Monday, May 02, 2016

ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୨


ଲେଖକ - କିଶନ ପଟ୍ଟନାୟକ


କପିରାଇଟ୍ - ବାଣୀମଞ୍ଜରୀ ଦାସ 


ଇଶ୍ୱରଚନ୍ଦ୍ର ବିଦ୍ୟାସାଗର
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଭାରତୀୟ ସ୍ୱାଧୀନତା ବିକାଶର ଏହି ବିବର୍ତ୍ତନ ସାଙ୍ଗରେ ଆହୁରି ଟିକିଏ ପୁରୁଣା କଥା ଯୋଡ଼ିଦେଲେ ଭାରତୀୟ ବୁଦ୍ଧିଜୀବୀର ପୃଷ୍ଠଭୂମି ସ୍ପଷ୍ଟ ହୋଇଯିବ । ବ୍ରିଟିଶ୍ ଶାସନର ପ୍ରତିଷ୍ଠା ଫଳରେ ଭାରତୀୟ ସମାଜର ତାହା ପ୍ରତି ଯେଉଁ ପ୍ରତିକ୍ରିୟା ହେଲା ତାହା ଦୁଇ ଭିନ୍ନ ଧରଣର ଏକ ଦିଗରେ ପୁରାତନ ଜ୍ଞାନ ଓ ସଭ୍ୟତାର ପୁନରୁତ୍ଥାନ କରିବାକୁ ଚେଷ୍ଟା କରି ନିଜର ଜାତୀୟ ଗୌରବ ଜରିଆରେ ବିଦେଶୀ ଧୃଷ୍ଟତାର ସମ୍ମୁଖୀନ ହେବା ଅନ୍ୟ ଦିଗରେ ପାଶ୍ଚାତ୍ୟ ଜ୍ଞାନ ହାସଲ କରି ବିଦେଶୀ ଅସ୍ତ୍ରବଳରେ ବିଦେଶୀଙ୍କ ଉପରେ ବିଜୟୀ ହେବା ପାଇଁ ତତ୍ପରତା । ଭାରତର ସାଧାରଣ ବୁଦ୍ଧିଜୀବୀ ପରେ ପରେ ଏ ଦୁଇଟିର ମିଶ୍ରଣ ଚାହିଁଲା ସେହି ଦୃଷ୍ଟିରୁ ରାମମୋହନ ରାୟ ବୋଧହୁଏ ଏହି ଶ୍ରେଣୀର ପିତା । କିନ୍ତୁ ଟିକିଏ ଭିତିରିଆ କରି ଦେଖିଲେ ଏହାର ମୂଳରେ ଏକ ଆତ୍ମନ୍ୟୁନତା ଦେଖାଯିବ । ପ୍ରକୃତରେ, ଏହି ମନୋଭାବରେ, ପାଶ୍ଚାତ୍ୟ ପ୍ରତି ମୋହ ହେଲା ପ୍ରଧାନ କଥା । ନିଜର ନ୍ୟୁନତାକୁ ଘୋଡ଼ାଇବା ପାଇଁ ଭାରତୀୟ ଆଧ୍ୟାତ୍ମିକତା ଆଦିର ସ୍ଫାଳନ ମଧ୍ୟ କରାଯାଏ । ଭାରତୀୟ ଧର୍ମ ଓ ଦର୍ଶନକୁ ୟୁରୋପୀୟ ଚିନ୍ତାର ଛାଞ୍ଚରେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରାଯାଏ । ହଜାର ହଜାର ବର୍ଷ ପୂର୍ବର ଏକ ମୃତ ସଭ୍ୟତା ଓ ପ୍ରଚଳିତ ଏକ ଶକ୍ତିଶାଳୀ ସଭ୍ୟତାର ମିଶ୍ରଣ କେବେହେଲେ ସମ୍ଭବପର ନୁହେଁ । ଏହା ଏକ ଛଳନା ମାତ୍ର । ଅସଲ କଥା ହେଲା ବିଦେଶୀ ସଭ୍ୟତା, ସଂସ୍କୃତି ଓ ଭାଷା ପ୍ରତି ଆନୁଗତ୍ୟ ।

ଏ ସମ୍ପର୍କରେ ଆହୁରି ଏକ ଐତିହାସିକ ଉଦାହରଣ ଦେବା ଠିକ୍ ହେବ । ରାମମୋହନ ରାୟଙ୍କର ପ୍ରାୟ ସମସାମୟିକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ମଧ୍ୟ ଗାନ୍ଧୀଙ୍କ ପରି ଭାରତୀୟ ବୁଦ୍ଧିଜୀବୀ ଦ୍ୱାରା ଅବହେଳିତ । ରାମମୋହନଙ୍କଠାରୁ ଅଧିକ ବଳିଷ୍ଠ ଚରିତ୍ରର, ଅଧିକ ମୌଳିକ ଓ ସ୍ୱାତନ୍ତ୍ର୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ଅଧିକାରୀ ହୋଇ ସୁଦ୍ଧା ଭାରତୀୟ ବା ବଙ୍ଗାଳୀ ସଂସ୍କୃତିର ଅଭ୍ୟୁଦୟରେ ତାଙ୍କର ସ୍ଥାନ ଅତି ମ୍ଳାନ ଓ ବଙ୍ଗଳା ବାହାରେ ସେ ପ୍ରାୟ ଅପରିଚିତ । ଏହାର କାରଣ ଆକସ୍ମିକ ନୁହେଁ କାରଣ ତାଙ୍କଠାରୁ ନିମ୍ନ ପ୍ରତିଭାର ବହୁ ବ୍ୟକ୍ତି ବଙ୍ଗଳାରେ ଜନ୍ମି ଭାରତ ବିଖ୍ୟାତ ହୋଇଛନ୍ତି । ତଥା, ନିଜ ପ୍ରଦେଶର ପ୍ରତିଭାକୁ ଚାରିଆଡ଼େ ପ୍ରଚାର କରିବା ବିଷୟରେ ବଙ୍ଗାଳୀ ବୁଦ୍ଧିଜୀବୀ ଭାରତରେ ସର୍ବାପେକ୍ଷା ଦକ୍ଷ ।

ଗାନ୍ଧିଜୀଙ୍କର ଖଦୀ, ରାଷ୍ଟ୍ରଭାଷା ଓ ହରିଜନ ଆନ୍ଦୋଳନର ବହୁପୂର୍ବରୁ, ଗାନ୍ଧୀଙ୍କ ପରି ବିଶଦ ଓ ପୂର୍ଣ୍ଣଭାବରେ ନହେଲେ ସୁଦ୍ଧା ପ୍ରତୀକ ଭାବରେ ଓ ଅଦମ୍ୟ ବଳିଷ୍ଠତାର ସହ ଈଶ୍ୱରଚନ୍ଦ୍ର ଚପଲ-ଜୋତା ସଙ୍ଘର୍ଷ, ବିଧବା ବିବାହ ଆନ୍ଦୋଳନ ଓ ବିଶ୍ୱବିଦ୍ୟାଳୟର ଚରମ ପର୍ଯ୍ୟନ୍ତ ବଙ୍ଗଳା ମାଧ୍ୟମରେ ଶିକ୍ଷା ଦାବି ଜରିଆରେ ସାମାଜିକ ସମାନତାର ବିପ୍ଳବ ଠିଆ କରିବା ଓ ପୁରାତନ ସାମାଜିକ ମୂଲ୍ୟ ବିରୁଦ୍ଧରେ ବିଦ୍ରୋହ କରିବା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ସଭ୍ୟତା ପ୍ରତି ଆନୁଗତ୍ୟର ମଧ୍ୟ ସିଧାସଳଖ ପ୍ରତିରୋଧ କରିଥିଲେ । ଏଥିପାଇଁ ତାଙ୍କର ଐତିହାସିକ ମହତ୍ତ୍ୱକୁ ବୁଝିବା କଠିନ ହୋଇଛି । ବିଦ୍ୟାସାଗରଙ୍କୁ ଜଣେ ଦାନଶୀଳ ପଣ୍ଡିତ ଛଡ଼ା ଅନ୍ୟରୂପେ ବହୁତ କମ୍ ଲୋକ ଜାଣନ୍ତି ଅଥଚ, ପଶ୍ଚିମ ସଂସ୍କୃତି ଓ ଇଂରାଜୀ ଶିକ୍ଷାର ସ୍ୱାଗତରେ ଅଭିଭୂତ ହୋଇ ପଡ଼ିଥିବା ବହୁବ୍ୟକ୍ତିଙ୍କୁ ଆଜି ଭାରତୀୟ ନବଚୈତନ୍ୟର ପିତା ବୋଲି ଆମର ଔତିହାସିକମାନେ କହନ୍ତି । ଇଂରାଜୀ ମାଧ୍ୟମ ଓ ଇଂରାଜୀ ପୋଷାକ ପ୍ରତି ବିରୋଧ ବୋଧହୁଏ ବିଦ୍ୟାସାଗରଙ୍କର ଖ୍ୟାତିରେ ପ୍ରତିବନ୍ଧକ ହୋଇଛି ।

ବିଦ୍ୟାସାଗର ଓ ଗାନ୍ଧୀ ଯେଉଁ ଉଦ୍ୟମର ପ୍ରତିନିଧିତ୍ୱ କରନ୍ତି ତାହା ପୁରାତନ ସଭ୍ୟତାର ମୂଲ୍ୟ ବ୍ୟବସ୍ଥାକୁ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ପ୍ରଚଳିତ ସଭ୍ୟତା ଦ୍ୱାରା ଅଭିଭୂତ ହୋଇନାହିଁ । ଏପରି ମନୋଭାବର ଏକ ବିଶିଷ୍ଟ ପରିଣାମ ହୋଇପାରେ ସମ୍ମୁଖସ୍ଥ ସବୁ ସମସ୍ୟାକୁ ନୂଆ ଦୃଷ୍ଟିରେ ସମାଧାନ କରିବାକୁ ଚେଷ୍ଟା କରି ନୂଆ ସଂସ୍କୃତି ଆଡ଼କୁ ଅଗ୍ରସର ହେବା । ଆମର ଦୁର୍ଭାଗ୍ୟ ଯେ ମୌଳିକତାର ଏହି ବଳିଷ୍ଠ ଉତ୍ସକୁ ଭାରତୀୟ ବୁଦ୍ଧିଜୀବୀମାନେ ଏପର୍ଯ୍ୟନ୍ତ ଅବହେଳାର ବାଲିବନ୍ଧ ଦ୍ୱାରା ରୁଦ୍ଧ କରି ରଖିଛନ୍ତି । ସେମାନେ ପ୍ରବାହିତ ହୋଇ ଚାଲିଛନ୍ତି ଏକ ସହଜ ଧାରାର ସୁଅରେ - ଯେଉଁ ପରମ୍ପରାର ପ୍ରତିନିଧି ହିସାବରେ ରାମମୋହନ ରାୟ, ମୋତିଲାଲ୍ ନେହେରୁ ଓ ଶ୍ରୀ ରାଧାକୃଷ୍ଣନ୍ ପ୍ରଭୃତିଙ୍କୁ ନିଆଯାଇପାରେ ।

ଏଭଳି ଐତିହାସିକ ଅବତାରଣାର ତାତ୍ପର୍ଯ୍ୟ ଏହି ଯେ ଆଧୁନିକ ଭାରତୀୟ ବୁଦ୍ଧିଜୀବୀ ଶ୍ରେଣୀର ନିଷ୍ଫଳତା ବିଚାର କଲାବେଳେ ତାହାର ପାରିପାର୍ଶ୍ୱିକ ସଙ୍କଟକୁ ମଧ୍ୟ ବିଶ୍ଳେଷଣ କରିବା ଦରକାର । ବୁଦ୍ଧିଜୀବୀ ଶୂନ୍ୟରେ ବୁଦ୍ଧିର ପ୍ରୟୋଗ କରେନାହିଁ । ଯୁଗ ଓ ସମାଜର ସମସ୍ୟା ଉପରେ ତାହାର ବୁଦ୍ଧିର ପ୍ରୟୋଗ ହୁଏ ଏହି ପ୍ରୟୋଗର ପ୍ରଭାବ ଓ ଫଳଦ୍ୱାରା ହିଁ ତାହାର ସାର୍ଥକତା ପ୍ରମାଣିତ ହୋଇପାରେ । ଭାରତୀୟ ସମାଜ ଆଗରେ ଗତ ଦେଢ଼ଶହ ବର୍ଷ ଧରି ଯେଉଁ ସଭ୍ୟତା, ସଂସ୍କୃତି, ରାଜନୀତି ଓ ଅର୍ଥନୀତିର ସମସ୍ୟା ଦେଖାଦେଇଛି ମୋଟ ଉପରେ ତାହା ଏକ ଜଡ଼ତାଗ୍ରସ୍ତ ପ୍ରାଚୀନ ସମାଜର ର୍ବମାନ ଦାରିଦ୍ର୍ୟ, ଅନ୍ଧକାର ଓ କ୍ଷୁଦ୍ରତାରୁ ଉଠି ଆଧୁନିକ ପୃଥିବୀରେ ପ୍ରଭାବଶାଳୀ ହେବା । ଏହି ସମସ୍ୟାର ସମାଧାନ ପାଇଁ ଚାରି ରକମର ଚେଷ୍ଟା ହୋଇଛି ।

ଏକ ଦିଗରେ ଆର୍ଯ୍ୟସମାଜର ଆର୍ଯ୍ୟ ସଂସ୍କୃତି ନାମରେ ପ୍ରାଚୀନ ସଂସ୍କୃତିର ପୁନରୁତ୍ଥାନ, ଅନ୍ୟ ଦିଗରେ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ, ତୃତୀୟରେ ପୁରାତନ ଓ ନୂତନର ଅପମିଶ୍ରଣ ଚତୁର୍ଥରେ ମୂଲ୍ୟ-ବ୍ୟବସ୍ଥା ପ୍ରତି ଘୋର ବିରୋଧ ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ଆଦର୍ଶର ମଧ୍ୟ ପ୍ରତିରୋଧ । ଶେଷୋକ୍ତ ଶ୍ରେଣୀ ଈଶ୍ୱରଚନ୍ଦ୍ର ବା ଗାନ୍ଧୀଙ୍କ ଭଳି ଅତି ଅଳ୍ପଲୋକଙ୍କ ମଧ୍ୟରେ ନିବଦ୍ଧ ହେଲେ ସୁଦ୍ଧା ଏକ ବଳିଷ୍ଠ ମଞ୍ଜି ହୋଇ ଆମ ସମାଜରେ ବଞ୍ଚି ରହିଛି । ପୁନରୁତ୍ଥାନବାଦୀଙ୍କର ସଂଖ୍ୟା ଭାରତରେ ଅଳ୍ପ ନହେଲେ ସୁଦ୍ଧା ବିଜ୍ଞାନ କ୍ଷେତ୍ରରେ କେତେକ ପ୍ରତିକ୍ରିୟାଶୀଳ ଅନୁଷ୍ଠାନର ସମର୍ଥନ ଛଡ଼ା ଏହାର ଅନ୍ୟ କୌଣସି ନୀତି ନାହିଁ । କିନ୍ତୁ ପରୋକ୍ଷଭାବରେ ଭାରତୀୟ, ବିଶେଷତଃ ହିନ୍ଦୁ ମନରେ ଏହାର ପ୍ରଭାବ ଅତି ବେଶୀ ପ୍ରତ୍ୟେକ ହିନ୍ଦୁ ବୋଧହୁଏ ନିଜର ଦୁର୍ବଳ ମୁହୂର୍ତ୍ତରେ ଏହି ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ ହୋଇଥାଏ ।

ଅନ୍ୟ ଦୁଇଶ୍ରେଣୀକୁ ଅଲଗା ନକରି ଏକାଠି କରିବା ଠିକ୍ ହେବ, କାରଣ ଯେଉଁମାନେ ପ୍ରାଚୀନ ଭାରତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ସଭ୍ୟତାକୁ ଏକତ୍ରିତ କରିବା ଚାହାନ୍ତି ସେମାନେ କଥାରେ ଆକର୍ଷକ, କିନ୍ତୁ କାମରେ ଅସମ୍ଭବ କାର୍ଯ୍ୟ କରିବାକୁ ଭାବୁଛନ୍ତି । ଶ୍ରୀ ରାଧାକ୍ରିଷ୍ଣନଙ୍କ ଭଳି ଲେଖିଲା ବେଳେ ପ୍ରାଚୀନ ସଂସ୍କୃତିର ଗୁଣଗାନ କରି ପଶ୍ଚିମା ଲୋକଙ୍କ ମନକୁ ପାଇଲା ଭଳି ବହି ଲେଖନ୍ତି ପ୍ରତ୍ୟକ୍ଷ ଭାବରେ ଉପରାଷ୍ଟ୍ରପତି ଭଳି ସାରଶୂନ୍ୟ, ବିଳାସ ଓ ଆୟାସର ପଦବୀ ଗ୍ରହଣ କରି ସମାଜକୁ ଗତାନୁଗତିକ ଢଙ୍ଗରେ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ପଥରେ ଛାଡ଼ି ଦିଅନ୍ତି ।

କମ୍ୟୁନିଷ୍ଟ ଆଦର୍ଶପନ୍ଥୀଙ୍କୁ ଏଠାରେ ଅଲଗା କରାଯାଇନାହିଁ, କାରଣ ସେମାନଙ୍କର ରାଜନୈତିକ ପଦ୍ଧତି ଅଲଗା ହେଲେ ସୁଦ୍ଧା ସେମାନେ ପାଶ୍ଚାତ୍ୟ ସଭ୍ୟତାର ହିଁ ଅଙ୍ଗ - ଠିକ ଯେପରି ଫାଶିଷ୍ଟ, ସୋସିଆଲ୍ ଡେମୋକ୍ରାଟ୍ ବା ରକ୍ଷଣଶୀଳ ରାଜନୈତିକ ପଦ୍ଧତି ହିସାବରେ ପୃଥକ ପୃଥକ ହେଲେ ସୁଦ୍ଧା ସଭ୍ୟତା କ୍ଷେତ୍ରରେ ଏକ । ଭାରତର ଯେଉଁ ବୁଦ୍ଧିଜୀବୀମାନେ କମ୍ୟୁନିଷ୍ଟ୍ ପ୍ରେରଣା ଦ୍ୱାରା ପୁଷ୍ଟ, ସେମାନେ ଏହି ପାଶ୍ଚାତ୍ୟ ଅନୁକରଣ ଶ୍ରେଣୀରେ ହିଁ ଅନ୍ତର୍ଭୁକ୍ତ ହେବେ । ଏହି ତିନି ପ୍ରକାରର ଲୋକଙ୍କୁ ଏକାଠି କରିବାରେ ଯେ କିଛି ତ୍ରୁଟି ନାହିଁ ତାହା ଆମ ଦେଶର ଶାସନକଳ ଓ ବିଭିନ୍ନ ଅନୁଷ୍ଠାନ ଉପରେ ଆଖି ପକାଇଲେ ଜଣାଯିବ । ଭାରତର ବିକାଶ ପାଇଁ ଯେତେସବୁ ଆର୍ଥିକ, ବୌଦ୍ଧିକ ଓ ସାଂସ୍କୃତିକ ଯୋଜନା କାର୍ଯ୍ୟକାରୀ ହୋଇ ଚାଲିଛି ସେ ସବୁର ଏମାନେ ସମାନ ଭାବରେ ସମର୍ଥକ ତଥା, ସାହିତ୍ୟ ଏକାଡ଼େମୀ ପ୍ରଭୃତି ଏଭଳି ଯେତେ ଅନୁଷ୍ଠାନ ଅଛି ସବୁଠାରେ ଏମାନଙ୍କୁ ସମାନ ସଂଖ୍ୟାରେ ଦେଖିବାକୁ ମିଳେ ।


ତେଣୁ, ଅବାସ୍ତବ ପୁନରୁତ୍ଥାନବାଦୀ ଓ ଲୁପ୍ତପ୍ରାୟ ସଙ୍କୀର୍ଣ୍ଣ ଗାନ୍ଧିବାଦୀଙ୍କୁ ଛାଡ଼ିଦେଲେ ଆମ ଦେଶର ବୁଦ୍ଧିଜୀବୀ କହିଲେ ପ୍ରକୃତରେ ଏହିମାନେ - ଯେଉଁମାନେ ପାଶ୍ଚାତ୍ୟ ସଭ୍ୟତାର ଛାଞ୍ଚରେ ଭାରତୀୟ ସମାଜର ସମାଧାନ ଚାହାନ୍ତି । ଏମାନେ କେବଳ ପ୍ରତିନିଧି ନୁହନ୍ତି, ପ୍ରତିଷ୍ଠିତ ମଧ୍ୟ । ସାହିତ୍ୟ ସଭାରେ, ବିଜ୍ଞାନ ଗବେଷଣାଗାରରେ, ସାଂସ୍କୃତିକ ମଣ୍ଡଳୀରେ, କଳା ପ୍ରଦର୍ଶନୀରେ, ରାଜନୈତିକ କ୍ଷମତାରେ, ଅର୍ଥନୈତିକ ଯୋଜନାରେ ବିଦ୍ୟାଳୟମାନଙ୍କରେ ଏହିମାନେ ହିଁ ନେତା ଓ କର୍ମୀ । ପତ୍ରପତ୍ରିକାରେ, ଦେଶ ବିଦେଶରେ ଏହିମାନଙ୍କ ମତାମତ ହିଁ ଭାରତ ପକ୍ଷରୁ ପ୍ରକାଶିତ ହୁଏ । ସାଧାରଣ ଜୀବନ ଉପରେ ବୁଦ୍ଧିଜୀବୀର ଯେଉଁ ପ୍ରଭାବ ପଡ଼ିବାର କଥା ତାହା ଏହିମାନଙ୍କଠାରୁ ହିଁ ନିଃସୃତ ହେଉଛି ।

No comments:

Post a Comment