଯ୍ୟ କରି ନ ବସନ୍ତି ତାହାକୁ ଦେଖିବା ।

ଯଦିଓ ଓଡ଼ିଶାରେ ମୁସଲମାନଙ୍କ ସଙ୍ଖ୍ୟା ସମୁଦାୟ ଜନସଂଖ୍ୟାର ୨.୧%, ମାତ୍ର ଭଦ୍ରକ ସହରରେ ସମୁଦାୟ ହିନ୍ଦୁଙ୍କ ସଂଖ୍ୟା ୬୦% ହେଲେ ମୁସଲମାନଙ୍କ ସଂଖ୍ୟା ୩୯% (୨୦୧୧ ଜନଗଣନା) । ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ମୁସଲମାନ ବହୁଳ ଜିଲ୍ଲା ଭାବରେ ପରିଚିତ । ଭଦ୍ରକ ସହରରେ ହିନ୍ଦୁ ଓ ମୁସଲମାନ ପରିବାରର ମୁଖ୍ୟ ଜୀବିକା ହେଲା ବ୍ୟବସାୟ । ଏଠାରେ ମହିଳା ଓ ପୁରୁଷଙ୍କ ଅନୁପାତ ପ୍ରାୟ ସମାନ, ଶିକ୍ଷାହାର ପୁରୁଷଙ୍କ ମଧ୍ୟରେ ୮୪% ହେଲେ ମହିଳାଙ୍କ ମଧ୍ୟରେ ୭୫% ।

ଭଦ୍ରକ ଯେମିତି ସାମ୍ପ୍ରଦାୟିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ସ୍ଥାନ, ସେମିତି ମୁସ୍ଲିମ୍ ବିଚାର ଦୃଷ୍ଟିରୁ ଋଢ଼ୀବାଦୀ ପ୍ରତିକ୍ରିୟାଶୀଳ ସ୍ଥାନ । ୨୦୦୩ ମସିହା ଜୁଲାଇ ତିନ ତାରିଖରେ ଭଦ୍ରକ ଜିଲ୍ଲାର କଣ୍ଟାବଣିଆ ଗ୍ରାମର ମୁସଲମାନ ବିବାହିତ ମହିଳା ନଜମାଙ୍କୁ ତାଙ୍କର ସ୍ୱାମୀ ଶେର ମହମ୍ମଦ (ଶେରୁ) ମଦ ନିଶାରେ ତିନି ତଲାକ ଦେଇଥିଲେ । ହେଲେ ପରଦିନ ନିଜର ଭୁଲ ସ୍ୱୀକାର କରି ସେ ଏହାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମୌଲବୀଙ୍କ ଆଶ୍ରିତ ହୋଇଥିଲେ । ହେଲେ ‘ଚଉଦ ମୋହଲ୍ଲା ମୁସଲିମ୍ ଜାମାତ’ ଶେରୁଙ୍କୁ ବିରୋଧ କରି ତଲାକକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ କରିଥିଲା । ନଜମା ଯେତେବେଳେ ଜାମାତ ବିରୁଦ୍ଧରେ ଜାତୀୟ ମହିଳା କମିଶନର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ “ବାହାର ସଂସ୍ଥାମାନଙ୍କର ହସ୍ତକ୍ଷେପ” ପ୍ରତିବାଦରେ ପ୍ରାୟ ୧୦,୦୦୦ ଯୁବକ ନଜମାଙ୍କ ବିରୁଦ୍ଧରେ ଏକ ବିରାଟ ପଟୁଆର ଜୁନ୍ ୦୩, ୨୦୦୪ରେ ଭଦ୍ରକ ସହରରେ ବାହାର କରିଥିଲେ ।  ଏହି ପଟୁଆରରେ ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ଯୋଗ ଦେଇଥିଲେ । ଯେତେବେଳେ ଡେନମାର୍କର ଏକ ଖବରକାଗଜ “ମହମ୍ମଦଙ୍କ ମୁହଁ” ନାମକ ଏକ ଫଟୋ ପ୍ରକାଶ କରିଥିଲା, ତାହାର ପ୍ରତିବାଦରେ ବିଶ୍ୱର ବହୁସ୍ଥାନରେ ଦଙ୍ଗା ହୋଇଥିଲା । ଏହାର ପ୍ରତିକ୍ରିୟା ମଧ୍ୟ ଭଦ୍ରକ ସହରରେ ଦେଖିବାକୁ ମିଳିଥିଲା ।

ଭଦ୍ରକର ହିନ୍ଦୁ ବ୍ୟବସାୟୀ ଗୋଷ୍ଠୀ ନିଜର ଅଦ୍ଭୁତ ଲାଭ ଓ ବିରାଟ ବ୍ୟବସାୟର ସୁରକ୍ଷା ପାଇଁ “ହିନ୍ଦୁ ଏକକୀକରଣ”ର ସ୍ଲୋଗାନ୍ ଦେଇ ଚାଲିଛନ୍ତି । ଦଳିତଙ୍କ ଉପରେ ହେଉଥିବା କୌଣସି ଅତ୍ୟାଚାର ବିରୁଦ୍ଧରେ କେବେବି “ହିନ୍ଦୁ ଏକକୀକରଣ”ର କଥା କହୁଥିବା ଲୋକ ମୁହଁ ଖୋଲନ୍ତି ନାହିଁ । ହିନ୍ଦୁ ଏଠାରେ ଅସୁରକ୍ଷିତ ଏହିକଥା ବାରମ୍ବାର କହୁଥିବା ‘ହିନ୍ଦୁ ସୁରକ୍ଷା ମଞ୍ଚ’ର ବିଦ୍ୟାଧର ସାହୁ ଗଲା ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଲଢ଼ିଥିଲେ । ସେ ଥରେ ବିଜେପିର ଟିକେଟରେ କାଉନସିଲର ହୋଇଥିଲେ ଓ ଆଉ ଥରେ ହାରିଥିଲେ । ସିଏ କିନ୍ତୁ କୌଣସି ପ୍ରକାରରେ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ରାମନବମୀ ଶୋଭାଯାତ୍ରା ସାମ୍ପ୍ରଦାୟିକ ହିଂସାକୁ ବଢ଼ାଇବାରେ ସାହାଯ୍ୟ କରୁଛି । ସହରର ରାମନବମୀ କମିଟିର ସଭାପତି ଅଟନ୍ତି ଓକିଲ ରାୟ ରାମାନନ୍ଦ ମହାପାତ୍ର, ଯିଏ କି ବିଜେପିର ପୂର୍ବତନ ଜିଲ୍ଲା ସଭାପତି । ଏହି ରାମନବମୀ କମିଟିର ଅନ୍ୟ କର୍ମକର୍ତ୍ତାମାନେ ହେଲେ ବିଜେପିର ପୂର୍ବତନ ବିଧାନସଭା ସଦସ୍ୟ ବିଷ୍ଣୁ ସେଠୀ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ମୁଖ୍ୟ ଦୁର୍ଗା ମହାପାତ୍ର । ଏହି କମିଟିର ସଭାପତି ଭାବରେ ଗଲା ବେଶ କିଛି ବର୍ଷ ବିଜେପିର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଥିଲେ । ଗଲା ୨୦୦୮ ମସିହା ଅଗଷ୍ଟ ମାସରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ହେତୁ ଯେଉଁ ଖ୍ରୀଷ୍ଟିଆନ ବିରୋଧୀ ହିଂସା ଓଡ଼ିଶାରେ ଦେଖା ଦେଇଥିଲା, ସେହି ସମୟରେ ଭଦ୍ରକ ସହରର କାର୍ମେଲ୍ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ଭଙ୍ଗାରୁଜା କରାଯାଇଥିଲା ।

ଯଦିଓ ଭଦ୍ରକ ସହରର ‘ଭାଇଚାରା’ ସମ୍ପର୍କରେ ବହୁ କାହାଣୀ ଶୁଣିବାକୁ ମିଳେ ଯେମିତିକି ବରଦାରେ ମନସୁର ବାବାଙ୍କ ମଝ୍ଜାର କମିଟିର ସଦସ୍ୟ ହିନ୍ଦୁମାନେ ଅଟନ୍ତି ମାତ୍ର ସାଧାରଣ ଜନମାନସକୁ ତାହା ଛୁଇଁପାରୁନାହିଁ । ଦିନକୁ ଦିନ ଏହି ବ୍ୟବଧାନ ବଢ଼ିବାରେ ଲାଗିଛି । ଭଦ୍ରକ ସହରରେ ଦୁଇ ସମ୍ପ୍ରଦାୟର ଲୋକ ମିଶିକରି ଅଛନ୍ତି । କେଉଁଠି ହିନ୍ଦୁଙ୍କ ସଂଖ୍ୟା ଅଧିକ ରହିଛି ତ ଅନ୍ୟ କେଉଁଠି ମୁସଲମାନ ମତାବଲମ୍ବୀଙ୍କ ସଂଖ୍ୟା ଅଧିକ ରହିଛି । ବିଡ଼ମ୍ବନା ଯେ ଅନୁ୍ୟନ ପ୍ରତି ୫୦ରୁ ୧୦୦ ମିଟର ମଧ୍ୟରେ ଏକ ମନ୍ଦିର (ଗଣେଶ, ଶନି ଓ ହନୁମାନ) ଓ ଏକ ମସ୍ଜିଦ୍ ରହିଛି । ମନ୍ଦିର/ମସ୍ଜିଦ୍ର କାର୍ଯ୍ୟକଳାପ ରୀତିନୀତିର ତଦାରଖ ପାଇଁ ଯେଉଁ ସ୍ଥାନୀୟ କମିଟି ରହିଛି ସେହି କମିଟିର ସଦସ୍ୟମାନେ ନିଜ ନିଜ ଧର୍ମର ଋଢ଼ିବାଦୀ ପ୍ରକ୍ରି୍ରୟାକୁ ଧରି ରଖିବାର ପ୍ରୟାସ ଅବଶ୍ୟ କରୁଛନ୍ତି । ସାଧାରଣ ଏଠାରେ ମୁଖ୍ୟତଃ ତିନୋଟି ପରିଚୟ ଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହେଉଛନ୍ତି । ସେହି ତିନୋଟି ପ୍ରକାର ଦେଲା ‘ଓଡ଼ିଆ’, ‘ପଠାଣ’ ଓ ‘ମାରୱାଡ଼ି’ । ଯଦିଓ ଏହି ତିନି ପ୍ରକାରର ଲୋକ ପିଢ଼ି ପିଢ଼ି ଧରି ଭଦ୍ରକ ସହରର  ବାସିନ୍ଦା ହୋଇଛନ୍ତି ତଥାପି ଏପରି ନାମକରଣ ପ୍ରଚଳିତ ହୋଇଆସୁଛି ।

ଦଙ୍ଗାର କାରଣ


ଯେତେବେଳେ ଦୁଇ ଇଞ୍ଜିନିୟରିଂ ଛାତ୍ର ଅଙ୍କିତ ଓ ଅସିଫ ଅଲ୍ଲି ଖାଁଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହେଲା, ସେମାନେ ସୋସିଆଲ  ମିଡ଼ିଆର ସହାୟତାରେ ପରସ୍ପରର ଧର୍ମକୁ ନେଇ ଆକ୍ଷେପ ଓ ପ୍ରତିଆପେକ୍ଷ କରିଚାଲିଲେ । ଅଙ୍କିତ ଇସ୍ଲାମ ଧର୍ମକୁ ନେଇ ବିକୃତ ଟିପ୍ପଣୀ ଦେଇଥିଲେ ଓ ଏହାର ପ୍ରତିକ୍ରିୟାରେ ଅସିଫ ହିନ୍ଦୁ ଧର୍ମକୁ ନେଇ ବିକୃତ ଟିପ୍ପଣୀ ଦେଲେ । ଏହାକୁ ଅଙ୍କିତ ନିଜର ହିନ୍ଦୁତ୍ୱ ସଙ୍ଗଠନର ସାଥିମାନଙ୍କ ମଧ୍ୟରେ ପ୍ରସାରିତ କରିଥିଲେ । ଏଥିରେ ବଜରଙ୍ଗ ଦଳର ଅଜିତ କୁମାର ପଡ଼ିଆରୀଙ୍କୁ ମଧ୍ୟ ସଂଲଗ୍ନ କରାଯାଇଥିଲା । ୬ ତାରିଖ ଦିନରେ ହିନ୍ଦୁତ୍ୱ ସଙ୍ଗଠନର ବେଶ୍ କିଛି କର୍ମକର୍ତ୍ତା ଭଦ୍ରକ ସହର ଥାନା ଅଧିକାରୀଙ୍କୁ ଅସିଫକୁ ସାଇବର କ୍ରାଇମ୍ ଦଫାରେ ଗିରଫ କରିବା ପାଇଁ ଚାପ ସୃଷ୍ଟି କରିଥିଲେ । ଅସିଫ ଶାସକ ଦଳର ଜଣେ ପୂର୍ବତନ କାଉନସିଲରଙ୍କ ପୁଅ ହୋଇଥିବା ହେତୁ ପୁଲିସ ତୁରନ୍ତ ଅସିକଙ୍କୁ ଗିରଫ କରି ନଥିବାର ଅଭିଯୋଗ ହୁଏ । ସେହି ୬ ତାରିଖ ଦିନ ସନ୍ଧ୍ୟାରେ ପୁଲିସ ନିଷ୍କ୍ରିୟତାର ପ୍ରତିବାଦରେ ବନ୍ତ ଛକରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ର ୨୩ଟି ଦୋକାନକୁ ପୋଡ଼ି ଦିଆଗଲା । ଏହା ମୁଖ୍ୟତଃ ମୁସଲମାନ ଯୁବକମାନଙ୍କର ଛୋଟ ଚିକେନ ସେଣ୍ଟର, ସେଲୁନ ଓ ଷ୍ଟସନାରୀ ଦୋକାନ ଥିଲା । ସେହିଦିନୁ ବଜରଙ୍ଗ ଦଳର କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଜିଲ୍ଲା ପ୍ରଶାସନରେ ଜିଲ୍ଲାପାଳଙ୍କ ଅବସର ହେତୁ ସ୍ଥାନୀୟ ଉପ-ଜିଲ୍ଲାପାଳ ସହରରେ ୧୪୪ଧାରା ଜାରୀ କରିବା ସହିତ ଶାନ୍ତି କମିଟିର ସଭା ପାଇଁ ଟେଲିଭିଜନରେ ଘୋଷଣା କରିଥିଲେ । ଏହି ଶାନ୍ତି କମିଟିରେ ଚଉଦ ମହଲ୍ଲାର ମୁଖ୍ୟ ତଥା ୨୦୧୧ ମସିହାରେ ସାମ୍ପ୍ରଦାୟିକ ସଦ୍ଭାବନା ପୁରସ୍କାର ପାଇଥିବା ଅବ୍ଦୁଲ୍ ବାରୀ (୭୭ ବର୍ଷ)ଙ୍କ ସମେତ ଉଭୟ ସମ୍ପ୍ରଦାୟ ଓ ସଙ୍ଗଠନର ଅନେକ ସଦସ୍ୟ ତଥା ସ୍ଥାନୀୟ ଏମଏଲଏ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ବେଶ୍ କିଛି ମୁସଲମାନ ଯୁବକ ଅବଶ୍ୟ ଶାନ୍ତି କମିଟି ବାହାରେ ଏକାଠି ହୋଇଥିଲେ । ଶାନ୍ତି କମିଟିରେ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା ଓ କମିଟିର ବାହାରେ ଥିବା ପ୍ରାୟ ୧୦୦ ଜଣ ମୁସଲମାନ୍ ଯୁବକ ପ୍ରାୟ ୪୦ଟି ମଟର ସାଇକେଲରେ ‘ବାଇକ୍ ପଟୁଆର’ ଆରମ୍ଭ କରିଥିଲେ । ସହରରେ ଧାରା ୧୪୪ ଲାଗୁ ହୋଇଥିଲା ବେଳେ ଏପରି ପଟୁଆରକୁ କିପରି ଅନୁମୋଦନ ଦିଆଗଲା ? ତାହା ପୁଣି ବିଧାୟକ, ପୁଲିସ ଏସପି ଇତ୍ୟାଦିଙ୍କ ଉପସ୍ଥିତିରେ ? ତିନୋଟି ପିସିଆର୍ ଭ୍ୟାନ୍ ସେମାନଙ୍କ ଅନୁସରଣ କରିଥିବା କଥା ପୁଲିସ ଥାନା ଅଧିକାରୀ ଆମର ଦଳ ନିକଟରେ ସ୍ୱୀକାର କରନ୍ତି । ସେ କୁହନ୍ତି “ପୁଲିସ ପାଖରେ ଆବଶ୍ୟକୀୟ ସଶସ୍ତ୍ର ବଳ ନଥିଲେ । ମାତ୍ର ହିନ୍ଦୁ ସଙ୍ଗଠନମାନେ ସହରର ଅନ୍ୟ ଦିଗରେ ଏକାଠି ହେଉଥିଲେ । ଏପରି କ୍ଷେତ୍ରରେ କେବଳ ମୁହାଁମୁହିଁ ନ ହେବା ପାଇଁ ପୁଲିସ ସେମାନଙ୍କର ପିଛା କରିଥିଲା ।” ମାତ୍ର ଆମର ଦଳକୁ ଏହି ତର୍କ ଯୁକ୍ତିଯୁକ୍ତ ଲାଗିନଥିଲା ।

ଏହି ବାଇକ୍ ପଟୁଆରକୁ ଅନୁମତି ଦେବା ପ୍ରତିବାଦରେ ହିନ୍ଦୁ ସଙ୍ଗଠନର ସଦସ୍ୟମାନେ ଦୋକାନ ଜାଳିବା ଆରମ୍ଭ କଲେ । ଗୋଟେ ପଟରେ ନିଜର ଦୋକାନ ପୋଡ଼ା ଯାଉଥିବା ଖବର ପାଇ ମୁସଲମାନ ଯୁବକମାନେ ନିଜ ଅଞ୍ଚଳର ହିନ୍ଦୁଙ୍କ ଦୋକାନକୁ ପୋଡ଼ିବା ଆରମ୍ଭ ମଧ୍ୟ କରିଥିଲେ । ସହରର ବନ୍ତ ଛକ, ନୂଆ ବଜାର, କଚେରୀ ରୋଡ୍, ଚରମ୍ପା, କୋର୍ଟ ପାଖରେ ଅଧିକ ମୁସଲମାନ ଯୁବକଙ୍କ ଦୋକାନ ଜଳାଯାଇଥିଲା ବେଳେ ହିନ୍ଦୁମାନଙ୍କର ପାନଅଡ଼ ଛକର ଅଧିକ ଦୋକାନ, ଲାହାପଟିର ରାଧାକୃଷ୍ଣ ମନ୍ଦିରର ସମ୍ମୁଖ ଭାଗ ଓ ବେଶ୍ କିଛି ଦୋକାନ ତଥା ଚନ୍ଦନ ବଜାରର ୮ରୁ ୧୦ଜଣ ମାରୱାଡ଼ି ବ୍ୟବସାୟୀଙ୍କ ଗୋଦାମ ଲୁଟ୍ ହେବା ସହିତ ନିଅାଁ ଲଗାଯାଇଛି । ସରକାରୀ ହିସାବରେ ୪୦୦ରୁ ଉର୍ଦ୍ଧ୍ୱର ଦୋକାନ, ଗୋଟିଏ ମନ୍ଦିର ଓ ଏକ ମସଜିଦର ସମ୍ମୁଖ ଭାଗ ଓ ଟ୍ରକ୍, ଅଟୋ ତଥା ସ୍କୁଟି କ୍ଷତିଗ୍ରସ୍ତ ହୋଇଛି । ସରକାରୀ ତଥ୍ୟ ଅନୁସାରେ ଭଦ୍ରକ ମୁନିସିପାଲିଟି ଅଞ୍ଚଳରେ ୨୭ଟି ୱାର୍ଡ଼ରେ ପ୍ରାୟ ୪୫୦ଟି ବ୍ୟବସାୟ ଅନୁଷ୍ଠାନର ନଅ କୋଟି ଟଙ୍କାର କ୍ଷତି ହୋଇଛି । ଏଥିରେ ତିନୋଟି ଧାର୍ମିକ ଅନୁଷ୍ଠାନ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା କଥା ଜିଲ୍ଲା ପ୍ରଶାସନ କୁହେ ।

ଆମର ଦଳ ସ୍ଥାନୀୟ ଟାଉନ୍ ଥାନା ଅଧିକାରୀଙ୍କୁ ଭେଟିଥିଲା ବେଳେ ଜାଣିଲା ଯେ ସହରରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ପୋଡ଼ା ଜଳା ହୋଇଛି । ପରେ ରାତି ୯ଟା ବେଳକୁ ଅଧିକ ପୁଲିସ ସଶସ୍ତ୍ର ଯବାନ ଆସି ଫ୍ଲଗମାର୍ଚ୍ଚ କରିବା  ତଥା “ଦେଖିବା ମାତ୍ରେ ଗୁଳି କର” ନିର୍ଦ୍ଦେଶକୁ ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ୧୯୯୧ ମସିହାର ଦଙ୍ଗା ସମୟରେ ୪୫ ଦିନ ଧରି ସହରରେ କର୍ଫ୍ୟୁ ଜାରି ରହିଥିଲା । ଅନୁରୂପ ଭାବରେ ୨୦୧୭ ମସିହାରେ ୩୬ ଦିନ କର୍ଫ୍ୟୁ ଲାଗି ରହିଥିଲା । ଆମର ଦଳ ଜିଲ୍ଲା ଏସ୍ପିଙ୍କୁ ଭେଟିଥିବା ସମୟରେ ତଥ୍ୟ ପାଇଥିଲା ଯେ ୯୮ଟି  ଏଫଆଇଆର ପଞ୍ଜିକୃତ ହୋଇଛି (୧୬.୫.୨୦୧୭ ତାରିଖ ସୁଦ୍ଧା) ଓ ୨୭୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଭଦ୍ରକ, ସୋର, ନୀଳଗିରି, ବାଲେଶ୍ୱର, ବାରିପଦା ଓ ଆନନ୍ଦପୁର ଜେଲରେ ରଖାଯାଇଛି । ଦଙ୍ଗାକୁ ପରିଚାଳିତ କରିବା ଅଭିଯୋଗରେ ଶାସକ ଦଳର ୧୫ ନମ୍ବର ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ର, ବଜରଙ୍ଗ ଦଳ ଜିଲ୍ଲା ସଞ୍ଜୋଜକ ମାନସ ରଞ୍ଜନ ମହାନ୍ତି, ବିଜେପି ଯୁବମୋର୍ଚ୍ଚାର ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ ବିକାଶ ଶ୍ରେଷ୍ଠ ଓ କଙ୍ଗ୍ରେସ ଯୁବ ମୋର୍ଚ୍ଚାର ଅସିମ ପରିଡ଼ାଙ୍କୁ ଗିରଫ କରାଯାଇଛି । 

କ୍ଷତିଗସ୍ତ ବ୍ୟକ୍ତିଙ୍କର ବକ୍ତବ୍ୟ 


ମୁବାରକ୍ ଖାଁ (୪୦ ବର୍ଷ) ମୁନିସିପାଲିଟି ଅଫିସ ପାଖରେ ନିଜର ଷ୍ଟେସନାରୀ ଦୋକାନ କରିଛନ୍ତି । ତାଙ୍କର କହିବାନୁସାରେ, ୭ ତାରିଖ ସନ୍ଧ୍ୟାରେ ପ୍ରାୟ ୧୦୦ରୁ ୧୫୦ ଲୋକ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେଇ ଆସିଲେ । ସେମାନେ ପ୍ରଥମେ ଦୋକାନର ସଟରକୁ ଭାଙ୍ଗିବା ପରେ ଲୁଟ୍ କଲେ ଓ ପରେ ନିଅାଁ ଲଗାଇଦେଲେ । ଏଥିରେ ତାଙ୍କର ପ୍ରାୟ ଏକ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘରେ ତାଙ୍କର ୪/୫ ଜଣ ସଦସ୍ୟ ତାଙ୍କ ଉପରେ ନିର୍ଭରଶୀଳ । ଏବେବି ଦୋକାନକୁ ମରାମତି କରିପାରି ନାହାନ୍ତି । ପ୍ରଶାସନ ମାତ୍ର ୪୦,୦୦୦ ଟଙ୍କା ଅନୁକମ୍ପା ରାଶି ଦେଇଛି ।

ଶେକ୍ ଅବଦୁଲ୍ ହକ ଙ୍କର ବନ୍ତ ସାହି ଛକରେ ସିଲାଇ ମେସିନ୍ ସଜାଡ଼ିବା ଦୋକାନ ଅଛି । ପ୍ରାୟ ସନ୍ଧ୍ୟା ୬ଟାରୁ ୬.୩୦ ମଧ୍ୟରେ ୨୫ ରୁ ୩୦ ଜଣ ଲୋକ ତଲୁଆର ଧରି ଆସିଲେ । ସେମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଦେଇଥାନ୍ତି । ଯଦିଓ ଛକ ଉପରେ ମୁଷ୍ଟିମେୟ ପୁଲିସ ଥିଲେ ମାତ୍ର ସେମାନେ କିଛି କଲେ ନାହିଁ । ନିଜେ ଶେକ୍ ଅବଦୁଲ୍ ଦୂରରେ ଥାଇ ଦେଖଛନ୍ତି । ତାଙ୍କ ମତରେ, କିଛି ଲୋକ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେଇ ଓ ମୁଣ୍ଡରେ ରାମନବମୀର ଗେରୁଆ ପତାକା” ମାରି, ତାଙ୍କର ଦୋକାନ ସମେତ ପାଖାପାଖି ପାଞ୍ଚଟି ଦୋକାନରୁ ଲୁଟ୍ କଲେ ଓ ପରେ ନିଅାଁ ଲଗାଇ ଦେଲେ । ଏଥିରେ ତାଙ୍କର ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲା । ସରକାର ମାତ୍ର ୬୦,୦୦୦ ଟଙ୍କା ଦେଇଛନ୍ତି । ଘରେ ତାଙ୍କ ଉପରେ ପାଞ୍ଚ ଜଣ  ଲୋକ ନିର୍ଭର କରନ୍ତି । ଘଟଣାର ୪୦ ଦିନ ପରେ ବି ସେ ଠିକ୍ ରେ ଦୋକାନ ଆରମ୍ଭ କରିପାରି ନାହାନ୍ତି ।

ଜହୁର ହୁସେନ୍ ଖାଁଙ୍କର ବନ୍ତସାହି ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ମୋବାଇଲ ମରାମତି ଦୋକାନ ଅଛି । ଦଙ୍ଗାକାରୀମାନେ ଶାବଳରେ ସଟରଟିକୁ ତାଡ଼ିଦେଲେ ଓ ଦୋକାନ ମଧ୍ୟରେ ମରାମତି ପାଇଁ ଥିବା ୨୦୦ ମୋବାଇଲ ସେଟ୍ ନେଇଗଲେ । ପ୍ରାୟ ୪ ଲକ୍ଷ ଟଙ୍କାର ସାମଗ୍ରୀ ତାଙ୍କର ଲୁଟ୍ ହୋଇଛି । ଏବେ କ୍ଷତିପୂରଣ ମାତ୍ର ୬୦,୦୦୦ ଟଙ୍କା ମିଳିଛି । ସେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅନୁସନ୍ଧାନକାରୀ ଅଫିସର ତାଙ୍କ ଦୋକାନକୁ ଆସିନାହାନ୍ତି । 

ଅଶୋକ କୁମାର ଲାହା (୫୫ ବର୍ଷ)ଙ୍କର ବଡ଼ ଶଙ୍କରପୁର ଲାହାପଟିର ବୃନ୍ଦାବନ ଚନ୍ଦ୍ର ମନ୍ଦିର ପାଖରେ ଏକ ତେଜରାତି ଦୋକାନ ରହିଛି । ୭ ତାରିଖ ସନ୍ଧ୍ୟାରେ ବେଶ୍ କିଛି ମୁସଲମାନ ଯୁବକ ଉଭୟ ଚନ୍ଦନ ବଜାର ଓ ଫକୀର ସାହି ପଟରୁ ଖଣ୍ଡା ତଲୁଆର ଧରି ଆସିଲେ । ସେମାନେ ମନ୍ଦିର ସମ୍ମୁଖରେ ଥିବା ସିଂହ ମୂର୍ତ୍ତିକୁ ଭାଙ୍ଗିବା ସହିତ ତାଙ୍କର ଦୋକାନ, ନିକଟରେ ଥିବା ନିମାଇଁ ଚରଣ ଲାହାଙ୍କ ଧୂପକାଠି ଗୋଦାମରେ ନିଅାଁ ଲଗେଇ ଦେଲେ । ଅଶୋକ କୁମାର ଲାହାଙ୍କର ପ୍ରାୟ ଚାରି ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲା । ପ୍ରଶାସନ ମାତ୍ର ୬୦,୦୦୦ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେଇଛି ।

ସୁନ୍ଦର ଲାଲ ଗୁପ୍ତା (୭୭ ବର୍ଷ)ଙ୍କର ଚନ୍ଦନବଜାର ଅଞ୍ଚଳରେ ‘ବିଶ୍ୱମ୍ବର ଦୟାଲ ସୁନ୍ଦରଲାଲ’ ନାମରେ ଏକ ବିରାଟ ତେଜରାତି ଦୋକାନ ଅଛି । ଦଙ୍ଗାକାରୀମାନେ ସନ୍ଧ୍ୟା ସମୟରେ ଦୁଇପଟରୁ ଆସି ଗୋଦାମ ଘର ଲୁଟ୍ କରିବା ସହିତ ଗୋଦାମଘରେ ନିଅାଁ ଲଗେଇ ଦେଇଥିଲେ । ସୁନ୍ଦର ଲାଲ ଏଫଆଇଆରରେ ଯଦିଓ କ୍ଷତିପରିମାଣ ଦଶଲକ୍ଷ ଟଙ୍କା ଉଲ୍ଲେଖ କରିଛନ୍ତି ମାତ୍ର ପ୍ରକୃତ କ୍ଷତି ଏକକୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କୁହନ୍ତି । ଆମର ଦଳ ତାଙ୍କୁ ଭେଟିବା ସମୟରେ ସେ ବାରମ୍ବାର କ୍ଷୋଭ ପ୍ରକାଶ କରି କହୁଥାନ୍ତି, “ଆମର ଏଠାରେ ହିନ୍ଦୁମାନେ ଆଦୌ ଏକାଠି ନୁହନ୍ତି ।” ସେ ଏକଥାକୁ ସ୍ୱୀକାର କରନ୍ତି ଯେ ସେ ପ୍ରଥମେ ଭଦ୍ରକ ସହରରେ ଆରଏସ୍ଏସ୍ର ଶାଖା ଆରମ୍ଭ କରିଥିଲେ । ମାତ୍ର ଜରୁରୀକାଳୀନ ପରିସ୍ଥିତି ସମୟରେ ଅଧିକ ଧରପଗଡ଼ ହେବା ହେତୁ ତା’କୁ ସେ ବନ୍ଦ କରିଦେଇଥିଲେ । ସେ ଏକଥା ମଧ୍ୟ ବ୍ୟସ୍ତତାର ସହିତ କହୁଥାନ୍ତି ଯେ ପାକିସ୍ତାନରେ ତାଙ୍କଭଳି ହିନ୍ଦୁମାନେ ଆଦୌ ସୁରକ୍ଷିତ ନୁହନ୍ତି । ସୁନ୍ଦରଲାଲ ଭାବୁଛନ୍ତି ସହରରେ ପୁଲିସ ମୁତାୟନ ଥିବା ହେତୁ ଶାନ୍ତି ଆସିଛି । ପୁଲିସ ଚାଲିଗଲେ ପୁଣି ପରିସ୍ଥିତି ଅଶାନ୍ତ ହୋଇପାରେ । 

ପୁଲିସର ମାତ୍ରାଧିକ କାର୍ଯ୍ୟ ଅଭିଯୋଗ


ଏପ୍ରିଲ ୭ ତାରିଖ ରାତି ୯ଟା ପରେ ପୁଲିସ ସଶସ୍ତ୍ର ବାହିନୀ ସମଗ୍ର ଭଦ୍ରକ ସହରକୁ ନିଜ ଅକ୍ତିଆରକୁ ନେଇଗଲେ ଓ ଫ୍ଲାଗ ମାର୍ଚ୍ଚ କଲେ । ସେହି ସମୟରେ କର୍ଫ୍ୟୁ ରହିଥାଏ । ଆଠ ତାରିଖ ରାତି ୩ଟାରୁ ପୁଲିସ ଦଙ୍ଗାକାରୀମାନଙ୍କୁ ଗିରଫ କରିବା ଆରମ୍ଭ କରିଥାଏ । ମୁଖ୍ୟତଃ ୬ ତାରିଖର ଭିଡ଼ିଓ ଫୁଟେଜ୍ ଓ ୭ ତାରିଖର ବିଭିନ୍ନ ଗଣମାଧ୍ୟମର ଭିଡ଼ିଓ ଫୁଟେଜକୁ ଦେଖି ବ୍ୟକ୍ତିକୁ ଚିହ୍ନଟ କରିବା ଆରମ୍ଭ କରିଥାଏ । ମାତ୍ର ସେହି ୮ ତାରିଖ ଭୋର ସମୟରେ ଯେଉଁମାନଙ୍କୁ ଗିରଫ କରାଯାଇଥାଏ, ସେଥିରୁ ବେଶ୍ କିଛି ଲୋକ ନିରୀହ ବୋଲି ଅଭିଯୋଗ ହୋଇଆସୁଥିଲା । ଆମର ଦଳ ଏପରି କିଛି ମହିଳାଙ୍କୁ ଭେଟିବାର ସୁଯୋଗ ପାଇଲା ଯେଉଁମାନଙ୍କ ପରିବାରର ପୁରୁଷ ସଦସ୍ୟ ମାନଙ୍କୁ ପୁଲିସ ରାତି ଅଧିଆ ଗିରଫ କରିଛି ।

ତାରାନୁମ୍ ବିବି ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ଶେଖ୍ ସବିର୍ (୪୦ ବର୍ଷ) ସାନ ଶଙ୍କରପୁର ଅଞ୍ଚଳରେ ମାଛ ବ୍ୟବସାୟ କରନ୍ତି । ଏପ୍ରିଲ ଆଠ ତାରିଖ ରାତି ତିନିଟା ସମୟରେ ବେଶ୍ କିଛି ସଶସ୍ତ୍ର ପୁଲିସ ତାଙ୍କର ଦୁଆର ଜୋରରେ ବାଡେ଼ଇବାରେ ଲାଗିଲେ । ଦୁଆର ଭାଙ୍ଗିଯିବା ଡରରେ ସେ ଖୋଲି ଦେବାରୁ ପୁଲିସ ବାହିନୀ ଘରେ ପଶି ତାଙ୍କର ସ୍ୱାମୀକୁ ସେହିଠାରେ ବହୁତ ମାରିଲେ । ତାଙ୍କର ଲୁଙ୍ଗି ରକ୍ତାକ୍ତ ହୋଇଯାଇଥିଲା । ପରେ ତାଙ୍କୁ ନୀଳଗିରି ଜେଲକୁ ପଠାଯାଇଥିଲା । ତାରାନୁମ୍ ନୀଳଗିରି ଯାଇ ଜେଲରେ ତାଙ୍କୁ ସାକ୍ଷାତ କଲା ବେଳେ ଦେଖିଲେ ଯେ ତାଙ୍କର ହାତରେ ପ୍ଲାଷ୍ଟରିଂ ହୋଇଛି । ହାତ ଭାଙ୍ଗିଯିବା ଦେଖି ପୁଲିସ ଏପରି କରିଥିବା ସେ କହିଲେ ।

ହାଜି ସିରିବିବି ଅଭିଯୋଗ କରନ୍ତି ଯେ ତାଙ୍କ ସ୍ୱାମୀ ଶେଖ୍ ହାଜି ଶେଖ (୬୦ ବର୍ଷ) ଓ ତାଙ୍କର ଦୁଇପୁଅ ଶେଖ ଅବହାୟତ (୩୦) ଓ ଶେଖ ତୈମୁର (୨୮)କୁ ପୁଲିସ ଜବରଦସ୍ତି ଗିରଫ କରିଛି ।

ସାୟଦା ଖାତୁନ୍ ଅଭିଯୋଗ କରନ୍ତି ଯେ ତାଙ୍କର ବାପା ଶେଖ ସାଜିକ୍ (୪୫)ଙ୍କୁ ଏହିପରି ଭୁଲରେ ଗିରଫ କରଯାଇଛି । ଆଠ ତାରିଖ ସକାଳେ ପ୍ରାୟ ୧୫ ଜଣ ପୁଲିସ ଅଫିସର ଓ ଅନେକ ସଶସ୍ତ୍ର ଯବାନ ତାଙ୍କ ଘର ଘେରିଯାଇ ତାଙ୍କ ବାପାଙ୍କୁ ଜବରଦସ୍ତ ଉଠାଇନେଲେ । ବାପା ତାଙ୍କର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ଏବେ ଘରେ ତାଙ୍କର ଚଳିବା ଅସୁବିଧା ହୋଇଯାଉଛି ।

ଏକଥା ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ ପୁଲିସ ଦ୍ୱାରା ଗିରଫ ହୋଇଥିବା ୨୭୦ ଜଣ ବ୍ୟକ୍ତି (ତା ୧୬.୫.୨୦୧୭ ସୁଦ୍ଧା)ଙ୍କ ମଧ୍ୟରେ ଅନେକ ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ଅଛନ୍ତି । ସେହି ପରିବାରମାନଙ୍କର ଅନୁରୂପ ଅଭିଯୋଗ ମଧ୍ୟ ଆମର ଦଳ ପାଇଥିଲା । ହେଲେ କୌଣସି ନିର୍ଦ୍ଧିଷ୍ଟ ସାକ୍ଷାତକାର ପାଇନଥିଲା । ଏହି ଅଯଥା ଗିରଫଦାରୀ ସମ୍ପର୍କରେ ଆମର ଦଳ ଭଦ୍ରକ ଜିଲ୍ଲା ଏସ୍ପିଙ୍କୁ ଭେଟିବା ସମୟରେ ଏ ସମ୍ପର୍କରେ ପଚାରିଥିଲା । ଭିଡ଼ିଓ ଫୁଟେଜକୁ ପ୍ରମାଣ ସଙ୍ଗ୍ରହ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା କଥା ସେ ଦୋହରାଇଥିଲେ । ସେ କହିଥିଲେ ଯେ, ପରିସ୍ଥିତିକୁ ଶାନ୍ତ କରିବା ପାଇଁ କିଛି କାର୍ଯ୍ୟାନୁଷ୍ଠାନ ହୁଏତ ହୋଇଥାଇପାରେ । ମାତ୍ର ଜିଲ୍ଲାର ଏସ୍ପି ବଦଳି ହୋଇ ପୁଣି ୧୪.୪.୨୦୧୭ ତାରିଖ ପରଠାରୁ ନୂତନ ଏସ୍ପି ଆସିବା ପରେ ପ୍ରତ୍ୟେକ ଗିରଫ ପଛରେ ଦୃଢ଼ ପ୍ରମାଣ ସଙ୍ଗ୍ରହ କରି ଗିରଫ କରାଯାଉଥିବା କଥା ସେ ପ୍ରକାଶ କରନ୍ତି ।

ତଥ୍ୟ ଅନୁସନ୍ଧାନକାରୀ ଦଳର ନିଜସ୍ୱ ମନ୍ତବ୍ୟ


ଭଦ୍ରକ ସହରର ଏପରି ଅଶାନ୍ତ ପରିବେଶକୁ ଦେଖିଲା ପରେ ଦଳର ସଦସ୍ୟମାନେ ବ୍ୟସ୍ତ ହୋଇପଡ଼ିଥିଲେ । ସେମାନଙ୍କୁ କନ୍ଧମାଳର ବିଭତ୍ସତା ମନେପଡ଼ିଥିଲା, ଫରକ ହେଲା ଯେ ସରକାରୀ ପ୍ରୋତ୍ସାହନରେ କନ୍ଧମାଳରେ ଯେଉଁ ଦଙ୍ଗା ଦୀର୍ଘ ଦୁଇ ମାସ ଧରି ଚାଲିଥିଲା ଓ ସିଆରପିଏଫ୍ ଓ ରାପିଡ୍ ଆକ୍ସନ ଫୋର୍ସକୁ ଜାଣି ଜାଣି ନିଷ୍କ୍ରିୟ କରିଦିଆଗଲା । ଭଦ୍ରକ ସହରରେ କିନ୍ତୁ ମାତ୍ର କେତେ ଘଣ୍ଟା ମଧ୍ୟରେ ପୁଲିସ ସକ୍ରିୟ ହୋଇଉଠିଲା । ଏହି ହେତୁ ୮ ତାରିଖ ପରଠାରୁ ଆଉ ଦଙ୍ଗା ହୋଇନାହିଁ । ୧୯୯୧ରେ ଭଦ୍ରକ ଦଙ୍ଗା ଗ୍ରାମାଞ୍ଚଳକୁ ବ୍ୟାପିବା ସହିତ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ମାତ୍ର ୨୦୧୭ ମସିହାରେ ଭଦ୍ରକ ସହରର ଦୃଶ୍ୟ କେବଳ କେତେକ ଦୋକାନ ପୋଡ଼ି ମଧ୍ୟରେ ସୀମିତ ରହିପାରିଥିଲା । 

ଏହାର ଆଉ ଏକ କାରଣ ମଧ୍ୟ ହେଲା ଯେ ଭଦ୍ରକର ୧୯୯୧ର ପୁନରାବୃତ୍ତି ନକରାଇ ଦେବା ପାଇଁ ବେଶ୍ କିଛି ଧର୍ମ ନିରପେକ୍ଷବାଦୀଙ୍କୁ ନିଜ ଭିତରେ ପ୍ରସ୍ତୁତ କରାଇଦେଲା । ସେମାନେ ରାସ୍ତା ଉପରକୁ ଆସି ନିଜ ଅଞ୍ଚଳରେ କୌଣସି ପୋଡ଼ାଜଳା କରାଇ ନ ଦେବା ପାଇଁ ନିଜର ଲୋକକୁ ଏକାଠି କଲେ ଓ ସଫଳ ମଧ୍ୟ ହୋଇଥିଲେ । ସେମାନଙ୍କ ଲୋକସମ୍ପର୍କ ନିଶ୍ଚିତ ରୂପେ ନିଜ ଅଞ୍ଚଳକୁ ବଞ୍ଚାଇବାରେ ସାହାଯ୍ୟ କରିଥିଲା । ସେହିପରି କିଛି ବ୍ୟକ୍ତିକୁ ମଧ୍ୟ ଆମର ଦଳ ଭେଟିଥିଲା । ସେମାନଙ୍କ ମଧ୍ୟରେ ହେଲେ ବରିଷ୍ଠ ଓକିଲ ନିରାକାର ଜେନା, ଓକିଲ ସଚ୍ଚିଦାନନ୍ଦ ମହାନ୍ତି, ଓକିଲ ଇସ୍ତାଦାର, ଦୋକାନୀ ଦୀପକ ସାହୁ, ହରିପ୍ରସାଦ ନନ୍ଦି, ଜମିର ଅଖ୍ତର ଖାଁ, ମୁସ୍ତାକ ଗବ୍ୱର, ଅଧ୍ୟାପିକା ରାଧାରାଣୀ ମହାପାତ୍ର ପ୍ରମୁଖ । ଏତଦବ୍ୟତୀତ ଦଳ ଏକଥା ମଧ୍ୟ ଅନୁଭବ କଲା ଯେ,

ରାମନବମୀ ପାଳନର ଠିକ୍ ପରଦିନ ଏପରି କାଣ୍ଡ ହୋଇଛି । ଏହାକୁ ଜିଲ୍ଲା ପ୍ରଶାସନ ଅନୁମାନ ନକରିପାରିବା ପ୍ରଶାସନର ଦୁର୍ବଳତା ଅଟେ । ଯଦି ତ୍ୱରିତ ପଦକ୍ଷେପ ନେବା ସହିତ ଧାରା ୧୪୪କୁ ବଳବତ୍ତର କରାଯାଇଥାନ୍ତା ତେବେ ଏପରି ହିଂସା ଘଟିନଥାନ୍ତା ।

ରାମନବମୀ ପୂଜାର ପରିବେଶ କୌଣସି ପ୍ରକାରରେ ଧାର୍ମିକ ଅଥବା ଶାନ୍ତ ପରିବେଶ ସୃଷ୍ଟି କରିବା ବଦଳରେ ଘୃଣା ସୃଷ୍ଟି କରୁଛି । ଧାର୍ମିକ ଶୋଭାଯାତ୍ରା ସର୍ବଦା ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ।

ଦଙ୍ଗା ସମୟରେ ଅନେକ ଗୁଜବକୁ ସୋସିଆଲ ମିଡ଼ିଆ ଫେସବୁକ ମାଧ୍ୟମରେ ପ୍ରଚାରିତ କରାଯାଇଛି । ବଙ୍ଗଳା ଦେଶର ଢାକା ସହରର ଇଦ ପାଳନର ଛବିକୁ ଭଦ୍ରକ ସହରର ଛବି ଦର୍ଶାଇ ଫେସବୁକରେ ପୋଷ୍ଟିଂ କରାଯାଇଛି । ମାତ୍ର ପୁଲିସ ସାଇବର ଅପରାଧ ଭାବରେ ଏକମାତ୍ର କେଶ୍ ଅଙ୍କିତଙ୍କ ଠାରୁ ଗ୍ରହଣ କରି ଅସିଫ ଖାଁ ଙ୍କୁ ଗିରଫ କରିଛି ।

ସରକାରଙ୍କ ଦ୍ୱାରା ଦିଆଯାଉଥିବା କ୍ଷତିପୂରଣ ରାଶି ଯଥେଷ୍ଟ ନୁହେଁ । ସରକାରୀ ତଥ୍ୟ ଅନୁସାରେ ୪୪୩ ଜଣଙ୍କୁ ୧୫୦୦୦ ଟଙ୍କାରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାର ନିଷ୍ପତ୍ତି ହୋଇଛି । ଯେଉଁମାନଙ୍କ ଘର ଓ ଦୋକାନ ଉଭୟ ଜଳିଯାଇଛି ସେମାନଙ୍କୁ କେବଳ ଦୁଇ ଲକ୍ଷ ଟଙ୍କା ଦିଆଯିବ ବୋଲି ସରକାର କହୁଛନ୍ତି । ସରକାରଙ୍କ ତରଫରୁ ଦିଆଯାଉଥିବା ସମୁଦାୟ ୯ କୋଟି ଟଙ୍କା ଲୋକଙ୍କ କ୍ଷତି ଅନୁସାରେ ଯଥେଷ୍ଟ ନୁହେଁ ।

ଦଙ୍ଗାରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ ଯେଉଁ ୨୭୦ ଜଣଙ୍କୁ ଗିରଫ କରିଛି, ସେଥିରୁ କେତେକ ନିରୀହ ଅବଶ୍ୟ ହୋଇଥାଇ ପାରନ୍ତି । ମାତ୍ର ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦଙ୍ଗାକୁ ପ୍ରଶମିତ କରିବାରେ ସାହାଯ୍ୟ କରିଛି । ହେଲେ ପୁଲିସ ଏକମାତ୍ର ଭୁଜାଲି, ତିନୋଟି ପଲଙ୍କ ଓ କେତେକ ରଙ୍ଗ ଡବା ଜବତ କରିଥିବା ଜିଲ୍ଲା ଏସ୍ପି କହିଛନ୍ତି । ଏତିକି ତଥ୍ୟ କଅଣ ଦଙ୍ଗାକାରୀଙ୍କୁ ଦୋଷୀ ପ୍ରମାଣିତ କରିବା ପାଇଁ କୋର୍ଟରେ ଯଥେଷ୍ଟ ହେବ ? ଦଳ ଏକଥା ପଚାରି ବୁଝିଥିଲା ଯେ, ୧୯୯୧ ମସିହାର ଦଙ୍ଗାର କୌଣସି ବି ମାମଲାରେ କାହାରିକୁ ଦଣ୍ଡିତ କରାଯାଇପାରିନାହିଁ । ସେଠାରେ ଅଭିଯୋଗକାରୀଙ୍କ ଅବହେଳା ଓ ପୁଲିସର ନିଷ୍କ୍ରିୟତା ହେତୁ ଦୋଷ ପ୍ରମାଣିତ ହୋଇପାରିଲାନାହିଁ । ତାହାର ପୁନରାବୃତ୍ତି ୨୦୧୭ ମସିହାର ଘଟଣାରେ ମଧ୍ୟ ହୋଇପାରେ ।

ଜିଲ୍ଲା ପ୍ରଶାସନ ଏବେ ବି ଦ୍ୱିତୀୟ ଥର ପାଇଁ ଶାନ୍ତି କମିଟିର ସଭା ଡାକିବାରେ ଅସମର୍ଥ ହୋଇଛି । ଗିରଫ କରିବା ଓ କ୍ଷତିପୂରଣ ରାଶି ବାଣ୍ଟିବା ମଧ୍ୟରେ ସରକାରୀ କାର୍ଯ୍ୟ ସୀମିତ ରହିଛି ।

ଆମର ଦାବୀ


ଯେଉଁ ସାଇବର ଅପରାଧ ମାମଲାରେ ଅସିଫ୍ ଅଲ୍ଲିଙ୍କୁ ଗିରଫ କରାଗଲା ସେହିପରି ପୁଲିସ ନିଜଆଡ଼ୁ ସାଇବର ମାମଲା ରୁଜ୍ଜୁ କରି ଅଙ୍କିତ ନାମକ ଛାତ୍ରଙ୍କୁ ମଧ୍ୟ ଗିରଫ କରନ୍ତୁ ।

ଜିଲ୍ଲା ପ୍ରଶାସନଙ୍କର ଅବହେଳା ହେତୁ ଏପରି ଘଟିଲା । ତେଣୁ କେବଳ ସାମୟିକ ବଦଳି କରି ପରିସ୍ଥିତି ନିୟନ୍ତ୍ରଣ ଅଣାଯିବା ବଦଳରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ ।

କ୍ଷତିପୂରଣ ରାଶି ଯଥେଷ୍ଟ ହେଉ ନଥିବା ହେତୁ ଏହାକୁ ଅଧିକ କରାଯାଉ ।

ସାମ୍ପ୍ରଦାୟିକ ଉତ୍ତେଜନାକାରୀ ଯେ କୌଣସି ଧାର୍ମିକ ଶୋଭାଯାତ୍ରାକୁ ସରକାର ଅନୁମତି ଦିଅନ୍ତୁ ନାହିଁ ।

ପ୍ରକୃତ ଦଙ୍ଗାକାରୀଙ୍କୁ ଚିହ୍ନିତ କରି ଉପଯୁକ୍ତ ତଥ୍ୟ ଆଧାରରେ ଗିରଫ କରାଯାଉ, ଯାହା ଦ୍ୱାରା ଦଙ୍ଗାକାରୀ ଆଇନରେ ଥିବା ଫାଙ୍କରେ ଖସି ନ ଯାଆନ୍ତୁ । ଏଥିପାଇଁ ଅଧିକ ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସରକାର ପ୍ରସ୍ତୁତ କରନ୍ତୁ ।

ଦଙ୍ଗା ସମ୍ପର୍କିତ ସମସ୍ତ ବିଚାର ‘ଫାାଷ୍ଟ ଟ୍ରାକ୍ କୋର୍ଟ୍'ରେ କରାଯାଉ ।

ଭଦ୍ରକରେ ଏହା ଥିଲା ୧୯୯୧ ପରର ପ୍ରଥମ ଥର ଦଙ୍ଗା । ହୁଏତ ପୂର୍ବର ବିଭତ୍ସତା ଏଥର ନ ଥିଲା । ହୁଏତ ଏଥର କୌଣସି ମଣିଷଙ୍କର ଜୀବନ ଯାଇନାହିଁ । ମାତ୍ର ଆଗକୁ ଯେ ଏପରି ନହେବ ତାହା କହିହେବ ନାହିଁ । ସାମ୍ପ୍ରଦାୟିକ ସଦ୍ଭାବନାକୁ ଫୋରାଇ ଆଣିବା ପାଇଁ ସର୍ବୋଦୟ ଓ ରାଷ୍ଟ୍ରୀୟ ଯୁବ ସଙ୍ଗଠନର ବେଶ କିଛି ସାଥି ଦଙ୍ଗା ପରଠାରୁ ସହରରେ ରହି ଶାନ୍ତି ପାଇଁ କାମ କରିଚାଲିଛନ୍ତି । ସେମାନଙ୍କ ଦ୍ୱାରା ତିଆରି ପଥପ୍ରାନ୍ତ ନାଟକ ‘ଗୋଟିଏ ଅଚିହ୍ନା ଶବ’ ସମସ୍ତଙ୍କୁ ଛୁଇଁଛି । ତେବେ ଧାର୍ମିକ ମୌଳବାଦୀ ଶକ୍ତିର ଅପପ୍ରଚାରକୁ ରୋକିବା ଓ ସେମାନଙ୍କ ଉଦ୍ଦେଶ୍ୟରୁ ଆମର ସମାଜକୁ ମୁକ୍ତ ରଖିବା ପାଇଁ ଏତିକି ଉଦ୍ୟମ କଦାପି ଯଥେଷ୍ଟ ଜଣାପଡ଼ୁନାହିଁ । ଏଥିପାଇଁ ମାନବିକ ଅଧିକାର ଓ ସମାନତା ଉପରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଓ ଗୋଷ୍ଠୀ ମିଳିତ ହୋଇ କାର୍ଯ୍ୟ କରିବା ଜରୁରୀ ।

୩୧.୫.୨୦୧୭,  ସଭାପତି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା

No comments:

Post a Comment