Friday, June 02, 2017

" ପରମସୁଖ ମନ୍ତ୍ରଣାଳୟ "


ଜ୍ୟୋତି ନନ୍ଦ


ଅରୁନ୍ଧତୀ ରାୟ (୧୯୬୧- ବର୍ତ୍ତମାନ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


'ଯେଉଁମାନେ ସାନ୍ତ୍ୱନାହୀନ,ସେମାନଙ୍କୁ।'

ଏହା ହେଉଛି ଉପନ୍ୟାସଟିର ଉତ୍ସର୍ଗ ପତ୍ର । ଉତ୍ସର୍ଗ ପୃଷ୍ଠାର ପରବର୍ତ୍ତୀ ପୃଷ୍ଠାରେ ଗୋଟିଏ ଉଦ୍ଧୃତି ରହିଛି । ଉଦ୍ଧୃତିଟି କବି ନାଜିମ୍ ହିକମତ୍ ଙ୍କର । ଉଦ୍ଧୃତିଟି ଏଇଭଳି : 'ମୁଁ ଭାବୁଛି ଏ ସମସ୍ତ ତମର ହୃଦୟର କଥା.....।'

ଉପନ୍ୟାସଟି ଦେଖିନାହିଁ । ଲେଖିକାଙ୍କ ସବୁ ଲେଖା ଭଳି ଏଇଟିକୁ ପଢିବାର ଆଗ୍ରହ ରହିଛି ।

ଦୀର୍ଘ କୋଡିଏ ବର୍ଷ ପରେ "କ୍ଷୁଦ୍ର ପଦାର୍ଥର ଦେବତା" (ଦି ଗଡ଼ ଅଫ୍ ସ୍ମଲ୍ ଥିଙ୍ଗସ୍) ବୋଲି ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିବା ନିଜର ଉପନ୍ୟାସ ପରେ ଏଇଟି ଅରୁନ୍ଧତୀ ରାୟଙ୍କ ଦ୍ୱିତୀୟ ଉପନ୍ୟାସ । ଉପନ୍ୟାସଟି ଇଂରେଜୀରେ । ନାଆଁ ହେଉଛି, 'ଦି ମିନିଷ୍ଟ୍ରି ଅଫ ଅଟମୋଷ୍ଚ ହାପିନେସ୍', ଯାହାର ଓଡିଆ ଅନୁବାଦଟି 'ପରମସୁଖ ମନ୍ତ୍ରଣାଳୟ' ବୋଲି କରାଯାଇଛି । ଏଇ ଦୁଇଟି ଉପନ୍ୟାସର ମଧ୍ୟବର୍ତ୍ତୀକାଳୀନ ସମୟ ଅରୁନ୍ଧତୀଙ୍କୁ ଜଣେ ସମାଜମନସ୍କ ସ୍ପଷ୍ଟବାଦିନୀ ଚିନ୍ତକ ହିସାବରେ ଅଧିକ ପରିଚିତ କରାଇଛି ଭାରତବର୍ଷରେ ।ସେ ଆବଶ୍ୟକତା ଠାରୁ ଅଧିକ ବିତର୍କିତ ହୋଇଛନ୍ତି ତାଙ୍କର ଯୁକ୍ତିସଙ୍ଗତ ଓ ପ୍ରାସଙ୍ଗିକ ବିଚାରବୋଧ ଯୋଗୁଁ, ଯାହା ଅଧିକାଂଶଙ୍କର ବିଶ୍ୱାସର ମୂଳଦୁଆକୁ ଦୋହଲାଇ ଦେବାର କ୍ଷମତା ରଖେ ।

ଆଜି ତାଙ୍କର ଦ୍ୱିତୀୟ ଉପନ୍ୟାସର ପ୍ରକାଶନକୁ ନେଇ କିଛି କଥା, ବିଚାରବୋଧକୁ ନେଇ କୌଣସି ଉତ୍ତେଜନାର ପରିବେଶ ନିର୍ମାଣ କରିବାର ଉଦ୍ଦେଶ୍ୟ ଉପସ୍ଥିତ ଲେଖକର ନାହିଁ ।

"କଥା ସାହିତ୍ୟ ତାହାର ନିଜସ୍ୱ ଗତିରେ ଆପଣା ସମୟରେ ଆତ୍ମପ୍ରକାଶ କରିଥାଏ" ବୋଲି ଗତ ସତେଇଶ ମେ ଶନିବାର ଦିନ "ଦି ଗାର୍ଡିଆନ୍" ପତ୍ରିକାକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଶ୍ରୀମତୀ ଅରୁନ୍ଧତୀ ରାୟ ।

ଡେକା ଏଟକିନହେଡ୍ ଙ୍କୁ ଦେଇଥିବା ସେଇ ସାକ୍ଷାତକାର ର କିଛି ଅଂଶ ଆମମାନଙ୍କର ପାଇଁ ନିମ୍ନରେ:

କୋଡିଏ ବର୍ଷ ପରେ ଏଇ ପ୍ରଥମ ଅରୁନ୍ଧତୀ ରାୟ ଗୋଟିଏ ନୂଆ ଉପନ୍ୟାସର କାମ ଶେଷ କଲେ । କାମ ଶେଷକରି ସାରିଲା ପରେ ନିଜର ପ୍ରକାଶନ ଏଜେଣ୍ଟ ଙ୍କୁ କହିଲେ, ପାଣ୍ଡୁଲିପିଟିକୁ ଏମିତିରେ ନିଲାମ ଡାକି ଦରଦାମ କରିବା ଭାରି ଅଶ୍ଳୀଳ, ବୁଝୁଛ ତ" । ପୁଣି କହିଲେ, ଆଗ୍ରହୀ ପ୍ରକାଶକମାନେ ଯେମିତି ତାଙ୍କୁ ଚିଠି ଲେଖନ୍ତି । ସେଇ ଚିଠିରେ ସେମାନେ ପାଣ୍ଡୁଲିପିଟି ପଢି ଗପଟିକୁ କେମିତି ଭାବେ ବୁଝିଛନ୍ତି ସେହି କଥା ଲେଖିବା ଦରକାର ।

କିଛି ଦିନ ପରେ ସେଇ ସବୁ ଆଗ୍ରହୀ ପ୍ରକାଶକମାନଙ୍କୁ ନେଇ ସେ ସଭାଟିଏ ଡାକିଲେ । ସଭା ପରେ ଏଜେଣ୍ଟ ଜଣକ ଖୁବ୍ ଶୀଘ୍ର ପ୍ରକାଶକ ବାଛିବା କାମଟିକୁ ସାରି ଦେବା ଉଚିତ ହେବ ବୋଲି ଭାବି ଅରୁନ୍ଧତୀଙ୍କ କହିଲେ, ଏମାନେ କ'ଣ ଗପଟିକୁ ବୁଝିଛନ୍ତି ଜାଣିଲ ତ ! ଏମାନଙ୍କର ସହ ଦେଖା ବି ହୋଇଗଲା । ଏବେ ଠିକ୍ କର, କିଏ ?

ନା, ନା ଏବେ ନୁହଁ, ଅରୁନ୍ଧତୀ ଉତ୍ତର ଦେଲେ । ମୋତେ ପରାମର୍ଶ କରିବାକୁ ପଡିବ ।

ଏଜେଣ୍ଟ ଜଣକ ସାମାନ୍ୟ ଅପ୍ରସ୍ତୁତ ହୋଇ କହିଲେ, ମୋ ଠାରୁ ପରାମର୍ଶ ନେବ ତ ? ଏଇ କଥା ?

ନା, ମୋର ଲୋକମାନଙ୍କଠୁ ପରାମର୍ଶ ନେବାକୁ ପଡିବ, ବୁଝିଲ, ମୋ ବହି ଭିତରେ ଯେଉଁ ସବୁ ଲୋକ ଅଛନ୍ତି, ସେଇ ମାନଙ୍କର ।

ଲେଖିକା ଆଉ ଏଜେଣ୍ଟ ଏକାଠି କିଛି ସମୟ ଚୁପ ରହିଲେ । ସେଇ ସମୟରେ ଅରୁନ୍ଧତୀ ତାଙ୍କ ଉପନ୍ୟାସର ଚରିତ୍ର ମାନଙ୍କ ସହିତ କଥା ହେଉଥିଲେ, ପ୍ରକାଶକ ହିସାବରେ କିଏ ସେମାନଙ୍କର ପ୍ରଥମ ପସନ୍ଦ । ଗଳ୍ପର ଚରିତ୍ରମାନେ ଶେଷରେ ବାଛିଲେ ନିଜର ପ୍ରକାଶକ ।ସେଇ ବ୍ୟକ୍ତି ଯେ ଅନ୍ୟ ପ୍ରକାଶକ ମାନଙ୍କ ତୁଳନାରେ ଅଧା ପଇସା ଦେବ ବୋଲି ମନେ ପକାଇ ଦେଲେ ଏଜେଣ୍ଟ ଜଣକ । ଅରୁନ୍ଧତୀ ନିର୍ବିକାର । ମୋର ଚରିତ୍ର ମାନଙ୍କର ସିଏ ହିଁ ପସନ୍ଦ ।

ମୋତେ ଏଇ ଗପଟି କହି ସାରିଲା ପରେ ମୋ ଚେହେରାର ବିସ୍ମୟ ଦେଖି ଅରୁନ୍ଧତୀ ହସି ପକାଇଥିଲେ । ସମସ୍ତେ ଭାବନ୍ତି ମୁଁ ଏକା ଥାଏ, ତାହା କିନ୍ତୁ ଠିକ୍ ନୁହଁ । ମୋର ଚରିତ୍ରମାନେ ସମସ୍ତେ ମୋ ସହିତ ରହିଥାନ୍ତି ।

ସମସ୍ତେ ତାଙ୍କ ସହ?

ହଁ, ଠିକ୍ କବାଟ ବନ୍ଦ କରିବା ପରେ ହୁଏତ ପଚାରିବେ, ଆରେ ଏଇ ଯେଉଁ ଲୋକଟି ଏବେ ଗଲା ତାହା ବିଷୟରେ ତୁମର ଧାରଣା କ'ଣ ? ଲୋକଟା ଦେଖିବାକୁ ଟିକିଏ ନିର୍ବୋଧ, ନୁହଁ ?

ଏଇ ସାକ୍ଷାତକାର ଶେଷରେ ମୁଁ ଗଲାପରେ ଏଇମିତି କିଛି ଘଟିବ କି ବୋଲି ପଚାରିବାରୁ ଅରୁନ୍ଧତୀ ଟିକିଏ ଅବାକ ହୋଇ କହିଥିଲେ, ଅବଶ୍ୟ ।

ଗତ କୋଡିଏ ବର୍ଷରେ ଅରୁନ୍ଧତୀଙ୍କ ଲେଖାଲେଖିକୁ ନେଇ ତାଙ୍କର ଗୁଣଗ୍ରାହୀମାନଙ୍କ ମଧ୍ୟରୁ ଅନେକେ ଗୋଲକଧନ୍ଦାରେ ପଡିଛନ୍ତି । ସେ ଜଣେ ପ୍ରକୃତ ସାହିତ୍ୟିକ ନା ତାଙ୍କର ପ୍ରଥମ ଉପନ୍ୟାସ ଗୋଟିଏ ଆକସ୍ମିକ ଘଟଣା ? ତାଙ୍କର "କ୍ଷୁଦ୍ର ପଦାର୍ଥର ଦେବତା" ଯେତେବେଳେ ପ୍ରକାଶିତ ହୁଏ, ସେତେବେଳେ ଚାରିଆଡେ ତୁମୁଳ ଆଲୋଡନ ।  ଅରୁନ୍ଧତୀଙ୍କ ବୟସ ସେତେବେଳେ ମାତ୍ର ପଇଁତିରଶ । ପ୍ରାୟ ଆତ୍ମଜୀବନୀ-ମୂଳକ ସେଇ କାହାଣୀଟି ଏକ କ୍ଷୟିଷ୍ଣୁ ଭାରତୀୟ ପରିବାରର ନାନା ବେଦନାମୟ ସଙ୍କଟ ଆଉ ଅପବାଦର କଥା, ଯାହା ବିଖ୍ୟାତ ବୁକର୍ ପୁରସ୍କାରରେ ସମ୍ମାନିତ ହୋଇଥିଲା । ବୟାଳିଶଟି ଭାଷାରେ ଏହାର ଅଶୀ ଲକ୍ଷ ବହିଟି ପ୍ରତି ଏ ଯାଏଁ ବିକ୍ରି ହୋଇ ସାରିଛି । ଜଣେ ଅଖ୍ୟାତ ଚିତ୍ରନାଟ୍ୟକାର ରାତାରାତି ହୋଇଯାଆନ୍ତି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ, ଆଉ ଅନେକେ ମନେ କରନ୍ତି ସେ ତାହାର ପ୍ରଜନ୍ମର ସାହିତ୍ୟର କଣ୍ଠ ସ୍ୱର ଯେମିତି ଏବେ ।

ତାହା ପରେ ଗତ କୋଡିଏ ବର୍ଷ ହେଲା ଅରୁନ୍ଧତୀ ବହୁ ନିବନ୍ଧ ଲେଖିଛନ୍ତି, ଅନେକ ବିଷୟରେ ଆଲୋଚନାମୂଳକ ପୁସ୍ତକ ରଚନା କରିଛନ୍ତି, ପ୍ରାମାଣିକ ଛବି ବି କରିଛନ୍ତି । ପ୍ରତିବାଦ କରିଛନ୍ତି ଦୁର୍ନୀତି ବିରୁଦ୍ଧରେ । ହିନ୍ଦୁ ଜାତୀୟତାବାଦ, ପରିବେଶ ବିନଷ୍ଟକରଣ, ଆମ ସମାଜର ତୀବ୍ର ବୈଷମ୍ୟ ବିରୁଦ୍ଧରେ ସେ ପ୍ରତିବାଦରେ ମୁଖର । କାଶ୍ମୀରର ସ୍ୱାଧିନତା, ମାଓବାଦୀ ବିଦ୍ରୋହ ଓ ଆଦିବାସୀମାନଙ୍କ ଜମିର ଅଧିକାର ସପକ୍ଷରେ ଆନ୍ଦୋଳନ କରିଛନ୍ତି । ମାର୍କିନ ସାପ୍ତାହିକ 'ଦି ଟାଇମ୍ସ୍' ପତ୍ରିକାର ବିଶ୍ୱର ଶହେ ଜଣ ଶୀର୍ଷ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ତାଙ୍କର ନାଆଁ ଅନ୍ତର୍ଭୁକ୍ତ ହୋଇଛି ।

ତାଙ୍କର ରାଜନୈତିକ ସମର୍ଥକମାନଙ୍କ ଦୃଷ୍ଟିରେ ସେ ସତ୍ ପ୍ରତିରୋଧ ସପକ୍ଷରେ ଏକ ଦୃଢ ବାମପନ୍ଥୀ କଣ୍ଠ ସ୍ୱର । ନିନ୍ଦୁକମାନଙ୍କ ଆଖିରେ ସେ ଅପରିଣତ ଆଦର୍ଶବାଦର ଚୂଡାନ୍ତ ଉଦାହାରଣ । ତାହାର ଚିନ୍ତା ଅବାସ୍ତବ । ସେ ସର୍ବଦା ନିଜକୁ ନେଇ ବଡ ବ୍ୟସ୍ତ ରହନ୍ତି ।ଅଦାଲତ ଅବମାନନା ଓ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଛନ୍ତି, ଜେଲ୍ ଯାଇଛନ୍ତି । ଗଲା ବର୍ଷ କିଛି ସମୟ ପାଇଁ ପ୍ରାଣଭୟରେ ଭାରତ ଛାଡି ସେ ପଳାୟନ କରିଥିଲେ । ଏଇ ବହି ପ୍ରକାଶିତ ହେବା ଆଗରୁ ସେ ଧାଡିଟିଏ ଗପ କି ଉପନ୍ୟାସ ଲେଖି ନାହାଁନ୍ତି ।

୨୦୧୧ ମସିହାରେ ସେ ଇଙ୍ଗିତରେ କହିଥିଲେ ଯେ ଦ୍ୱିତୀୟ ଉପନ୍ୟାସର କାମ ଚାଲିଛି । ତାହା ପରେ ବର୍ଷ ପରେ ବର୍ଷ ବିତିଗଲା । ଉପନ୍ୟାସ ର ଚିହ୍ନବର୍ଣ୍ଣ ନାହିଁ । କାହା କାହା ପକ୍ଷରେ ଅରୁନ୍ଧତୀଙ୍କୁ ସାହିତ୍ୟିକ ହିସାବରେ ବିବେଚନା କରିବା କଠିନ ହୋଇ ଉଠୁଥିଲା । "କ୍ଷୁଦ୍ର ପଦାର୍ଥର ଦେବତା" ଉପନ୍ୟାସର ଭାଷା ବାଙମୟ, ସୂକ୍ଷ୍ମ, ଇଙ୍ଗିତଧର୍ମୀ । କିନ୍ତୁ ଅରୁନ୍ଧତୀଙ୍କ ପ୍ରବନ୍ଧ ଆଉ ରାଜନୈତିକ ଆନ୍ଦୋଳନକୁ ନେଇ ଅଭିଯୋଗ ଉଠିଲା ଯେ, ଅରୁନ୍ଧତୀଙ୍କ ଭାଷା ତୀକ୍ଷ୍ଣ ଓ ଅତିସରଳୀକରଣ ଆଦି ଦୋଷରେ ଅଭିଯୁକ୍ତ ।

ଲଣ୍ଡନର ଗୋଟିଏ ହୋଟେଲରେ ଅରୁନ୍ଧତୀଙ୍କ ସଦ୍ୟତମ ଉପନ୍ୟାସ 'ଦି ମିନିଷ୍ଟ୍ରି ଅଫ ଅଟମୋଷ୍ଚ ହାପିନେସ୍' (ପରମସୁଖ ମନ୍ତ୍ରଣାଳୟ)କୁ ନେଇ ଯେତେବେଳେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଆସିଲି, ସେତେବେଳେ ମୁଁ ନିଶ୍ଚିତ ନଥିଲି ଯେ ଅରୁନ୍ଧତୀଙ୍କ କେଉଁ କଣ୍ଠ ସ୍ୱର ମୁଁ ଶୁଣିବାକୁ ପାଇବି।

ଅରୁନ୍ଧତୀ ଯେତେବେଳେ ଆସିଲେ, ଦେଖିଲି ସେ ଜିନ୍ସ୍ ଉପରେ ନିଜ ଉର୍ଦ୍ଧାଙ୍ଗକୁ ପ୍ରାୟ ଶାଢି ଭଳି ହାଲକା ଗୋଲାପୀ ରଙ୍ଗର ଏକ ଲିନେନ୍ ପୋଷାକରେ ଆଚ୍ଛାଦିତ କରିଛନ୍ତି । ପାଦରେ ସାଣ୍ଡାଲ୍, ମୁହଁ ଖୋଲା । ନଖରେ ଲାଲ୍ ଟକଟକ ନଖପାଲିସି । ଚାଲିବାରେ ସୌକୁମାର୍ଯ୍ୟର ଚମକ, ଖୁବ୍ ଆସ୍ତେ କଥା । ବୟସ ଏବେ ପଞ୍ଚାବନ, ତଥାପି ଚାଲିଚଳଣରେ କୌଣସି କିଶୋରୀର ନିଷ୍ପାପ ସରଳତାର ଛାପ ରହିଛି ଏ ଯାଏଁ । ହସରେ ଅନୁଚ୍ଚାରିତ ଦୁଷ୍ଟାମୀର ଝଲକ । ମନେ ହୁଏ ନିଜର ରାଜନୈତିକ ଅବସ୍ଥାନଟି ଯେ ଗୋଟିଏ ସମାଜରେ ବିଶେଷ ଆଲୋଡନ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି, ସେଇ କଥାକୁ ନେଇ ସେ କିଛି ପରିମାଣରେ ଆତ୍ମତୃପ୍ତି ଅନୁଭବ କରନ୍ତି । କଥା କହିବାର ଭଙ୍ଗିଟି ଏଇଭଳି, ଯେମିତି ଅନେକ କଥା ଅକୁହା ରହିଯାଏ, ସେହିପରି । କଥାକୁ ଶେଷ କରନ୍ତି ସେ ଏକ ସୁନ୍ଦର ଅଙ୍ଗଭଙ୍ଗୀମାରେ, ବା ପରିହାସତରଳ ଅର୍ଥବୋଧକ ମୁଖଭଙ୍ଗିରେ ।

ସେ କ'ଣ ସାହିତ୍ୟିକ ? ଅରୁନ୍ଧତୀଙ୍କ ଉତ୍ତର:କଥାସାହିତ୍ୟର ଉପରେ କିଛି ନାହିଁ । ମୁଁ ମୂଳତଃ କଥାସାହିତ୍ୟିକ । ମୁଁ ଗପ କହେ ।ପୃଥିବୀକୁ ବୁଝିବାକୁ, ଠିକ୍ କେଉଁ ଖେଳ ଏଇଠେ ଚାଲିଛି, ତାହା ବୁଝିବା ପାଇଁ ଏଇ ଗୋଟିଏ ମୋର ବାଟ ।

ଦ୍ୱିତୀୟ ଉପନ୍ୟାସ ଆରମ୍ଭ କରିଥିଲେ ସେ ସମ୍ଭବତଃ ଦଶ ବର୍ଷ ଆଗରୁ । ଅନ୍ତତଃ ତାହା ତାଙ୍କର ଧାରଣା, ତେବେ ସେ ନିଶ୍ଚିତ ନୁହଁନ୍ତି ।("ବିଷୟଟି ଏତେ ଜଟିଳ,ମୋର ମନେ ନାହିଁ") କେତେ ଦିନ ଲାଗିଛି, ସେଇ ବିଷୟରେ ଭାବିବାକୁ ସେ ନାରାଜ । ସାମାନ୍ୟ ହସିଦେଇ କହିଲେ, ତାହାର ପ୍ରକାଶନ ଏଜେଣ୍ଟ ତାଙ୍କୁ ବେଶ୍ ଭଲ କରି ଚିହ୍ନେ । ତେଣୁ ମଝିରେ ମଝିରେ ମନେ ପକାଇବା ଆଳରେ ବାଧ୍ୟ କରିବା ଭଳି କହି ସମୟର ଅପଚୟ ସେ କରିନାହିଁ । ତାଙ୍କର ନିବନ୍ଧ ସବୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଲେଖା ହୋଇଛି, ସମୟର ପ୍ରୟୋଜନରେ, ସେନା ଅଭିଯାନ, ଅଦାଲତର ରାୟ ଇତ୍ୟାଦିର ପ୍ରତିକ୍ରିୟାରେ । କିନ୍ତୁ ଗଳ୍ପ-ଉପନ୍ୟାସ ଲେଖା "ତାହାର ନିଜର ସମୟାନୁଯାୟୀ ଘଟିଥାଏ । ଏଥିରେ କୌଣସି ବାଧ୍ୟବାଧକତାର ଅବକାଶ ନାହିଁ । ମୁଁ ଚାହିଁଲେ ବି ଆହୁରି ଶୀଘ୍ର କି ଆହୁରି ଆସ୍ତେ ଲେଖିପାରିବି ନାହିଁ । ଇଏ ଯେମିତି ସେଇ କେଉଁ କାଳର ପଥର, ଦୀର୍ଘ କାଳ ଧରି ଏହାର ସ୍ତର ପରେ ସ୍ତର ଜମାଟ ବାନ୍ଧି ଚାଲିଛି । ଗପ ଆଉ ପ୍ରବନ୍ଧ ଭିତରେ ପାର୍ଥକ୍ୟ ହେଉଛି ଜରୁରୀ ଆବଶ୍ୟକତା ଆଉ ଅନନ୍ତକାଳ ଭିତରେ ଫରକ କହିଲେ ଯାହା ସେତିକି ।"

'ଦ ଗଡ଼୍ ଅପ୍ ସ୍ମଲ୍ ଥିଙ୍ଗସ୍' ର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅରୁନ୍ଧତୀ ଏତିକି ଜାଣିଥିଲେ ଯେ "କ୍ଷୁଦ୍ର ପଦାର୍ଥର ଦେବତା" ର ଦ୍ୱିତୀୟ ଭାଗ ଲେଖିବାର କାମନା ତାଙ୍କର ନଥିଲା ।

ତଥାପି କିଛି ସାମଞ୍ଜସ୍ୟ ରହିଛି । ତାଙ୍କର ପ୍ରଥମ ଉପନ୍ୟାସର ଅନୁପ୍ରେରଣା ପରିବାରର ପିଲାଦିନର କାହାଣୀରୁ ଥିଲା । ଆଉ ତାଙ୍କର ଦ୍ୱିତୀୟ ଉପନ୍ୟାସ ବି ଭିନ୍ନ ଅର୍ଥ ରେ ଆତ୍ମଜୀବନୀମୂଳକ । ଏଥର ସେ ନିଜର ପ୍ରାପ୍ତବୟସ୍କ ଜୀବନର ସ୍ୱଭାବ ଆଉ ମାନସିକତାକୁ ଧରି ରଖିବାର ଚେଷ୍ଟା କରିଛନ୍ତି । "ଏଇ ଯେମିତି ମୁଁ ଏଇଠେ ସେଇଠେ ଘୁରି ବୁଲୁଛି, ଦିଲ୍ଲୀରେ ଯେମିତି କରେ, ମସଜିଦ୍ ବା ଅଦ୍ଭୁତ ସବୁ ଜାଗାରେ, ମୁଁ ସାରାଟି ଜୀବନ ଯାହା କରିଛି, ସେଇ ସବୁ କଥାକୁ ନେଇ ଲେଖିବାକୁ ଚାହିଁଛି । ଏଇ ସବୁ ପାଗଳ ଦଳ, ଏତେ ଭଲ ମଣିଷ, ସେମାନଙ୍କର କଥା ଭାବିଲେ ଆନନ୍ଦ ଆସେ । ଖୁବ୍ ଦୁଃଖର ଜାଗାରେ ବି ଟିକିଏ ସୁଖ ମିଳେ । ଏମିତି ଏତେ, ଯେ ଭାବି ବି ହେବନି, ସବୁ" । ସାମାଜିକ ଦୃଷ୍ଟିରେ ନ୍ୟୁନତମ ଲୋକଟିର ବିଷୟରେ ଅରୁନ୍ଧତୀଙ୍କ ସବୁ ସମୟରେ ଆଗ୍ରହ । ସେ ତାହାର ସାହଚର୍ଯ୍ୟ ଚାହାଁନ୍ତି। "ମୁଁ କାହାକୁ ଏଡାଇ ଦେଇ ବାଟ ଭାଙ୍ଗି ଯିବାକୁ ଚାହେଁ ନାହିଁ । ମୁଁ ଚାହେଁ ତା ସହିତ ଆଡ୍ଡା ଦେବାକୁ । ଗୋଟିଏ ସିଗାରେଟ୍ ଲଗାଇ ତା'କୁ ପଚାରିବାକୁ, କ'ଣ ଭାଇ, କେମିତି ଚାଲିଛି ? ମୋର ମନେହୁଏ ଏଇ ସବୁ କଥାକୁ ନେଇ ତ ମୋର ବହି" ।

"ପରମସୁଖ ମନ୍ତ୍ରଣାଳୟ" ଅସଲରେ ଠିକ୍ ସେମିତି । ଗୋଟିଏ କିନ୍ନର ନାରୀକୁ ନେଇ ସୁବିସ୍ତୃତ, ବର୍ଣ୍ଣାଢ୍ୟ ଏକ କାହାଣୀ । ଏଇ ନାରୀଟି ଖୁବ୍ ଛୋଟ ବେଳେ ଘର ଛାଡି ଚାଲି ଆସେ ପୁରୁଣାଦିଲ୍ଲୀର ଏକ ଜରାଜୀର୍ଣ୍ଣ ପରିବେଶରେ ଥିବା ଗୋଟିଏ କିନ୍ନର ଗୋଷ୍ଠୀର ସହିତ ବସବାସ କରିବା ଉଦ୍ଦେଶ୍ୟରେ । ଏଇ ବିଶେଷ ଗୋଷ୍ଠୀର ସଦସ୍ୟମାନଙ୍କର ଯେମିତି ନାୟିକାସୁଲଭ ଠାଣି ଓ ଦର୍ପ ରହିଛି, ସେମିତି ଏମାନେ ଖୁବ୍ ବନ୍ଧୁବତ୍ସଳ ବି । ଏମାନେ ଖୁବ୍ ତେଜିଆନ୍ ଅଥଚ ଖୁବ୍ ବିପନ୍ନ । ଏମାନେ ଗୋଟିଏ ଦୃଷ୍ଟିରୁ ସମାଜରୁ ବାସନ୍ଦ ଆଉ ଅନ୍ୟ ଗୋଟିଏ ପଟେ ସେମାନଙ୍କ ପ୍ରତି ମଣିଷର ଏକ ପ୍ରକାରର ନିଷିଦ୍ଧ କୌତୁହଳର ଜୌଲୁସ । 

କିନ୍ତୁ ୪୬ ବର୍ଷୀୟା ଆଞ୍ଜୁମ୍ ଗୁଜୁରାଟ୍ ର ନରମେଧ ଯଜ୍ଞରେ ଜଡିତ ହୋଇଯାଏ । ସେଠାରେ ସେ ଠିକ୍ କରେ ଯେ ସେ ଆଉ କିନ୍ନର ସମାଜରେ ରହିବ ନାହିଁ, ବୃହତ୍ତର ସମାଜକୁ ସେ ପୁଣି ଫେରି ଆସିବ । ଆଞ୍ଜୁମ୍ ର ଅନ୍ତର କ୍ଷତବିକ୍ଷତ । କିନ୍ତୁ ଲକ୍ଷ୍ୟ ସ୍ଥିର । ଗୋଟିଏ କବରଖାନାରେ ସେ ଘର ତିଆରି କରେ । ଆସ୍ତେ ଆସ୍ତେ ଗୋଟିକ ପରେ ଗୋଟିଏ ଭଡାଘର ସେ ତିଆରି କରି ଚାଲେ କବର ଗୁଡିକର ପାଖାପାଖି ହେବାଯାଏଁ । ଅବଶେଷରେ ତାହାର ଜନ୍ନତ ଗେଷ୍ଟ ହାଉସ୍ ହୋଇ ଉଠେ ବିଭିନ୍ନ ବ୍ରାତ୍ୟ ମଣିଷମାନଙ୍କର ଏକ ଉଦ୍ଭଟ ସମାହାର; ଅଚ୍ଛବ, ଧର୍ମାନ୍ତରୀତ ମୁସଲମାନ୍, କିନ୍ନର, ମାତାଲି, ଏପରିକି ଜୟନାବ ବୋଲି ପିଲାଟିଏ ସେଇଠେ ପହଞ୍ଚି ଯାଆନ୍ତି । ଆଞ୍ଜୁମ୍ ନିଜେ ସେଇ ପିଲାଟିକୁ ପାଳିବା ଦାୟିତ୍ୱ ନିଏ ।

ଏଇ କାହାଣୀର ପାଖାପାଖି ସମାନ୍ତରାଳ ଭାବରେ ଆଉ ଗୋଟିଏ ସୁବିସ୍ତୃତ କାହାଣୀ ରହିଛି । ତାହାର ଘଟଣାସ୍ଥଳ ଓ ବିଷୟ କାଶ୍ମୀର ।ମୋ ବିଚାରରେ କାଶ୍ମୀରର କାହାଣୀ ଗୋଟିଏ ଅଲଗା ଉପନ୍ୟାସ ହୋଇଥିଲେ ଭଲ ହୋଇଥାନ୍ତା । କିନ୍ତୁ ଅରୁନ୍ଧତୀଙ୍କ ମତ ହେଉଛି, ଦୁଇଟି କାହାଣୀ ପରସ୍ପର ସହ ଓତଃପ୍ରୋତ ଭାବରେ ଜଡିତ । "ବହିଟି ତ ସମାଜର ବିଭିନ୍ନ ସୀମାନ୍ତକୁ ନେଇ । ଭୌଗୋଳିକ ଭାବେ କାଶ୍ମୀର ଅନେକ ସୀମାନ୍ତରେ କ୍ଷତବିକ୍ଷତ, ତାହା ଛଡା ବହିଟିର ପ୍ରତ୍ୟେକ ଚରିତ୍ରର ନିଜ ନିଜ ଭିତରେ ଗୋଟିଏ ସୀମାନ୍ତ ରହିଛି । ଏଇ ସୀମାଗୁଡିକୁ ଆପଣ କେମିତି ବୁଝିବେ, ସେଗୁଡ଼ିକୁ ଉପଲବ୍ଧି କରିବେ, ସେଇ କଥାକୁ ନେଇ ଏଇ ବହିଟି । ସବୁ ବୁଝି ସାରିବା ପରେ ଆପଣ ଯେମିତି ସମସ୍ତଙ୍କୁ ହାତ ବଢାଇ କହନ୍ତୁ, ଜନ୍ନତ ଗେଷ୍ଟ-ହାଉସ୍ କୁ ସ୍ୱାଗତଂ । ବୁଝିଲେ ତ ମୋ କଥା ? ସମସ୍ତଙ୍କୁ ସ୍ୱାଗତ" ।

"ଜାତିଭେଦର ଉଦ୍ଦେଶ୍ୟ ହେଉଛି ମଣିଷ ମଣିଷ ଭିତରେ ଏମିତି ଭେଦାଭେଦ ସୃଷ୍ଟି କରିବା, ଯାହା ଦ୍ୱାରା ମଣିଷମାନଙ୍କର ଭିତରେ ଆଉ କୌଣସି ପ୍ରକାରେ ଐକ୍ୟବଦ୍ଧ ହୋଇ ରହିବାର ବାଟ ରହିବ ନାହିଁ । କାରଣ ନିମ୍ନ ଜାତି ଭିତରେ ବି ଗୋତ୍ର ଅଛି, ଭାଗ ଅଛି । ସମସ୍ତେ ଏଇ ଆଧିପତ୍ୟର କ୍ରମ ଅନୁସାରେ ଗଠିତ, ପରସ୍ପର ବିଛିନ୍ନ ଗଣ୍ଡିବଦ୍ଧ ସମାଜର ରକ୍ଷାରେ ନିୟୋଜିତ । ଏହା ହେଉଛି ଶ୍ରେଣୀ, ଜାତି ଗୋଷ୍ଠୀ ଓ ଧର୍ମ ଅନୁଯାୟୀ ତିଆରି ବର୍ଗକ୍ଷେତ୍ରର ରାଜନୀତି । ସେଇ ବର୍ଗକ୍ଷେତ୍ରକୁ ଆହୁରି ସୂକ୍ଷ୍ମ ଭାବରେ ଭାଗ କରି ସମଗ୍ର ପୃଥିବୀକୁ ଆବୋରି ନେବା ହିଁ ଏହାର ଅପରିହାର୍ଯ୍ୟ ଅଂଶ । ମଣିଷକୁ ଏମିତି କହି ବଶୀଭୂତ କରାଯିବ, ତୁମେ ମୁସଲମାନ, ତୁମେ ହିନ୍ଦୁ, ତୁମେ ଶିଆ, ତୁମେ ସୁନ୍ନି, ତୁମେ ବ୍ରାହ୍ମଣ; ତୁମେ ସାରସ୍ୱତ ବ୍ରାହ୍ମଣ, ତୁମେ ଦଳିତ, ତୁମେ ସମକାମୀ, ତୁମେ ଲିଙ୍ଗତ୍ୟାଗୀ; ତେଣୁ ତୁମେ କେବଳ ନିଜ ପକ୍ଷର କଥା କହିପାର, କାହାର ସହିତ କିନ୍ତୁ ଐକ୍ୟବଦ୍ଧ ହେବାର ବାଟ ନାହିଁ । ଅର୍ଥାତ ମଣିଷ ଯାହାକୁ ମୁକ୍ତି ଭାବୁଛି ତାହା ବାସ୍ତବରେ ଦାସତ୍ୱ" ।

"ଆଞ୍ଜୁମ୍ ର ଯେଉଁ କଥାଟି ମୋତେ ବେଶି ଭଲ ଲାଗେ ତାହା ହେଉଛି ସେ ଯେତେବେଳେ (ଗୁଜୁରାଟର ନରମେଧ ଯଜ୍ଞ ଫଳରେ) ବିପଦରେ ପଡିଥିଲା, ସେତେବେଳେ ସେ ରକ୍ଷା ପାଇଯାଇଥିଲା କେବଳ ଜଣେ କିନ୍ନର ବୋଲି । ଯେଉଁ ପରିଚୟ କାରଣରୁ ସେ ସମାଜଚ୍ୟୁତ ହୋଇଛି, ତାହାରି ଯୋଗୁ ସେ ବଞ୍ଚିଯାଇପାରେ । ଆଉ ତାହା ଦ୍ୱାରା ସେ ନିଜର ଆତ୍ମ ପରିଚୟର ବାହାରେ ଯେଉଁ ପୂଥିବୀଟି ରହିଛି, ତାହା ସହିତ ଏକାତ୍ମତା ଅନୁଭବ କରେ । ସେଠାରେ କ'ଣ ସବୁ ଘଟୁଛି, ତାହା ସେ ଉପଲବ୍ଧି କରିବାକୁ ଚାହେଁ । ସେ ଯେତେବେଳେ ଜୟନାବର ମାଆ ହୁଏ, ସେତେବେଳେ ଜୟନାବ ପାଇଁ ସେ ଏଇ ଜଗତଟିକୁ ବୁଝିବାକୁ ଚାହେଁ । ସେ ଆଉ ବର୍ଗକ୍ଷେତ୍ର ମାନେନା । ସେ ଏହା ଭିତରୁ ମୁକୁଳି ଆସେ । ମୋ ପାଇଁ ଏଇଟି ଖୁବ୍ ସୁଖର କଥା" ।

ଅରୁନ୍ଧତୀଙ୍କ ମୁହଁ ସ୍ୱର୍ଗୀୟ ହସରେ ଉଦ୍ଭାସିତ ହୋଇ ଉଠେ ।

ଅରୁନ୍ଧତୀ ରାୟଙ୍କର ହସ୍ତାକ୍ଷର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କହିବା ବାହୁଲ୍ୟ ଅରୁନ୍ଧତୀଙ୍କ ଏଇ "ପରମସୁଖ ମନ୍ତ୍ରଣାଳୟ" ଉପନ୍ୟାସରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଶ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଚରିତ୍ର ଆକାରରେ ଅଛନ୍ତି।

No comments:

Post a Comment