Wednesday, January 20, 2016

ଗଳ୍ପ  - 'ସୁନା-ନାକଚଣା' 


ଫକୀରମୋହନ ସେନାପତି 


ଓଉ ଫୁଲ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଗୋପାଳପୁର ଗ୍ରାମଟା ଖୁବ ବଡ଼ ବା ସାନ ନୁହେଁ, ମଧ୍ୟଭଳିଆ । ବାସିନ୍ଦା ସଂଖ୍ୟା ଦେଢ଼ଶ ଘର ମଧ୍ୟରେ । ସମସ୍ତେ ଚାଷୀ । ମଫସଲ ଗ୍ରାମରେ ଚାଷିମାନଙ୍କର ଯେପରି ଅବସ୍ଥା ହୋଇଥାଏ ସେହିପରି । ଗ୍ରାମ ମଧ୍ୟରେ ସାଆନ୍ତଙ୍କ ଘରଟା ପ୍ରଧାନ । ସାଆନ୍ତଙ୍କର ନାମ ଉଦୟନାରାୟଣ ମହାପାତ୍ର, ସେ ଗୋପାଳପୁର ଗ୍ରାମର ମଉରସ ସରବରକାର, ମାତ୍ର ପ୍ରଜାମାନେ ତାହାଙ୍କୁ ଜମିଦାର ବୋଲି ଜାଣନ୍ତି , ମହାପାତ୍ରଙ୍କ ଡାକ ନାମ (ଗ୍ରାମ ମଧ୍ୟରେ) ସାଆନ୍ତ । ତାହାଙ୍କ ଘରକୁ ଗ୍ରାମବାସିମାନେ ସାଆନ୍ତଙ୍କ ଉଆସ ବୋଲି କହନ୍ତି । ପୁରୁଣାକାଳିଆ ଧରଣରେ ତୟାରି ଖୁବ୍ ଉଚ୍ଚ ଧୂଳିଆ ଘର ତାଳପଟା ପାଣିପାଟିଆ ବାଡ଼ିଆ, ଉଆସ ପରି ଏକା ଦିଶେ ।

ଉଆସକୁ ଲାଗି ପଛ ଆଡ଼େ ଗୋଟାଏ ସାନ ତୋଟା । ତୋଟା ତିନିପାଖ ଉଚ୍ଚା ପଘାର ଟେକା । ପଘାର ଉପରେ ଘଞ୍ଚ ଘଞ୍ଚ କଣ୍ଟାବାଉଁଶ ବଣ ।  ବାହାର ଲୋକର ନଜର ତୋଟା ମଧ୍ୟକୁ ପଡ଼ିବାର ବାଟ ନାହିଁ । ତୋଟା ମଧ୍ୟରେ ବାଡ଼ିଦୁଆରକୁ ଲଗାଲଗି ଗୋଟିଏ ସାନ ପୋଖରୀ । ଏହି ପୋଖରୀରେ କେବଳ ସାଆନ୍ତଙ୍କ ଘର ବହୂ ଝିଅ ପୋଇଲୀ ପରିବାରୀ କାରବାର କରନ୍ତି । ଏହି ପୋଖରୀକୁ ପୁରୁଷ ଲୋକଙ୍କୁ ଯିବାର ମନା - ଚାକରବାକର ମଧ୍ୟ  - ନା। ପୁରୁଷଲୋକଙ୍କ କାରବାର ଦାଣ୍ଡ ପୋଖରୀରେ ଚଳେ ।  

ବର୍ଷାକାଳିଆ ଦିନ - ରାନ୍ଧୁଣୀ ଗାଧୁଆବେଳେ ସାଆନ୍ତଙ୍କ ଘର ନୂଆବୋହୂ ପିତ୍ତଳ ଗରାଟିଏ କାଖେଇ ବାଡ଼ି ପୋଖରୀକୁ ଗାଧୋଇବାକୁ ଗଲେ । ଆଜି ସାଙ୍ଗରେ କେହି ନାହିଁ । କାଖରୁ ଗରାଟି ଓହ୍ଲାଇ ଘାଟରେ ଥୋଇଦେଲେ । ଠିକ୍ ଆଡ଼ି ଉପରେ ଗୋଟାଏ ଉଆଉଗଛ । ଗଛଯାକ ବଡ଼ ବଡ଼ ଫୁଲରେ ଭରା - ବଡ଼ ସୁନ୍ଦର ଦିଶୁଛି ।  ବହୂସାଆନ୍ତାଣୀ ଚାରିଆଡ଼କୁ ଥରେ ଅନାଇ ଦେଇ ଢ଼େର ବେଳଯାଏଁ ଉଆଉଫୁଲ ଶୋଭା ଦେଖିଲେ । ହଠାତ୍ ନାକରେ ହାତ ପଡ଼ିଗଲା - ଗଲା କାଲି ଉପରଓଳି ସୁନାରୀ ଗୋଟିଏ ସୁନାନାକଚଣା ତୟାର କରି ଦେଇଯାଇଅଛି, ତାକୁ ଲଗାଇଥିଲେ - କଣ ମନକୁ ପାଞ୍ଚି ନାକଚଣାଟି ବାହାର କରି ଉଲଟପାଲଟ କରି ଦେଖିଲେ ; ସୁନାୁରୀ ବେଶ୍ ସୁନ୍ଦର ଗଢ଼ିଛି, ଭଲ ପୁଟ ଦେଇଛି । ଖୁବ ଲାଲରଙ୍ଗ ରକ୍ତଥୋପି ପଡ଼ିଲା ପରି ଦିଶୁଛି । ପାଣି ଲାଗିଲେ ରଙ୍ଗ ମୟଳା ହୋଇ ଯାଇପାରେ । ଗୋଟାଏ ଶୁଖିଲା ଉଆଉପତ୍ର ଉପରେ ନାକଚଣାଟି ଥୋଇଦେଇ ଗାଧୋଇବା ପାଇଁ ପାଣିରେ ପଶିଲେ, ଅଣ୍ଟାଏ ପାଣି ଯାଏ ଯାଇ ଘାଟ ଆଡ଼କୁ ମୁହଁ ଫେରାଇ ଗାଧୋଇବାକୁ ଲାଗିଲେ ।  ନାକଚଣା ଉପରେ ନଜର ଥାଏ । କାହୁଁ ଗୋଟାଏ ଡ଼ାମରା କାଉ କା-କା- କରି ଉଡ଼ି ଆସି ଖାଟରେ ବସିଲା ; ଡେଇଁ ଡେଇଁ ଆସି ନାକଚଣାଟି ଥଣ୍ଟରେ ଧରି ଫର କରି ଉଡ଼ିଯାଇ ଉଆଉଗଛ ଉପରେ ବସିଲା । ବହୂ ଆଉ ଗାଧୋଇବେ କଣ ଆଡ଼ିକୁ ଧାଇଁ ଆସି କାଉକୁ ଟେକାଟିଏ ମାରିଲେ । କାଉ ସେଠାରୁ ଉଡ଼ି କାହିଁ ଚାଲିଗଲା । ଓଦା ସରପଟ - ସଡ଼ ସଡ଼ ପାଣି ବହି ପଡ଼ୁଛି ; ବହୂ ଉଆସ ଭିତରକୁ ଧାଇଁଲେ, ପାଇଲି ପରିବାରିକୁ ଡାକି ପାଟିକରି ସବୁ କଥା କହିଲେ । ସମସ୍ତେ ତୋଟାକୁ ଧାଇଁଲେ, ଶାଶୁ ସାଆନ୍ତାଣୀ ମଧ୍ୟ ଧାଇଁଲେ । ତୋଟାଯାକ ଗଛମୂଳ ଖୋଜାଗଲା, କାଉ ତ ଉଡ଼ି ଯାଇଛି, ଗହଣାଟା ମିଳିଲା ନାହିଁ । ସାଆନ୍ତଙ୍କ କାନକୁ କଥା ଗଲା । ସେ ମୂଲିଆକୋଠିଆ ଧରି ଗାଆଁକୁ ଧାଇଁଲେ । ସାଆନ୍ତଙ୍କ ମନ ଖୁସି କରିବା ନିମନ୍ତେ କେତେ ଜଣ ପ୍ରଜା ପାଟକ ମଧ୍ୟ ଧାଇଁଲେ । ଯେଉଁ ଗଛରେ କାଉଟିଏ ବସିଛି ଟେକା ଖୋପଡ଼ ମାରି ଉଡ଼ାଇଲେ - ଗଛମୂଳଯାକ ଖୋଜିଲେ । ଉଡ଼ନ୍ତା କାଉ ଥଣ୍ଟକୁ ଅନାଇଲେ । ଗାଁ-ପିଲାଗୁଡ଼ାକ ତ ଭାରି ମନ ଖୁିସି - ପଲ ପଲ ହୋଇ ଧାଇଁଛନ୍ତି - କେବଳ କାଉଙ୍କୁ ଟେକା ମାରିବାରେ ବ୍ୟସ୍ତ । ଆଉ କେତେ ଲୋକ ମଧ୍ୟ କାଉଙ୍କୁ ଉଡ଼ାଇଦେଇ ଗଛମୂଳ ସବୁ ଖୋଜୁଛନ୍ତି  - ଯଦି ସୁନାଟା ହାତରେ ପଡ଼ିଯାଏ । ଏହିପରି ବେଳବୁଡ଼ାଯାଏ ଗାଁରେ ଗହଳ ପଡ଼ିଲା । ଗୋଟାଏ କାଉ ଅପରାଧରେ ଗୋଷ୍ଠୀ ସୁଦ୍ଧା ଦଣ୍ଡ ପାଉଛନ୍ତି ଏ କଥା ସେମାନେ ବୁଝିଲେ କି ନାହିଁ ଅଜଣା, ମାତ୍ର ଶେଷରେ ସମସ୍ତ କାଉ ନିହାତି ଦିକ୍-ଦାର ହୋଇ କା-କା କରି ଗାଁ ଛାଡ଼ି ପଳାଇଲେ । ସେଦିନ ତ କାଉ ପଲରେ ନିର୍ଜଳା ଏକାଦଶୀ । ମୁହଁସଞ୍ଜବେଳେ ସାଆନ୍ତେ ଦେହପାଣି ବଢ଼ାଇବାକୁ ଗଲେ, ଚାକର ବାକରଙ୍କର ମଧ୍ୟ ସେହି ହାଲ । ସେଦିନ ସାଆନ୍ତଙ୍କ ଉଆସରେ ସମସ୍ତଙ୍କର ଏକାହାର । ବହୂସାଆନ୍ତାଣୀ କେବଳ ଶାଶୁଙ୍କଠାରୁ ଗାଳି ଗୁଡ଼ିଏ ଖାଇ ତୁନି ହୋଇ ଶୋଇ ପଡ଼ିଲେ, ଆଉ କିଛି ଖାଇଲେ ନାହିଁ । 

୨ୟ ପରିଚ୍ଛେଦ   


ପୁଷ କି ମାଘ ମାସ ହେବ । ଶୀତଦିନିଆ ସଖାଳେ ସାଆନ୍ତଙ୍କଘର ନୂଆ ବହୂ ହାଣ୍ଡିଶାଳ ପ୍ରସ୍ତ ମଝିଭାଆରେ ଖରାପିଠିଆ ଗୋଟାଏ ପନିକିପଟା ମାଡ଼ି ବସି ପରିବା ଯୋଗାଡ଼ୁଛନ୍ତି । ଗୋଟାଏ ଉଆଉ ଧରି ଦୁଇ ତିନି ଫଡ଼ା କାଟି ପକାଇଲେ । ଶେଷ ଫଡ଼ାରେ ପନିକି ଦାଢ଼କୁ କଣଟାଏ ଟାଣ ଟାଣ ଲାଗିଲା । ଶେଷ ଫଡ଼ାଟା ଯେପରି କାଟି ପକାଇଲେ ଲାଲରଙ୍ଗର କଣଟାଏ ଠକ୍ କରି ତଳେ ପଡ଼ିଗଲା । ହାତରେ ଉଠାଇ ଭଲକରି ଚାହିଁ ଦେଖିଲେ, ହଠାତ୍ ଠିଆହୋଉପଡ଼ି ପାଟିକରି କହିଲେ - ଆରେ ମୋ ନାକଚଣାରେ --- । ଉଆସର ତିରିଲାମାନେ ଧାଇଁଆସି ସେଠାରେ ରୁଣ୍ଡ ହୋଇଗଲେ । ସମସ୍ତେ ପାଟିକରି ଥରେ ଥରେ ହାତକୁ ନେଇ ଦେଖିଲେ - ସମସ୍ତଙ୍କର ଏକ କଥା ସେହି ନାକଚଣାତ --- । ସାଆନ୍ତ ଶୁଣିଲେ, ବଡ଼ ଘରର ବଡ଼କଥା, ଦଣ୍ଡକ ମଧ୍ୟରେ ଗାଁ ଏମୁଣ୍ଡ ସେମୁଣ୍ଡ ଚହଳ ପଡ଼ିଗଲା । ସମସ୍ତେ ଉଆସକୁ ଧାଇଁଲେ । ସମସ୍ତେ ସେହି ସୁନା ନାକଚଣା ଦେଖିଲେ, କି ସାଆନ୍ତ କି ପ୍ରଜାପାଟକ, କି ଉଆସ ମଧ୍ୟରେ ସମସ୍ତେ ତ ଦେଖି ଶୁଣି କାବା ।

ଏତେବେଳେ ଗ୍ରାମଯାକ କି ତିରିଲା କି ମରଦ ସମସ୍ତଙ୍କ ମୁଖରେ ଏକ ପ୍ରଶ୍ନ --- ଉଆଉ ଭିତରେ ସୁନାନାକଚଣା କାହୁଁ ଆଇଲା । 

No comments:

Post a Comment