ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୧
ଲେଖକ - କିଶନ ପଟ୍ଟନାୟକ
କପିରାଇଟ୍ - ବାଣୀମଞ୍ଜରୀ ଦାସ
ଯେ
କୌଣସି ସମାଜର ବୁଦ୍ଧିଜୀବୀମାନଙ୍କୁ
ସ୍ଥୂଳତଃ ଦୁଇଟି ଶ୍ରେଣୀଭୁକ୍ତ
କରାଯାଇପାରେ । ପ୍ରଥମତଃ,
ଯେଉଁମାନେ
କଳାକାର,
ସାହିତ୍ୟିକ,
ବୈଜ୍ଞାନିକ
ଓ ଦାର୍ଶନିକ ରୂପରେ ସୃଜନଶୀଳଭାବେ
ସେହି ସମାଜ ନିମନ୍ତେ ‘ବୁଦ୍ଧି’
ସଞ୍ଚୟ
କରନ୍ତି ଓ ଦ୍ୱିତୀୟରେ
ଯେଉଁମାନେ ସମାଜର ରୀତିମତ ଚାଳନା
ନିମନ୍ତେ ଶିକ୍ଷକ,
ଟେକ୍ନିସିଆନ୍,
ଡାକ୍ତର,
ଇଞ୍ଜିନିୟର
ବା କିରାଣୀ,
କିଲଟର
ଦାୟିତ୍ୱରେ ପରିବାହକ ରୂପେ
‘ବୁଦ୍ଧି’କୁ ନିୟୋଜିତ କରନ୍ତି
। ଏ ଦୁଇ କୌଣସି ଶ୍ରେଣୀର ସମାଜଶାସ୍ତ୍ରୀୟ
ସଂଜ୍ଞା ଓ ଅନୁଶୀଳନ ଭିତରକୁ ଯିବା
ବର୍ତ୍ତମାନ ଅଭିପ୍ରେତ
ନୁହେଁ । ‘ଫଳେନ ପରିଚୟତେ’ ସୂତ୍ରରେ
ପ୍ରଥମ ପର୍ଯ୍ୟାୟର ଉର୍ବରତା,
ମୌଳିକତା,
ପ୍ରଭାବ
ଓ ସିଦ୍ଧି;
ଦ୍ୱିତୀୟ
ପର୍ଯ୍ୟାୟର ସ୍ୱାସ୍ଥ୍ୟ ଓ ଗତିଶୀଳତା
ଦ୍ୱାରା ହିଁ ପ୍ରମାଣିତ ହେବା
ବିଧେୟ -
ବିଶେଷତଃ
ଭାରତ ଭଳି ସମାଜରେ,
ଯେଉଁ
ସମାଜର ସାମ୍ପ୍ରତିକ ଧର୍ମ କେବେ
ହେଲେ ସ୍ଥାୟିତ୍ୱ ହୋଇ ନପାରେ;
ଯାହାର
ମର୍ମରେ ଅଗ୍ରଗତିର ବିଦ୍ୟୁତ
ସଞ୍ଚାରିତ ନହେବା
ପର୍ଯ୍ୟନ୍ତ ସେଇ ସମାଜର ନୈତିକ
ତଥା ଭୌତିକ କ୍ଷୟ,
ବୃଦ୍ଧି
ପାଇବା ନିଶ୍ଚିତ ।
ଭାରତୀୟ
ସମାଜ ଯେ ଅଧଃପତନର ଅବସ୍ଥା ଦେଇ
ଗତି କରୁଛି -
ଉତ୍କର୍ଷର
ପଥରେ ନୁହେଁ-
ଏହାର
ଯଥାର୍ଥତା ପରୀକ୍ଷା ନିମନ୍ତେ
ପଞ୍ଚବାର୍ଷିକ
ଯୋଜନାଗୁଡ଼ିକର ପ୍ରଗତି-ଇସ୍ତାହାର
ଉପରେ ନିର୍ଭର କଲେ କିଛି ସମୟ ପାଇଁ
ସନ୍ଦିହାନ ହେବା ସ୍ୱାଭାବିକ ।
କିନ୍ତୁ ଯେ କୌଣସି ମାନବଧର୍ମୀ
ସାମାଜିକ ପ୍ରଗତିର ଅମୋଘ ମାପଦଣ୍ଡ
ସମାଜସ୍ଥ ସାଧାରଣ ବ୍ୟକ୍ତିର
ଦୈନନ୍ଦିନ ଚଳାଚଳ,
ତା’ରି
ଆନ୍ତରିକ ଅନୁଭୂତି ତଥା ବାହ୍ୟ
ପରିବେଶ ସହିତ ସଞ୍ଜୋଗର
ସାବଲୀଳତା ଓ ଆଶାଭୂତ ପ୍ରୟାସ ।
ଏ ଦୃଷ୍ଟିରୁ ବିଚାର କରିବା ସମାଜର
ଅଗ୍ରଗତି ବା ଅଧୋଗତିକୁ ଜାଣିବାର
କେବଳ ସିଧାସଳଖ ଉପାୟ ନୁହେଁ,
ସହଜ
ମଧ୍ୟ । ପ୍ରତ୍ୟେକ
ଲୋକ ତା’ର ନିଜ ଜୀବନ ସୀମା ଭିତରେ
ଏହାର ଉପଲବ୍ଧି କରିପାରିବ
। ଏହି ଅନୁଭୂତି ଭିତରେ ଆମେ କେତେ
ଧରଣର ଟେକ୍ନିସିଆନ୍ ଙ୍କୁ
ଛାଡ଼ିଦେଲେ ଶିକ୍ଷକ,
କିରାଣୀ,
ଡାକ୍ତର,
ଦୋକାନୀ,
ଓକିଲ,
ମାଜିଷ୍ଟର
ଓ ସାମ୍ବାଦିକ ପ୍ରଭୃତି ଦ୍ୱିତୀୟୋକ୍ତ
ବୁଦ୍ଧିଜୀବୀ ଶ୍ରେଣୀର ସଂସ୍ପର୍ଶରେ
ପ୍ରତ୍ୟହ ଆସୁ । ଠିକ୍ କହିବାକୁ
ଗଲେ ଦୈନନ୍ଦିନ ଜୀବନର ଭଲମନ୍ଦ,
ସୁଖଦୁଃଖ
ଏଇମାନଙ୍କ ଚାଲିଚଳଣ,
ଚରିତ୍ର,
ସ୍ୱଭାବ
ସଙ୍ଗରେ ଗୁନ୍ଥା । ଏଇ ଅନୁଭୂତିର
ବର୍ତ୍ତମାନ ସମାଜରେ
ନାମ କ’ଣ?
ଦୁର୍ବହ
ଜୀବନ ! ଗଳିତ
ନୈତିକତା !
ଆତ୍ମାର
ହତଶ୍ୱାସ !
ଜୀବନର
(ତେଣୁ ମାନବିକ ମୂଲ୍ୟର)
ଘୋର
ନିରର୍ଥକତା !
ଲାଞ୍ଚମିଛ,
ଖୋସାମତ,
ଭୟ,
ଆତ୍ମହତ୍ୟା,
ହତାଶା
ପଛରେ ଲୁଚି ରହିଛି ପୌରୁଷହୀନତା,
ସତ୍ୟରେ
ଅବିଶ୍ୱାସ,
ମାନବିକତାରେ
ଅନାସ୍ଥା,
ଓ
ସବୁଠୁ ବେଶୀ କ୍ଲେଶଦାୟକ,
ସାମାଜିକ
ପ୍ରଗତି ପ୍ରତି ବିମୁଖତା । ଜାତୀୟ
ଅଗ୍ରଗତି ହେଲାବେଳେ ଏଗୁଡ଼ିକର
ସହାବସ୍ଥାନ ସମ୍ଭବ ନୁହେଁ ।
ଯେଉଁ
ଜାତି ବା ସମଷ୍ଟି ମାନବିକ ମୂଲ୍ୟକୁ
ସମ୍ମାନ କରିବା ଭଳି ସଭ୍ୟତା ପଥରେ
ଅଗ୍ରସର ହୋଇଚାଲେ ତା’ର ବ୍ୟକ୍ତି
ଜୀବନର ଦୈନନ୍ଦିନ ଚଳାଚଳରେ,
ଆଚାର
ବ୍ୟବହାରରେ,
ଏପରି
ବ୍ୟାଧି ଦେଖାଯିବ ନାହିଁ । ଆଶା
ଓ ଉତ୍ସାହର ପ୍ରେରଣାରେ ତା’ର
ପ୍ରତ୍ୟେକ ନାଗରିକର ଧମନୀରେ
ଯେଉଁ ସାହସର ଉଷ୍ମ ଢେଉ ଖେଳିବ,
ତା’ର
ଉଦ୍ବଳନରେ ବହୁ
ସଙ୍କୀର୍ଣ୍ଣତା ଓ
କ୍ଷୁଦ୍ରତା ଧୋଇ ହୋଇଯିବ । ଏଣୁ
ଆମର ପ୍ରଗତି ଇସ୍ତାହାରମାନଙ୍କରେ
ଯେ ଭୀଷଣ ତ୍ରୁଟି ରହିଛି ଏହା
ଅନୁମାନ କରିବା ପାଇଁ ଆତ୍ମପ୍ରତାରଣା
ଛଡ଼ା ଅନ୍ୟ କୌଣସି ପ୍ରତିବନ୍ଧକ
ଥାଇ ନପାରେ । ଏକ ଦିଗରେ ସାଧାରଣ
ଲୋକର ହା ହୁତାଶଭରା ସ୍ୱାଦହୀନ
ଜୀବନ ଓ ଅନ୍ୟ ଦିଗରେ
ସମାଜର ଦ୍ୱିତୀୟୋକ୍ତ ବୁଦ୍ଧିଜୀବୀ
ଶ୍ରେଣୀ ଭିତରେ ଘୋର କ୍ଷୁଦ୍ରତା
ଓ ଆବିଳତା -
ଜାତୀୟ
ଅଧଃପତନର ଜ୍ୱଳନ୍ତ ପ୍ରମାଣ ।
କୋର୍ଟ୍ କଚେରୀ,
ରାଜନୀତି
ଓ ବ୍ୟବସାୟ କ୍ଷେତ୍ର ବିଷୟରେ
ସାଧାରଣ ଲୋକ ଠିକ୍ କରିସାରିଛି
ଯେ ସାଧୁତା ଅସମ୍ଭବ । କିନ୍ତୁ
ଅତି ପବିତ୍ର,
ପରୋପକାରୀ
ଓ ମାନବିକ ପେଶା ବୋଲାଉଥିବା
ଡାକ୍ତରୀ,
ଶିକ୍ଷକତା,
ଭୂଦାନ
ଓ ରେଡ଼କ୍ରସ୍ ଭିତରେ
ମଧ୍ୟ କିପରି ମଣିଷତ୍ୱର ଗନ୍ଧ
ନାହିଁ,
କ୍ଷମତା
ଓ ପଇସାର ସଙ୍କୀର୍ଣ୍ଣ
ଦୃଷ୍ଟିରୁ କିପରି ଅଦାଲତର ପେଶ୍କାର୍
ଓ ହସ୍ପିଟାଲ୍ ର ଡାକ୍ତର
ବା ଚାଉଳ ବ୍ୟବସାୟୀ ଲକ୍ଷପତି ଓ
ଶିକ୍ଷା ବ୍ୟବସାୟୀ କୁଳପତି କିମ୍ବା
ରେଭିନ୍ୟୁ ପଟୁଆରୀ
ଓ କଲେଜ୍ ଅଧ୍ୟାପକ ଭିତରେ ଫରକ
ବେଶି କିଛି ନାହିଁ -
ଏହାର
ଉଦ୍ଘାଟନ ଓ ଅନୁଶୀଳନ ଦେଶର ସୁପ୍ତ
ବିବେକକୁ ଆନେ୍ଦାଳିତ କରିବା
ପାଇଁ ଆବଶ୍ୟକ ହେଲେ ମଧ୍ୟ ଏଠାରେ
ଉଦ୍ଦିଷ୍ଟ ନୁହେଁ ।
ଆମର
ଆଲୋଚ୍ୟ ବିଷୟ କେବଳ,
ପ୍ରଥମୋକ୍ତ
ବୁଦ୍ଧିଜୀବୀମାନଙ୍କର ବର୍ତ୍ତମାନର
ସାମାଜିକ ଓ ଜାତୀୟ ଅଧଃପତନ ନିମନ୍ତେ
ଦାୟିତ୍ୱ ଓ ତା’ର କାରଣ । ଆର୍ଥିକ
ଓ ସାଂସ୍କୃତିକ ଉନ୍ନତିର ବହୁ
ପଛରେ ପଡ଼ିଯାଇଥିବା ଏକ ରାଷ୍ଟ୍ରର
ଲୋକସମୂହକୁ ନବପ୍ରାଣରେ ଉଦ୍ଜୀବିତ
କରିବାର ସର୍ବଦା ଦୁଇଟି ବାଟ ରହିଛି
- ରାଜନୈତିକ
ଓ ସାଂସ୍କୃତିକ । ପ୍ରଥମଟି ବିପ୍ଳବ
ଓ ଦ୍ୱିତୀୟଟି ନବଚୈତନ୍ୟ ବା
ରେନେସାଁ ନାମରେ ଖ୍ୟାତ । ରାଜନୈତିକ
ବିପ୍ଳବ ଦ୍ୱାରା ଲୋକସମୂହର
ଆର୍ଥିକ,
ସାମାଜିକ
ଆଦି ଭୌତିକ କଲ୍ୟାଣ ଆଶା କରାଯାଏ
। ନବଚୈତନ୍ୟ ଫଳରେ
ବୌଦ୍ଧିକ,
ନୈତିକ
ଓ ଆଧ୍ୟାତ୍ମିକ ମୂଲ୍ୟବୋଧର ନବୋଦୟ
ହୁଏ । ଏ ଦୁଇଟି ପ୍ରଣାଳୀ ପରସ୍ପରର
ପରିପୂରକ ଭୌତିକ ବିପ୍ଳବ ପଛରେ
ଯଦି ବୌଦ୍ଧିକ ନବୋଦୟର ପୃଷ୍ଠଭୂମି
ନଥାଏ କିମ୍ବା,
ଅନ୍ୟ
କଥାରେ,
ବୌଦ୍ଧିକ
ବିପ୍ଳବ ଯଦି ରାଜନୈତିକ ବିପ୍ଳବର
ଦିଗଦର୍ଶକ ନହୋଇ କେବଳ ଏକ ଉପଶାଖା
ହୋଇ ପରେ ବାହାରେ,
ତାହା
ଏକାଙ୍ଗୀ ବିପ୍ଳବ ହୋଇଯିବ ଓ
ତହିଁରୁ ଉଦ୍ଭୁତ ସଭ୍ୟତା ବା
ସାମାଜିକ ବିକାଶ କେବେ ହେଲେ
ମାନବୀୟ ଧାରାରେ ପରିସ୍ଫୁଟିତ
ହୋଇପାରିବ ନାହିଁ । କମ୍ୟୁନିଷ୍ଟ୍ ବିପ୍ଳବ ଏହାର ପ୍ରକୃଷ୍ଟ ଉଦାହରଣ
। ଏହା ପ୍ରଧାନତଃ ଏକ ଅର୍ଥନୈତିକ
ଆନ୍ଦୋଳନ ଓ
ସାଂସ୍କୃତିକ ପରିର୍ବନ ଏହାର
ଉପଶାଖା ଓ ଅଧିନସ୍ଥ ରୂପେ ଦେଖାଦିଏ
। ଏକ ସର୍ବାଙ୍ଗୀନ ବିପ୍ଳବ ପାଇଁ
ରାଜନୈତିକ ତଥା ସାଂସ୍କୃତିକ
ବିପ୍ଳବ ଉଭୟ ସମାସ୍କନ୍ଧ ଭାବରେ
ଆବିର୍ଭୁତ ହୋଇ ଜନମତକୁ ଉଦ୍ବେଳିତ
କରିବା ଆବଶ୍ୟକ । ଭାରତ ପାଇଁ
ଯେଉଁମାନେ ଏକ ଗରୀୟସୀ ଭବିଷ୍ୟତର
କଳ୍ପନା କରୁଛନ୍ତି,
ସେମାନେ
ଉଭୟ ବିପ୍ଳବର ଆବଶ୍ୟକତା ବୋଧକରିବା
ଉଚିତ୍ ।
ଭାରତୀୟ
ବୁଦ୍ଧିଜୀବୀର କାର୍ଯ୍ୟକଳାପକୁ
ଲକ୍ଷ୍ୟ କଲେ ଜଣାଯିବ ଯେ ଉପର
ବର୍ଣ୍ଣିତ ସମାଜ ଓ ବ୍ୟକ୍ତିର
ନୈତିକ ଅଧୋଗତିର ସମ୍ମୁଖୀନ ହେବା
ପରିବର୍ତ୍ତେ ସେ ତାହାର
ଶିକାର ହୋଇଛି । ଭାରତୀୟ ସମାଜ
ପରାଧୀନତାରୁ ମୁକୁଳିବା ପରେ
ସମାଜକୁ ଚଳାଇବା ନିମନ୍ତେ ଭାରତୀୟ
ବୁଦ୍ଧିଜୀବୀମାନଙ୍କ ଉପରେ ଏକ
ବିରାଟ ନୂଆ ଦାୟିତ୍ୱ ଆସି ପଡ଼ିଲା
। ସେ ଦାୟିତ୍ୱ ହେଉଛି ଭାରତୀୟ
ସମାଜ ଆଗରେ ଯେଉଁ ବିବିଧ ସମସ୍ୟା
ଅଛି ସେଗୁଡ଼ିକର ମନନ ଚିନ୍ତନ କରି
ସମାଧାନର ମାର୍ଗ ଦେଖାଇବା,
ବ୍ୟବସ୍ଥିତ
ରୀତି ନୀତିକୁ ପରୀକ୍ଷା କରି
ରଚନାମୂଳକ ତଥା ନ୍ୟାୟମୂଳକ
ସମାଲୋଚନା କରିବା । ଏ କାର୍ଯ୍ୟ
ପାଇଁ ମୌଳିକତାର ଦରକାର ଥିଲା
ବର୍ତ୍ତମାନର ଜାଗତିକ
ଓ ଭାରତୀୟ ପରିସ୍ଥିତିରେ ।
କାରଣ
ଭାରତ ଯେପରି ଏକ ଯୁଗ-ସଙ୍କଟ
କାଳରେ ସ୍ୱାଧୀନ ହୋଇ ନୂଆ ସମାଜ
ହିସାବରେ ନିଜକୁ ଗଢ଼ିବାର ସୁଯୋଗ
ପାଇଲା ତାହା ମଧ୍ୟ ବିଲକ୍ଷଣ ।
ଭାରତ ସ୍ୱାଧୀନ ହେଲାବେଳକୁ
ପ୍ରଚଳିତ ସଭ୍ୟତା ଭୁଷୁଡ଼ି ପଡ଼ୁଛି
। ଦୁଇଟି ମହାଯୁଦ୍ଧର ଫଳ ସ୍ୱରୂପ
ଆଣବିକ ବୋମାର ଉଦ୍ଭାବନ ଓ
ଶାନ୍ତିକାଳରେ ମଧ୍ୟ ସଭ୍ୟ
ଦେଶମାନଙ୍କର ଦୁଇଟି ଯୋଦ୍ଧୃମଣ୍ଡଳୀରେ
ବିଭକ୍ତ ହୋଇଯିବା,
ପାଶ୍ଚାତ୍ୟ
ସଭ୍ୟତାର ଅବସାନ ଓ ବିଘଟନର ନିର୍ଭୁଲ
ନିଦର୍ଶନ । ତାହାର ଏକପଟେ ଆସୁରିକ
ଯୁଦ୍ଧ ଓ ସାମ୍ରାଜ୍ୟବାଦର
ଅଭିବ୍ୟକ୍ତି ଓ ଅନ୍ୟଆଡ଼େ
ହିଂସାତ୍ମକ ଅର୍ନ୍ତଯୁଦ୍ଧ ଓ
ଅମାନୁଷିକ ଅଧିନାୟକବାଦର ଅଭିବ୍ୟକ୍ତି
ଓ ଉଭୟ ମଧ୍ୟରେ ଅସରନ୍ତି
କଳହ ଓ ମାରଣାସ୍ତ୍ର ପ୍ରତିଯୋଗିତା
। ଏହି
ପରିସ୍ଥିତି ଭିତରେ ଭାରତ ଭଳି ଏକ
ଜନସମାଜ ପୃଥିବୀ ଇତିହାସ ବକ୍ଷରେ
ଯେତେବେଳେ ବାଟ ଖୋଜିଲା,
କୌଣସି
ପରିଷ୍କାର ରାସ୍ତା ତା ଆଗରେ ନଥିଲା
।
ଅବଶ୍ୟ
ପାଶ୍ଚାତ୍ୟ ସଭ୍ୟତାର ଗାରିମାରେ
ସ୍ତବ୍ଧ ପ୍ରାଚ୍ୟ ମସ୍ତିଷ୍କ
ପକ୍ଷରେ ଇଂଲଣ୍ଡ୍,
ରୁଷିଆ
ବା ଆମେରିକା ଭଳି ଶିଳ୍ପୋନ୍ନତ
ଦେଶ ହେବାର ଆକାଂକ୍ଷା ସ୍ୱାଭାବିକ
ଥିଲା । ଜାପାନ ଓ ଚୀନ୍ ଦୁଇ ଭିନ୍ନ
ବାଟରେ ଏହି ପାଶ୍ଚାତ୍ୟ ଅନୁକରଣର
ଆଦର୍ଶ ଗ୍ରହଣ କରିଛନ୍ତି ଓ
ଯେକୌଣସି ମୂଲ୍ୟରେ ତାହା ହାସଲ
କରିବାକୁ ଚାହାନ୍ତି । ଆକାଂକ୍ଷାଟି
ମୋଟ ଉପରେ ଏହି -
‘ଆମେ
ପଛୁଆ ଦେଶ । ଇଂଲଣ୍ଡ୍,
ଆମେରିକା
ବା ରୁଷିଆ ଆଗୁଆ ଦେଶ । ସଭ୍ୟ ଓ
ଶକ୍ତିଶାଳୀ ହେବାପାଇଁ ଆମକୁ
ସେମାନଙ୍କ ପରି ହେବାକୁ ହେବ ।
ତାଙ୍କର ବଡ଼ ବଡ଼ ଶିଳ୍ପ ଓ ବିଜ୍ଞାନ
ସାହାଯ୍ୟରେ ଆମେ ଏହା କରିପାରିବା’
। ଭାରତୀୟ ମସ୍ତିଷ୍କ ଏହି ଆକାଂକ୍ଷାକୁ
ସହଜ ଓ ପ୍ରତ୍ୟକ୍ଷ ଭାବରେ ଗ୍ରହଣ
କରିପାରି ନାହିଁ । ଏହାର କାରଣ
ବୁଦ୍ଧ-ଉପନିଷଦର
ସୁଦୂର ଅତୀତର ପରମ୍ପରା ନୁହେଁ
। କାରଣ ଚୀନ୍ ରେ ମଧ୍ୟ
କନ୍ଫୁସିଅସ୍ ପରମ୍ପରା ଥିଲା ।
ସଭ୍ୟତାର ଯୁଗ ବଦଳିଲା ପରେ ପୁରୁଣା
ପରମ୍ପରାକୁ ଛାଡ଼ିବା ପାଇଁ ସାହସ
ଆସିଯାଏ । କିନ୍ତୁ ସୌଭାଗ୍ୟକ୍ରମେ
ବା ଦୁର୍ଭାଗ୍ୟକ୍ରମେ ଏହି ସୁଦୂର
ଅତୀତର ପରମ୍ପରା ହଠାତ୍ ଏକ ନୂଆ
ଆତ୍ମା ଘେନି ଭାରତର ମନକୁ ଆନ୍ଦୋଳିତ
କଲା । ଯାହା ଫଳରେ
ଭାରତୀୟ ମସ୍ତିଷ୍କ ଓ ହୃଦୟ ପୃଥିବୀର
ପ୍ରଚଳିତ ମୂଲ୍ୟ ବ୍ୟବସ୍ଥାକୁ
ଗ୍ରହଣ କରିବାର ସ୍ୱାଭାବିକତା
ଓ ସହଜତା ହରାଇ ପକାଇଲା । ଏଥିରେ
ଅନ୍ତର୍ନିହିତ ସମସ୍ୟାକୁ ବୌଦ୍ଧିକ
ପାରମ୍ପରିକତାର ସମସ୍ୟା ବୋଲି
ସମାଜ ଶାସ୍ତ୍ରୀୟ ଭାଷାରେ
କୁହାଯାଇପାରେ । ଚୀନ୍ ର ଉଦାହରଣରୁ ପ୍ରକୃଷ୍ଟ ଭାବେ
ଦେଖାଯାଇଛି ଯେ ଗୋଟିଏ ସଭ୍ୟତା
ନିହାତି ଅଚଳନ୍ତି ଓ ନିଷ୍କ୍ରିୟ
ହୋଇଗଲା ପରେ ତାହାର
ପରମ୍ପରାଗତ ପ୍ରଭାବ ଦୁର୍ବଳ
ହୋଇପଡ଼େ ଓ ନୂତନ ସଭ୍ୟତାର
ଆକର୍ଷଣ ତାହା ଉପରେ
ବିଜୟ ଲାଭ କରେ ।
ଭାରତରେ
ମଧ୍ୟ ତାହା ଘଟିପାରିଥାଆନ୍ତା
। କିନ୍ତୁ ଗାନ୍ଧିଜୀଙ୍କ ଆନ୍ଦୋଳନ
ପାଶ୍ଚାତ୍ୟ-ଅନୁକରଣ
ଧାରାବାହିକତାରେ ଏକ ସଙ୍କଟ ସୃଷ୍ଟି
କରିଦେଇଛି । ଏହା କେବଳ ସାମୟିକ
ନା ଯୁଗ ପ୍ରବର୍ତ୍ତକ,
ତାହା
ଭବିଷ୍ୟତର ଇତିହାସ କହିବ;
କିନ୍ତୁ
ଏକଥା ନିଶ୍ଚୟ ଯେ ପ୍ରାଚ୍ୟର
ବୌଦ୍ଧିକ ଇତିହାସରେ ଏକ ପାର୍ଥକ୍ୟ
ଆସିଯାଇଛି । ଗାନ୍ଧୀ ପୁରାତନର
ବାହକ ନଥିଲେ । ପ୍ରଚଳିତ ସଭ୍ୟତା
ଓ ମୂଲ୍ୟ ବ୍ୟବସ୍ଥାରେ ଅସନ୍ତୁଷ୍ଟ
ହୋଇ ଏକ ଅଲଗା ବାଟ ଖୋଜିବା ପାଇଁ
ଗୀତା ଓ ବୁଦ୍ଧଙ୍କୁ ସେ ଭିତ୍ତି
କରିଥିଲେ । ଆଧୁନିକ
ଯୁଗରୁ ପୁଷ୍ଟିକରଣ ସକାଶେ ଥୋରୋ,
ରସ୍କିନ୍
ଓ ଟଲଷ୍ଟୟଙ୍କ ପାଖରେ
ପହଞ୍ଚିଲେ । କ୍ଷୁଦ୍ର
ବିଦ୍ୟାବୁଦ୍ଧିସମ୍ପନ୍ନ ଭାରତୀୟ
ବୁଦ୍ଧିଜୀବୀମାନେ ଏ ପର୍ଯ୍ୟନ୍ତ
ଏକଥାକୁ ଭୁଲ୍ ଭାବରେ ଅର୍ଥ
କରିଆସିଛନ୍ତି । ତାଙ୍କ ମତରେ
ଗାନ୍ଧୀ କେବଳ ଜଣେ ‘ମହାତ୍ମା’
ଓ ନିଛକ ଆଦର୍ଶବାଦୀ ସାଧକ ଥିଲେ
। ସେ ନେହେରୁଙ୍କ ଭଳି,
ଏମ୍.ଏନ୍.ରାୟଙ୍କ
ଭଳି ବା ଜୟପ୍ରକାଶ୍ ନାରାୟଣ
ଙ୍କ ଭଳି (ଯେଉଁମାନେ
ୟୁରୋପ୍ ଆମେରିକା
ଯାଇ ସୋସାଲିଜିମ୍,
ମାର୍କ୍ସବାଦ
ଓ ବସ୍ତୁବାଦ ପ୍ରଭୃତି ଶିଖି
ଆସିଲେ)
ବୁଦ୍ଧିଜୀବୀ
ନଥିଲେ ।
ଜଣେ
ଭାରତୀୟ ବୁଦ୍ଧିଜୀବୀ ଗାନ୍ଧୀଙ୍କ
ଜୀବନକୁ ଏହି ଦୃଷ୍ଟିରୁ ବିଶ୍ଳେଷଣ
କରି ଲେଖିଛନ୍ତି ଯେ ଅନ୍ୟମାନେ
ପାଶ୍ଚାତ୍ୟ ଅନୁଭୂତିରୁ ଲାଭ
ଉଠାଇ ବିଜ୍ଞାନ,
ଶିଳ୍ପ
ଓ ରାଜନୈତିକ ଆଦର୍ଶବାଦ
ପ୍ରଭୃତି ଗ୍ରହଣ କଲାବେଳେ ଗାନ୍ଧୀ
ବିଲାତରେ ପତ୍ରପତ୍ରିକାରେ ନିରାମିଷ
ଖାଦ୍ୟ ସମ୍ବନ୍ଧରେ ପ୍ରବନ୍ଧ
ଲେଖୁଥିଲେ । ଏହି ବ୍ୟଙ୍ଗୋକ୍ତିର
ରଚୟିତା ଜଣେ କମ୍ୟୁନିଷ୍ଟ
ହେଲେ ମଧ୍ୟ ଗାନ୍ଧୀଙ୍କ ଜୀବନ
ବିଷୟରେ ସବୁ ଶ୍ରେଣୀର ବୁଦ୍ଧିଜୀବୀଙ୍କର
ଏହା ଏକ ସାଧାରଣ ମନ୍ତବ୍ୟ । ସେମାନେ
ବୁଝନ୍ତି ନାହିଁ ଯେ ଗାନ୍ଧୀଙ୍କର
ବଳିଷ୍ଠ ଓ ମୌଳିକ ବୁଦ୍ଧି ପାଶ୍ଚାତ୍ୟ
ସଭ୍ୟତାକୁ ମଧ୍ୟ ପୁରୁଣା ଓ ଅଚଳନୀୟ
ଭାବି ନୂଆ ମୂଲ୍ୟବୋଧର କଳ୍ପନା
କରୁଥିଲା । ତାହାର
ଉପଲବ୍ଧି ପାଇଁ ସେ
ନେହେରୁଙ୍କ ଭଳି ବ୍ରିଟିଶ୍
ରାଜନୀତି ଓ ସଂସ୍କୃତି ଭିତରେ
ଦୃଷ୍ଟି ନିବଦ୍ଧ ନକରି ବା ଏମ୍.ଏନ୍.
ରାୟଙ୍କ
ଭଳି ବସ୍ତୁବାଦରେ,
ଜୟପ୍ରକାଶ୍ ନାରାୟଣଙ୍କ ଭଳି ଆମେରିକୀୟ
ପ୍ରାଗ୍ମେଟିଜିମ୍ ରେ
ଭାସି ନଯାଇ,
ରୁଷିୟାର
ଟଲଷ୍ଟୟ,
ଆମେରିକାର
ଥୋରୋ ଓ ଇଂଲଣ୍ଡ୍ର ରସ୍କିନ୍ ଙ୍କ
ପରି ସାରା ଜଗତରୁ ନିଜର ଆଦର୍ଶ
ପାଇଁ ପ୍ରେରଣା ଖୋଜିଥିଲେ ।
ସେ ନିଜ ବିଶ୍ୱାସର ପ୍ରଥମ
ପ୍ରୟୋଗ ଭାରତରେ ନୁହେଁ,
ଦକ୍ଷିଣ
ଆଫ୍ରିକାରେ ହିଁ କରିଥିଲେ
। ତାଙ୍କ ବୁଦ୍ଧିର ବିଶ୍ୱପ୍ରସାର
ଓ ଦୂରଦୃଷ୍ଟି ତୁଳନାରେ ପାଶ୍ଚାତ୍ୟ
ପୁସ୍ତକ ଶିକ୍ଷାରୁ ବୋଲାଉଥିବା
ବୁଦ୍ଧିଜୀବୀ ଯେ କେତେ ହୀନ ଓ
କ୍ଷୁଦ୍ର ତାହା ଲକ୍ଷ୍ୟ କରିବା
କଥା । ଠିକ୍ ଭାବରେ କହିବାକୁ ଗଲେ
ଗାନ୍ଧୀ ସମସାମୟିକ ବିଶ୍ୱବାଦିତାକୁ
ଅମାନ୍ୟ କରି ଏକ ନୂଆ ବିଶ୍ୱବାଦିତାର
ପ୍ରତିଷ୍ଠା ପାଇଁ ଏତେ ଦୃଢ଼ ଥିଲେ
ଯେ ଇଂଲଣ୍ଡ୍ ଓ ଦକ୍ଷିଣ ଆଫ୍ରିକାରେ
ଜୀବନର ପ୍ରଥମ ଯୌବନରେ ରହି ସୁଦ୍ଧା
ପାଶ୍ଚାତ୍ୟ ସଭ୍ୟତାର ଜାକଜମକରେ
ସେ ଭାସିଯାଇ ନଥିଲେ ।
ଭାରତୀୟ
ସ୍ୱାଧୀନତା ବିକାଶର ନେତୃତ୍ୱ
ଗାନ୍ଧିଜୀ ନେଲେ । ତାଙ୍କ
ଦର୍ଶନର ପ୍ରଭାବ ଭାରତୀୟ ମନରେ
ପଡ଼ିଛି । କିନ୍ତୁ ନେତୃତ୍ୱର
ସଙ୍ଗଠନ ଓ ପରିଚାଳନା ପାଇଁ ଯେଉଁମାନେ
ଏହାର ଉରାଧିକାରୀ ହେଲେ ସେମାନେ
ଗାନ୍ଧୀଙ୍କର ଦୂରଦୃଷ୍ଟିକୁ
ଗ୍ରହଣ କରି ନଥିଲେ ବା ଏହାର
ବିରୋଧପକ୍ଷୀୟ ଥିଲେ । ଏହି ଦୁଇ
ଶ୍ରେଣୀର ପ୍ରତୀକରୂପେ ଶ୍ରୀ
ନେହେରୁ ଓ ଶ୍ରୀ ଦେଶମୁଖ୍
ଙ୍କୁ ନିଆଯାଇପାରେ । ଯେଉଁମାନେ
ନିଜକୁ ଗାନ୍ଧୀବାଦୀ ବୋଲାଇଲେ,
ସେମାନେ
ଗାନ୍ଧୀଙ୍କର କେତେକ କାର୍ଯ୍ୟକ୍ରମର
ଉପର ଆକୃତିକୁ ହିଁ ରୂଢ଼ି ରୂପେ
ଧରି ଏତେ ସଙ୍କୀର୍ଣ୍ଣ
ଓ ହୀନବଳ ହୋଇଗଲେ ଯେ ସେମାନଙ୍କର
ସାମାଜିକ ମହତ୍ୱ ବିଶେଷ ରହିଲା
ନାହିଁ । ପରେ ସର୍ବୋଦୟ
ବା ଖଦୀ ନାମରେ ଜନମଙ୍ଗଳ ଓ କମ୍ୟୁନିଟି
ପ୍ରୋଜେକ୍ଟ୍ ବିଭାଗମାନଙ୍କ
ଜରିଆରେ ଶାସନକଳର ଆଶ୍ରୟ ପ୍ରାର୍ଥୀ
ହେଲେ । ଶ୍ରୀ ନେହେରୁଙ୍କ ଭଳି
ପାଶ୍ଚାତ୍ୟ ସଭ୍ୟତାର ପ୍ରଶଂସକ
ଓ ଚିନ୍ତାମଣି ଦେଶମୁଖଙ୍କ ଭଳି
ଆଇ.ସି.ଏସ୍.
ଅଫିସରଙ୍କର
ସାଧାରଣ ଚିନ୍ତାଧାରା ଓ ଦୃଷ୍ଟିକୋଣ
ହିଁ ଆଜି ଭାରତରେ ରାଜନୈତିକ,
ଆର୍ଥିକ
ଓ ସାମାଜିକ ବିକାଶ ନିମନ୍ତେ
କାର୍ଯ୍ୟକାରୀ ହେଉଛି ।
No comments:
Post a Comment