ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୭
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
![]() |
ଶ୍ରୀମନ୍ଦିରର ରେଖାଚିତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆମିଷ - ମାଛ ଓ ମାଂସ । କୌଣସି ପକ୍ଷୀ କିମ୍ବା ପଶୁର ରକ୍ତ ବା ମାଂସ ଆଇଁଷ ବା ଆମିଷ । ପଶୁ ମଧ୍ୟରେ ଛେଳି, ମେଣ୍ଢା, ହରିଣ, ଘୁଷୁରୀ, ଗାଈ, କୋଟରା, ସମ୍ବର ଓ ଠେକୁଆ ଇତ୍ୟାଦିର ମାଂସକୁ ଭକ୍ଷଣ କରାଯାଏ । ପକ୍ଷୀ ମଧ୍ୟରେ କୁକୁଡ଼ା ମାଂସ ଆଜିକାଲି ବହୁଳ ଭାବେ ଭକ୍ଷଣ କରୁଛନ୍ତି ।
ଶ୍ରୀମନ୍ଦିର ପରିସରରେ ଆଶ୍ୱିନ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିମଳାଙ୍କ ମନ୍ଦିରରେ ନିଶାର୍ଦ୍ଧ ପୂଜା ହୁଏ । ଏହି ତିନି ଦିନରେ ପ୍ରତ୍ୟହ ରାତ୍ର ତିନିଟାରେ ମାଛ ରନ୍ଧା ହୁଏ । ଭିତରେ ବଡ଼ ସିଂହାର ସହ ପହୁଡ଼ ହେବା ପରେ ଏହି ଭୋଗ ପଶ୍ଚିମ ଦ୍ୱାର ବାଟେ ନେବା ଆଣିବା କରାଯାଏ । ବିମଳାଙ୍କ କୂଅ ପାଖରେ ରୋଷ ଘର ତିଆରି ହୋଇ ମାଛ ରନ୍ଧା ହୁଏ ଓ କେତେକ ଗୁପ୍ତ ସେବା ହୁଏ । ମହାପ୍ରଭୁଙ୍କ ନବକଳେବର ସମୟରେ କୋଇଲି ବୈକୁଣ୍ଠ ଠାରେ କୋଠ ସୁଆଁସିଆଙ୍କ ଦ୍ୱାରା ମାଛ ବଳି ପ୍ରଦାନ କରାଯାଏ ।
ଇଞ୍ଚଡ଼ - କଷି ପଣସ ବା ପଣସ କଠା । ଶ୍ରୀମନ୍ଦିରର ପାକଶାଳାରେ ଏହା ବ୍ୟବହୃତ ହୋଇଥାଏ ।
ଉଆ - ଅରୁଆ ଚାଉଳ, ତଣ୍ଡୁଳ, ଧାନ ସିଦ୍ଧ ନ ହୋଇ କୁଟା ହେବା ଚାଉଳ । ଶ୍ରୀମନ୍ଦିରରେ ଶଙ୍ଖୁଡ଼ି ଭୋଗ (ପ୍ରସାଦ) ନିମନ୍ତେ ଶୁଦ୍ଧ ଅରୁଆ ଚାଉଳ ବ୍ୟବହାର ହୋଇଥାଏ ।
ଉଖୁଡ଼ା - ଗୁଡ଼ ଓ କନ୍ଦରେ ପାକ ହୋଇଥିବା ଲିଆ ଯାହା ପୂଜାଦି କର୍ମରେ ବ୍ୟବହୃତ ହୁଏ ।
ଉଗ୍ରସେନ ପଣା - ରାମନବମୀ ଠାରୁ ଆରମ୍ଭ ସାହିଯାତରେ ରାବଣ ବଧ ଉପାଖ୍ୟାନ ଉପସ୍ଥାପନ ବେଳେ ରାବଣ ମୃତ୍ୟୁ ପୂର୍ବରୁ ପିଉଥିବା ପଣା । ମାର୍କଣ୍ଡେଶ୍ୱର ସାହିର ଆରାଧ୍ୟା ଦେବୀ ମା' ଭଗବତୀଙ୍କୁ ସମର୍ପଣ ହୋଇଥିବା ଏହି ପଣା ପିଇବା ପରେ ରାବଣ ଶକ୍ତିହୀନ ହୋଇଯାଏ ।
ଉଚ୍ଛର୍ଗ - ଦାନ କରିବା । କୌଣସି ଖାଦ୍ୟ ବସ୍ତୁକୁ ଦେବଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା । ଠାକୁରଙ୍କ ନାମରେ ଛଡ଼େଇବା ।
ଉଚ୍ଛିଷ୍ଟାନ୍ନ - ଦେବନୈବେଦ୍ୟ ବା ଦେବତାଙ୍କ ପାଖରେ ସମର୍ପିତ ଭୋଜନ ।
No comments:
Post a Comment