Wednesday, June 28, 2017

ମହିମା ଭକ୍ତି କବିତା - 'ଧରିଥା ଯୁଗ ଶେଷ ଯାଏ'



ସନ୍ଥ କବି ଭୀମ ଭୋଇ


ଆନ୍ଧ୍ରପ୍ରଦେଶର ରିଆଲିଠାରେ ଏକ ଚୌଲଟ୍ରିର ଦ୍ୱାରଦେଶ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧରିଥା ଯୁଗ ଶେଷ ଯାଏ
କଳି କ୍ଷୟ ହେବ ସତ୍ୟ ହେଲାଣି ଉଦୟେ । ଘୋଷା ।

ସଂସାର ସାଗର ଜଳ ବହୁଅଛି ଅନର୍ଗଳ
ମାରୁଛି ଲହରି ଠେଲି କରାଉଛି ଭୟେ ।
ଛନ୍ଦ ମନ୍ଦେ ନ ବିହର ଗୁରୁ ପାଦପଦ୍ମ ଧର ନାମ ବ୍ରହ୍ମଲୟେ ।୧।

ଏକୁ ଏକେ ଛନ୍ତି ଗାଢ ଅଜ୍ଞାନ ପାମର ମୂଢ
ପ୍ରତିଜ୍ଞା କରନ୍ତି ବଡ ଜମ୍ବୁଦ୍ୱୀପାମହେ ।
ନିଜ ଦେବତା ନ ପୂଜି ମୂର୍ତ୍ତିକା ପାଷାଣ ଭଜି ପଡିଛନ୍ତି ମୋହେ ।୨।

ଏ ଜଗତ ଜନ ଯେତେ କହୁଛନ୍ତି ନାନା ମତେ
ମନେ ନ ଘେନିବ ଚିତ୍ତେ ରଚନା ବିଷୟେ ।
ନିନ୍ଦୁଛନ୍ତି ଧର୍ମ ବାଟ ନିଶ୍ଚୟେ ସରିବ ହାଟ ପାପେ ଯିବ କ୍ଷୟେ ।୩।

କଳି ସତ୍ୟ ଧର୍ମ ଆଜି ଦୋହେଁ ଲାଗିଛନ୍ତି ବାଦୀ
ସାକ୍ଷୀ ଅଛନ୍ତି ଅନାଦି ଯୁଦ୍ଧ ଅପ୍ରମୟେ ।
କଳିକି ଜିଣିଲେ ସତ୍ୟ କାଳକୁ ପାଇବ ସୁସ୍ଥ ହେବ ସ୍ଥିତି ଥୟେ ।୪।

ପାଇ ଆସୁଛି ଦିବସ ଯେ ପ୍ରଭୁଙ୍କ ଦାସୀ ଦାସ
ସର୍ବ କରିଥାଅ ଆଶ ରଖ ମନ ଥୟେ ।
ଯାର ଯେତିକି କାମନା ଆତ୍ମାଭକ୍ତିର ଭାବନା ଲଭିବ ନିଶ୍ଚୟେ ।୫।

ଶୁଭ ଅନୁକୂଳ ଯୋଗେ ରଣକ୍ଷେତ୍ର ମଧ୍ୟଭାଗେ
ଘେନି ଭକ୍ତ ଗଣ ପ୍ରଭୁ କରିବେ ବିଜୟେ ।
ସେ ଦିବସେ କଳିଯୁଗ ସତ୍ୟ ପାଦେ ଲୀନ ହେବ ଭୀମଭୋଇ କହେ ।୬।

No comments:

Post a Comment