Saturday, January 09, 2016

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୨



ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଅଧାମ - ରାବିଡ଼ି ଭୋଗ, କ୍ଷୀରରୁ ପ୍ରସ୍ତୁତ ଏକ ପ୍ରକାର ଦ୍ରବ୍ୟ, ଯାହାକୁ ଠାକୁରଙ୍କୁ ଲାଗି ହୋଇଥାଏ । ଦୁଗ୍ଧରୁ ପ୍ରସ୍ତୁତ ଏକ ମିଷ୍ଠାନ ବିଶେଷ ।
ଅଧିକ ମନୋହର - ଶ୍ରୀ ମନ୍ଦିରର ଏକ ପ୍ରକାର ମିଷ୍ଠାନ୍ନ ଭୋଗ ପଦାର୍ଥ । ଆବଶ୍ୟକୀୟ  ମିଠାଠାରୁ ଅଧିକ ମିଠା ଦିଆଯାଇଥିବା ଭୋଗ ।
ଚମ୍ପକ ଦ୍ୱାଦଶୀ, ବାମନ ଜନ୍ମ, ପିତୃପକ୍ଷ ଅମାବାସ୍ୟା, ଗହ୍ମାପୂର୍ଣ୍ଣିମା, ତୁଳା ସଂକ୍ରାନ୍ତି, ଉତ୍ଥାପନ ଏକାଦଶୀ, ଦଶହରା ପ୍ରଭୁତି ଉତ୍ସବମାନଙ୍କରେ ଠାକୁରଙ୍କୁ ଭୋଗ ହୁଏ ।

ଅନ୍ତରୀକ୍ଷମଣ୍ଡା -   ଏକ ପ୍ରକାର ପିଠାଭୋଗ । ଗୁଡ଼ ଓ ମୁଗପୁର ଦିଆଯାଇଥିବା ପିଠା । ଶ୍ରୀମନ୍ଦିରର ପର୍ବପର୍ବାଣି ଓ ମକର ଭୋଗରେ ଠାକୁରଙ୍କୁ ଲାଗି ହୁଏ । 

ଅନ୍ନକୁଡ଼ୁଆ - ପୁରୀ ଜଗନ୍ନାଥଙ୍କ ଅନ୍ନ ରାନ୍ଧିବା ପାଇଁ ବ୍ୟବହୃତ ମାଟି କୁଡ଼ୁଆ । ମାଟିହାଣ୍ଡିର ଆକାର ଅନୁସାରେ ଭିନ୍ନଭିନ୍ନ ନାମ ଅଛି । ବଡ଼ ପାତ୍ରକୁ 'ହାଣ୍ଡି' ଓ ଛୋଟ ପାତ୍ରକୁ 'କୁଡ଼ୁଆ' କୁହାଯାଏ । 

ଅନ୍ନକ୍ଷେତ୍ର - ଶ୍ରୀକ୍ଷେତ୍ର । ଯେଉଁ ସ୍ଥାନରେ ବହୁ ପରିମାଣରେ ସିଦ୍ଧ ତଣ୍ଡୁଳ ରନ୍ଧନ ଓ ଭୋଗ ହୋଇଥାଏ । ଯେଉଁ କ୍ଷେତ୍ର ବା ତୀର୍ଥରେ ଦେବଦେବୀଙ୍କ ସିଦ୍ଧ ତଣ୍ଡୁଳ ଭୋଗ ଲାଗିଲା ପରେ ଜାତି ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ସେବନ କରନ୍ତି ।

ଅନ୍ନଛତ୍ର -  ଅନ୍ନଦାନ କରାଯିବା ସ୍ଥାନ । ସର୍ବସାଧାରଣଙ୍କୁ ଅନ୍ନ ବିତରଣ ।

ଅନ୍ନପୂର୍ଣ୍ଣା - ଅନ୍ନ ଦ୍ୱାରା ତୃପ୍ତିକାରିଣୀ, ବିଶ୍ୱେଶ୍ୱରୀ । ପାର୍ବତୀଙ୍କ ଅବତାର ବିଶେଷ । କିଆ ଜାତୀୟ ଏକ ପ୍ରକାର ଅତି କ୍ଷୁଦ୍ର ନିଷ୍କଣ୍ଟକ ଗୁଳ୍ମ । ଏହାର ପତ୍ର ସୁବାସଯୁକ୍ତ । ଅନ୍ନ ମଧ୍ୟରେ ଏ ପତ୍ରକୁ କିଛି କାଳ ପୋତି ରଖିଲେ ଅନ୍ନ ସୁବାସଯୁକ୍ତ ହୁଏ । ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ଅନ୍ନପୂର୍ଣ୍ଣାଙ୍କର ପୂଜା କରାଯାଏ । ଦକ୍ଷିଣାମୂର୍ତ୍ତି ସଂହିତା ଅନୁସାରେ ଏ ମୂର୍ତ୍ତି ଚତୁର୍ଭୁଜା । ପଦ୍ମ, ଅଭୟ, ଅଙ୍କୁଶ ଓ ବରଦ ଚାରି ହାତରେ ଶୋଭିତ । 

No comments:

Post a Comment