Tuesday, May 10, 2016

ପିଲାଙ୍କ ଗୀତ - 'ନବୀନ' 


ଗୋଦାବରୀଶ ମିଶ୍ର (୧୮୮୬-୧୯୫୬)


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କୁଆଁର ପୁନିଅଁ ଉତ୍ସବ ଦିନ
ବୁଲି ପ୍ରଜାପତି ଧରେ ନବୀନ ।
ଗୋଟିକି ଗୋଟି ସେ ଧରଇ ଧାଇଁ,
ଦେଖିଲେ ଗୋଟିଏ ଛାଡ଼ଇ ନାହିଁ ।
ବଢ଼େ ତା ଉତ୍ସାହ ବେଳକୁ ବେଳ,
ଲାଗିଅଛି ତାର ପୁନିଅ ଖେଳ ।

ପାଖେ ଥିଲା ଏକ କଙ୍କଡ଼ାବିଛା,
ଧରିବାକୁ କଲା ନବୀନ ଇଚ୍ଛା ।
କହିଲା ବିଛା, "ଏ କି ଉତପାତ ?
ମରିବୁ, ମୋ ଦେହେ ଦେଲେ ତୁ ହାତ ।
ଉଡ଼ି ପ୍ରଜାପତି ପାଆନ୍ତା ସୁଖ,
ଦେଉ କିଁପା ତାକୁ ତୁଚ୍ଛାରେ ଦୁଃଖ ?" 
ଶୁଣି ତା ନବୀନ ଶୁଣିଲା ନାହିଁ,
ହାତ ବଢ଼ାଇଲା ଧରିବା ପାଇଁ ।

ରାଗି ବିଛା ଦେଲା ନାଉଡ଼ ମାରି,
ପଡ଼ିଲା ନବୀନ ତଳେ କଚାଡ଼ି ।
ଚେତା ବୁଡ଼ିଗଲା ସତେ କି ତା'ର,
ଗମଗମ ଦେହୁ ବୋହିଲା ଝାଳ ।
ଘଡ଼ିକେ ଉଠି ସେ କହିଲା ବାଣୀ,
"କେଡ଼େ ଭୁଲ ମୁହିଁ କରେ ନ ଜାଣି !" 

ପ୍ରଜାପତି ଧରା ଦେଲା ସେ ଛାଡ଼ି,
କେହି ଆଉ ତାକୁ ନ ଦେଲେ ଗାଳି ।
ସେ ଦିନୁ ନବୀନ ହୋଇଲା ଭଲ,
ଯେ ଦେଖିଲା ତାକୁ କଲା ଆଦର ।

(ପାଠ ପ୍ରବେଶ - ୧୯୫୧)

ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।

No comments:

Post a Comment