Wednesday, May 25, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୦


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'





କଟାସରା - ଏକ ପ୍ରକାର ମାଟି ପାତ୍ର । ଯେଉଁଥିରେ ପାଚିଲା କଦଳୀ, କଦଳୀ ଭଜା ପ୍ରଭୃତି ରଖାଯାଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଲାଗି କରାଯାଏ ।

କଡ଼ମ୍ବା - ଏକ ପ୍ରକାର ଭୋଗ ପ୍ରସାଦ । ଶ୍ରୀମନ୍ଦିର ଠାକୁରଙ୍କର ମକର ଚଉରାଶି ଭୋଗରେ ପୂଜା କରାଯାଏ ।

କଣ୍ଟେଇ - ଏକ ପ୍ରକାର ଭୋଗ ଦ୍ରବ୍ୟ । ଏହା ପହିଲି ଭୋଗରେ ଠାକୁରଙ୍କୁ ଲାଗି ହୁଏ । 

କଦଳୀ - ରମ୍ଭାଗଛ ଓ ଫଳ, ମୃଗୀ ବିଶେଷ, ପତାକା, ହସ୍ତୀ ଉପରେ ବାହିତ ହେବା ନିଶାଣ । ସାଧାରଣ ଜୀବନରେ କଦଳୀର ମହତ୍ତ୍ୱ ଓ ବ୍ୟବହାର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । କଞ୍ଚା କଦଳୀକୁ ତରକାରୀ କରି ଓ ପାଚିଲା କଦଳୀର ଚୋପା ଛଡ଼ାଇ ଦୁଗ୍ଧ ସହ ଚକଟି ଅମୃତକୁଣ୍ଡ ବା ସିରିଣି କରି ଖିଆଯାଏ । କଦଳୀ ମଞ୍ଜା ଓ ଭଣ୍ଡାରେ ମଧ୍ୟ ତରକାରୀ ପ୍ରସ୍ତୁତ ହୁଏ । କଦଳୀ ଗଛରୁ ମଧ୍ୟ କର୍ପୂର ତିଆରି ହୋଇ ଠାକୁରଙ୍କ ଆଳତୀରେ ଲାଗି ହୁଏ । ଶ୍ରୀମନ୍ଦିରରେ ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ କଦଳୀ ଲାଗି ହୋଇଥାଏ । କଞ୍ଚା କଦଳୀ ତରକାରୀ ହୋଇ ଅନ୍ନ ସହ ଭୋଗ ମଧ୍ୟ ହୋଇଥାଏ । କଦଳୀ ବାହୁଙ୍ଗାରେ ତୁଳସୀ, ପଦ୍ମ ଓ ବିଭିନ୍ନ ଫୁଲପତ୍ର ଗୁନ୍ଥା ହୋଇ ଶ୍ରୀବିଗ୍ରହଙ୍କଠାରେ ଲାଗି କରାଯାଏ । ମହାପ୍ରସାଦ ସେବନ ଲାଗି କଦଳୀପତ୍ର ମଧ୍ୟ ବ୍ୟବହୃତ ହୋଇଥାଏ । 

କଦଳୀ ବଡ଼ା  - ଏହା ଏକ ପ୍ରକାର କଦଳୀ ପ୍ରସ୍ତୁତ ଭୋଗ । ଏହା ଠାକୁରଙ୍କର ବଡ଼ସିଂହାର ଧୂପରେ ଲାଗି ହୋଇଥାଏ ।

କଦଳୀ ତଳିଆ - ଶ୍ରୀମନ୍ଦିରରେ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣିରେ କଞ୍ଚା କଦଳୀ ଚୋପା ଛଡ଼ାଯାଇ ଚାରିସୋରା କରି କାଟି ଶୁଦ୍ଧ ଘିଅରେ ଭଜାଯାଇ ଏହା ପ୍ରସ୍ତୁତ ହୋଇଥାଏ । ରାମଜନ୍ମ ଉତ୍ସବ ଓ ଦୀପାବଳି ଅମାବାସ୍ୟା ଭୋଗରେ ମଧ୍ୟ ଏହା ଲାଗି ହୋଇଥାଏ । 

କନକଦୁର୍ଗାଓଳି - ଛୋଟ ମାଟି କୁଡ଼ୁଆ ଶ୍ରୀନଅରରେ କନକ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ଓଳି ମହାପ୍ରସାଦ ।  

No comments:

Post a Comment