Sunday, May 15, 2016

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ୧ମ ଓ ୨ୟ ଅଧ୍ୟାୟ




ମାର୍କସ୍ ଅରିଲସ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ତୁମ୍ଭର ପ୍ରତ୍ୟେକ ଦିନ, ନିଜକୁ ଏହା କହି ଆରମ୍ଭ ହେଉ, ଯେ - ଆଜ ଆମ୍ଭେ ଅଯଥା ହସ୍ତକ୍ଷେପ, କୃତଘ୍ନତା, ବିଶ୍ୱାସଘାତକତା, ଦ୍ୱେଷ ଓ ସ୍ୱାର୍ଥପରତା ଆଦିକୁ ଭେଟିବୁ । ଏସବୁଥିର କାରଣ ହେଲା ଦୋଷୀର ଶ ିବ ଓ ଅ-ଶିବ ମଧ୍ୟରେ ପ୍ରଭେଦ କରିପାରିବାର କ୍ଷମତାର ଅଭାବ । ମୁଁ ନିଜେ ଅବଶ୍ୟ ଅନେକ କାଳ ହେଲାଣି ଶିବ, ତାହାର ଚରିତ୍ର ଓ ଔଦାର୍ଯ୍ୟ, ତଥା ଅ-ଶିବ ର ନିଚ୍ଚତା ବିଷୟରେ ଜ୍ଞାନଲାଭ କରିଛି । ଏହା ଛଡ଼ା, ଯେ ମୋର ଅପରାଧି, ସେ ମୋହର ଭ୍ରାତା ମଧ୍ୟ । ସେ ଅବଶ୍ୟ ମୋହର ଭାଇ, ତୁଚ୍ଛା ଶାରୀରିକ ଅର୍ଥରେ, ସହୋଦର ଭାବରେ ନୁହେଁ । ମାତ୍ର ବିବେକ ସମ୍ପନ୍ନ ଓ ପରମଶିବଙ୍କର ଅଂଶରୂପୀ ହୋଇଥିବାରୁ, ସେ ମୋର ଭ୍ରାତା । ତେଣୁ ଏ ସବୁକିଛି ମୋହର କିଛି କ୍ଷତି ନକରିପାରନ୍ତି । ଯାହାକିଛି ଭ୍ରଷ୍ଟକାରୀ, ସେଥିରେ ମୋତେ କେହି ଲିପ୍ତ କରାଇପାରିବେ ନାହିଁ । ମୁଁ ଏଥିନିମନ୍ତେ ମୋର ଭ୍ରାତା ଉପରେ କ୍ରୋଧ କରିିପାରିବି ନାହିଁ କିମ୍ବା ତାହା ସହିତ ସମ୍ପର୍କ ଖରାପ କରିବା ଅନୁଚିତ ହେବ । କାରଣ ଗୋଟିଏ ମଣିଷର ଦୁଇଟି ହସ୍ତ, ପାଦ, ଭ୍ରୁଲତା, କିମ୍ବା ଉପର ବା ତଳ ମାଢ଼ିର ଦାନ୍ତ ପରି, ଆମ୍ଭେ ଦୁଇଜଣ ମିଳିତ ଭାବରେ କର୍ମ କରିବା ନିମନ୍ତେ ନିର୍ମିତ । ପରସ୍ପରର ପଥରୋଧ କରିବା ପ୍ରକୃତିର ନିୟମ ବିରୁଦ୍ଧ । ଏବଂ ବିରକ୍ତି ଓ ପରାଙ୍ମୁଖତା ପଥରୋଧର ହିଁ ଭିନ୍ନ ରୂପ । 




କିଞ୍ଚିତ ମାଂସ, କିଛି ପ୍ରାଣବାୟୁ ଓ ଏସବୁ ଉପରେ ଶାସନ କରିବା ପାଇଁ ଉଦ୍ଦିଷ୍ଟ ବିବେକ - ଏସବୁ କିଛି ହେଲି ମୁଁ । ନିଜର ପୋଥିଗୁଡ଼ିକୁ  ବିସ୍ମରିତ କର । ସେଗୁଡ଼ିକ ମନ୍ୟୁଷର ସାଜର ଅଂଶବିଶେଷ ନୁହେଁ । ଏଣୁ ପୁସ୍ତକ ପଛରେ ଲାଳାୟିତ ହେବାର କୌଣସି କାରଣ ନାହିଁ । ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚି, ଶରୀର ଓ ତାହାର ଅଠାଳିଆ ରକ୍ତ, ଅସ୍ଥି, ତଥା ସ୍ନାୟୁ ଓ ଶିରା-ପ୍ରଶିରାର ଜାଲ ବିଷୟରେ ଚିନ୍ତା କରନାହିଁ । ଏ ପ୍ରାଣ ମଧ୍ୟ କି ଜାତି ପଦାର୍ଥ ! ପବନର ହାବୁକାଏ ମାତ୍ର । ଯାହାର ସ୍ଥାୟିତ୍ତ୍ୱ ନାହିଁ । ଓ ଯାହାର ଭାଗ୍ୟ ପ୍ରତି ମୁହୂର୍ତ୍ତରେ ନିଷ୍କାସିତ ଓ ଅନ୍ତରିତ ହେବା । ମାତ୍ର ତୃତୀୟ ବସ୍ତୁଟି ଉପରେ, ଅର୍ଥାତ୍ ବିବେକ ଉପରେ ତୁମ୍ଭେ ଧ୍ୟାନ କେନ୍ଦ୍ରିତ କର । ତୁମ୍ଭର କେଶ ବର୍ତ୍ତମାନ ପକ୍ୱ । ତେଣୁ ନିଜର ବିବେକକୁ ଦାସତ୍ତ୍ୱରୁ ମୁକ୍ତ କର - ଯେପରି ତାହା ସ୍ୱାର୍ଥର ପ୍ରତି ଟଣାରେ କାଠକଣ୍ଢେଇ ସମ ନର୍ତ୍ତନ ନ କରେ । ଏବଂ ବର୍ତ୍ତମାନ ବିଷୟରେ କଚରବଚର ହୋଇ ଓ ଅତୀତ ବିଷୟରେ ବିଳାପ କରି, ଦୈବ ଉପରେ କ୍ରୋଧ କରନାହିଁ । 

No comments:

Post a Comment