Thursday, May 12, 2016

ପ୍ରାଣବନ୍ଧୁ କରଙ୍କର କନ୍ୟାଦେଖା 


ଡ଼ାହାଣରେ ପ୍ରଣବ ଓ ବାମରେ ବାଉଲ୍
ଫଟୋ କ୍ରେଡ଼ିଟ୍ - http://www.pranabandhukar.com/


୧୯୩୯ ମସିହାର କଥା । ସ୍ୱତନ୍ତ୍ର ଓଡ଼ିଶା ଗଠିତ ହେବାର ତିନି ବର୍ଷ ପରର ସମୟ । ସ୍ୱାଧୀନତା ପାଇଁ ଆଠ ବରଷ ବାକି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ସାଲ । ପ୍ରଖ୍ୟାତ ନାଟ୍ୟକାର ପ୍ରାଣବନ୍ଧୁ କର ଓ ପ୍ରଥିତଯଶା ଗାଳ୍ପିକ ବାମାଚରଣ ମିତ୍ର, ଉଭୟ ଆଇନି ପଢ଼ୁଥାଆନ୍ତି ରେଭେନ୍ସା କଲେଜେରେ । ଦୁହିଁଙ୍କର ଆଇନି ପାଠ୍ୟକ୍ରମର ଶେଷ ବରଷ । ଦୁହେଁ ଯାକ, ପ୍ରାଣବନ୍ଧୁ ବାବୁଙ୍କ ଭାଷାରେ, ଥିଲେ 'ବାଜେ ଛାତ୍ର' । ଏଥି ବାବଦରେ ଦୁଇଜଣଙ୍କର କିଛି ସୁନାମ ମଧ୍ୟ କୁଆଡ଼େ ଥିଲା । ଥରେ ସକାଳ ସାତଟା ବେଳର ପ୍ରଥମ ପିରିଅଡ଼ ନେଉଥାଆନ୍ତି ଦଣ୍ଠା ପ୍ରଫେସର ଶ୍ରୀଯୁକ୍ତ ବାନାର୍ଜୀ । ପ୍ରାଣବନ୍ଧୁ ବାବୁ କିଲାସରେ ପ୍ରବେଶ କରନ୍ତି ଆଟାଚି ଖଣ୍ଡିଏ ଧରି । ବନ୍ଧୁ ବାଉଲ୍ (ବାମା ମିତ୍ରଙ୍କର ଶ୍ରଦ୍ଧା ନାମ) ଙ୍କ ପାଖରେ ପଛ ବେଞ୍ଚ୍ ରେ ବସୁ ବସୁ, ସାଙ୍ଗ ଆରମ୍ଭ କରନ୍ତି  ଜେରା । ରୋଲ୍ କଲ୍ ଆରମ୍ଭ ହେଲା । ତେଣୁ ଫିସ୍-ଫିସ୍ କଣ୍ଠରେ କଥା ହୋଇ ଯାହା ଜଣା ପଡ଼ିଲା ଯେ, ପ୍ରାଣବନ୍ଧୁ ବାବୁ ପାରିବାରିକ ତାଡ଼ନାରେ ପଡ଼ି ଯାଉଛନ୍ତି ଝିଅ ଦେଖି । ଗଡ଼ରତ୍ନପୁର । ପୁଣି ମଧ୍ୟସ୍ଥି ସ୍ପଷ୍ଟ ବାରଣ କରିଥାଆନ୍ତି କୌଣସି ବନ୍ଧୁ ଇତ୍ୟାଦିଙ୍କୁ ସାଙ୍ଗରେ ଧରି ଯିବା ବିଷୟରେ । କାରଣ କନ୍ୟା ପକ୍ଷ ନିର୍ଘାତ୍ ରକ୍ଷଣଶୀଳ - ଇଂରେଜିରେ କହିଲେ, କଞ୍ଜରଭେଟିଭ୍ ।  ଅବଶ୍ୟ ଆଜିକାଲିକାର କଞ୍ଜରଭେଟିଭ୍ ମାନେ କଅଣ ଯେ କଞ୍ଜର୍ଭ୍ କରନ୍ତି ତାହା ମା ବୈତରଣୀ ଜାଣନ୍ତି । 

ମାତ୍ର ବାମା ବାବୁ ତ କାହା କଥା ଶୁଣିବାର ଲୋକ ନୁହନ୍ତି । ଆଖର ଜିଗର ଲଗାଇଲେ ଯେ ସେ ସାଙ୍ଗ ସହ ଝିଅ ଦେଖି ଗଡ଼ରତ୍ନପୁର ଯିବେ ହିଁ ଯିବେ । ଉଦ୍ଦେଶ୍ୟ, ଝିଅ ଦେଖା ଉପଲକ୍ଷରେ ଆୟୋଜିତ ଭୁରିଭୋଜନରେ କିଛି ଭାଗ ବସାଇବା, ଓ ବନ୍ଧୁଙ୍କ ସହିତ ଗୋଟିଏ ନୂତନ ଯାଗା ଭ୍ରମଣ କରିବା । ଏଥି୍କୁ ମଧ୍ୟସ୍ଥିଙ୍କ ବାରଣ କୁଆଡ଼େ ତିଷ୍ଠିବ ! ତ, ବାଉଲ୍ ଙ୍କର ସନ୍ତରଣ ପଟୁ ମସ୍ତିସ୍କ ବାହାର କଲା ଗୋଟିଏ ସରଳ ସମାଧାନ । ସାଙ୍ଗକୁ ସିନା ବାରଣ । ଚାକରଙ୍କୁ ତ ନାହିଁ ।  ପ୍ରଣବ (ପ୍ରାଣବନ୍ଧୁ ବାବୁ) ଯେତେବେଳେ ପଚାରିଲେ ଯେ ଝିଅ ଦେଖି ଆସିବା ପାଇଁ ଚାକରକୁ ସାଥିରେ ନେବା କଅଣ ଲୋଡ଼ା ପଡ଼ିଲା ବୋଲି ଝିଅବାଲା କି ମଧ୍ୟସ୍ତି ପଚାରିଲେ, ସେଥିକୁ କଅଣ ଉତ୍ତର ଦେବା । ବାମା ମିତ୍ର ଗୋଟିଏ ପ୍ରତ୍ୟୁତ୍ତର ବିହୀନ ଉତ୍ତର ଦେଲେ । ପ୍ରଣବ ଖେଚେଡ଼ାମି ବାହାର କରି ଝିଅ ପସନ୍ଦ ହେଲେ ମଧ୍ୟ ନାପସନ୍ଦ ହେଲା ବୋଲି ଘରେ କାଳେ ଆସି କହିବେ ବୋଲି, ସେଥିକି ଖଞ୍ଜା ହୋଇଛି ଗୋଟିଏ ଦାୟିତ୍ତ୍ୱବାନ ଚାକର ପିଲା । ଏ ଯୋଜନାକୁ ବରପାତ୍ର ରାଜି ହେଲେ କୁନ୍ଥୁକୁନ୍ଥୁ ହୋଇ ।

ଟ୍ରେନେ ଥାଏ ସକାଳ ନଅଟା ତିରିଶିରେ । ଏ ଯୋଜନା ସରୁସରୁ ପ୍ରଭାତର ଅଷ୍ଟମ ଘଟିକା । ଦୁଇ ସାଙ୍ଗ ପର ପିରିଅଡ଼ ମିସ୍ କରି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଧାଇଁଲେ ।  ୱେଷ୍ଟ୍ ହଷ୍ଟେଲ୍ ରୁ ଯୋଗାଡ଼ ହେଲା ଗାମୁଛା ଖଣ୍ଡିଏ, ମୋଟା ଧୋତି ସାରେ, ଓ ଗୋଟିଏ ଗେଞ୍ଜି । କାଗଜରେ ଏସବୁ ସାଜସରଞ୍ଜାମ ଧରି ସାଙ୍ଗଯୁଗଳ ଧପାଲିଲେ ଇଷ୍ଟେସନ । ତାଙ୍କର ଜଣେ ଇସ୍କୁଲିଆ ମିତ ଥାଆନ୍ତି ଜି.ପି.ଆର୍.ଏଫ୍.ର ସବିନିସ୍ପକ୍ଟର । ନାମ କୃପାସିନ୍ଧୁ । ନାନା ଗାଳି ଫ଼ଜିତ ସହିତ କୃପାବାବୁ କୃପାକରି ନିଜ ଅଫିସିକୁ କୃଷ୍ଣ-ସୁଦାମା ଲୀଳା ପାିଇଁ ବେଶ ପରିବର୍ତ୍ତନ ଉପଲକ୍ଷେ ଯୋଗାଇଦେଲେ । କୃପାସିନ୍ଧୁଙ୍କର  ଅଶେଷ କ଼ୁରୁପା ଯୋଗୁଁ ଟିକଟ ଖଣ୍ଡିକ ବି କାଟିବାକୁ ପଡ଼ିଲାନି । ଟିଟିଆଇଙ୍କୁ  କୁହାବୋଲା କରି କୃଷ୍ଣସୁଦାମା ଚାଲିଲେ ବର୍ସାନା, ରାଧାରାଣୀଙ୍କର ଗ୍ରାମକୁ । ଅର୍ଥାତ୍ ଗଡ଼ରତ୍ନପୁରକୁ । ଗୋଟିଏ ଫାଙ୍କା ତୃତୀୟ ଶ୍ରେଣୀ ରେଳଡ଼ବାରେ ଉପବେଶନ କରି ।

ବଗିରେ ଆଉ ମାତ୍ର ତିନି ଜଣ ଯାତ୍ରୀ । ଟେରେନେ ଛାଡ଼ିଲା । ଆରମ୍ଭ ହେଲା କୃଷ୍ଣସୁଦାମା ପାଟ୍ ପାଇଁ ରେଲ୍-ସଲ । ପ୍ରଣବ ବାବୁ କୁଷ୍ଟଁ । ବାଉଲ୍, ସୁଦାମା । ବନ୍ଧୁ ପାଲଟିଲେ ଚାକର । ଚାକରଙ୍କର ନାମ 'ଦିଜ' । ଗାଡ଼ି ପହଞ୍ଚିଲା. ଗଡ଼ରତ୍ନପୁର ଟେଏସନରେ । ପିଲାଟଫରମ ବାହାରେ ମଧ୍ୟସ୍ତି । ସାଙ୍ଗରେ ଚିତ୍ରିତ ହସ୍ତୀ । ପ୍ରଥମେ ପାତ୍ର ସହ ଆଉ ଗୋଟିଏ ଟୋକାଙ୍କୁ ଦେଖି ଖଡ଼୍ଗହସ୍ତ ହେଲେ ମଧ୍ୟ, ଶେଷକୁ ମଧ୍ୟସ୍ତି ବି ଚାକର ଗୋଟିଏ ପାତ୍ରଙ୍କ ସହ ଆସିବାର ଉପଯୋଗିତା ବିଷୟରେ ରାଜି ହେବାକୁ ବାଧ୍ୟ ହେଲେ । ସେ କାଳର ଆଇନି ଛାତ୍ରଙ୍କର କରିତ୍କର୍ମାପଣିଆ ବିଷୟରେ ତାଙ୍କର ଭଲ ଧାରଣା ଥିଲା ତ !  

ହାତୀ ଉପରେ ସବାର ହୋଇ ଦୁଇ ବନ୍ଧୁ ଚାଲିଲେ କନ୍ୟା ଘର । ବଇଠକ ଖାନାରେ ପ୍ରାଣବନ୍ଧୁ ବାବୁ ବସିଲେ ଚଉକିରେ । 'ଚାକର ଦିଜ' ବସିଲେ  ଦୁଆର କଡ଼େ, ତଳେ । ପ୍ରଣବ ବାବୁଙ୍କୁ ଦହି ସରବତ ପରସା ଗଲା । ରୂପା ପାତ୍ରରେ । ଚାକର ସେହି ଚିଜ ପାଇଲେ । ହେଲେ 'ରସ ଗିଲାସ'ରେ ।  ଦିଜବର ଦହି ଖାଇ, ଗିଲାସ ଧୋଇ, ଗିଲାସ ଉଗୁଡ଼େଇ ରଖିଦେଲେ ଏରୁଣ୍ଡି ପାଖରେ । ସୁଧାର ଚାକର ପିଲାଟି ପରି । ସରବତ ପର୍ବ ସରିବାର କେଇ କ୍ଷଣ  ପରେ ଉପସ୍ଥିତ ହେଲେ ମଧ୍ୟସ୍ତି ଓ କନ୍ୟାପିତା । ନମସ୍କାର ପର୍ବ ସରିଲା ପରେ କନ୍ୟା ପିତା ହେଲେ ଅଦୃଶ୍ୟ । ତତ୍ପରେ ଉଭା ହେଲେ ସ୍ୱୟ‌ଂ କନ୍ୟା ନିଜେ - ହସ୍ତରେ, ରୂପା ପାତ୍ରରେ, ଗୁଆ ଓ ମସଲା ଇତ୍ୟାଦି ଧରି । କନ୍ୟାଙ୍କର ନାମ କମଳିନୀ । ତନୁପାତଳୀ, ଦୀର୍ଘଦେହୀ, ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣା, ସୁନ୍ଦରୀ । ସମ୍ଭ୍ରାନ୍ତ ପଲ୍ଲୀଲଳନା ସଦୃଶ ବେଶ । 

କଥାବାର୍ତ୍ତା (ମଧ୍ୟସ୍ତି ଚାହୁଁଥିଲେ ମଧ୍ୟ), ପାତ୍ରପାତ୍ରୀଙ୍କ ମଧ୍ୟରେ କିଛି ହେଲା ନାହିଁ । ପାତ୍ର ମନା କଲେ । ବହୁ ପ୍ରକାରର ଅନ୍ନବ୍ୟଞ୍ଜନ ଦ୍ୱାରା ଅତିଥି ସତ୍କାର ପରେ ପ୍ରଣବ ସ-'ଚାକର' ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ । ଚେରେନେରେ କଥାବାର୍ତ୍ତାରୁ ଜଣା ପଡ଼ିଲା ଯେ, ଦେଖାଦେଖି ସରିଗଲା ପରେ 'ଦିଜ'କୁ  ସାତଆଠ ଜଣ ମାଇପିଲୋକ ବେଢିଯାଇଁ ଝିଅ ବିଷୟରେ ମତାମତ ପଚାରିଲେ । ଝିଅ ପସନ୍ଦ ହେଲା ଶୁଣି ଚାକରଟୋକା ହାତରେ ଦଶଟି ରୂପାଟଙ୍କା ଗେଞ୍ଜି ଦେଲେ । ଚାକର ଟୋକା ଦିଜ ଯେତେ ମନାକଲେ ମଧ୍ୟ ତାହା ଶୁଣାଗଲା ନାହିଁ । 

ମାତ୍ର ଏ ଛଳ ଶେଷକୁ ଧରା ପଡ଼ିଲା । ଟ୍ରେନେର ଯାତ୍ରୀମାନେ ତ ରେଲ୍-ସଲରୁ ସବୁ ଧରି ପକାଇଥାଆନ୍ତି । ସେଥିରୁ ଜଣେ ଲୋକ ଥିଲେ ପ୍ରଣବଙ୍କର କକେଇଙ୍କର ଚିହ୍ନାପରିଚୟ । କକେଇ ମହାଶୟ ଥିଲେ ଆଗରୁ ଗଡ଼ରତ୍ନପୁରରେ ମେନେଜର । ସେତେବେଳକୁ ଯାଜପୁରରେ ଓକିଲାତି କରୁଥାଆନ୍ତି । ସହଯାତ୍ରୀଜଣଙ୍କ କକେଇଙ୍କ ପାଖକୁ ଯାଇଁ ସବୁ ଫୋଡ଼ିଦେଇ ଆସିଲେ । କକେଇ ଯେହେତୁ ଥିଲେ ଜଣେ ଷୋହଳଅଣା ଭଦରନୋକ, ସେ ଯାଇ କନ୍ୟାପଟର ଲୋକଙ୍କୁ କୃଷ୍ଣସୁଦାମା ସୁଆଙ୍ଗ କଥା କହି, ନିଜ ପୁତୁରାଙ୍କର କାର୍ଯ୍ୟାବଳୀ ପାଇଁ କ୍ଷମା ମାଗିଲେ । ଗଡ଼ରତ୍ନପୁରିଆଙ୍କ ସହ ବନ୍ଧୁବାନ୍ଧିବା ସେତିକିରେ ରହିଲା । ହେଲେ ପ୍ରାଣବନ୍ଧୁଙ୍କର ବାଉଲ୍ ଓରଫ୍ ବାମାଚରଣ ମିତ୍ରଙ୍କ ସହ ବନ୍ଧୁତା ରହିଲା ୧୯୭୫ ମସିହାରେ ମିତ୍ର ମହାଶୟଙ୍କର ମାତ୍ର ଷାଠିଏ ବର୍ଷ ବୟସରେ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ।

ଉତ୍ସ - ୨୦୧୬ ମସିହାରେ ପ୍ରକାଶ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ  'ସ୍ମୃତିରେ ବାମାଚ଼ରଣ'ରେ ଛପାଯାଇଥିବା ପ୍ରାଣବନ୍ଧୁ କର ଲେଖିଥିବା ସ୍ମୃତିଚାରଣ-ମୂଳକ ଲେଖା 'ଛିନ୍ନ ପୃଷ୍ଠା' । ପ୍ରକାଶକ - ସଙ୍ଘମିତ୍ରା ଘୋଷ । 

No comments:

Post a Comment