Saturday, June 17, 2017

ସୁନୀଲ ଗଙ୍ଗୋପାଧ୍ୟାୟଙ୍କ କବିତା " ଚେ ଗୁୟେଭରାଙ୍କ ପ୍ରତି "

ଅନୁବାଦକ ଜ୍ୟୋତି ନନ୍ଦ


ପାଲେଷ୍ଟିନୀୟ କେଫିୟେ ପିନ୍ଧିଥିବା ଚେ ଗୁୟେଭରା
ଚିତ୍ରକର -
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରେ

ମୋର ଓଠ ଶୁଖିଯାଏ, ଛାତି ଭିତରଟା ଫାଙ୍କା
ଆତ୍ମାରେ ଅବିଶ୍ରାନ୍ତ ବୃଷ୍ଟିପତନର ଶବ୍ଦ
ଶୈଶବରୁ ବିଷର୍ଣ୍ଣ ଦୀର୍ଘଶ୍ୱାସ
ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରିଦିଏ -

ବୋଲିଭିଆର ଜଙ୍ଗଲ ରେ ନୀଳ ପାଣ୍ଟାଲୁନ୍ ପିନ୍ଧା
ତୁମର ଛିନ୍ନଭିନ୍ନ ଶରୀର
ତୁମ ଖୋଲା ଛାତିର ମଝିରେ
ଝରିଯାଇଥିବା 
ଶୁଖିଲା ଧାରଟିଏ ରକ୍ତ
ଆଖି ଦୁଇଟି ଖୋଲା
ସେହି ଦୃଷ୍ଟି ଗୋଟିଏ ଗୋଲାର୍ଦ୍ଧରୁ ଛୁଟି ଆସେ ଅନ୍ୟ ଗୋଲାର୍ଦ୍ଧ 
ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରିଦିଏ ।

ଶୈଶବ ରୁ ମଧ୍ୟ ଯୌବନ ପର୍ଯ୍ୟନ୍ତ ଦୀର୍ଘ ଦୃଷ୍ଟିପାତ - 
କଥା ଥିଲା ମୋର ବି ହତିଆର ଧରି ତମ ପାଖେ ଛିଡା ହେବା
କଥା ଥିଲା ମୋର ବି ସାରା ଜଙ୍ଗଲ କାଦୁଅ କରି ପଥର ଗୁହାରେ ଲୁଚି
ସଙ୍ଗ୍ରାମର ଚରମ ମୂହୁର୍ତ୍ତଟି ପାଇଁ ପ୍ରସ୍ତୁତ ରହିବା
କଥା ଥିଲା ମୋର ବି ରାଇଫଲର କୁନ୍ଦ ଛାତିରେ ଚାପି 
ପ୍ରବଳ ହୁଙ୍କାରରେ ଛୁଟି ଯିବା
ମୋର ମଧ୍ୟ କଥା ଥିଲା ଛିନ୍ନଭିନ୍ନ ଲାଶ୍ ଓ ଗରମ ରକ୍ତର ଫୁଆରାରେ
ଶୁଣିବାକୁ ବିଜୟ ସଙ୍ଗୀତ-
କିନ୍ତୁ ମୋର ଅନବରତ ଡେରି ହୁଏ ।

ଏତେକାଳ ମୁଁ ଏକା,ଅପମାନ ରେ ତଳକୁ ମୋର ମୁହଁ
କିନ୍ତୁ ମୁଁ ହାରି ନାହିଁ, ମାନି ନାହିଁ
ମୁଁ ଟ୍ରେନ୍ ର ଝରକା ପାଖେ, ନଦୀର ନିର୍ଜନ ରାସ୍ତାରେ, ଫାଙ୍କା ସରୁ
ଗ୍ରାମପଥରେ, ଶ୍ମଶାନ ପ୍ରାଙ୍ଗଣରେ
ଆକାଶକୁ, ବର୍ଷାକୁ, ବୃକ୍ଷକୁ, ହଠାତ୍ ଆସିଥିବା
ଧୂଳିର ଘୂର୍ଣ୍ଣିଝଡକୁ
ମୋର ଶପଥ ଶୁଣାଇଛି, ମୁଁ ପ୍ରସ୍ତୁତ,
ମୁଁ ସବୁକିଛିର ନିଜସ୍ୱ ପ୍ରତିଶୋଧ ନେବି
ମୁଁ ପୁଣି ଫେରି ଆସିବି।

ମୋର ହତିଆରହୀନ ହାତ ମୁଷ୍ଟିବଦ୍ଧ, ଆଖି ଶକ୍ତ
ମନେ ମନେ କୁହେ ବାରମ୍ବାର, ଫେରି ଆସିବି ।

ଚେ, ତୁମର ମୃତ୍ୟୁ ମୋତେ ଅପରାଧୀ କରେ ।
ମୁଁ ଏଯାଏଁ ପ୍ରସ୍ତୁତ ନୁହଁ, ଅନବରତ ଡେରି ମୋର ହୁଏ,
ମୁଁ ଏଇଲେ ସୁଡ଼ଙ୍ଗ ଭିତରେ ଅଧା ଆଲୁଅ ଛାଇରେ ।
ମୋର ଡେରି ହେଉଛି ।
ଚେ, ତୁମର ମୃତ୍ୟୁ ମୋତେ ଅପରାଧି କରେ ।


ଆର୍ଜେଣ୍ଟିନାର ଆଲ୍ଟା ଗ୍ରେସିଆଠାରେ ସ୍ଥିତ ଗୁୟେଭରାଙ୍କର ଘର

ଆର୍ଜେଣ୍ଟିନାର ବିପ୍ଳବୀ ପ୍ରଖ୍ୟାତ ଚେ ଗୁୟେଭରା ଙ୍କର ଜନ୍ମଦିନ ହେଉଛି ୧୪ ଜୁନ୍ ୧୯୨୮ ।
ବଙ୍ଗଳାର କବି ତଥା ଔପନ୍ୟାସିକ ପ୍ରଖ୍ୟାତ ସୁନୀଲ ଗଙ୍ଗୋପାଧ୍ୟାୟଙ୍କର ଏହା ଏକ ପ୍ରସିଦ୍ଧ କବିତା ।

No comments:

Post a Comment