ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୩
ଲେଖକ - କିଶନ ପଟ୍ଟନାୟକ
କପିରାଇଟ୍ - ବାଣୀମଞ୍ଜରୀ ଦାସ
![]() |
ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କର ରେଖାଚିତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଭାରତୀୟ
ବୁଦ୍ଧିଜୀବୀର ଦୁର୍ବଳତା ବିଷୟରେ
ଅନେକ କଥା କୁହାଯାଉଛି । ଗୋଟିଏ
ମତରେ, ସେ
ଏକ ଚେରହୀନ ବ୍ୟକ୍ତିତ୍ୱ । ଏ ଦେଶର
ପରମ୍ପରାରେ ସେ ଗଢ଼ି ଉଠିନାହିଁ,
ଏ ଦେଶର
ମାଟି ପବନରେ ତାହାର
ବୃଦ୍ଧି ହୋଇନାହିଁ । ଅନ୍ୟ ମତରେ,
ତାହାର
ବ୍ୟକ୍ତିତ୍ୱ ଦ୍ୱିଧାଯୁକ୍ତ,
ପ୍ରାଚୀନ
ଓ ପାଶ୍ଚାତ୍ୟ ସଭ୍ୟତାର ମାନଦଣ୍ଡର
ଟଣା ଓଟରାରେ ସେ ନିଷ୍ପେଷିତ ।
ପୁଣି ଏକ ମତରେ,
ସେ
ପ୍ରଚଳିତ ବିଶ୍ୱ ସଂସ୍କୃତି
(ଅର୍ଥାତ୍,
ପାଶ୍ଚାତ୍ୟ
ସଂସ୍କୃତିକୁ)
ପୂର୍ଣ୍ଣରୂପେ
ଗ୍ରହଣ କରିବାକୁ ପ୍ରସ୍ତୁତ
ନଥିବାରୁ ତାହାର ବିକାଶ ହୋଇପାରୁନାହିଁ
। କେତେକ ପୁଣି କହନ୍ତି ଯେ ତା’ର
ପ୍ରଶଂସକର ଅଭାବ,
ସେଥିପାଇଁ
ସେ ବାରମ୍ବାର ୟୁରୋପ୍,
ଆମେରିକାର
ପ୍ରଶଂସା ଉପରେ ନିର୍ଭର କରୁଛି
। ସେମାନେ ପ୍ରଶଂସା ନକଲେ ସେ ନିଜର
ସାର୍ଥକତା ଉପଲବ୍ଧ କରିପାରୁନାହିଁ
। ବିଦେଶୀ ସମାଲୋଚକ ତାହାର
କାର୍ଯ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି
।
ଏହି
ସବୁଥିରୁ ମୋଟ ଉପରେ ଏତିକି ପ୍ରତୀତ
ହେଉଛି ଯେ ଭାରତୀୟ ବୁଦ୍ଧିଜୀବୀର
ଅବସ୍ଥା ଭଲ ନୁହେଁ । କିନ୍ତୁ
ଦୂରବସ୍ଥାର ଏଗୁଡ଼ିକ କାରଣ ନୁହନ୍ତି
- ଲକ୍ଷଣ
ମାତ୍ର । ଏସବୁର ମୂଳରେ,
ତାହାର
ଦୋଷ ଦୁର୍ବଳତାର ଦୁଇଟି ପ୍ରଧାନ
କାରଣ ହେଉଛି ଚରିତ୍ରଗତ ଓ ଆଦର୍ଶଗତ
। ଚରିତ୍ର କହିଲେ ଏଠାରେ କେବଳ
ବୁଦ୍ଧିଜୀବୀର ଧର୍ମକୁ ହିଁ
ବୁଝାଉଛି । କଳାକାର ହେଉ ବା
ସାହିତ୍ୟିକ ବା
ଅର୍ଥନୀତିଜ୍ଞ ହେଉ,
ସେଥିପାଇଁ
ନିଷ୍ଠା ସର୍ବଦା ଦରକାର,
ଯାହା
ବିନା ସେ କେବେ ହେଲେ ଉତ୍ତମ
ବୁଦ୍ଧିଜୀବୀର କାର୍ଯ୍ୟ ସମ୍ପାଦିତ
କରିପାରିବ ନାହିଁ । ବୁଦ୍ଧିଜୀବୀ
ହିସାବରେ ନିଜର ସ୍ୱାଧୀନତା ଓ
ଗୌରବ ଘୋଷଣା କରିବା ହେଲା ଏହାର
ପ୍ରଥମ ସୋପାନ । ସମାଜର ପରୀକ୍ଷା,
ଜୀବନର
ବିଶ୍ଳେଷଣ,
ମୂଲ୍ୟବୋଧର
ସୃଷ୍ଟି,
ପ୍ରଗତିର
ପଥପ୍ରଦର୍ଶନ,
ଏସବୁ
ଯଦି ବୁଦ୍ଧିଜୀବୀର କାମ ହେଲା,
ତାହାହେଲେ
ସେ ସତ୍ୟ ଛଡ଼ା ଆଉ କାହାର ଆନୁଗତ୍ୟ
ସ୍ୱୀକାର ନକରିବା ଉଚିତ । ନିଜର
କାର୍ଯ୍ୟ ପ୍ରତି ଆନ୍ତରିକତା ରଖି
ତାହାର
ଗୌରବ କ୍ଷୁର୍ଣ୍ଣ ନ ହେବା ସକାଶେ
ସତତ ଜାଗ୍ରତ ରହିବା ତାହାର
ଧର୍ମ ।
କିନ୍ତୁ
ଏହି ମାପଦଣ୍ଡରେ ମାପିଲେ ଭାରତୀୟ
ବୁଦ୍ଧିଜୀବୀର ଯେଉଁ
ସବୁଠୁ ବଡ଼ ଦୋଷ ଆଖି ଆଗକୁ ଆସିବ,
ତାହାହେଲା
ତାହାର ଛୋଟଲୋକୀ,
ଗୋଲାମୀ
ଓ ପୌରୁଷହୀନତା । ଭାରତୀୟ ବୁଦ୍ଧିଜୀବୀ
ନିଜର ପେଶାକୁ ଆପଣାର କରିପାରି
ନାହିଁ । ସେଥିରେ
ତାହାର
ଆତ୍ମ-ଗୌରବ
ନାହିଁ । ଏହି ନିୟମର ଯାହା କିଛି
ବ୍ୟତିକ୍ରମ ସ୍ୱାଧୀନତା ପୂର୍ବ
ଭାରତରେ ଥିଲା,
ତାହାକୁ
ମୂଳପୋଛ କରି ଏକ ନୂଆ ଆନୁଗତ୍ୟର
ପରମ୍ପରା ସୃଷ୍ଟି କଲେ ସ୍ୱର୍ଗୀୟ
ଶ୍ରୀରାଧାକ୍ରିଷ୍ଣନ୍ (ତାଙ୍କର
ବିଶେଷତ୍ୱ ସ୍ୱାଧୀନତା ଆନ୍ଦୋଳନ
ସହିତ ସମ୍ପର୍କ)
। କବି,
ଦାର୍ଶନିକ
ବା ବୁଦ୍ଧିଜୀବୀ ଯେ ରାଜନୈତିକ
କ୍ଷମତା ନ ଚାହିଁବ ତାହା ନୁହେଁ
। କୌଣସି ଦାର୍ଶନିକ ବା କବି ନିଜର
ବୁଦ୍ଧି ଓ ବିଶ୍ୱାସ ପ୍ରତି ବିଶ୍ୱସ୍ତ
ରହି ରାଜନୀତିର କର୍ମପ୍ରବାହ
ଭିତରୁ କ୍ଷମତାକୁ ଉଠି ନିଜର ଆଦର୍ଶ
ଅନୁଯାୟୀ ତାହାର
ବ୍ୟବହାର କଲେ ଆମେ ତାହାଙ୍କୁ
ସ୍ୱାଗତ ଜଣାଇବା ଉଚିତ । କିନ୍ତୁ
ଜଣେ ଅତି ପ୍ରତିଷ୍ଠିତ,
ଦେଶବିଦେଶରେ
‘ଦାର୍ଶନିକ’ ନାମରେ ଖ୍ୟାତ
ବୁଦ୍ଧିଜୀବୀ,
ସମାଜର
ଏକ ସନ୍ଧିକ୍ଷଣରେ ନିଜ ବୁଦ୍ଧିର
ବ୍ୟବହାର ସାମାଜିକ ପ୍ରଗତିର
ଅନୁଶୀଳନ,
ପରୀକ୍ଷା
ଓ ସମାଲୋଚନା ପାଇଁ ନକରି,
ଯଦି
ଫମ୍ପା କ୍ଷମତା ଓ ଆଡ଼ମ୍ବର ଛଡ଼ା
ଅନ୍ୟ କୌଣସି କାର୍ଯ୍ୟକାରିତା
ନଥିବା ସରକାରୀ ଗାଦିରେ ପିତୁଳା
ରୂପେ ବସି,
ନିଜ
ବୁଦ୍ଧି ବିଚାରକୁ ସରକାରୀ ଦୃଷ୍ଟିରୁ
ବନ୍ଦ ରଖେ,
ଏହାକୁ
ବୁଦ୍ଧିଜୀବୀର ସ୍ୱଧର୍ମ ପ୍ରତି
ଗର୍ହିତ ବିଶ୍ୱାସଘାତକତା କହିବା
ଭୁଲ ହେବନାହିଁ । ଉଚ୍ଚତମ ସ୍ତରରୁ
ଆରମ୍ଭ ହୋଇଥିବା ଏହି ସରକାରୀ
ବୁଦ୍ଧିଜୀବୀର ପରମ୍ପରା ଆଜି
ନିମ୍ନଶ୍ରେଣୀର ବୁଦ୍ଧିଜୀବୀମାନଙ୍କ
ପର୍ଯ୍ୟନ୍ତ ଭେଦିଛି ।
କିଏ ଦିଲ୍ଲୀ ଦରବାର ତ କିଏ ରାଜ୍ୟ
ଦରବାର ବା ନ ହେବା ବେଳକୁ ଉନ୍ନୟନ
ବ୍ଲକ୍ ଦରବାରରେ କବି,
ସଙ୍ଗୀତଜ୍ଞ
ବା ଅର୍ଥନୀତିଜ୍ଞ ହେବାକୁ ଚେଷ୍ଟା
କରୁଛନ୍ତି ।
ଗୋଟିଏ
ପରେ ଗୋଟିଏ କରି ବିଭିନ୍ନ ପ୍ରାଦେଶିକ,
ରାଷ୍ଟ୍ରୀୟ
ବା ପଞ୍ଚାୟତ ସ୍ତରର
ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟକଳାପ
ଓ ଆକାଂକ୍ଷାକୁ ଅନୁଶୀଳନ କଲେ
ଏହି କଥାଟି ଜଳ ଜଳ ହୋଇ ଦେଖାଯିବ
। ବୁଦ୍ଧିଜୀବୀ ହିସାବରେ
ସାଧାରଣ ଲୋକଙ୍କ ମଧ୍ୟରେ ଯେତିକି
ପ୍ରଭାବ ଓ ସମ୍ମାନ ହୋଇପାରୁଛି
ସେତିକିରେ ସେ ସନ୍ତୁଷ୍ଟ ନୁହନ୍ତି
। ତାଙ୍କର ସମ୍ମାନ ଓ
ପ୍ରଭାବକୁ ସେ ସରକାରୀ ସଂସ୍ଥା
ଜରିଆରେ ବଢ଼ାଇବାକୁ ଚାହାନ୍ତି
। ବୁଦ୍ଧିଜୀବୀ ଓ କଳାକାର ହିସାବରେ
ଭାରତୀୟ ସାହିତ୍ୟିକ
ଯେ ଆତ୍ମଗୌରବ ବୋଧ କରିବା ଦିଗରେ
କେତେ କାପୁରୁଷ,
ତାହାର
ଏକ ଭଲ ନମୁନା ଓଡ଼ିଶାରୁ ମିଳେ ।
ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ
ଲେଖକଙ୍କୁ ସାହିତ୍ୟ ଏକାଡ଼େମୀର
ପୁରସ୍କାର ମିଳିବା ପରେ ପୁରସ୍କୃତ
ବହିର ଏକ ନୂଆ ସଂସ୍କରଣ ବାହାରିଛି
। ଏହି ସଂସ୍କରଣର କଳେବରରେ ତିନୋଟି
ନୂଆ ଚିଜ ଯୋଡ଼ା ହୋଇଛି । ପୁରସ୍କାର
ପ୍ରଦାନ ବେଳେ ଦିଆଯାଇଥିବା
ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କର
ଭାଷଣ (ଏ
ବହି ବିଷୟରେ ନୁହେଁ)
ଓ
ଲେଖକଙ୍କ ତରଫରୁ ଆଉ ଜଣେ ବ୍ୟକ୍ତି
ପ୍ରଧାନମନ୍ତ୍ରୀଙ୍କ କରକମଳରୁ
ପୁରସ୍କାର ଗ୍ରହଣ କରିବା ବେଳର
ଏକ ଫଟୋଚିତ୍ର । ଏପରି କରିବା ଫଳରେ
ବହିଟିର ସରକାରୀ କଳ ଜରିଆରେ ଭଲ
ବିକ୍ରୟ ହେବ ସତ ।
କିନ୍ତୁ ସରକାରୀ କୃପା ଦୃଷ୍ଟି
ନିକଟରେ କଳାକାରର କି ନ୍ୟୁନତା
ପ୍ରଦର୍ଶନ !
ବର୍ତ୍ତମାନ
ସାହିତ୍ୟ ଜଗତରେ ଏହା ଏକ ବ୍ୟତିକ୍ରମ
ନୁହେଁ, ନିୟମ
।
ଶତକଡ଼ା
ଅନେଶତ ଭାଗ ସ୍ଥଳରେ
ସାହିତ୍ୟ,
ବିଜ୍ଞାନ,
ଦର୍ଶନ
ଓ ଇତିହାସର ସମ୍ମିଳନୀ ବା ବିଚାର
ମଣ୍ଡଳୀରେ ମନ୍ତ୍ରୀ ବା ଅନ୍ୟ
କୌଣସି ରାଜନୈତିକ କ୍ଷମତାସମ୍ପନ୍ନ
ବ୍ୟକ୍ତିଙ୍କୁ
ପଥ ପ୍ରଦର୍ଶକ ରୂପେ ନିମନ୍ତ୍ରିତ
କରାଯାଏ । ଏହିଭଳି
ଆନୁଗତ୍ୟ ଓ ଆତ୍ମସମ୍ମାନହୀନତା
କୌଣସି ସଭ୍ୟ ଗଣତାନ୍ତ୍ରିକ ଦେଶରେ
ମିଳିବା ଦୁଷ୍କର ।
ଅଧିନାୟକବାଦୀ କମ୍ୟୁନିଷ୍ଟ୍
ଦେଶମାନଙ୍କରେ ମଧ୍ୟ ଗୋଟିଏ
ମର୍ଯ୍ୟାଦା ଭିତରେ ଏହା ହୁଏ,
କାରଣ
ସେ ଦେଶମାନଙ୍କରେ ବୁଦ୍ଧିଜୀବୀ
ଆଇନତଃ ସରକାରୀ ଆଦର୍ଶକୁ ହିଁ
ନିଜର ବୋଲି ଗ୍ରହଣ କରେ । ଆମ ଦେଶର
ବୁଦ୍ଧିଜୀବୀ ପାଶ୍ଚାତ୍ୟ ସଭ୍ୟତାର
ସାମାଜିକ ଲକ୍ଷ୍ୟକୁ ଗ୍ରହଣ କରିଛି
। କିନ୍ତୁ ତାହାର
ଦୈନନ୍ଦିନ ଗୁଣାବଳୀକୁ ଗ୍ରହଣ
କରିନାହିଁ । ଏହାର ଓଲଟା ହେବା
ଉଚିତ । ରାମଚନ୍ଦ୍ର ରାବଣଠାରୁ
ତାହାର
ସାମାଜିକ ଲକ୍ଷ୍ୟ ଶିଖିବାକୁ
ଚାହିଁ ନଥିଲେ । ବରଂ
ତାହାର
ବ୍ୟକ୍ତିଗତ ଓ ଦୈନନ୍ଦିନ ଜୀବନର
ନୀତି ଜାଣିବାକୁ ଲକ୍ଷ୍ମଣକୁ
ଗାବଣ ପାଖକୁ ପଠାଇଥିଲେ
। ଏକ ପ୍ରତିଷ୍ଠିତ ସଭ୍ୟତାର
ସାମାଜିକ ଲକ୍ଷ୍ୟକୁ ଗ୍ରହଣ
କରିନେବା ଏକ ନୂଆ ରାଷ୍ଟ୍ରର
କର୍ତ୍ତବ୍ୟ ନୁହେଁ
। ଆମର ବୁଦ୍ଧିଜୀବୀ ମୋଟର୍,
ଶୀତତାପଯନ୍ତ୍ର
ଓ ଟେଲିଭିଜନ୍ ର
ସଭ୍ୟତାଠାରୁ ତାହାର ସାମାଜିକ
ଲକ୍ଷ୍ୟ ଗ୍ରହଣ କରିବାକୁ ଅତି
ତତ୍ପର । କିନ୍ତୁ
ସମୟାନୁବର୍ତ୍ତିତାର
ହିସାବରେ ସାଧୁତା,
ବ୍ୟକ୍ତି
ଓ ପେଶାର ସ୍ୱାତନ୍ତ୍ର୍ୟ ପ୍ରଭୃତି
ଦୈନନ୍ଦିନ ଗୁଣ ଶିଖିବା ପାଇଁ
ପଶ୍ଚାତ୍ପଦ । ଏହାର କାରଣ
ମନେହୁଏ,
ଏଗୁଡ଼ିକ
ଶିଖିଲେ ଉପରୋକ୍ତ ସାମାଜିକ
ଲକ୍ଷ୍ୟକୁ ଛାଡ଼ି ନୂଆ ଲକ୍ଷ୍ୟ
ଖୋଜିବାକୁ ପଡ଼ିବ ।
ଯେଉଁଠାରେ
ବୁଦ୍ଧିଜୀବୀର ଆତ୍ମଗୌରବ ନାହିଁ,
ସେଠାରେ
ସେ ଛୋଟଲୋକ । ତେଣୁ ଜନମାନସ ଉପରେ
ତାହାର
ପ୍ରଭାବ ନ ପଡ଼ିବା ସ୍ୱାଭାବିକ ।
ସମାଜକୁ ସେ ଚଳାଇ ପାରୁନାହିଁ,
କାରଣ
ସେ ସ୍ୱଚାଳିତ ନୁହେଁ । ଦେଶ
ଭିତରେ କେହି ତାକୁ ଚିହ୍ନି
ପାରୁନାହାନ୍ତି ବୋଲି ସେ ବିଦେଶୀ
ପ୍ରଶଂସକ ଚାହେଁ । ଏପରି କାହିଁକି
ଘଟୁଛି ?
ବୁଦ୍ଧିଜୀବୀ
କହିପାରେ ଯେ ଦେଶୀଲୋକ ତାକୁ
ବୁଝିବା ପାଇଁ ଅନୁପଯୁକ୍ତ ;
ତେଣୁ
ସେ ସମ୍ମାନ ପାଇ ପାରୁନାହିଁ ଓ
ବାଧ୍ୟହୋଇ କ୍ଷମତାଶାଳୀ ଦଳ,
ଗୋଷ୍ଠୀ
ବା ଅନୁଷ୍ଠାନ ପାଖରେ ଆଶ୍ରୟ ନେଉଛି
। ସମ୍ମାନ ମିଳୁନାହିଁ ବୋଲି
ସ୍ୱଧର୍ମ ବି ତ୍ୟାଗ କରୁଛି ?
ସାଧାରଣ
ଲୋକ ନ ଚିହ୍ନି ପାରିବାର ଦୁଇଟି
କାରଣ ଯେ କୌଣସି ଦେଶ ଓ ସମୟରେ କମ
ବେଶି ପରିମାଣର ଥାଏ ।
ଲୋକେ ଗ୍ରହଣ କରିବାକୁ ଅନୁପଯୁକ୍ତ
ହୋଇପାରନ୍ତି କିମ୍ବା ବୁଦ୍ଧିଜୀବୀ
ସାଧାରଣ ଲୋକର ମର୍ମକୁ ଛୁଇଁଲା
ଭଳି କିଛି କରୁନାହିଁ । ଲୋକଙ୍କୁ
ଯୋଗ୍ୟ କରିବା ମଧ୍ୟ ବୁଦ୍ଧିଜୀବୀର
ଗୋଟିଏ କର୍ତ୍ତବ୍ୟ
।
No comments:
Post a Comment