Tuesday, May 31, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୧


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କନ୍ଦମୂଳ - ମିଷ୍ଟ ଖାଦ୍ୟ ମୂଳ ବିଶେଷ । ଏହା ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ବ୍ୟଞ୍ଜନରେ ବ୍ୟବହୃତ ହୁଏ । 

କର୍ପୂର - ଶ୍ରୀମହାପ୍ରଭୁଙ୍କର ଧୂପ ପରେ ବିଡ଼ିଆ ମଣୋହି ହୁଏ । ଖିଲିପାନରେ ଅଳେଇଚ, ଲବଙ୍ଗ, ଶୁଖିଲା ଗୁଆ ସହ କର୍ପୂର ଓ ଯାଇପତ୍ରି ଦେଇ ଖିଲ ପ୍ରସ୍ତୁତ କରାଯାଏ । ବିଡ଼ିଆ ମଣୋହି ପରେ ଭୀମସେନ କର୍ପୂରରେ ଆଳତି ହୁଏ । ପ୍ରତ୍ୟେକ ଅବକାଶ ଆଳତିରେ, ଅଧର ପୋଛା ବା ଶ୍ରୀମୁଖ ପୋଛା ପାଇଁ ପ୍ରସ୍ତୁତ ଜଳରେ କର୍ପୂର ବ୍ୟବହୃତ  ହୁଏ ।

କାକତୁଆଝିଲି - ବିରି ଓ ଘିଅରେ ପ୍ରସ୍ତୁତ ଏକ ପ୍ରକାର ପିଠା । ଶ୍ରୀମନ୍ଦିରରେ ଏହା ଭୋଗରେ ଲାଗି ହୋଇଥାଏ । 

କାକରା -  ଶ୍ରୀମନ୍ଦିରରେ ତୈଳାକ୍ତ କରି ମଶାଲ ଜାଳିବା ନିମନ୍ତେ ପ୍ରସ୍ତୁତ  ଗୋଲାକାର କନା ବଳିତାବିଣ୍ଡା । ଗୁଡ଼ ପାଗରେ ଚାଉଳ ଚୂନା ବା ଅଟା ପକାଇ ଖଳି କରି ସେହି ଖଳିରୁ ଚଟକା ଚଟକା ଗୋଲ କରି ସେଗୁଡ଼ିକୁ ଘିଅରେ ଛାଣିଦେଲେ କାକରା ପିଛା ହୁଏ । ଏହା ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି, ଧୂପ ଅନ୍ୟାନ୍ୟ ଭୋଗ ଇତ୍ୟାଦିରେ ଲାଗି ହୋଇଥାଏ । - ଏହି କାକରା ସଦୃଶ ଏକ ସ୍ୱର୍ଣ୍ଣ ଅଳଙ୍କାର ଉପଲବ୍ଧ ଯାହାକୁ ସ୍ତ୍ରୀମାନେ କେଶ ଉପରେ କପାଳରେ ବା ତାଳୁରେ ପିନ୍ଧନ୍ତି । 

କାକେରୀ -   ସାନ କାକରା । ଏହା ମଧ୍ୟ ଏକ ପିଷ୍ଟକ ବିଶେଷ । ଏହା ଠାକୁରଙ୍କ ପହିଲି ଭୋଗରେ ଲାଗି ହୋଇଥାଏ ।

କାଙ୍ଗୁଳା - ଗହିରିଆ ପାତ୍ର ବିଶେଷ । 

କାର୍ତ୍ତିକ ହବିଷ୍ୟ - ନୈଷ୍ଠିକ ହିନ୍ଦୁ ନାରୀ ମାନେ କାର୍ତ୍ତିକ ମାସରେ ପାଳନ କରୁଥିବା ବ୍ରତ । ଅରୁଆ ଚାଉଳ, କଞ୍ଚାମୁଗ, ନଡ଼ିଆ, କଦଳୀ, ସାରୁ, ଓଉ, ଅଦା, କମଳା, ବେତକନ୍ଦା, ଅଗସ୍ତି ଶାଗ ହବିଷ୍ୟାଳୀମାନେ ଏ ମାସରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ତରକାରୀରେ ହଳଦୀ, ତେଲ, ଲଙ୍କାମରିଚ ଓ ମସଲା ଇତ୍ୟାଦି ପଡ଼େ ନାହିଁ  କିମ୍ବା ବଘରା ହୁଏ ନାହିଁ । ଖଟା ପାଇଁ କମଳା, ରାଗ ପାଇଁ ଅଦା, ପିତା ପାଇଁ ବେତକନ୍ଦା, କସା ପାଇଁ ଅଗସ୍ତି ଶାଗ ଓ ମିଠା ପାଇଁ କନ୍ଦମୂଳ ବ୍ୟବହୃତ ହୁଏ । ମାତ୍ର ଶ୍ରୀକ୍ଷେତ୍ରରେ କାର୍ତ୍ତିକ ହବିଷ୍ୟରେ ମହାପ୍ରସାଦ ସେବନରେ ହବିଷ୍ୟ ପାଳନ କରାଯାଇଥାଏ । 

No comments:

Post a Comment