Friday, July 01, 2016

ବାଉରୀ ସାହୁ ଗୁଡ଼ିଆ


କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ 'ନିରବଧି ନିରବ'ରୁ ସଙ୍ଗୃହିତ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଓଡ଼ିଆ କବିତାରେ ୠଚି ରଖୁିଥିବା ପାଠକମାନଙ୍କ ପାଇଁ କବି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ପରିଚୟ ଦେବାର ଆବଶ୍ୟକତା ନାହିଁ । କୃଷ୍ଣଚନ୍ଦ୍ର ବାବୁ ବୃତ୍ତିରେ ଥିଲେ ଶିକ୍ଷକ । ମାତ୍ର ପ୍ରବୃତ୍ତିରେ ଥିଲେ କବି । ନିରୋଳା କବିର ଜୀବନଟିଏ ବଞ୍ଚିବାରୁ ତଥା ଆଇ.ଏ.ଏସ୍. ବା ଅଧ୍ୟାପକ ନ ହୋଇ ଶିକ୍ଷକଟିଏ ହୋଇ ମଣିଷ ଗଢ଼ୁଥିବାରୁ ସାହିତ୍ୟ କୁଞ୍ଜର ଫଳପୁଷ୍ପରୁ  କିଛି ତାଙ୍କ ହାତରେ ଲାଗିଲା ନାହିଁ । ଜୀବନର ଶେଷ ସମୟକୁ, ଛୟାଅଶୀ ବର୍ଷ ବୟସରେ, ସ୍ମୃତିଶକ୍ତି ଲୋପପାଇଲା ବେଳକୁ ମିଳିଲା ରାଜ୍ୟ ସାହିତ୍ୟ ଏକାଡ଼େମୀ ତରଫରୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର । ସ୍ମୃତିନାଶ ଯୋଗୁଁ କବି ଜାଣି ମଧ୍ୟ ପାରିଲେ ନାହିଁ ଯେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଲା । ଏହାର କିଛି ଦିନ ପରେ ୧୯୯୭ ମସିହାରେ କବି ଇହଲୀଳା ସମ୍ବରଣ କଲେ । 

କୃଷ୍ଣଚନ୍ଦ୍ରବାବୁଙ୍କର ଜନ୍ମ ୧୯୧୧ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟରେ ଅବସ୍ଥିତ ଗ୍ରାମ ଭୀମପୁର ଶାସନରେ । ପରିବାର ଏକ ଦୁସ୍ଥ ବ୍ରାହ୍ମଣ ବଂଶର । ବାଣପୁର ମାଇନର ଇସ୍କୁଲରେ ପାଠପଢ଼ା ସାରି ତ୍ରିପାଠୀ ବାବୁଙ୍କର ଭାଳେଣି ପଡ଼ିଲା ଆଗକୁ ପଢ଼ିବେ କେଉଁଠି ।  ଖୋର୍ଦ୍ଧା ହାଇସ୍କୁଲ୍ ରେ ନାନା ପ୍ରଯତ୍ନ କରି ଫ୍ରିସିପ୍ ଟିଏ ପାଇବା ନୋହିଲା । ସେହି ସମୟରେ ଓଳସିଂହର ଜମିଦାର ନୂଆକରି ଗୋଟିଏ ହାଇସ୍କୁଲ ଗଢ଼ିବାର ଚେଷ୍ଟା କରୁଥାଆନ୍ତି । ଦରମା ଦେବାକୁ ପଡ଼ିବ ନାହିଁଁ । ଛୋଟ ମଫସଲ ଜାଗା । ପଢ଼ିଲେ ବେଶୀ ଖର୍ଚ୍ଚ ହେବ ନାହିଁ । ଏସବୁ ଭାବି କୃଷ୍ଣବାବୁ ଓଳସିଂହ ହାଇସ୍କୁଲରେ ଶେଷକୁ ନାମ ଲେଖାଇଲେ । ସେତେବେଳେ ଅବିଭକ୍ତ ପୁରୀ ଜିଲ୍ଲାରେ ଥାଏ ତିନୋଟି ମାତ୍ର ହାଇସ୍କୁଲ । ପ୍ରଥମ ହେଲା ପୁରୀ ଜିଲ୍ଲା ସ୍କୁଲ୍ । ଦ୍ୱିତୀୟଟି ହେଲା ଖୋର୍ଦ୍ଧା ହାଇସ୍କୁଲ୍ । ସତ୍ୟବାଦୀ ବନବିଦ୍ୟାଳୟ ଭାଙ୍ଗି ଯାଇଥିବାରୁ ଜିଲ୍ଲାର ତୃତୀୟ ହାଇସ୍କୁଲ ଭାବରେ ଗଣାହେଉଥାଏ ଓଳାସିଂହ ଉଚ୍ଚବିଦ୍ୟାଳୟଟି । ତାପଙ୍ଗ ଇଷ୍ଟେସନର ପଛିମରେ ଓଳାସିଙ୍ଗି ଗାଁ ।

ଛାତ୍ରାବାସରେ ସେତେବେଲେ ରହୁଥାଆନ୍ତି ଶହେ ସରିକି ପିଲା । ଦୁଇଟି ମେସ୍ ଚାଲୁଥାଏ । ଗୋଟିଏ ଧନୀ ପିଲାଙ୍କ ପାଇଁ, ସେଠି ମାସକୁ ତିନି ଟଙ୍କା । ଅନ୍ୟଟି ଗରୀବ ପିଲାଙ୍କ ପାଇଁ, ସେଥିରେ ଖର୍ଚ୍ଚ ଅଢ଼େଇ ଟଙ୍କା । କୃଷ୍ଣବାବୁଙ୍କର ଚାଉଳ ପଡ଼େ ଅଢ଼େଇ ଟଙ୍କିଆ ମେସ୍ ରେ ।  ମେସ୍ ରେ ଚାରି ପାଞ୍ଚଜଣ ପୁଜାରୀ । ତହିଁରୁ ଜଣେ ହେଲେ ପ୍ରଧାନ । ରବିବାର ଦିନ ହେଲା ଆଇଁଶ ବାର । ମାଛ ହୁଏ । ନ ହେଲେ ହୁଏ ଚିଙ୍ଗୁଡ଼ି ତରକାରୀ । ନହେଲେ ରୋଜାନା ରନ୍ଧା ଭିତରେ ହେଲା ଭାତ, ଡାଲି, ସାଧା ତରକାରୀ ଓ ନଡ଼ିଆ ଖଟା । ମଝିରେ ମଝିରେ ଭୋଜି ହୁଏ । କିଛି ଅତି ଗରୀବ ଛାତ୍ର ମେସ୍ ରେ କିଛି କାମ କରି ଖର୍ଚ୍ଚ ବି ଉଠାନ୍ତି । ପ୍ରତି ମାସରେ କୃଷ୍ଣ ଖର୍ଚ୍ଚ କରନ୍ତି ପାଞ୍ଚରୁ ସାତ ଟଙ୍କା । ବୁଢ଼ା ବାପ କର୍ମକର୍ମାଣିରୁ ଯାହା ସଞ୍ଚୟ କରନ୍ତି, ତାହା ଓଳାସିଙ୍ଗିରେ ପାଠପଢ଼ାରେ ଲାଗେ । ଅଭାବରେ ଚଳି ତାଙ୍କର କାଛୁକୁଣ୍ଡିଆ ହୋଇଥାଏ । ମାତ୍ର ତଥାପି କୃଷ୍ଣବାବୁ ଭଲ ପାଠ ପଢ଼ିବାର ଉଦ୍ୟମ ଜାରି ରଖିଥାଆନ୍ତି । ଇଆଡ଼େ କବିତା ମଧ୍ୟ ଲେଖା ଚାଲିଥାଏ  ଓ ସହକାର ଇତ୍ୟାଦି ପତ୍ରିକାରେ ଛପା ମଧ୍ୟ ହେଉଥାଏ ।

ମେସ୍ ରେ ରହି ଚଳିବା ଭିତରେ ଗୁଡ଼ିଆମାନେ ଆସି ପିଲାଙ୍କୁ ଜଳଖିଆ ଯୋଗାନ୍ତି  - ସକାଳ ଓ ସନ୍ଧ୍ୟା, ଦୁଇଓଳି ଯାକ । ସେଥିରେ ମଧ୍ୟ ଶ୍ରେଣୀବିଭାଗ ।  ଗୁଣ୍ଡିଚା ଗୁଡ଼ିଆର ଗରାଖ ହେଲେ ଧନୀ ଶ୍ରେଣୀର ପିଲା । ସେ ଆଣେ ରାଗବୁଟ, ଚିନିଖଇ, ଦହିବରା ଓ ରସଗୋଲା - ଅର୍ଥାତ୍ ରିତିମତ ରାଜକୀୟ ବ୍ୟାପାର । ଆଉ ଜଣେ ଗୋଦରଗୋଡ଼ିଆ ଗୁଡ଼ିଆ ଆସେ ଯାହାର ଗରାଖମାନେ ହେଲେ ମଧ୍ୟବିତ୍ତ ପିଲା । ସେ ଆଣେ ଉଖୁିଡ଼ା, ମୁଢ଼ି, ଦୋଭଜା ଓ କୋରା ଆଦି । କୃଷ୍ଣବାବୁଙ୍କ ଭଳି ଗରୀବ ପିଲାଏ ଆରେଇଥାଆନ୍ତି ବାଉରୀ ସାହୁ ଗୁଡ଼ିଆକୁ । ସେତେବେଳେ ବାଉରୀ ସାହୁକୁ ବୟସ ପାଖାପାଖି ଚାଳିଶି । ଧୀର, ଶାନ୍ତ ଲୋକଟିଏ । ପରିଧାନରେ ଅଣ୍ଟାରୋ ଗୋଟିଏ ଗାମୁଛା ଓ କାନ୍ଧରେ ଆଉ ଗୋଟିଏ । ପସରାରେ ଥାଏ ମୁଢ଼ି ଓ ଉଖୁଡ଼ା । ବାକି ରହିଲେ କିଛି ଉଚ୍ଚବାଚ ନାହିଁ । ଖାଲି ଚାହିଁରହିବ ବାକି ପଇସା ଉଦ୍ଧାର ପାଇଁ । ଦେଲେ ଭଲ । ନଦେଲେ ବି ଭଲ । ଗରୀବ ପିଲାଙ୍କୁ ଆହାର  ଯୋଗାଏ । କୃଷ୍ଣବାବୁ ରଖନ୍ତି ପଇସାକର ବା ଦିପଇସାର ମୁଢ଼ି ବା ଉଖୁିଡ଼ା । ବେଳେବେଳେ ଓଳିକ ରଖିଲେ ଆର ଓଳିକି ଜଳଖିଆ କିଛି ରଖିବାର ସଙ୍ଗତି ନଥାଏ । ହେଲେ ବାଉରୀ ସାହୁ ପାଇଁ କୁଷ୍ଟଁ ବାବୁ ବି ଜଣେ ବଡ଼ ସମ୍ମାନସ୍ପଦ ଗରାଖ । ସେ କେବେ ତାଙ୍କୁ ଏପରି ଜଗିରଖି ଜଳଖିଆ କିଣିବା ପାଇଁ ଭିନ୍ନ ଚାହାଣିରେ ଚାହିଁନି ।

ସାହୁ ଖଇ ଗୁଣ୍ଡ କରି, ତାକୁ ଘିଅରେ ଭାଜି, ତହିଁରେ ନବାତ ମିଶାଇ ଏକ ପ୍ରକାରର ଭୋଗ  ତିଆରି କରେ । ସେଥିରୁ ଦୁଇଚାଙ୍ଗୁଡ଼ି ପାଖାପାଖି ଓଳସିଂହ ରାଧାକାନ୍ତ ମଠରେ ଲାଗିହୁଏ । ଓଳସିଂ ଭଳି ନିପଟ ମଫସଲ ଗାଁରେ, ସେହି ଭୋଗ ଗୋଟିଏ ଉପଭୋଗ୍ୟ ଜିନିଷ ନିଶ୍ଟୟ । ବେଳେବେଳେ ସେହି ଭୋଗର ଗୋଟିଏ ଚାଙ୍ଗୁଡ଼ି କୁଷ୍ଟଁବାବୁ ଓ ତାଙ୍କର ସାଙ୍ଗମାନେ ମିଶି ବରାଦ କରନ୍ତି  ଓ ଆନନ୍ଦମନରେ ଖାଆନ୍ତି । ମାଟ୍ରିକି ପରୀକ୍ଷା ଦେବା ପୂର୍ବରୁ ସ୍କୁଲ୍ ର, ବୋଡ଼ିଙ୍ଗିର ସବୁ ବାକି ପଇସା ଶୁଝି ଦେବାକୁ ହୁଏ । କୃଷ୍ଣଚନ୍ଦ୍ରବାବୁ ଅତି କଷ୍ଟରେ ଏସବୁ ନିଜର ମାଟ୍ରିକି ପରୀକ୍ଷା ଆଗରୁ ଶୁଝିଦେଲେ । ହେଲେ ବାଉରୀ ସାହୁ ଗୁଡ଼ିଆ ଉପରେ ଥିବା ଦେଢ଼ ଟଙ୍କା ସେ ଶୁଝି ପାରିଲେ ନାହିଁ । ଗରୀବ ଗୁଡ଼ିଆ ଆଉ ଜଣେ ଅରକ୍ଷିତର ଦୁଃଖ ବୁଝିଲା । କହିଲା ଯେ ମାଟ୍ରିକି ପରୀକ୍ଷା ଦେଇଆସିଲେ ଶୁଝିଦେବେ । ମାଟ୍ରିକ୍ ପରୀକ୍ଷା ପାଶ୍ କରିସାରିବା ପରେ କୃଷ୍ଣବାବୁ କଟକ ଟ୍ରେନିଙ୍ଗ୍ ସ୍କୁଲ୍ ରେ ନାଁ ଲେଖାଇଲେ । ଛଅମାସ ଗଲା । ଓଳାସିଂହ ହାଇସ୍କୁଲ୍ ର ଜଣେ ଛାତ୍ର ରାଧାଶ୍ୟାମ ରାଉତରାୟ ଭେଟ ହେଲେ । ତାଙ୍କ ହାତରେ ଟଙ୍କା ଦେଢ଼ଟି ଦେଇ କବି କହିଲେ - "ରାଧାଶ୍ୟାମ, ବାଉରୀ ସାହୁ ଗୁଡ଼ିଆକୁ ଏତକ ଦେଇ ଦେବ । ମୁଁ ଓଳାସିଂହ ଛାଡ଼ିବାପରେ ତାର ପଇସାତକ ଦେଇ ପାରିନି । ସେ ଜାତିରେ ଗୁଡ଼ିଆ ନୁହେଁ କେବଳ, ହୃଦୟରେ ସେ ଗୁଡ଼ିଆ ।" 

No comments:

Post a Comment