Tuesday, June 27, 2017

ମହିମା ଭକ୍ତି କବିତା - 'ତ୍ରିଗୁଣ ରହିଅଛି ଜଡ଼ି'


କବି - ଭୀମ ଭୋଇ


ଫ୍ଲରେନ୍ସ୍ ନଗରୀରେ ସ୍ଥିତ ବ୍ୟାପ୍ଟିଷ୍ଟ୍ରିର ସିଂହ ଦ୍ୱାର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତ୍ରିଗୁଣ ରହିଅଛି ଜଡି
ଦେହ ଧରିଅଛି ଯେତେ କାହାକୁ ନ ଛାଡି । ଘୋଷା ।

ପିତା ମାତା ଯୁକ୍ତ କାଳୁ ପଦ୍ମରେ ପଡିଲା ବେଳୁ
କାଳିନ୍ଦୀ ହ୍ରଦ ମଣ୍ଡଳ ରଜବୀର୍ଯ୍ୟ ବୁଡି ।
ସର୍ଜନା ହୋଇଛି ପିଣ୍ଡ ଲାଗି ରଜବୀର୍ଯ୍ୟ ମଣ୍ଡ ପ୍ରକୃତିରେ ଗଢି ।୧।

ଧର୍ମ ତରାଜୁରେ ତୁଳି ଅଷ୍ଟାଙ୍ଗ ଶର ଶାଙ୍କୋଳି
ଲଗାଇଛି ବତାକୁଲି ଖଞ୍ଜିଅଛି ଧାଡି ।
ଅନୁମାନ ସୂତ୍ର ଧରି ଯହିଁକି ଯେମନ୍ତ କରି ଯତନରେ ଭିଡି ।୨।

ଅସ୍ଥିଟି ପ୍ରଥମ ଗୁଣ ରୁଧିର ଦ୍ୱିତୀୟ ଗୁଣ
ମାଂସ ସବୁ ତିନି ଗୁଣ ଆସି ଅଛି ବଢି ।
ଜଳ ପବନରେ ଦେହ ଅଗ୍ନିପାକରେ ସମୟ ଏ ଜୀବକୁ ବେଢି ।୩।

ଏହା ପଞ୍ଚଭୂତ ମନ ପଚିଶ ପ୍ରକୃତି ଗୁଣ
ରେତ ରସ ପ୍ରେମ ମାନ ମାରୁଛି ଲହଡି ।
ଘନରେ ବିଦ୍ୟୁ ଝଲକ ଚକ୍ଷୁ ବର୍ଚ୍ଛନା ମଟକ ଫେରୁଛି ବାହୁଡି ।୪।

ଛପନା କୋଟିରେ ବ୍ୟାପି ଅଣାକାର ଆତ୍ମାରୂପୀ
ସର୍ବଘଟେ ପରିପୂର୍ଣ୍ଣ ରହିଅଛି ମାଡି ।
ଏବେ ଗୁରୁ ସେବା କର ଆତ୍ମାଭକ୍ତିରେ ବିହର କ୍ରିୟା କର୍ମ ଏଡି ।୫।

ଭଣେ ଭୀମ ଅରକ୍ଷିତ ପିଣ୍ଡ ବ୍ରହ୍ମାଣ୍ଡେ ଏକାନ୍ତ
ଶରୀରାର୍ଥ ଆତଯାତ ପଦେ ପଦେ ଯୋଡି ।
ପ୍ରଳୟ କାଳକୁ ପାପ ଅଙ୍ଗରେ କରିବ ଭୋଗ ମାଡି ଆସେ ବଢି ।୬।

No comments:

Post a Comment