ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୩
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ମାନବ ସମ୍ମୁଖେ ଅଛି ଶ୍ରେୟ ପ୍ରେୟ ବେନି
ବିବେକୀ ବିଚାର କରେ ଗୁଣ ଦୋଷ ଘେନି ।
ଗୁଣ ଦୋଷ ବୁଝି କରେ କର୍ତ୍ତବ୍ୟ ନିଶ୍ଚୟ
ହଂସ ଯଥା ପିଇ କ୍ଷୀର ଛାଡ଼ିଯାଏ ପୟ ।
ପ୍ରେୟ ତେଜି ଘେନେ ଧୀର ଶ୍ରେୟକୁ ସାଦରେ
କାମବଶେ ମୂଢ଼ଜନ ପ୍ରେୟ ଅନୁସରେ ।
ଲୋଡ଼େ ମୂଢ଼ ଧନ ଜନ ଅଙ୍ଗ ଉପଚୟ
ଧୀର ବାଞ୍ଛେ ମୋକ୍ଷପଦ ଅନନ୍ତ ଅକ୍ଷୟ ।
ଗୃହ ଧନ ରାଜ୍ୟ ଆଦି ରମ୍ୟ ବସ୍ତୁ ଚୟ,
ରୂପସୀ ରମଣୀ ଅବା ସୁଯୋଗ୍ୟ ତନୟ ।
ରମ୍ୟ ଲୋଭନୀୟ ଯାହା ଦେଖଇ ମାନବ
ବୁଝିଅଛ ଚିରସ୍ଥାୟୀ ନୁହେ ସେ ସରବ ।
ତେଣୁ ମୁଁ ଯାଚିଲେ ସୁଦ୍ଧା ନ କଲ ଗ୍ରହଣ
ଧନ୍ୟ ତୁମ୍ଭେ ନଚିକେତା ବଡ଼ ବିଚକ୍ଷଣ ।
ଲୋଭାଇ ଯେ ମଣିମୟ ଚାରୁ ରତ୍ନହାରେ
ବହୁ ମୂଢ଼ଜନ ବୁଡ଼ି ମରନ୍ତି ସଂସାରେ ।
ଦେଲେ ହେଁ ସେ ଭବପାଶ ଅତି ମନୋରମ
ନ ନେଲ, ନ ହେଲା ତହିଁ ତବ ମତିଭ୍ରମ । (ନ.ଉ. ୧।୧।୧୦)
No comments:
Post a Comment