ପିଲାଙ୍କ ଗୀତ - 'ଧୂଳିଘର'
କବି - ଚିନ୍ତାମଣି ମହାନ୍ତି (୧୮୬୭-୧୯୪୩)
![]() |
ଚିତ୍ର - ଚିଲଡ୍ରେନ୍ସ୍ ଗେମ୍ସ୍ (୧୫୬୦) : ଚିତ୍ରକାର, ପିଏତର୍ ବ୍ରୁଏଜେଲ୍, ଦି ଏଲ୍ଡର୍ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆସ ଆସ କିଏ ଦେଖିବ ଧୂଳିଘର ମୋହର
ସରୁ କୁଟିକମଗୁଡ଼ିକ ଆହା କେଡ଼େ ସୁନ୍ଦର !
ଏଇ ଘରଟିରେ ଖେଳିବି ମୁହିଁ ନିତି କଣ୍ଢେଇ
ଏଘର ଗୁହାଳ, ଏ ଘର ହେବ ଧାନ ମରେଇ ।
ଶୋଇବାଘର ଏ ହୋଇବ ହାଣ୍ଡିଶାଳ ତେଣିକି
ଏହି ଯେ ଚାଳିଆ ଖଣ୍ଡିକ ଏଠି ପଡ଼ିବ ଢ଼େଙ୍କି ।
ଏଘରେ ବସି ମୁଁ ପଢ଼ିବି ଏକୁଟିଆ ନିରୋଳେ
ବିଭୁଙ୍କୁ ପ୍ରାର୍ଥନା କରିବି ପ୍ରେମ ଭକତି ଭୋଳେ ।
ବିଭୁଙ୍କୁ ପ୍ରାର୍ଥନା କରିବି ପ୍ରେମ ଭକତି ଭୋଳେ ।
ଧୂଳିଘର ଦେଖି ମୋହର ପରିହାସ କରନା
ଲୁଚିଅଛି ଏହା ଭିତରେ ମୋର ଶିଶୁ କଳ୍ପନା ।
ଲୁଚିଥାଏ ଯଥା କୁସୁମହାର ମଧ୍ୟରେ ସୁତା
ଅଥବା ସୁକୀର୍ତ୍ତି ମଧ୍ୟରେ ଯଥା ସତ୍ୟ ସାଧୁତା ।
ସ୍ୱଭାବେ ଶିଶୁ ମୁଁ ବିଭୁଙ୍କ ଭାବେ ସଦା ମଗନ
ତେଣୁ ତାଙ୍କ ବିଶ୍ୱ ସର୍ଜନା କରେ ଅନୁକରଣ ।
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
No comments:
Post a Comment