Sunday, May 08, 2016

ନିର୍ମାଣ କ୍ଷେତ୍ରରେ ଶିଶୁ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନିର୍ମାଣ କ୍ଷେତ୍ରରୁ ଜାତୀୟ ଆୟର ଦୁଇ କୋଟି ଲକ୍ଷ ଟଙ୍କାରୁ ଅଧିକ ସଙ୍ଗୃହୀତ ହୁଏ । ନିର୍ମାଣ କ୍ଷେତ୍ରରେ ଭାରତରେ କର୍ମରତ ନରନାରୀନାରୀମାନଙ୍କର ସଂଖ୍ୟା ବର୍ତ୍ତମାନ ତିନିକୋଟିରୁ ଚାରି କୋଟି ଭିତରେ ଆକଳନ କରାଯାଏ ଏହି ଶ୍ରମିକ ମାନଙ୍କର ପିଲାମାନଙ୍କର ସଂଖ୍ୟା ପାଞ୍ଚ କୋଟିରୁ ମଧ୍ୟ ଅଧିକ । ନିର୍ମାଣ କ୍ଷେତ୍ର ବିଷୟରେ ନିର୍ଭରଯୋଗ୍ୟ ପରିସଂଖ୍ୟାନ ଉପଲବ୍ଧ ନାହିଁ । ମାତ୍ର ଦ୍ୱିତୀୟ ଜାତୀୟ ଶ୍ରମ ଆୟୋଗ ଅନୁସାରେ ଭାରତର ଶ୍ରମିକ ମାନଙ୍କ ଭିତରୁ ଶତକଡ଼ା ଦଶ ଭାଗ ନିର୍ମାଣ କ୍ଷେତ୍ରରେ କାମ କରନ୍ତି । କୃଷି ପରେ ଏହି ଅନୁପାତ ସର୍ବାଧିକ । ଏହି ଶ୍ରମିକ ମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଦରିଦ୍ର, ଗ୍ରାମୀଣ ଜନଗୋଷ୍ଠୀର ଯେଉଁଥିରୁ ଅଧିକାଂଶ ଆଦିବାସୀ, ଦଳିତ ଓ ଓବିସି ସମୁଦାୟର । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଅତି କମ୍ ମଜୁରୀରେ, ଏକ ସାମନ୍ତବାଦୀ ଶୋଷଣର ସମ୍ମୁଖୀନ ହୋଇ, ଘରବାଡ଼ି, ରାସ୍ତାଘାଟ, ରେଳଲାଇନ୍, ଉଡ଼ାଜାପାଜ ପଡ଼ିଆଠାରୁ ଆରମ୍ଭ କରି ବନ୍ଦର ଓ ମଲ୍ ଆଦି ତିଆରି କରି ସେମାନେ ଭାରତର ଆଧୁନିକ ଅର୍ଥନୀତର ମେରୁଦଣ୍ଡ ଭାବରେ ସେମାନେ କାମ କରନ୍ତି । ଆନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ ଅନୁସାରେ ଭାରତୀୟ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ଦୁର୍ଘଟଣାର ହାର ସମଗ୍ର ପୃଥିବୀରେ ସର୍ବାଧିକ ।

ଏହି ଶ୍ରମିକମାନଙ୍କ ଭିତରୁ ପାଖାପାଖି ଏକ ତୃତୀଆଂଶ ମହିଳା ଓ ଶିଶୁ । ଯେଉଁ ଶିଶୁମାନେ ଶ୍ରମ କରୁନାହାନ୍ତି ସେମାନେ ପ୍ରାୟତଃ ବିଦ୍ୟାଳୟ ଯାଆନ୍ତି ନାହିଁ । ଶିକ୍ଷା ଅଧିକାର ଆଇନ୍ ୨୦୦୯ ର ଦାଏରା ଭିତରେ ଏହି ପିଲାମାନଙ୍କୁ ଆଣିବା ଏକ ଦୁରୁହ ବ୍ୟାପାର ନିର୍ମାଣ ଶ୍ରମିକ ଭାବରେ କାମ କରୁଥିବା ପିଲାଙ୍କ ଛଡ଼ା ଅନେକ ଶିଶୁ ନିର୍ମାଣ ହେଇଥିବା ଜାଗାରେ ହିଁ ବସବାସ କରନ୍ତି । ଏହି ଜାଗାମାନଙ୍କରେ ସେମାନେ ଅନେକ ଦୁର୍ଯୋଗ ଓ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ଏହି ନିର୍ମାଣ କ୍ଷେତ୍ରମାନଙ୍କରେ ପ୍ରାୟତଃ ଶିକ୍ଷାର ବ୍ୟବସ୍ଥା ନ ଥାଏ । ଏଣୁ ନିର୍ମାଣ ଶ୍ରମିକଙ୍କର ପିଲାମାନେ ପ୍ରାୟତଃ ଦଶ ବାର ବର୍ଷ ବୟସରୁ ବାପା ମା ମାନଙ୍କ ସହିତ କାମ କରିବାକୁ ଆରମ୍ଭ କରନ୍ତି । ଏହି ପିଲାମାନଙ୍କ ଉପରେ ସଙ୍ଗଠିତ ଏକ ଅଧ୍ୟୟନ ଅନୁସାରେ ଦେଶରେ ଶିଶୁ ପୁଷ୍ଟିହୀନତାର ହାର ଶତକଡ଼ା ୨୧ ଭାଗ ହୋଇଥିଲା ବେଳେ ନିର୍ମାଣ ସ୍ଥଳ ମାନଙ୍କରେ ଶତକଡ଼ା ୭୦ ଭାଗ ପିଲା କୁପୋଷଣର ଶୀକାର ହେଉଛନ୍ତି । ଆଇନ୍ ଅନୁସାରେ ୩୦ ଜଣରୁ ଅଧିକ ମହିଳା ନିର୍ମାଣ ଶ୍ରମିକ କାମ କରୁଥିବା ଜାଗାରେ କ୍ରେସ୍ ରହିବା ଆବଶ୍ୟକ ଓ ଏହା ଚଳାଇବା କୁମ୍ପାନୀର ଦାୟିତ୍ତ୍ୱ । ମାତ୍ର ପ୍ରାୟତଃ କୁମ୍ପାନୀମାନେ ଏହି ଦାୟିତ୍ତ୍ୱର ନିର୍ବାହ କରନ୍ତି ନାହିଁ ।
୧୯୬୦ ଦଶକରେ ଗଠିତ ପ୍ରଥମ ଜାତୀୟ ଶ୍ରମ ଆୟୋଗର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଅଧ୍ୟୟନ ଗୋଷ୍ଠୀ ଏହି ଶ୍ରମିକମାନଙ୍କର ଅସଙ୍ଗଠିତ ଅବସ୍ଥା ବଦଳାଇବାନିମନ୍ତେ ସୁପାରିଶ କରିଥିଲେ । ଦ୍ୱିତୀୟ ଜାତୀୟ ଶ୍ରମ ଆୟୋଗ ମଧ୍ୟ ନିଜ ରିପୋର୍ଟ୍ ରେ ଏହି କ୍ଷେତ୍ରରେ ଗୋତି ପ୍ରଥା ଓ ଶିଶୁ ଶ୍ରମିକ ମାନଙ୍କର ଅବସ୍ଥିତି ବିଷୟରେ ଆଲୋଚନା କରିଥିଲେ । ୨୦୧୧ ମସିହାର ଜନଗଣନା ଅନୁସାରେ ପ୍ରାୟ ପାଞ୍ଚ ନିୟୁତ ଶିଶୁଶ୍ରମିକ (ପାଞ୍ଚ – ୧୪ ବର୍ଷ ବୟସ ମଧ୍ୟରେ) କାମ କରୁଥିଲେ । ଏଥି ମଧ୍ୟରୁ ନିର୍ମାଣ କ୍ଷେତ୍ରରେ ଶତକଡ଼ା ସତର ଭାଗ ଶିଶୁଶ୍ରମିକ କାର୍ଯ୍ୟରତ ଥିଲେ । ଏହି ଶିଶୁଶ୍ରମିକ ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରର ଶ୍ରମିକ ମାନଙ୍କର ଦାୟିତ୍ତ୍ୱ ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ଼୍ ର । ଏହି ବୋର୍ଡ୍ ର ଦାବୀ ଅନୁସାରେ ୧, ୫୦, ୦୦ ରୁ ଉର୍ଦ୍ଧ ଶ୍ରମିକ ଏହାର କାମ ଦ୍ୱାରା ଲାଭାନ୍ୱିତ ହୋଇଛନ୍ତି ତଥା ଜୁନ୍ ୨୦୧୫ ମସିହା ପର୍ଯ୍ୟନ୍ତ ୫୫ କୋଟିରୁ ଅଧିକ ଟଙ୍କା ବଣ୍ଟା ହୋଇଛି । ମାତ୍ର ନିର୍ମାଣ ଶ୍ରମିକ ମାନଙ୍କର ଆବଶ୍ୟକତାକୁ ଚାହିଁ ଏହା ସମୁଦ୍ରକୁ ଶଙ୍ଖେ ଭଳି । ଏହି ବୋର୍ଡ୍ ପାଖରେ ଓଡ଼ିଶାରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶିଶୁ ଶ୍ରମିକ ମାନଙ୍କ ବିଷୟରେ କିଛି ବ୍ୟବସ୍ଥିତ ପରିସଂଖ୍ୟାନ ଥିଲା ଭଳି ଜଣା ପଡ଼େ ନାହିଁ ।
ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶିଶୁଶ୍ରମିକ ଓ ଶ୍ରମିକ ମାନଙ୍କର ଶିଶୁମାନଙ୍କ ବିଷୟରେ ପରିସଂଖ୍ୟାନର ଘୋର ଅଭାବ ରହିଛି । ଏହି ବିଷୟରେ ଅଳ୍ପ କିଛି ଗବେଷଣା ହୋଇଥିଲେ ମଧ୍ୟ, କ୍ଷେତ୍ର ଗବେଷଣା ଓ ବଡ଼ ଆକାରର ସର୍ଭେର ଏଥି ନିମନ୍ତେ ଆବଶ୍ୟକତା ରହିଛି । ଏହା ଛଡ଼ା ନିର୍ମାଣ କ୍ଷେତ୍ରର ଶିଶୁମାନଙ୍କ ଉପରେ କାମ କରିଥିବା ନାନାଦି ସଙ୍ଗଠନ ମାନଙ୍କର ପଞ୍ଜୀକରଣ ମଧ୍ୟ ହେବା ଦରକାର । ଆନୁଷ୍ଠାନିକ ଶିକ୍ଷା ସହିତ ଅଣଆନୁଷ୍ଠାନିକ ଶିକ୍ଷାର ନାନାଦି ପ୍ରୟୋଗର କାର୍ଯ୍ୟକାରିତା ମଧ୍ୟ ଏହି କ୍ଷେତ୍ରରେ ପରୀକ୍ଷାନିରୀକ୍ଷାର ଅପେକ୍ଷା ରଖେ ।

No comments:

Post a Comment