Wednesday, May 04, 2016

ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୪


ଲେଖକ - କିଶନ ପଟ୍ଟନାୟକ


କପିରାଇଟ୍ - ବାଣୀମଞ୍ଜରୀ ଦାସ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସାଧାରଣ ଲୋକ ଯାହା ହେଲେ ବି ଅତି କମ୍ ରେ ମଣିଷ । ତାହାର ସମ୍ପର୍କ, ତାକୁ ଗଭୀର ଭାବରେ ଛୁଇଁଲା ପରି କଳା ଦ୍ୱାରା, ସାହିତ୍ୟ ଦ୍ୱାରା, ବିଜ୍ଞାନ ଦ୍ୱାରା, ଅର୍ଥନୀତି ଓ ରାଜନୀତି ଦ୍ୱାରା, ସେ ଅବଶ୍ୟ ପ୍ରଭାବିତ ହେବ । ପ୍ରତ୍ୟେକ ଲୋକ ଯେ ସବୁ ରକମର ଶ୍ରେଷ୍ଠକଳା ଓ ଥିଓରୀକୁ ବୁଝିବ ତାହା ନୁହେଁ କିନ୍ତୁ ଜୀବନ ସଙ୍ଗରେ ଗଭୀର ଓ ନିବିଡ଼ ଅନୁଭୂତିର ସମ୍ପର୍କ ରଖି ଯେଉଁ ମନନ, କଳ୍ପନା ବା କାର୍ଯ୍ୟକ୍ରମ ହେବ ତାହାର ବୋଧଗମ୍ୟତା ଅବଶ୍ୟ କିଛି ସମୟ ପରେ ସାଧାରଣ ମନକୁ ବିଭିନ୍ନ ବାଟରେ ଭେଦିଯାଏ । ଏପରି ଅଧିକାଂଶ କାର୍ଯ୍ୟରେ ଏଭଳି ଏକ ମାନସିକ ଆକର୍ଷଣ ଥାଏ ଯେ ସାଧାରଣ ବୁଦ୍ଧି ତାକୁ ବ୍ୟାଖ୍ୟା ନକରି ପାରି ସୁଦ୍ଧା ତାହା ଦ୍ୱାରା ପ୍ରଭାବିତ ହୋଇପଡ଼େ । ଭାରତୀୟ ବୁଦ୍ଧିଜୀବୀର କାର୍ଯ୍ୟ, ସୃଷ୍ଟି ବା ପରିଶ୍ରମ ଯଦି ସାଧାରଣ ଲୋକଙ୍କ ଦ୍ୱାରା ଆଦୃତ ନୁହେଁ, ତାହାର ଏକ ମୁଖ୍ୟ କାରଣ ସେ ମଣିଷ ଜୀବନ ସାଙ୍ଗରେ ସ୍ୱାଭାବିକ ଓ ଗଭୀର ସମ୍ପର୍କ ରଖିପାରି ନାହିଁ ।

ଅର୍ଥନୀତି, ସାମାଜନୀତି, ଇତିହାସ, ବିଜ୍ଞାନ, ଦର୍ଶନ, ସାହିତ୍ୟ ଓ କଳା - ଯେ କୌଣସି କ୍ଷେତ୍ରରେ ଭାରତୀୟ ବୁଦ୍ଧିଜୀବୀ ଚର୍ବିତଚର୍ବଣ ଛଡ଼ା ଆଉ କିଛି କରୁନାହିଁ । ଆଉ ଗୋଟିଏ ହାସ୍ୟାସ୍ପଦ କଥା ଯେ ଭାରତୀୟ ବୁଦ୍ଧିଜୀବୀ ଏସବୁ କାର୍ଯ୍ୟ ଏକ ବିଦେଶୀ ଭାଷାରେ କରିବାକୁ ଚାହେଁ ଯାହାକୁ ଏ ଦେଶରେ ଶତକଡ଼ା ଏକ ଭାଗ ଲୋକ ବି ବୁଝନ୍ତି ନାହିଁ । ଯେକୌଣସି ଦେଶ ଓ ସମୟରେ, ଯେତିକି ଲୋକଙ୍କ ପାଖରେ ବୁଦ୍ଧିଜୀବୀର କାର୍ଯ୍ୟ ପହଞ୍ଚିପାରେ ତାହା ଏକ ଅତି କ୍ଷୁଦ୍ରଅଂଶ ତାକୁ ଗ୍ରହଣ କରି ପ୍ରସାର କରିବାରେ ସାହାଯ୍ୟ କରେ । କିନ୍ତୁ ଏଇଠି ତ ମୂଳରୁ ଏକ ନିହାତି ନଗଣ୍ୟ ସଂଖ୍ୟା ପାଖରେ ପହଞ୍ଚିବା ଭଳି ଉପାୟ ଆମ ବୁଦ୍ଧିଜୀବୀମାନେ ବାଛିଛନ୍ତି । ଅତି ଉନ୍ନତ ଓ ଶିକ୍ଷିତ ଦେଶମାନଙ୍କରେ ମଧ୍ୟ ସବୁଲୋକ ବୁଝୁଥିବା ଓ କହୁଥିବା ଭାଷାରେ ବୁଦ୍ଧିଜୀବୀ ଯାହା ଚିନ୍ତା କରେ ଓ କଳ୍ପନା କରେ ତାହାର ସହଜରେ ଗ୍ରହଣୀୟ ହୋଇ ନଥାଏ । ଏହି ଅବସ୍ଥାରେ ଯଦି ଭାରତୀୟ ବୁଦ୍ଧିଜୀବୀ ସବୁ କାମ ଇଂରାଜୀରେ କରିଚାଲେ ଓ ତଥାପି ଆଶା କରେ ଯେ ତା’ର ପ୍ରଭାବ ପଡ଼ୁ ଓ ଲୋକେ ତାକୁ ଗ୍ରହଣ କରି ସମ୍ମାନ ଦିଅନ୍ତୁ, ୟା ଠାରୁ ବଳି ଅସ୍ୱାଭାବିକ କ’ଣ ହୋଇପାରେ ? ଆମର ଅର୍ଥନୀତିଜ୍ଞ, ବୈଜ୍ଞାନିକ, ଐତିହାସିକ, ସମାଜବିଜ୍ଞାନୀ, ସମାଲୋଚକ - ଏମାନଙ୍କୁ କିଏ, କାହିଁକି, କିପରି ଏ ଦେଶରେ ଗ୍ରହଣ କରିବ?

ଭାରତ ଇତିହାସର ଏହା ଏକ ନିରବଚ୍ଛିନ ଦୁର୍ଭାଗ୍ୟ । ବୁଦ୍ଧ, କବୀରଙ୍କ ପରି କେତେକ ବ୍ୟତିକ୍ରମକୁ ଛାଡ଼ି ଭାରତୀୟ ବୁଦ୍ଧିଜୀବୀ କେବଳ ସମାଜର ଗୋଟିଏ କ୍ଷୁଦ୍ର ଅଂଶକୁ ହିଁ ପାଠକ, ଶ୍ରୋତା ଓ ସମାଲୋଚକ ହିସାବରେ ରଖି ତା’ର କାର୍ଯ୍ୟ କରିଛି । ଇଂରାଜୀ ଆଜି ସଂସ୍କୃତ, ଆରବୀ ଓ ଫାର୍ଶୀର ଉରାଧିକାରୀ ହୋଇଛି । ଇଂରାଜୀର ଦୋଷ ସଂସ୍କୃତ ଓ ଫାର୍ଶୀଠାରୁ ବେଶୀ, କାରଣ ସାମାଜିକ ଏକତା ଆଜି ଭଳି ପୂର୍ବକାଳରେ ଏକ ଆବଶ୍ୟକୀୟ ଅଙ୍ଗ ନଥିଲା ।

ଭାରତୀୟ ବୁଦ୍ଧିଜୀବୀ ଏହି ସ୍ୱାଭାବିକ ସାମାଜିକ ଏକତା ପ୍ରତି ଦୃଷ୍ଟି ନଦେଇ ହଠାତ୍ ଏକ କୃତ୍ରିମ ବିଶ୍ୱ-ଏକତା ଆଡ଼କୁ ଗତି କରିଛି । ତାହାର ଏହି ବିଶ୍ୱ ଏକତା ପଛରେ ଚିନ୍ତାର ଉଦାରତା ବା ଅନୁଭୂତିର ଅନୁକମ୍ପା ନାହିଁ । ବରଂ, ଅଛି ଏକ ଆତ୍ମନ୍ୟୁନତା, ପଛରେ ପଡ଼ିଯିବାର ଭୟ ଓ ଶୀଘ୍ର ବିଶ୍ୱବିଶ୍ମୃତ ହେବାପାଇଁ ଏକ ବିକଳ ଭାବ । ଭାରତୀୟ ବୁଦ୍ଧିଜୀବୀର ଐତିହାସିକ ଦୃଷ୍ଟି ନାହିଁ । ସେ ଭାବୁଛି ଯେ ବର୍ତ୍ତମାନ ଯେଉଁ ସଭ୍ୟତା ଚାଲିଛି, ତାହା ଉପରକୁ ଆଉ କିଛି ଇତିହାସ ଗର୍ଭରେ ନାହିଁ - ସାରା ପୃଥିବୀ ଏଇ ସଭ୍ୟତା ଦ୍ୱାରା ଏକ ହୋଇଛି । ଏକ ପୃଥିବୀ, ପୁଣି ଏକ ସଭ୍ୟତା - ତାହା ପାଶ୍ଚାତ୍ୟ ସଭ୍ୟତା, ଏଇ ସଭ୍ୟତାର ପୁଣି ଏକ ସଂସ୍କୃତି - ତାହା ୟୁରୋପୀୟ ସଂସ୍କୃତି । କେତେ ପୁଣି ଏହା କହିବାକୁ ପଛାନ୍ତି ନାହିଁ ଯେ ଏହାର ଅଛି ଏକ ଭାଷା - ତାହା ଇଂରାଜୀ ଭାଷା ! ଏପରି ସ୍ଥଳ ଦୃଷ୍ଟିର ପରିଣାମ ସ୍ପଷ୍ଟ । ପୃଥିବୀର ଯଦି ଏକ ସଭ୍ୟତା, ଏକ ସଂସ୍କୃତି (ଓ ଏକ ଭାଷା) ହୋଇଗଲାଣି, ଭାରତ ପରି ପଛୁଆ ଦେଶ ବି ଆଗକୁ ବଢ଼ି ଶେଷରେ ସେଇଠି ପହଞ୍ଚି ଦେଶର ଅର୍ଥନୀତି ବଢ଼ି ବଢ଼ି ରୁଷିଆ କି ଆମେରିକା ହେବ ଦେଶର ସାହିତ୍ୟ ବଢ଼ି ବଢ଼ି ଇଂରାଜୀ ବା ଫରାସୀ ସାହିତ୍ୟ ହେବ । ଅତଏବ ଉତ୍କୃଷ୍ଟ ସାହିତ୍ୟ, କଳା ବା ଦର୍ଶନର ଉପଲବ୍ଧି ନିମନ୍ତେ ସେମାନଙ୍କ ରୁଚି, ପ୍ରଣାଳୀ, ଆଦର୍ଶ ଓ ମାପଦଣ୍ଡ ହିଁ ଉପଯୁକ୍ତ କଷଟି । ଦେଶୀ ଲୋକ ଏତେ ପଛରେ ଅଛନ୍ତି ଯେ, ତାଙ୍କର ଆବଶ୍ୟକତା ଓ ବୋଧଶକ୍ତିକୁ ଜଗି ବସିଲେ ଆମେ ପୃଥିବୀର ତ୍ତ ସାହିତ୍ୟିକ ବା ବୁଦ୍ଧିଜୀବୀ ଭିତରେ ଗଣ୍ୟ ହୋଇପାରିବୁ ନାହିଁ, ତେଣୁ ଏ ବିକଳ ଭାବ । ୟୁରୋପ, ଆମେରିକାରେ ଯେଉଁ ସମସ୍ୟାଗୁଡ଼ିକର ଓ ଯେପରି ଭାବରେ ଆଲୋଚନା ହେଉଛି ସେଗୁଡ଼ିକର ସେପରି ଢଙ୍ଗରେ ଏଠାରେ ମଧ୍ୟ ଆଲୋଚନା କରିବା ଉଚିତ । ସେଠି ଅସ୍ତିତ୍ୱବାଦ, ସର୍ରିଅଲିଜିମ ଓ କ୍ୟୁବିଜିମ୍ ଚାଲିଲାଣି ତ ଏଠି ମଧ୍ୟ ତାହା ନହେଲେ ଆମେ ବିଶ୍ୱ ସଂସ୍କୃତିରେ ଭାଗ ନେଇପାରିବା ନାହିଁ । ତାଙ୍କ ସମାଜ ଓ ସାହିତ୍ୟରେ ‘ରାଗୀ ଯୁବକ’ (ଏଙ୍ଗ୍ରୀ ୟଙ୍ଗ ମ୍ୟାନ୍) ଓ ‘ବିଟ୍ ପୁରୁଷ’ (ବିଟ୍ ଜେନେରେସନ୍)ଙ୍କର ସମସ୍ୟା ଦେଖାଦେଲାଣି ତ ଆମ ସମାଜରେ ବି ଏଗୁଡ଼ିକର ଆବିର୍ଭାବ ହେବା ଦରକାର । ତାଙ୍କ କବିତାରେ ଯୁଦ୍ଧବିଧ୍ୱସ୍ତ ସମାଜ ଓ ବିଘଟିତ ବ୍ୟକ୍ତିତ୍ୱର ଅସ୍ପୁଟ ପୀଡ଼ା କୁହରି ଉଠୁଛି, ତେଣୁ ତତ୍ସମ୍ବନ୍ଧରେ କଳ୍ପନା ଓ ଇମେଜ୍ ଆମ କବିତାରେ ନରହିଲେ ଆମର କବିତା ଯୁଗଧର୍ମୀ ହୋଇପାରିବ ନାହିଁ । ତେଣୁ ଆମେ ବି ସେଇ ଢଙ୍ଗରେ, ସେସବୁ ପ୍ରସଙ୍ଗରେ ସେଭଳି ଇମେଜ୍ ଓ କଳ୍ପନା ନେଇ କବିତା ଲେଖି ବିଶ୍ୱ ସାହିତ୍ୟରେ ଆଦର ପାଇବା ।

ଏହା ପଛକୁ ଆଉ ଏକ କଥା ଆସିଯାଉଛି । ଉତ୍କର୍ଷର ମାନଦଣ୍ଡ ଯଦି ସେଠି ରହିଲା ତାହାହେଲେ ଯାହା କିଛି ସେସବୁ ଦେଶର ସମାଲୋଚକଙ୍କ ଦ୍ୱାରା ଆଦୃତ ହୋଇପାରିନାହିଁ, ନିଜ ଦେଶରେ ତାହା ଯେତେ ସମାଦର ହେଲେ ସୁଦ୍ଧା ଲେଖକ ଓ ଚିନ୍ତକର ସନ୍ତୋଷ ହେବନାହିଁ । ପୁନଶ୍ଚ, ଓଲଟା ଭାବରେ, ସେମାନଙ୍କ ଦ୍ୱାରା ଆଦୃତ ହେବାକୁ ଚାହିଁଲେ ସେମାନେ ବୁଝିଲାଭଳି ଶବ୍ଦ ଯୋଜନା, ପ୍ରାସଙ୍ଗିକତା, ବିଷୟବସ୍ତୁ ଓ ସନ୍ଦର୍ଭର ଆଶ୍ରୟ ନେବାକୁ ପଡ଼ିବ । ଏହା ଏକ ଦୂଷିତ ଆବର୍ତ୍ତ । ଭାରତୀୟ ସାହିତ୍ୟିକ ଓ ଚିନ୍ତକ ପାଶ୍ଚାତ୍ୟ ପାଠକ ଓ ସମାଲୋଚକଙ୍କ ପାଖରେ ପହଞ୍ଚିବା ପାଇଁ ଏତେ ବିକଳ ଯେ ନିଜ ଦେଶର ପାଠକ ଓ ସମାଲୋଚକ ତାହା ଗୌଣ ଉଦ୍ଦେଶ୍ୟ ଇଂରାଜୀରେ ଲେଖିବା ତାହା ପ୍ରଥମ ଲକ୍ଷ୍ୟ । ଦେଶୀ ଭାଷାରେ ଲେଖିଲେ ମଧ୍ୟ ଆରମ୍ଭରୁ ତା’ର ଚିନ୍ତା, ଯେ ପାଶ୍ଚାତ୍ୟ ଭାଷାରେ ଅନୁବାଦ ହେବ କି ନାହିଁ ? ହେଲେ ବି, ଇଂରାଜୀ ବା ରୁଷୀୟ ବହି ଭଳିଆ ଲାଗିବ କି ନାହିଁ? ବୋଦଲେୟାର୍, କାମ୍ୟୁ ଓ ରସେଲ୍ ସାଙ୍ଗରେ ଏହାର ତୁଳନା ହେବ କି ନାହିଁ ? ବିଦେଶୀ ଲୋକର କି ଗରଜ ପଡ଼ିଛି ଭାରତୀୟ ବୁଦ୍ଧିଜୀବୀଙ୍କ ବିଷୟରେ ଏତେ ମୁଣ୍ଡ ଖେଳାଇବାକୁ ? ସେ ଯଦି ଏଲିୟଟ୍, ବୋଦଲେୟାର୍, କ୍ୟାମୁ ବା ରସେଲ୍ ଙ୍କର ଚିନ୍ତା ଓ କଳା ଜାଣିବାକୁ ଚାହେଁ, ଭାରତୀୟ ବୁଦ୍ଧିଜୀବୀ ପରି ସେକେଣ୍ଡ୍-ହ୍ୟାଣ୍ଡ୍ ମୁଣ୍ଡରୁ ସେ କାହିଁକି ଏସବୁ ଜାଣିବାକୁ ଚେଷ୍ଟା କରିବ ? ଭାରତୀୟ ପୁସ୍ତକ ସେ ପଢ଼ିପାରେ କେବଳ ଭାରତୀୟ ମୌଳିକତା, ଭାରତୀୟ ପ୍ରସଙ୍ଗ ଓ ବିଚିତ୍ରତାର ସନ୍ଧାନ ପାଇବାକୁ । ଗୋଟିଏ ଦେଶର ଲୋକ ଅନ୍ୟ ଦେଶର କିଭଳି ସାହିତ୍ୟ ଓ ଚିନ୍ତା ପ୍ରତି କୌତୁହଳୀ ହୁଅନ୍ତି ? ଗୋଟିଏ ସଭ୍ୟତା ଭିତରେ ଥାଇ ସୁଦ୍ଧା ଇଂଲଣ୍ଡର ପାଠକ ଓ ସମାଲୋଚକ ଏକ ଭାଷାଭାଷୀ ଆମେରିକା ବା ଅତି ପଡ଼ୋଶୀ ଫ୍ରାନ୍ସର ସାହିତ୍ୟ ବା ବୌଦ୍ଧିକ କ୍ଷେତ୍ରରୁ କେବଳ ସେଇମାନଙ୍କର କଥା ବୁଝିବାକୁ ଚେଷ୍ଟା କରନ୍ତି ଯେଉଁମାନଙ୍କୁ ତାଙ୍କର ସ୍ୱଦେଶୀୟ ପାଠକ ଓ ସମାଲୋଚକ ପ୍ରତିଷ୍ଠା ଦିଅନ୍ତି । ଭାରତୀୟ ବୁଦ୍ଧିଜୀବୀ ଯେପରି ଦ୍ୱିତୀୟ, ତୃତୀୟ ଶ୍ରେଣୀୟ ଇଂରାଜୀ ଲେଖକଙ୍କ ପଛରେ ସମୟ ବିତାଇ ସେମାନଙ୍କୁ ବିଶ୍ୱ ବୁଦ୍ଧିଜୀବୀ ମନେ କରି ଶକ୍ତି ନଷ୍ଟ କରେ; ଇଂଲଣ୍ଡ୍ ବା ଫ୍ରାନ୍ସ ର ବୁଦ୍ଧିଜୀବୀ ତା’ ନକରି ଅନ୍ୟ ଦେଶର କେବଳ ପ୍ରମାଣିତ ଓ ପ୍ରତିଷ୍ଠିତ ବ୍ୟକ୍ତି ବା କୃତି ବିଷୟରେ ଚର୍ଚ୍ଚା କରେ ।

ଏହା ପଛରେ ଇତିହାସ ଓ ମାନବସମାଜ ବିଷୟକ ଏକ ଗଭୀର ଓ ମହତ୍ତ୍ୱପୂର୍ଣ୍ଣ ସତ୍ୟ ଅଛି, ଯେଉଁଥିରୁ ଭାରତୀୟ ବୁଦ୍ଧିଜୀବୀଙ୍କୁ ଅପାର ଆଶା ଓ ପ୍ରେରଣା ମିଳିବା କଥା । ତାହା ଏହି ଯେ ବିଶ୍ୱ ଏକତା ପରି ଅବଧାରଣା ବାସ୍ତବ ଅନୁଭୂତିରୁ ଆସିନାହିଁ । ଏ ପର୍ଯ୍ୟନ୍ତ କୌଣସି ବିଶ୍ୱ ସଭ୍ୟତା, ବିଶ୍ୱ ସଂସ୍କୃତି ବା ବିଶ୍ୱ ଭାଷାର ଜନ୍ମ ହୋଇନାହିଁ । ଅନେକ ଭୂଖଣ୍ଡରେ ଏ ପର୍ଯ୍ୟନ୍ତ ସାମାଜିକ ଏକତା ମଧ୍ୟ ଆସିପାରି ନାହିଁ । ଭାଷା, ସାହିତ୍ୟ ବା ସଂସ୍କୃତିର ସୃଷ୍ଟି ହୁଏ ମଣିଷ ଓ ସମାଜର ଦୈନନ୍ଦିନ ଅଭାବ, ଇଚ୍ଛା, ସମସ୍ୟା ଓ ଅନୁଭୂତିକୁ କେନ୍ଦ୍ର କରି । ବିଶ୍ୱସାରା ଏଗୁଡ଼ିକର ସାମ୍ୟ ନ ଆସିବା ପର୍ଯ୍ୟନ୍ତ ଏକ ସଂସ୍କୃତି, ଏକ ସାହିତ୍ୟ, ଏକ ଭାଷା ହୋଇପାରିବ ନାହିଁ । ଏହି ଆଦର୍ଶରୁ ଆଜି ଆମେ ବହୁତ ଦୂରରେ । ଏବେ ତ ଚମଡ଼ାର ରଙ୍ଗ ମଣିଷ ମଣିଷ ଭିତରେ ପାଚେରୀ ହୋଇ ଠିଆ ହୋଇଛି । ଅତୀତରେ ଭାରତୀୟ, ମିଶରୀୟ, ଗ୍ରୀକ୍, ରୋମାନ୍ ପ୍ରଭୃତି ସଭ୍ୟତା ଯେପରି ସ୍ୱଳ୍ପକାଳରେ ପୃଥିବୀର ସର୍ବୋଚ୍ଚ ସଭ୍ୟତା ରୂପେ ଅନ୍ୟମାନଙ୍କର ଅନୁକରଣୀୟ ହୋଇଥିଲେ, ବର୍ତ୍ତମାନ ଯୁଗରେ ୟୁରୋପୀୟ ସଭ୍ୟତା ସେହିପରି ହୋଇଚି କିଛିଦିନ ପରେ ତାହାର ଅବସାନ ଘଟି ନୂଆ ଞ୍ଚଳରୁ ନୂଆ ସଭ୍ୟତାର ଉଦ୍ଭବ ଘଟିବହିପରି ଗୋଟିଏ ପରେ ଗୋଟିଏ ନୂଆ ଅଭିଜ୍ଞତା ଓ ଦୃଷ୍ଟି ନେଇ ଯେତେ ଆଞ୍ଚଳିକ ସଭ୍ୟତା ଗଢ଼ି ଉଠିବ ତାହାରି ଭିତରୁ ସବୁ ମଣିଷଙ୍କୁ ସାମାଜିକ, ଆର୍ଥିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଏକତ୍ର କଲାଭଳି କୌଣସି ଏକ ସଂସ୍କୃତି ଜରିଆରେ ଏକ ବିଶ୍ୱ ସଂସ୍କୃତିର ଗଠନ ହୋଇପାରେ । ଯେ ପର୍ଯ୍ୟନ୍ତ ତାହା ହୋଇନାହିଁ, ଅବିକଶିତ ସମାଜ, ଅବିକଶିତ ସଂସ୍କୃତି ଓ ଅବିକଶିତ ଭାଷାର ଏକ ଐତିହାସିକ ବିଶେଷତ୍ୱ ରହିଛି ।

ବିକଶିତ ଜୀବନପ୍ରଣାଳୀ, ବିକଶିତ ଭାଷା, ବିକଶିତ ସଂସ୍କୃତି ଏକ ନିର୍ଦ୍ଦିଷ୍ଟ ସଭ୍ୟତା-ଧାରାର ସାର୍ଥକ ଉପଲବ୍ଧି ହୋଇପାରନ୍ତି । କିନ୍ତୁ ଏମାନଙ୍କ ଜରିଆରେ ପୁଣି ଏକ ନୂଆ ଐତିହାସିକ ପ୍ରୟୋଗ ସମ୍ଭବପର ନୁହେଁ । ସଭ୍ୟତାର ନୂତନ ସ୍ୱର୍ଣ୍ଣ ଫସଲ ନିମନ୍ତେ ନୂତନ କୁମାରୀ ଭୂଇଁର ନୂଆ ଞ୍ଚ, ନୂଆ ମଣିଷ ଓ ନୂଆ ଭାଷାର ଆବଶ୍ୟକତା ହୁଏ । ଯେଉଁମାନେ କୁହନ୍ତି ଆମ ଦେଶୀଭାଷା ପ୍ରଚଳିତ ସଭ୍ୟତା ଓ ସଂସ୍କୃତିର ଉପଯୁକ୍ତ ମାଧ୍ୟମ ହେବାକୁ ଅକ୍ଷମ, ସେମାନେ ଅନ୍ତତଃ ଆଂଶିକ ସତକଥା କହୁଛନ୍ତି କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଆମ ଭାଷା ଜରିଆରେ ଓ ଆମର ମଣିଷ, ହାୱା ଓ ଅନୁଭୂତି ଜରିଆରେ ନୂଆ ସଭ୍ୟତାର ଦିଗ ଫିଟିପାରେ, ଯାହା ଇଂରାଜୀ ବା ଅନ୍ୟାନ୍ୟ ବିକଶିତ ଭାଷା ଜରିଆରେ ସମ୍ଭବ ନୁହେଁ । ପାଶ୍ଚାତ୍ୟ ସଭ୍ୟତାର ଅବସାନ ଆରମ୍ଭ ହୋଇଗଲାଣି ବୋଲି ପଶ୍ଚିମୀ କହିଲେଣି କିନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭାରତର ସାହିତ୍ୟି, କଳାକାର ଓ ଗାଁ ଟାଉଟର କହୁଛନ୍ତି ଯେ ପାଶ୍ଚାତ୍ୟ ସଭ୍ୟତା ଆମକୁ ହାସଲ କରିବାକୁ ହେବ ତେଣୁ ଆମେ ଇଂରାଜୀ କିପରି ଛାଡ଼ିବା?

ଏହା ସାଙ୍ଗକୁ ଆଉ ଏକ ସତ୍ୟ ମନେ ରଖିବାକୁ ହେବ । ମହାନ ଦର୍ଶନ, ସାହିତ୍ୟ କିମ୍ବା କଳା କେବଳ ନିବିଡ଼ ଅନୁଭୂତିରୁ ଜନ୍ମ । ଯେତେଦିନ ପର୍ଯ୍ୟନ୍ତ ଆତ୍ମା, ମସ୍ତିଷ୍କ ଓ ହୃଦୟର ଲୀଳାସ୍ଥଳ ରକ୍ତମାଂସ ଅସ୍ଥିର କଳେବର ହୋଇଥିବ, ସେ ପର୍ଯ୍ୟନ୍ତ ମଣିଷର ନିବିଡ଼ ଅନୁଭୂତି କେବଳ ନିଜର ସୀମିତ ପରିବେଶରେ ଥିବା ଛୋଟ ଛୋଟ ମଣିଷ, ଜନ୍ତୁ, କୀଟ, ଗଛଲତା, ଅଭାବ, ଇଚ୍ଛା, ପାପ-ପୁଣ୍ୟ, ପାଣି, ପବନରୁ ହିଁ ଆସିବ । କୌଣସି ଆରୋପିତ ଅନୁଭୂତି ଦ୍ୱାରା ମଣିଷର ମନ ବହୁତ ଉଚ୍ଚକୁ ବା ଗଭୀରତାକୁ ସ୍ପର୍ଶ କରିପାରେ ନାହିଁ । ବଡ଼ ବଡ଼ କଳା ଓ ସାହିତ୍ୟର ସୃଷ୍ଟି କେବଳ ଗଭୀର ସ୍ଥାନୀୟ ଅନୁଭୂତିରୁ ହିଁ ହୁଏ । ଦାର୍ଶନିକ, ବୈଜ୍ଞାନିକ, କବି ଓ କଳାକାର ଉପରେ ପାରିପାର୍ଶିକ ପାଣିପବନ, ଗଛଲତା, ପଶୁ ମଣିଷର ପ୍ରଭାବ ଦୀର୍ଘସ୍ଥାୟୀ ହୁଏ ସେହି ଅନୁଭୂତିର ଗଭୀରତା ବଳରେ ସେମାନେ ବିଶ୍ୱକଳା ଓ ବିଶ୍ୱ ସାହିତ୍ୟ ସୃଷ୍ଟି କରିପାରନ୍ତି । ଅନ୍ୟ ପକ୍ଷରେ, କୃତ୍ରିମ ଭାବରେ ଆରୋପିତ ବିଶ୍ୱ-ଅନୁଭୂତିର ଫଳ ଅତି ସ୍ଥୁଳ ଓ ଖର୍ବ ହୋଇଥାଏ । ସେଥିପାଇଁ ଲାକ୍ସନେସ୍ଙ୍କର ଆଇସ୍ଲାଣ୍ଡୀୟ ଅନୁନ୍ନତ ଲୋକଙ୍କ ବିଷୟରେ ଗଳ୍ପ, ପାର୍ଲ୍ ବକ୍ଙ୍କର ‘ସୁନ୍ଦର ପୃଥିବୀ’ ଓ ଗୋପୀନାଥ ମହାନ୍ତିଙ୍କ ‘ପରଜା’ର ବିଷୟବସ୍ତୁ ଅତି ସ୍ଥାନୀୟ ଓ ସଂକୀର୍ଣ୍ଣ ହୋଇ ସୁଦ୍ଧା ବିଶ୍ୱ ଅନୁଭୂତିର ବାହକ ହୋଇପାରିଛି । କେବଳ ସ୍ଥାନୀୟ ଅନୁଭୂତି ବିଶ୍ୱ ଅନୁଭୂତିର ବାହକ ହୋଇପାରେ । ଏହା ସହିତ ସ୍ଥାନୀୟ ଭାଷାର ଏକ ବିଚିତ୍ର ଓ ରହସ୍ୟମୟ ସମ୍ପର୍କ ରହିଛି ।

ଉପରୋକ୍ତ କେତେକ ସମାଲୋଚନାରୁ କେହି ଭୁଲ ନବୁଝିବା ଉଚିତ ଯେ ଅନୁଭୂତି ବା ବୁଦ୍ଧିକୁ ନିଜର ରାଷ୍ଟ୍ର ବା ସମାଜ ଭିତରେ ଯୁଗର ସାଧାରଣ ଅନୁଭୂତିଠାରୁ ଅଲଗା ଓ ସଙ୍କୁଚିତ କରି ରଖିବା ଆମର ଧ୍ୟେୟ । ସମାଜ ଓ ପରିବେଶ ଭିନ୍ନ ହେଲେ ସୁଦ୍ଧା କଳାର ଏକ ସ୍ନାୟୁ ପରିଧି ରହିଛି ଓ ସମୟର ଏକତ୍ୱ ଏଗୁଡ଼ିକୁ ଏକାଠି ବାନ୍ଧି ରଖେ । ବିଶେଷକରି ଉଡ଼ାଜାହାଜ ଓ ରକେଟ୍ ଯୁଗରେ ବିଭିନ୍ନ ସମାଜ ସମୟର ଏକତ୍ୱ ଦ୍ୱାରା ବାନ୍ଧି ହେବା ସ୍ୱାଭାବିକ । ବୁଦ୍ଧିଜୀବୀଙ୍କର ଚେତନଶୀଳତା, ଓ ଯୁଗ ଓ ସମାଜ, ଉଭୟର ପରିଧି ଦୁଇ ଭିନ୍ନ କେନ୍ଦ୍ରରୁ ସ୍ୱତଃ ବୃତ୍ତ କାଟନ୍ତି ଉଭୟ ପରିଧିର ସାଧାରଣ ବୃତ୍ତାଂଶ ଭିନ୍ନ ଭିନ୍ନ ସମାଜର ବୃତ୍ତାଂଶ ପାଇଁ ପୃଥକ୍ ହେବ । ଏହି ସାଧାରଣ ଅଂଶ ହିଁ ବୁଦ୍ଧିଜୀବୀର ଉପଯୁକ୍ତ ଅନୁଭୂତି-ଭୂମି । ଏହିଠାରେ ଯୁଗ-ଅନୁଭୂତି ସାମାଜିକ ଅନୁଭୂତି ସାଙ୍ଗରେ ସଂଶ୍ଳିଷ୍ଟ ଏହିଠାରେ ହିଁ ଯୁଗ-ଅନୁଭୂତି ପରିବେଶର ଅନୁଭୂତି ଜରିଆରେ ପ୍ରାଣବନ୍ତ ହୁଏ ସାମାଜିକ ଅନୁଭୂତି ଯୁଗ-ଅନୁଭୂତି ଦ୍ୱାରା ମାର୍ଜିତ ହୁଏ ।

ଉଦାହରଣସ୍ୱରୂପ, ଭାରତୀୟ ବୁଦ୍ଧିଜୀବୀକୁ କୁହାଯାଉ ନାହିଁ ଯେ ସେ କେବଳ ଭାରତୀୟ ସମାଜ ଓ ପରିବେଶର ବିଶେଷ ଅନୁଭୂତିଗୁଡ଼ିକୁ ନେଉ ରକେଟ୍, ଆଣବିକ ବୋମା ବା ଶୀତଳଯୁଦ୍ଧ ପରି ଏ ଯୁଗର ସାଧାରଣ ଅନୁଭୂତିଗୁଡ଼ିକୁ ଛାଡ଼ି ଦେଉ । ଏହା କଲେ କାଳକୁ ଛାଡ଼ି ସ୍ଥାନ ସଙ୍କୁଚିତ ହୋଇଯିବ । ତା' ଭିତରେ ଯୁଗ ଚେତନା ରହିବ ନାହିଁ । ସାମାଜିକ ଚେତନା ଓ ଯୁଗ ଚେତନାର ସଂଶ୍ଳେଷଣ ପ୍ରକୃତ କଳାକାରର ଆଦର୍ଶ ହେବା ଉଚିତ । ସ୍ଥାନକୁ ଛାଡ଼ିଲେ ସେପରି କାଳର ଅନୁଭୂତି ଫମ୍ପା ଓ ଅବାସ୍ତବ ହୋଇଯିବା ନିଶ୍ଚିତ । ତେଣୁ ଭାରତୀୟ ବୁଦ୍ଧିଜୀବୀ ଯେତେବେଳେ ଏଠାକାର ଜାତିଭେଦ ବିଷୟରେ ନୀରବ ରହି ଶ୍ରେଣୀଭେଦ ଓ ଶ୍ରେଣୀ ସଂଘର୍ଷର କଥା କହେ, ଚୁଲିର ଧୂଆଁ ଓ ଗୃହିଣୀର ଚକ୍ଷୁଦାହକୁ ମନେ ନ ପକାଇ ରକେଟ୍ ଓ ବିଜୁଳି ଛାଞ୍ଚୁଣୀର କବିତା ଲେଖେ, ବା ଦେଶର ଦାରିଦ୍ର୍ୟ ଓ ବ୍ୟାଧିର ସମସ୍ୟା ବିଷୟରେ କେବେ ନ ଭାବି ଆଣବିକ ଯୁଦ୍ଧରୁ ପୃଥିବୀକୁ ରକ୍ଷା କରିବା ପାଇଁ ସମାଧାନ ଖୋଜିବାକୁ ସିଗାରେଟ୍ ଓ ମଦ୍ୟ ଦ୍ୱାରା ମସ୍ତିଷ୍କକୁ ଉଜେିତ କରେ, ତାହାର ଅନୁଭୂତିକୁ ସ୍ୱାଭାବିକ ଓ ସୁସ୍ଥ ବିଶ୍ୱଚେତନା ନକହି ଅନୁକରଣଗ୍ରସ୍ତ ଆରୋପିତ ଅନୁଭୂତି କହିବା ହିଁ ଠିକ୍ ମନେହୁଏ ।

No comments:

Post a Comment