ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ବର୍ତ୍ତମାନ
ଭିତରେ ଭବିଷ୍ୟତ ସଂକ୍ରାନ୍ତୀୟ
କେତେ ସଙ୍କେତ ସବୁବେଳେ ଲୁଚି
ରହିଥାଏ। ଅଧିକାଂଶ ସମୟରେ ଆମେ
ଏହାକୁ ଠିକ ଭାବରେ ଚିହ୍ନିପାରି
ନଥାଉ। ହେଲେ ଆମେ ସତର୍କତାର ସହିତ
ଲକ୍ଷ୍ୟ କଲେ ଏହାକୁ ଚିହ୍ନି
ପାରିବାରେ ସେପରି ବେଶୀ କିଛି
ସମସ୍ୟା ହେବନାହିଁ। ଯଦି ଆମେ
ବିଶ୍ୱରେ ଚାଲିଥିବା ପ୍ରଗତି ଓ
ମନୁଷ୍ୟ ଜାତିର ସଙ୍କଟ ସମ୍ବନ୍ଧିତ
ଘଟଣାଗୁଡ଼ିକୁ ଦେଖିବା ତେବେ ଏକ
ଭବିଷ୍ୟବାଣୀ ମଧ୍ୟ ଦେଇପାରିବା
ଯେ ଆଗାମୀ ପଚାଶ ବର୍ଷ ମଧ୍ୟରେ
ପୃଥିବୀରେ ଏକ ବହୁତ ବଡ଼ ଧରଣର
ପରିବର୍ତ୍ତନ ସଙ୍ଗଠିତ ହେବାକୁ
ଯାଉଛି। ବହୁ ଅସମ୍ଭବ ଘଟଣାମାନ
ଘଟିପାରେ। ଏଥିରୁ ଗୋଟିଏ ଘଟଣା
ହେଉଛି ଯେ ଭାରତ ବା ଏସିଆ,
ଆଫ୍ରିକା
ଓ ଲାଟିନ୍ ଆମେରିକାର
ଅନ୍ୟାନ୍ୟ ଦେଶଗୁଡ଼ିକରେ ଅଦ୍ଭୁତପୂର୍ଣ୍ଣ
ଗଣହତ୍ୟା ସଙ୍ଗଠିତ ହେବ। ଏହି
ଗଣହତ୍ୟା ଗୁଳିଗୋଳା ବିନିମୟ ବା
ରାସାୟନିକ ଅସ୍ତ୍ରର ପ୍ରୟୋଗ
ଯୋଗୁଁ ହେବନାହିଁ,
ବରଂ
ଏହା ବିକାଶ କରିବା ତଥା ବିକଶିତ
ହେବା କଥାକୁ ନେଇ ଘଟିବ। କାରଣ
ସେକଥା ନହେଲେ ବିକାଶ ସମ୍ପ୍ରତି
ଆଉ ଆଗକୁ ଯାଇପାରିବ ନାହିଁ।
ଆମେ
୧୯୮୪ରେ କଳାହାଣ୍ଡିକୁ ଦେଖିଲୁ।
ବର୍ତ୍ତମାନ ଭାରତର ଅତି କମରେ
ପାଞ୍ଚୋଟି ବିଶାଳ ଅଞ୍ଚଳ ଅନାହାର
କବଳିତ ହୋଇସାରିଛନ୍ତି। ଯେପରିକି
ବିହାରର ପଲାମୁ ଅଞ୍ଚଳ । ଯେତେବେଳେ
ବି ସେହିସବୁ ଅଞ୍ଚଳର ପାଣିପାଗରେ
ସାମାନ୍ୟ ଅନିୟମିତତା ଜନିତ ମରୁଡ଼ି
ପରିସ୍ଥିତି ଦେଖାଦିଏ,
ସେତେବେଳେ
ଅନାହାର ତଥା ପଳାୟନର ଘଟଣାମାନ
ଆରମ୍ଭ ହୋଇଯାଏ। ବିହାରରେ ମଧ୍ୟ
କେବଳ ପଲାମୁ ଅଞ୍ଚଳ ଭିତରେ ହିଁ
ଅନାହାର ମୃତ୍ୟୁ
ସମସ୍ୟା ସୀମିତ ହୋଇ ରହିନାହିଁ
। ବରଂ,
ଏକ
ବିଶାଳ ଭୂଖଣ୍ଡ ଏହାର କବଳରେ
ରହିଛି। ମୂଳକଥା ହେଲା ଯେଉଁ
ଅଞ୍ଚଳରେ ଅନାହାର ଓ ଭୋକ ବିଷୟରେ
ସମ୍ବେଦନଶୀଳ ଥିବା ଲୋକ ପହଞ୍ଚି
ଲୋକଲୋଚନକୁ ଆଣିବା କାର୍ଯ୍ୟ
କରନ୍ତି ନାହିଁ,
ସେ
ପର୍ଯ୍ୟନ୍ତ ସେଠାକାର ଅନାହାର
ବିଷୟରେ କେହି କିଛି ଜାଣିପାରି
ନଥାନ୍ତି। କେହି ଯଦି ଉଦ୍ୟମ କରିବ
ତେବେ ସେ ଅନାହାର କବଳିତ ଅଗଣିତ
ଅଞ୍ଚଳ ବିଷୟରେ ଜାଣିପାରିବ ଓ
ଜଣାଇପାରିବ।
ଏପରି
କାହିଁକି ଘଟୁଛି?
ପଲାମୁରେ
ହିଁ କାହିଁକି ଅନାହାର ସୃଷ୍ଟି
ହେଉଛି?
କଳାହାଣ୍ଡି,
ବଳାଙ୍ଗିର
ଓ ଅନ୍ୟ ଜିଲ୍ଲାମାନଙ୍କରେ
ଏହି ଅନାହାର କାହିଁକି ଏତେ ପରିମାଣରେ
ଦେଖିବାକୁ ମିଳୁଛି?
ଚାରିବର୍ଷ
ତଳେ ମନମୋହନ ସିଂହ ଓ
ନରସିଂହ ରାଓଙ୍କର ପ୍ରଥମ ବଜେଟ
ଉପସ୍ଥାପିତ ହୋଇଥିଲା। ଏହାପରେ
କେନ୍ଦ୍ର ସରକାର ନିର୍ଣ୍ଣୟ ନେଲେ
ଯେ, ଯେପର୍ଯ୍ୟନ୍ତ
ସରକାରଙ୍କ ସ୍ଥିତି ଉପରେ କୌଣସି
ଆଞ୍ଚ ଆସିନାହିଁ,
ସେ
ପର୍ଯ୍ୟନ୍ତ ଅନାହାର ପ୍ରପୀଡ଼ିତ
ଅଞ୍ଚଳର ଭୋକିଲା ଲୋକଙ୍କ ପାଇଁ
କେନ୍ଦ୍ର ସରକାରଙ୍କ ପକ୍ଷରୁ
ଯେଉଁ ସହାୟତା ପ୍ରଦାନ କରାଯାଉଥିଲା,
ତାକୁ
କାଣ୍ଟଛାଣ୍ଟ କରାଯିବ। ଦେଶର
ପ୍ରଗତି ପାଇଁ ଆର୍ଥିକ ସଞ୍ଚୟ
ଦ୍ୱାରା ପୁଞ୍ଜି ସଙ୍ଗ୍ରହ
କରିବାକୁ ହେବ। ତେଣୁ କେନ୍ଦ୍ର
ସରକାର ପକ୍ଷରୁ ଖର୍ଚ୍ଚକାଟ
କରିବାକୁ ହେବ। ସେଥିପାଇଁ ଅନାହାର
କ୍ଲିଷ୍ଟ ଅଞ୍ଚଳରେ ଯେତିକି ଅର୍ଥ
ଖର୍ଚ୍ଚ ହେଉଥିଲା କେନ୍ଦ୍ର
ସରକାରଙ୍କ ପକ୍ଷରୁ ତାକୁ କେଉଁ
କାଳରୁ ପ୍ରାୟତଃ ବନ୍ଦ କରିଦିଆଯାଇଛି।
ଦେଶରେ
ବହୁ ମରୁଡ଼ିଗ୍ରସ୍ତ ଅଞ୍ଚଳ ଅଛି।
ଆପଣମାନେ ଜାଣନ୍ତି,
ଜିଲ୍ଲାପାଳ
ଜାଣନ୍ତି ଓ ମୁଖ୍ୟମନ୍ତ୍ରୀ
ମଧ୍ୟ ଜାଣନ୍ତି। କିନ୍ତୁ ଯେ
ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ
ସେ ଅଞ୍ଚଳକୁ ଗସ୍ତ କରିନାହାନ୍ତି,
ସେ
ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର
ଗୋଟିଏ ପଇସା ବି ସେଠାରେ ଖର୍ଚ୍ଚ
ହେବନାହିଁ। କାରଣ ବିକାଶ-ନୀତି
ଲାଗୁ କରିବା ପାଇଁ ଖର୍ଚ୍ଚକାଟ
କରିବାକୁ ହେବ। ଯେଉଁମାନେ ଆୟକର
ଓ ସମ୍ପତ୍ତିକର ଦେଉଛନ୍ତି ସେମାନଙ୍କୁ
ତ ଅଧିକରୁ ଅଧିକ ରିହାତି ଦେବାକୁ
ହିଁ ହେବ। ସେମାନଙ୍କ କ୍ଷେତ୍ରରେ
ଆଉ ପଇସା ବଞ୍ଚାଇବା କଥା ଚିନ୍ତା
କରାଯିବାର ଆବଶ୍ୟକତା ନାହିଁ।
ମନେ
ରଖିବାକୁ ହେବ ଯେ ଏସବୁ ପଦକ୍ଷେପ
ବିନା ବିଚାରରେ କରାଯାଉ ନାହିଁ।
ଅନାହାର ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ
ସେବା ପାଇଁ ତଥା ଶିକ୍ଷା ଉପରେ
ହେଉଥିବା ଖର୍ଚ୍ଚକୁ କାଟିଦବା
କ’ଣ ବିକାଶ ପାଇଁ ଏତେ ଜରୁରୀ?
ଏହା
ନକରି କ’ଣ ବିକାଶର ରଥକୁ ଆଗକୁ
ନେଇହେବ ନାହିଁ?
ସାହୁକାର
ସାଜିଥିବା ଦେଶ ଏବଂ ଆମକୁ ବିକାଶର
ମାର୍ଗ ବତାଉଥିବା ଅନ୍ତଃରାଷ୍ଟ୍ରୀୟ
ସଂସ୍ଥାମାନଙ୍କର କ’ଣ ଏଇଆ ଉପଦେଶ
ଯେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ
ଖର୍ଚ୍ଚକୁ କମ୍ କର?
No comments:
Post a Comment