ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ (ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୪୨ - ୪୭)
ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପ୍ରଥମ ପ୍ରକାଶ – ୧୮୮୭
ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୪୨ - ୪୭
ଶ୍ରୀ ଭଗବାନୁବାଚ
ୟାମିମାଂ ପୁଷ୍ପିତାଂ ବାତଂ ପ୍ରବଦନ୍ତ୍ୟବିପଶ୍ଚିତଃ ।
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ।୪୨।
ଶୁଣିବାକି ସୁଖକର ଅଟେ ଯେଉଁ ବାକ୍ୟ । ସେହି ବାକ୍ୟ ଶୁଣିବାକୁ ଆସକ୍ତ ଯେ ଲୋକ ।।
ନାନା ପ୍ରକାର ଫଳ ପ୍ରକାଶ ବେଦବାକ୍ୟ । ସେହି ଫଳରେ ଆସକ୍ତ ଜାଣ ଯେଉଁ ଲୋକ ।।
ତାଙ୍କ ବିଚାରେ ସ୍ୱର୍ଗ ବିଧାନ କର୍ମବିନେ । ଘେନନ୍ତି ନାହିଁ ଅପରାପର ସେହିମାନେ । ୪୨।
କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।
କ୍ରିୟାବିଶେଷବହୁଳାଂ ଭୋଗୈଶ୍ୱର୍ୟ୍ୟଗତିଂ ପ୍ରତି । ୪୩।
ଯେମାନଙ୍କ ଚିତ୍ତ କାମ ଲାଭେ ଆକୁଳିତ । ଯେଉଁ ଲୋକମାନଙ୍କର ସ୍ୱର୍ଗ ପୁରୁଷାର୍ଥ ।।
ଜନ୍ମ କର୍ମଫଳ ପ୍ରଦ ସୁଖ ଭୋଗମାନ । ଐଶ୍ୱର୍ଯ୍ୟ ଲାଭରେ ଯାହା ଅଟଇ ନିଦାନ ।।
ନାନା କ୍ରିୟା ପ୍ରକାଶକ ବାକ୍ୟେ ଆସକତ । ଯେମାନଙ୍କ ହୋଇଅଛି ମନ ଅପହୃତ । ୪୩।
ଭୋଗୈଶ୍ୱର୍ୟ୍ୟପ୍ରସକ୍ତାନାଂ ତୟାପହୃତ ଚେତସାମ୍ ।
ବ୍ୟବସାୟିକା ବୁଦ୍ଧିଃ ସମାଧୌନ ବିଧୀୟତେ । ୪୪।
ଭୋଗ ଐଶ୍ୱର୍ଯେ ଅନୁରକ୍ତ । ଯେମାନେ ଥାଆନ୍ତି ସତତ ।।
ସେ ମୂର୍ଖ ମାନଙ୍କର ବୁଦ୍ଧି । କଦାଚ ନ ଲଭେ ସମାଧି । ୪୪।
ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣୌ ଭବାର୍ଜୁନ ।
ନିଦ୍ୱର୍ନ୍ଦୋ ନିତ୍ୟସତ୍ତ୍ୱସ୍ଥୋ ନିର୍ୟୋଗକ୍ଷେମ ଆତ୍ମବାନ୍ । ୪୫ ।
ସକାମ ବ୍ୟକ୍ତିମାନଙ୍କର । ବୈଦିକ ଧର୍ମ ଅଟେ ସାର ।।
ହେ ପାର୍ଥ ହୋଇ ଧୈର୍ଯ୍ୟଶାଳୀ । ଶୀତୋଷ୍ଣ ସୁଖ ଦୁଃଖ ମେଳି ।।
ସହିଣ ଆନନ୍ଦିତ ଚିତ୍ତେ । ଯୋଗ କ୍ଷେମର ବିପରୀତେ ।।
ତୁମ୍ଭେ ଯେ ଏବେ ଅପ୍ରମାଦେ । ନିଷ୍କାମ ଧର୍ମଚିନ୍ତ ହୃଦେ । ୪୫।
ୟାବାନର୍ଥ ଉପାଦାନେ ସର୍ବତଃ ସମ୍ପ୍ଲୁତୋଦକେ ।
ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ । ୪୬।
କୂପ ତଡ଼ାଗ ଜଳାଶୟେ । ଯେତେକ କାର୍ଯ୍ୟ ସିଦ୍ଧ ହୁଏ ।।
ଏକ ହ୍ରଦରୁ ଲାଭ ତାହା । ଏଥୁଁ ଜାଣିବ ମହାବାହା ।।
ସମସ୍ତ ବେଦ ଅନ୍ତର୍ଗତ । ଯେ କର୍ମ ଫଳ ହିଁ ବର୍ଣ୍ଣିତ ।।
ସନ୍ଦେହ ରହିତ ବ୍ରାହ୍ମଣ । ଏକ ବ୍ରହ୍ମରୁ ପାଏ ଜ୍ଞାନ ।୪୬।
କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳ ହେତୁର୍ଭୁର୍ ମା ତେ ସଙ୍ଗୋଽସ୍ତ୍ୱକର୍ମଣି । ୪୭।
ତତ୍ତ୍ୱଜ୍ଞାନାର୍ଥୀ ହୁଅ ବୀର । କର୍ମରେ ଜନ୍ମୁ ଅଧିକାର ।।
ନ ଯାଉ କର୍ମଫଳେ ମତି । ନ ବଢ଼ୁ ତହିଁରେ ପ୍ରବୃତ୍ତି।।
ଆମ୍ଭର ବାଞ୍ଛା ହେ ଅର୍ଜୁନ । କର୍ମରେ ଥାଉ ତୁମ ମନ । ୪୭।
No comments:
Post a Comment