Monday, June 12, 2017

ସଭ୍ୟତାର ତିନି ଶକ୍ତି

କୋଇଲାଲୁହା ଓ ପେଟ୍ରୋଲିୟମ


ଗୋପୀନାଥ ମହାନ୍ତି 



ଡର୍ହାମ୍ କାଉଣ୍ଟିର ମର୍ଟନ୍ କୋଇଲା ଖଣିର ଚିତ୍ର (ବିଲାତ, ୧୮୪୩ ମସିହା)
ଚିତ୍ରକର ଜେମ୍ସ୍ ୱିଲସନ୍ କାର୍ମିକେଲ୍ (୧୮୦୦-୧୮୬୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆଜିକାଲିକା ପୃଥିବୀ ହେଉଛି କଳକାରଖାନାର ପୃଥିବୀ । ଚାଷବାସର ଦିନ ଚାଲିଯାଇଛି । ଯେଉଁଠି କଳକାରଖାନାସେଠି ବେଶୀ ମଣିଷସେଠି ବେଶୀ ଧନଦୌଲତ ।

କଳକାରଖାନା ପାଇଁ ଲୁହାକୋଇଲାପେଟ୍ରୋଲ ଓ ବିଜୂଳି ବଳ ଦରକାର । ଆଜିକାଲି ତ ଲୁହାର ଯୂଗପ୍ରତ୍ୟେକ ଦରକାରୀ ଜିନିଷ ଲୁହାରେ ତିଆରି । ଲୁହା ବିଷୟ ତୁମେମାନେ “କାଳିମାଟି କଥା”ରୁ ପଢ଼ିଥିବ ।

କଳକାରଖାନା ଚଳାଇବା ପାଇଁ “ଶକ୍ତି” ଦରକାର । ଫୁଟିଲା ପାଣି ବା ଫୁଟିଲା ପେଟ୍ରୋଲ ତେଲରୁ ଯେଉଁ ବାମ୍ଫ ବାହାରେ ତାର ଠେଲିବା ଶକ୍ତିରେ ସବୁ କଳ ଚାଲେ । ଏତେ ବଡ଼ ଯେଉଁ ରେଳଗାଡ଼ି ବିରାଟ ଅସୁର ପରି ମାଡ଼ି ଚାଲେତାର ଜୋର୍ ରହିଛି ଏହିପରି ଠେଲିବା ଶକ୍ତିରେ । ବିଜୁଳି ଶକ୍ତି ମଧ୍ୟ ନାନା କାର୍ଯ୍ୟ କରେ । ଠେଲିବାକଳ ଚଳାଇବାତତାଇବାଆଲୁଅ କରିବାସବୁ କାର୍ଯ୍ୟରେ ବିଜୁଳି ଶକ୍ତି ଲାଗୁଛି । କିନ୍ତୁ ଏ ବିଜୁଳି ଶକ୍ତି ଆପଣା ଆପେ ଆକାଶରୁ ଆସେ ନାହିଁ । ମଣିଷ ନିଜେ କାରଖାନା ବସାଇ ବିଜୁଳି ଶକ୍ତି ତିଆରି କରେ । 

ତେଣୁ ସେଠି ମଧ୍ୟ ବିନା ପେଟ୍ରୋଲ ଓ କୋଇଲାରେ ଯନ୍ତ୍ର ଚାଲିବା ସକାଶେ ତାତି ତିଆରି ହୋଇପାରିବ ନାହିଁ । 

ଅତଏବ ନିଦାନ ହେଉଛିକୋଇଲା ଓ ତେଲ । ତାକୁ ଜାଳିଲେ ଯେଉଁ ତାତି ବାହାରେତହିଁରେ ଆଜିକାଲିକାର ସବୁ ସଭ୍ୟତା ଗଢ଼ା ହେଉଛି । କୋଇଲା ଓ ପେଟ୍ରୋଲ ତେଲ ନ ଥିଲେ ରେଳମଟରଗାଡ଼ିଜାହାଜଉଡ଼ାଜାହାଜବିଜୁଳି କଳ ସବୁ ବନ୍ଦ ହୋଇଯାନ୍ତା । ଯେଉଁ ବଡ଼ ବଡ଼ ବ୍ୟବସାୟୀମାନେ ପୃଥିବୀର ବଡ଼ ବଡ଼ କୋଇଲାଖଣି ଓ ପେଟ୍ରୋଲ ତେଲର ଖଣି ଆବୋରି ବସିଛନ୍ତିସେମାନେ କରୋଡ଼ପତି । ସେମାନେ ଅତି ବଡ଼ ରାଜା ମହାରାଜାଙ୍କଠାରୁ ଅଧିକ ପରାକ୍ରମୀ । କାରଣ ଆଜିକାଲିକା ପୃଥିବୀରେ ଦୁଇଟା ବଡ଼ ବଡ଼ ରାଜା, - ଜଣେ କୋଇଲା ରାଜା,ଆର ଜଣକ ପେଟ୍ରୋଲିୟମ ରାଜା । 

ପୂର୍ବେ ପୃଥିବୀରେ ବଡ଼ ବଡ଼ ସନ୍ତସନ୍ତିଆ ଭୂଇଁ ଥିଲା । ସେଠି ଘନ ଜଙ୍ଗଲ ମଧ୍ୟ ଥିଲା । କାଳକ୍ରମେ ସେସବୁ ଭୂମିକମ୍ପ ଓ ଆଗ୍ନେୟଗିରିର ଦାଉରେ ପୋତି ହୋଇ ପଡ଼ିଛି । ଏପରି ପୋତି ହୋଇ ରହିବାର ହଜାର ହଜାର ବର୍ଷ ପରେ ପୃଥିବୀର ଭିତରର ତାତି ଓ ଉପରର ଓଜନରେ ମଲା ଗଛ ଓ ସେକାଳର ମଲା ଜନ୍ତୁ ସମସ୍ତେ କୋଇଲା ପାଲଟିଯାଇଛନ୍ତି । ସେ କାଳର ବିରାଟ ବିରାଟ ଜନ୍ତୁଯେଉଁମାନେ ଗୋଟାଏ ଲେଖାଏଁ ପାହାଡ଼ମୁଣ୍ଡିଆ ପରିସେମାନେ ସବୁ କୋଇଲା ପାଲଟି ଯାଇଛନ୍ତି । କୋଇଲା ଖଣିରୁ ପ୍ରାଗ୍ ଐତିହାସିକ ଯୁଗର ବିଚିତ୍ର ଜନ୍ତୁମାନଙ୍କର ସନ୍ଧାନ ମିଳେ ।

ଜଙ୍ଗଲ ସବୁ ମାଟି ଚପା ପଡ଼ି କୋଇଲା ପାଲଟିଯାଇଛି । ତାହା ଉପରେ କେତେ ଦାଉଦାପଟ ଚାଲିଗଲାଣି । ଯାହା ଥିଲା ପୃଥିବୀ ଉପରେ ଜଙ୍ଗଲତାହା ବର୍ତ୍ତମାନ ପୃଥିବୀର ହଜାର ହଜାର ଫୁଟ ତଳେ କୋଇଲାଖଣି ହୋଇଛି । ସ୍ତର ସ୍ତର ହୋଇ ଯୂଗଯୂଗର ଜଙ୍ଗଲ ତଳକୁ ଚାଲିଯାଇ ସ୍ତର ସ୍ତର ହୋଇ କୋଇଲା ହୋଇ ରହିଛି । ଅତି ଗହୀର କୋଇଲାଖଣି ସବୁ ଆଉ ମଣିଷ ଆୟତ୍ତ କରିପାରିବ ନାହିଁ । ତଥାପି ଚାରିହଜାର ଫୁଟ ଗଭୀର କୋଇଲା ଖଣିରୁ ସୁଦ୍ଧା କୋଇଲା ଅଣାହେଉଛି ।

କୋଇଲାଖଣି ଆବିଷ୍କାର କରିବା ପରେ ସେଠି ଅନେକ ଗୁଡ଼ିଏ ଗାତ ଖୋଳାଯାଏ । ଏ ଗାତସବୁ ପ୍ରାୟ ପନ୍ଦର ଫୁଟ ଚଉଡ଼ାଅତି ଗହୀର,ପାତାଳକୁ ଚାଲିଗଲା ପରି ଲାଗେ । ଉପରେ କଳ ବସିଛିମଜୁରିଆ ମାନଙ୍କୁ ତଳେ ଛାଡ଼ିଦେବା ପାଇଁ ଯନ୍ତ୍ର ରହିଛି । ସେମାନେ ସେଥିରେ ବସିଲେ ସେମାନଙ୍କୁ ତଳେ ଓହ୍ଲାଇ ଦିଆଯାଏ । ସେମାନେ କୋଡ଼ିଗଇଁତିରେ କୋଇଲାକୁ ହାଣି ବଡ଼ ବଡ଼ ଟୋକେଇରେ ଥୋଇଦେଲେ କଳ ସାହାର୍ଯ୍ୟରେ ସେ କୋଇଲା ଉପରକୁ ଉଠିଆସେ । ଗାତର କଡ଼ସବୁ ପକା ଗାନ୍ଥନିରେ ବନ୍ଧା ହୋଇଥାଏ । କୋଇଲା ଖୋଳାଳିମାନେ ତଳେ ଖୋଳି ଖୋଳିକା ଅନେକ ସୁଡ଼ଙ୍ଗ ତିଆରି କରିପକାନ୍ତି । ମଝିରେ ବଡ଼ ବଡ଼ କୋଇଲାର ଖୁଣ୍ଟ ସବୁ ଛାଡ଼ି ସେମାନେ ତଳକୁ ଖୋଳି ଫମ୍ପା କରିପକାନ୍ତି । ତଳେ ଏପରି ସୁଡ଼ଙ୍ଗ ହୋଇଯାଏ ଯେକୋଇଲା ଖଣି ଭିତରକୁ ପଶିଲେ ଗୋଟିଏ ନୂଆ ରାଜ୍ୟରେ ପଶିଲା ପରି ଲାଗେ ।

ସୁଡ଼ଙ୍ଗ ସବୁ ରାସ୍ତା ପରି ଚାଲିଯାଇଛି । ସୁବିଧା ହେବ ବୋଲି ତହିଁରେ ପକ୍କା ଗଢେ଼ଇ ହୋଇଛି । ଅନେକ ଗୁଡ଼ିଏ କୋଠରୀଅଫିସ୍ ଘର,ଖୋଳାଳିଙ୍କ ପାଇଁ ସୁବିଧା କରାହୋଇଛି । ମୂଳ ଗାତଠାରୁ କିଏ କେତେ ଦୂରରେ କାମ କରୁଛିତେଣୁ ଟେଲିଫୋନ୍ ଯନ୍ତ୍ର ଲାଗିଛି । ଯେପରି କି ତଳ ଲୋକେ ନିଜ ନିଜ ଭିତରେ ଓ ଉପରେ ଥିବା ଲୋକଙ୍କ ସହିତ ଦୂରରେ ଥାଇ କଥାବାର୍ତ୍ତା କରିପାରିବେ । କୋଇଲା ହାଣିସାରି ମୂଳ ଗାତ ପାଖକୁ ପଠାଇବା ଲାଗି ଛୋଟ ଛୋଟ ଗାଡ଼ିର ବନ୍ଦୋବସ୍ତ ହୋଇଛି । 

ଏତେ ତଳେ ଆଲୁଅ କେଉଁଠୁ ଆସିବ ସେଠି ସବୁବେଳେ ରାତିତେଣୁ ଚାରିଆଡେ଼ ବିଜୁଳି ଆଲୁଅ । ସ୍ଥାନେ ସ୍ଥାନେ ଖୋଳାଳିମାନେ ଗୋଟିଏ ବିଚିତ୍ର ପ୍ରକାର ଲଣ୍ଠନ ବ୍ୟବହାର କରନ୍ତି ।

ଲୋକେ ଅଣନିଃଶ୍ୱାସୀ ହୋଇ ମରିଯିବେ ବୋଲି ଖଣି ଉପରେ ପ୍ରକାଣ୍ଡ ପ୍ରକାଣ୍ଡ ବିଜୁଳି ପଙ୍ଖା ଲାଗି ଦମକଳ ଦ୍ୱାରା ତଳକୁ ପବନ ପମ୍ପ୍ କରା ହେଉଥାଏ । ପିମ୍ପୁଡ଼ି ପରି ଲୋକ ଲାଗି କାମ କରୁଥାନ୍ତି । ଦଳେ ଉଠି ଆସିଲେ ଆଉ ଦଳେ କାମ କରିବାକୁ ଯାଆନ୍ତି । ଉଠି ଆସିଲାବେଳକୁ ଲୋକଗୁଡ଼ିକ କଳାରେ ବୁଡ଼ିଥାନ୍ତିପରିଶ୍ରମ କରି କରି ଝାଳନାଳ ହୋଇଯାଇଥାନ୍ତି ।

ଏତେ ସୁବିଧା ଥିଲେ କଣ ହେବକୋଇଲା ଖଣିରେ ବିପଦ ଥାଏ । ଏତେ ଗହୀର ଗାତ ହେବାରୁ ବେଳେ ବେଳେ ତଳୁ ପାଣି ଝରି ଚାରିଆଡ଼ ବୁଡ଼ାଇଦିଏ । ସେଥିପାଇଁ ଉପରେ ପମ୍ପ୍ ଲାଗି ପାଣି କାଢ଼ି ସଫା କରାହେଉଥାଏ । ବେଳେ ବେଳେ ଖୋଳାଳିମାନଙ୍କ ଉପରେ ଛାତ ଭାଙ୍ଗିପଡେ଼,ଯେ ଯେଉଁଠି ଜୀବନ୍ତ ସମାଧି ପାଇଯାନ୍ତି । ସ୍ଥାନେ ସ୍ଥାନେ ବିଷାକ୍ତ ବାଷ୍ପରେ ଲୋକଙ୍କର ମୃତ୍ୟୁ ଘଟେ । ସବୁଠାରୁ ବିପଦ ହେଉଛି ନିଆଁ ବିପଦ । କୋଇଲାଖଣି ଭିତରେ ଏକପ୍ରକାର ବାଷ୍ପ ଥାଏ । ତହିଁରେ ନିଆଁ ଲାଗିଲେ ଆଉ ରକ୍ଷା ନାହିଁ । ଦେଖିଲେ ଜଣାପଡ଼ିବଯେପରି ପବନରେ ନିଆଁ ଲାଗି ଆଗକୁ ଆଗକୁ ମାଡ଼ି ଚାଲୁଛି । ଏଥିରେ ସମସ୍ତେ ପୋଡ଼ି ମରନ୍ତି । ନିଆଁ ଚହଟିଗଲେ ଲୋକେ ପ୍ରାଣ ବିକଳରେ ଛୋଟ ଛୋଟ କୋଠରୀରେ ପଶିଯାଇ କବାଟ କିଳିଦିଅନ୍ତିଅନ୍ଧି ସନ୍ଧି ବୁଜି ଦିଅନ୍ତିଯେପରି କି ବାହାରର ନିଆଁ ବାଷ୍ପ ଭିତରକୁ ଆସି ପାରିବ ନାହିଁ । ଏହିପରି କରି ଭିତରେ ପଡ଼ି ଅଣନିଃଶ୍ୱାସୀ ହୋଇ ଛଟ ପଟ ହେଉଥାନ୍ତି । ଭାଗ୍ୟ ଥିଲେ ଉପର ଲୋକେ କୋଠରୀ ଛାତକୁ କଣା କରି ପବନ ପମ୍ପ କରନ୍ତି ଓ ଏମାନଙ୍କୁ ଉଦ୍ଧାର କରି ନିଅନ୍ତି ।

ବେଳେ ବେଳେ ଉଡ଼ୁଥିବା କୋଇଲା ଧୂଳିରେ ନିଆଁ ଲାଗି ଖଣି ପ୍ରଭୃତି ସବୁ ଢ଼ୁ ଢ଼ା କରି ଫୁଟିଯାଏ । ଭୂମିକମ୍ପ ହେଲା ପରି ଦୁଲ୍ ଦାଲ୍ କମ୍ପି ଭାଙ୍ଗିପଡେ଼ । ଘର ମଣିଷ ହାବେଳି ମାରିଲା ପରି ଆକାଶକୁ ଫୋପାଡ଼ି ହୋଇ ଖଣ୍ଡ ବିଖଣ୍ଡ ହୋଇ ପଡ଼ନ୍ତି । କୋଇଲା ଖଣିର ଦୁର୍ଘଟନା କମାଇବା ପାଇଁ ଅନେକ ଉପାୟ କରାଯାଏ ।

କୋଇଲା କଢ଼ା ହୋଇ ରେଳରେ ବୋଝାଇ ହୋଇ ଲୁହା କାରଖାନା ଓ ଅନ୍ୟାନ୍ୟ ସ୍ଥାନକୁ ବିକ୍ରୀ ପାଇଁ ପଠାହୁଏ ।
ପୃଥିବୀରେ ସବୁଠାରୁ ବେଶୀ ପଥରକୋଇଲା ଓ ପେଟ୍ରୋଲିୟମ ତେଲ ଆମେରିକା ଯୁକ୍ତପ୍ରଦେଶରୁ ମିଳେ । 

କୋଇଲା ପରି ପେଟ୍ରୋଲିୟମ୍ ତେଲ ମଧ୍ୟ ସେ ଯୂଗର ଜଙ୍ଗଲ ସବୁ ମାଟିତଳେ ଚାପି ହୋଇ ରହିବାରୁ ଆପଣା ମନକୁ ତିଆରି ହୋଇଛି । ଏ ପୁସ୍ତକର ଅନ୍ୟତ୍ର ଯେଉଁ ଜୀବାଣୁମାନଙ୍କ କଥା ଲେଖା ହୋଇଛିସେମାନଙ୍କ ଉଦ୍ୟମରେ ବାଲିତଳେ ଚାପି ହୋଇ ରହିଥିବା ସନ୍ତସନ୍ତିଆ ଲୁଣି ପାଣିରେ ଥିବା ମଲା ଜଙ୍ଗଲରୁ ପେଟ୍ରୋଲ ତେଲ ଝରି ମାଟି ତଳେ ରହିଛି । ଏ ଖଣିରେ ତଳେ ଖୋଳାଳି ଲାଗନ୍ତି ନାହିଁ । ଉପରୁ ତେଲ ପାଖକୁ କୂଅ ଖୋଳା ହୋଇ ତହିଁରେ ଲୁହାର ନଳ ବସେ । ତେଲ ଉପରେ ଥିବା ବାଷ୍ପ ଗୁଡ଼ାକ ଖଲାସ ହୋଇଗଲେତେଲ ଆସେ । ସ୍ଥାନେ ସ୍ଥାନେ ଲୁହା ନଳିବାଟେ ତେଲ ଆପଣା ମନକୁ ଉତ୍ସ ହୋଇ ଉଠିଆସେ । ସ୍ଥାନେ ସ୍ଥାନେ ଦମକଳ ଲଗାଇ ପାଣି କାଢ଼ିଲା ପରି ତେଲକୁ କଢ଼ାଯାଏ । ତେଲ ଉଠି ଆସିଲେ ଶହ ଶହ ମାଇଲ୍ ଲମ୍ବା ଲୁହା ନଳରେ ତାକୁ ପମ୍ପ କରି ଦୂରକୁ ପଠାଇ ଦିଅନ୍ତି । ସେଠି ଯନ୍ତ୍ର ବସି ସେ ତେଲ ସଫା ହୁଏ । ଏ ମୋଟା ତେଲରୁ କିରାସିନି ଓ ପେଟ୍ରୋଲ ତେଲ ବାହାରେ । ଭେସଲିନ୍କଳକବଜାରେ ଲଗାଇବା ତେଲ ବାହାରେ ଓ ପ୍ୟାରାପିନ ବୋଲି ଗୋଟିଏ ଜିନିଷ ବାହାରେ;- ଯହିଁରେ ମହମବତୀ ତିଆରି ହୁଏ । ସଫା ହୋଇ ସାରିଲେ ତେଲକୁ ଅତି ଯତ୍ନରେ ଜାହାଜରେ ବିଦେଶକୁ ବିକ୍ରୀ ପାଇଁ ପଠାଇ ଦିଅନ୍ତି । ଏ ତେଲ ଅତି ସହଜରେ ନିଆଁ ଧରେ । ନିଆଁ ଲାଗିଲେ ସବୁ ଭସ୍ମ ହୋଇଯିବ ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

No comments:

Post a Comment