ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୧୦ - ୧୫
ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ବୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ ।
ବହବୋ ଜ୍ଞାନତପସା ପୂତା ମଦ୍ ଭାବମାଗତାଃ ।୧୦।
ଯେ ଲୋକ ଆସକ୍ତି ଭୟ କ୍ରୋଧ ତ୍ୟାଗ କରି । ଏକ ମନେ ଥାଏ ଆମ୍ଭ ପଦ ଅନୁସରି ।।
ଜ୍ଞାନ ତପସ୍ୟାରେ ଯେବା ହୋଇଛି ପବିତ୍ର । ଆମ୍ଭର ପ୍ରକୃତ ଭାବ ଅଛି ଅବଗତ ।୧୦।
ୟେ ୟଥା ମାମ୍ ପ୍ରପଦ୍ୟନ୍ତେ ତାଂ ସ୍ତଥୈବ ଭଜାମହ୍ୟମ୍ ।
ମମ ବର୍ତ୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ । ୧୧।
ଆମ୍ଭଙ୍କୁ ଯେ ଲୋକମାନେ ଭଜନ୍ତି ଯେ ରୂପେ । ଆମ୍ଭେ ଅନୁଗ୍ରହ ତାଙ୍କୁ କରୁ ସେହି ରୂପେ ।।
ଯେ କରୁ ଯେତେକ କର୍ମ ଆହେ ଫାଲଗୁନ । ସର୍ବ ଆମ୍ଭ ସେବା ମାର୍ଗେ କରେ ଆଗମନ ।୧୧।
କାଙ୍କ୍ଷନ୍ତଃ କର୍ମ୍ମଣାଂ ସିଦ୍ଧିଂ ୟଜନ୍ତ ଇହ ଦେବତାଃ ।
କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା । ୧୨।
ଇହଲୋକରେ କର୍ମ୍ମମାନ । ସଫଳ ହୁଏ କରି ଜ୍ଞାନ ।।
ଫଳାଭିଳାଷୀ ଲୋକମାନେ । ଏଣୁ ପୂଜନ୍ତି ଦେବଗଣେ ।୧୨।
ଚାତୁର୍ବଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମ-ବିଭାଗଶଃ ।
ତସ୍ୟ କର୍ତ୍ତାରମପି ମାଂ ବିଦ୍ଧ୍ୟକର୍ତ୍ତାରମବ୍ୟୟମ୍ ।୧୩।
ଗୁଣକର୍ମ ବିଭାଗରେ କରିଛୁଁ ସୃଜନ । ଜଗତ ମଧ୍ୟରେ ବ୍ରାହ୍ମଣାଦି ଚାରିବର୍ଣ୍ଣ ।।
ତଥାପି ଆମ୍ଭେ ଯେ ଅଟୁ ବିହୀନ ସଂସାର । ସେମାନଙ୍କ କର୍ତ୍ତା ବୋଲି ନ କର ବିଚାର ।୧୩।
ନ ମାଂ କର୍ମ୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।
ଇତି ମାଂ ୟୋଽଭିଜାନାତି କର୍ମ୍ମଭିର୍ନ ସ ବଧ୍ୟତେ ।୧୪।
କର୍ମ କରିପାରେ ନାହିଁ ଆମ୍ଭକୁ ପରଶ । ଆମ୍ଭର ଯେ ନାହିଁ କର୍ମ ଫଳେ ଅଭିଳାଷ ।।
ଏହି ରୂପେ ହୋଇପାରେ ଆମ୍ଭଙ୍କୁ ଯେ ଜ୍ଞାତ । ହୁଅଇ ସେ ଲୋକ କର୍ମବନ୍ଧନୁ ମୁକତ ।୧୪।
ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ ।
କୁରୁ କର୍ମୈବ ତସ୍ମାତ୍ତ୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ । ୧୫।
ପ୍ରାଚୀନ ମୁମୁକ୍ଷୁଗଣ ଏହା କରି ଜ୍ଞାନ । ପୂର୍ବକାଳେ କରିଥିଲେ କର୍ମଅନୁଷ୍ଠାନ ।।
ଅଥଏବ ଆହେ ପାର୍ଥ ହୋଇ ସାବଧାନ । ପୂର୍ବ ଅନୁଷ୍ଠିତ କର୍ମ କର ଅନୁଷ୍ଠାନ ।୧୫।
No comments:
Post a Comment