Friday, June 16, 2017


ଗାଁରେ ପାଠ ପଢ଼ା


ଗୋପୀନାଥ ମହାନ୍ତି 


ଆମେରିକାର ଆଲାବାମା ରାଜ୍ୟର ଗୋଟିଏ ବିଦ୍ୟାଳୟର ଦୃଶ୍ୟ (୧୯୩୫ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦିନ କେଇଟାରେ ସମସ୍ତଙ୍କ ସହିତ ମିଶି ବନ୍ଧୁତା କରି ପରି ବାବୁ ଗାଁଟାକୁ ପ୍ରଥମେ ଭେଳେଇ ନେଲେ । ତା ପରେ ଦିନେ ପିଲାମାନଙ୍କୁ କହିଲେ, “ଗୋଟାଏ ଗଣତି କଲତୁମ ଗାଁରେ କେତେ ଜଣ ଲୋକ ଚିଠି ଲେଖି ଚିଠି ପଢ଼ି ଜାଣନ୍ତି ?” ସୁମାରି ହେଲା । ଦେଖିଲାବେଳକୁ ଲେଖା ପଢ଼ା ଲୋକ ଅତି କମ୍ ।

ପରି ବାବୁ ଲୋକଙ୍କୁ ମତେଇଲେ, “ତୁମେ ପାଠ ପଢ଼ ।” ଲୋକେ କହିଲେ, “ଏ ବୁଢ଼ା ଦିନେ ଖଡ଼ି ଧରିବା ନା ଲାଭ କଣ ହେବ ?” ପରି ବାବୁ ବୁଝାଇଲେ, “ଦେଖ, ପାଠରେ ବୟସ ଧରା ହୁଏ ନାହିଁ । ତୁମେ ସାଧାରଣ ନାଁ ଦସ୍ତଖତ କରି ଜାଣିନାକେଡେ଼ ଲଜ୍ଜାର କଥା । ପଢ଼ି ଜାଣିଥିଲେ ସିନା ଦେଶ କଥା ଦଶ କଥା ଜାଣନ୍ତ । ତୁମେ ପଢ଼ତୁମେ ସବୁ ପୁରୁଖା ଲୋକଖଡ଼ି ଧରୁ ଧରୁ ପାଠ ହୋଇଯିବ ।”

ବହୁତ ଧରାଧରି କରିବା ପରେ ଠିକଣା ହେଲା ଯେ, ରାତିରେ ଲୋକେ ପଢ଼ିବାକୁ ଆସିବେ । ଦିନରେ ତ ବାର ଧନ୍ଦାରାତିରେ ଘଣ୍ଟାଏ ପଢ଼ି ଦେଇ ଯାହାର ମନ ହେବ ସେ ଆଖଡ଼ାକୁ ଚାଲିଯିବ । ସେଇଠୁ ରାତି ସ୍କୁଲ ଆରମ୍ଭ ହେଲା । ପରି ବାବୁ ନିଜେ ପଢ଼ାଇଲେ । ବୁଢ଼ା ବୁଢ଼ା ଲୋକ ଯାହାର ବାଳ ପାଚି ଗଲାଣି ଏପରି ଲୋକଙ୍କୁ ମଧ୍ୟ ନିଜେ ଯାଇ ଗୋଟେଇ ଆଣନ୍ତି । ଦିନରେ ଯାଇ ବେଳେ ବେଳେ ପଢ଼ାଇ ଦେଇ ଆସନ୍ତି । ଘର ଧନ୍ଦା ଯୋଗୁଁ ଲୋକେ ନ ଆସି ପାରିଲେ ଯାଇ ବୁଝେଇ ସୁଝେଇ ଆଣନ୍ତି ।

ଲୋକଙ୍କୁ ଭୁଲାଇ ଭୁଲାଇ ପଢ଼ାନ୍ତି । ଏଣୁ ତେଣୁ ଗପ ପଡେ଼ଭାଗବତ ପଢ଼ା ହୁଏଖବର କାଗଜ ବି ପଢ଼ା ହୁଏ । ପରି ବାବୁଙ୍କ ମତପ୍ରତି ଗାଁରେ ରାତି ସ୍କୁଲ ରହିବ ।

ଏଣେ ଗାଁ ସ୍କୁଲରେ କାମ ଚାଲିଥାଏ । ନୁଆ ମାଷ୍ଟ୍ରେ ପିଲାଙ୍କ ସଙ୍ଗେ ବଡ଼ଭାଇ ପରି ମିଶିଯାଇଥାନ୍ତି ଏତେ ଭଲ ପାଆନ୍ତି ଯେ କହିବାର ନୁହେଁ । ପିଲାଏ ମନ ଦେଇ ପାଠ ପଢ଼ନ୍ତିନୋହିଲେ ମାଷ୍ଟ୍ରଙ୍କ ମନକଷ୍ଟ ହେବ । ଯେଉଁ ଦିନ ତିନି ଚାରି ଜଣ ପିଲା ନ ଆସିବେସେ ଦିନ ମାଷ୍ଟ୍ରେ ଭାତ ଖାଆନ୍ତି ନାହିଁ । ଯାହାର ଦେହ ମୁଣ୍ଡ ହେଲେ ନିଜେ ଯାଇ ତତ୍ତ୍ୱ ନିଅନ୍ତି । ଛୋଟ ଛୋଟ ପିଲାଏ ମାଷ୍ଟରଙ୍କୁ ଖୁସି କରିବାକୁ ନିଜେ ଭଲ ବ୍ୟବହାର କରନ୍ତି । ତାଙ୍କ ମନରେ ଗର୍ବ ହୁଏ । କାରଣ ମାଷ୍ଟ୍ର ଓ ପରି ବାବୁ ବାରମ୍ବାର କହନ୍ତି – ତୁମେ ଦେଶର ଆଶା ଭରଶା । ତୁମ ଦେଶ ସେଇ ଭାରତବର୍ଷରେଯେଉଁଠି ବଡ଼ ବଡ଼ ଲୋକ ଜନ୍ମ ହୋଇ ବଡ଼ ବଡ଼ କଥା କରି ଦେଖାଇଯାଇଛନ୍ତି ।

ତୁମ ଗାଁ ହେଉଛି ଓଡ଼ିଶା ଦେଶ । ତୁମ ପୂର୍ବପୁରୁଷ ଦରିଆରେ ବୋଇତ ଭସାଇ ସାତ ସମୁଦ୍ରରୁ ହୀରା ମାଣିକ ବୋହି ଆଣୁଥିଲେ । ତୁମ ଦେହରେ ଯେଉଁ ରକ୍ତ ଅଛିତୁମ ମନରେ ଯେଉଁ ଶକ୍ତି ଅଛିତା ଆଉ କାହାରି ନାହିଁ । ତୁମେ ନିଜକୁ କାମରେ ଲଗାଇ ପାରୁନ ବୋଲି ପଡ଼ି ରହିଛ । ପିଲାଙ୍କୁ ବାରମ୍ବାର ଏପରି କହିବାରୁ ସେମାନେ ନିଜକୁ ଆଉ ହେୟ ମଣିଲେ ନାହିଁ । ସମସ୍ତଙ୍କର ଉଚ୍ଚ ଆଶା ହେଲା, କିପରି ବଡ଼ ହେବେ ।

ଏଣେ ପରି ବାବୁ ବହୁତ କଷ୍ଟ କରି ପ୍ରତି ରବିବାର ଦିନ ରାତିରେ ସେ ଗାଁ ଲୋକଙ୍କର ଗୋଟିଏ ସଭା କରନ୍ତି । ତହିଁରେ 
ସମସ୍ତେ ଆସି ଗାଁର କିପରି ମଙ୍ଗଳ ହେବ ସେ କଥା ଭାବନ୍ତି । ନ୍ୟାୟ ନିଶାପ ପଡେ଼ । ଯେତେବେଳେ କଜିଆ ଗୋଳ ହୋଇଥାଏପରି ବାବୁମାଷ୍ଟର ଓ ଅନ୍ୟାନ୍ୟ ଲୋକେ ନିଶାପ କରି କଥାଟା ତୁଟାଇଦିଅନ୍ତି । କେହି ମକଦ୍ଦମା କଥା ପକାଇଲେ ପରି ବାବୁ କହନ୍ତି, “କାହିଁକି ମକଦ୍ଦମାକୁ ଯିବଏଣେ ଘରେ ଖାଇବାକୁ ପାଉନା । ଗୋଟାଏ ଆନର ରିହରେ ଘର ବନ୍ଧା ଦେଇ ପଇସା ନେଇ ଥୋଇବ ପର ଘରେ ଏଠି ସୁନ୍ଦର ନ୍ୟାୟ ହୋଇ ପାରିବ । ଆଉ ଦୂରକୁ କାହିଁକି ଯିବ ?” ପରି ବାବୁ ଧିରେ ଧିରେ ଗ୍ରାମ ସଙ୍ଗଠନ ଆରମ୍ଭ କଲେ 

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

No comments:

Post a Comment