ମଇ ଦିବସ ଉପଲକ୍ଷରେ କବିତା - 'ତରୁଣର ଆବାହନ'
ବିପ୍ଲବୀ କବି ମନମୋହନ ମିଶ୍ର ( ୧୯୨୦ - ୨୦୦୦)
![]() |
ନୈରାଜ୍ୟବାଦୀ ସାମ୍ବବାଦର ଚିହ୍ନ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆମେ ଗାଇଛୁଁ ଜନତାର
ବିପୁଳ ଏକତାର
ସାମ୍ୟ ସମତାର ଗାନ୍ ;
ଆମେ ତାରୁଣ୍ୟ ଆଗୁଆନ୍ ।
ଆମେ ହିଁ ହିମାଚଳ
ଶିଖରୀ ସମତଳ
ମହାନଦୀ ତଟଭୂମି ;
ଆମେ ହିଁ ଝଞ୍ଜା, ପାବନୀ ଗଙ୍ଗା
ଆମେ ହିଁ ମଉସୁମୀ
ଆମେ ନିର୍ମଳ ଆକାଶର ବର୍ଣ୍ଣିଳ ସୂର୍ଯ୍ୟ
ମନ୍ଦ୍ରିତ ତୂର୍ଯ୍ୟନାଦ,
ଆମେ ହିଁ ଜୀବନର ବିପୁଳ କଳରବ
ଅନାଗତ ସମ୍ବାଦ
ମୃତ୍ୟୁର କରକା-ଶୀତଳ ବୁକେ
ଆମେ ହିଁ ବହ୍ନିମାନ୍
ଆମେ ତାରୁଣ୍ୟ ଆଗୁଆନ୍ ।
ଅସିର ଫଳକେ ଝଲକୁ ନବ ନବ ଇତିହାସ
ଆମେ ହିଁ ରୁଦ୍ର-ବୀଣୀ ଝଂକାର
ମରଣର ସଂତ୍ରାସ ;
ଆମେ ସୁମେରୁ ବୁକେ କୁମେରୁ ସ୍ୱପ୍ନ
କଳପନା ଗରୀଆନ୍
ନିପୀଡ଼ିତ, ବଞ୍ଚିତ ମାଟିର ଶାବକେ
ଆମେ ବରାଭୟ ଦାୟୀ,
ଜାଲିମ ଜୁଲୁମ ବର୍ବର ଶୋଷଣ
ପଦାଘାତେ ଧରାଶାୟୀ ।
ଦୁନିଆଁର ଯେତେ ପ୍ରବଳ ପ୍ରତାପୀ
ହୁଅ ସର୍ବେ ସାବଧାନ,
ଆମେ ତାରୁଣ୍ୟ ଆଗୁଆନ୍ ।
No comments:
Post a Comment