Friday, January 22, 2016

ସିଂହପୁରରେ ପିଲାଦିନ ଓ ପାଠପଢ଼ା - ୧

(ଶ୍ରୀ ନିଶାକର ଦାସ କୃତ ଆତ୍ମଜୀବନୀ 'ଖରସୁଆଁରୁ କୁଲାବିରି'ରୁ ସଂଗୃହିତ)

ବାଙ୍ଗାଲୋର ନିକଟର ଏକ ଦଳିତ ବିଦ୍ୟାଳୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । କୋରାପୁଟର ମାଳ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ସମୟ ସେ କାମ କରି ଆସିଛନ୍ତି । ଜାତିରେ ପାଣ ବୈଷ୍ଣବ । ଖରସୁଆଁ ନଇକୂଳ ସିଂହପୁର ଗାଁରେ । ବାପାଙ୍କର ନାମ ଭାଇଗି ଦାସ । ବୋଉଙ୍କର ନାମ ସର ଦେଈ । ବାପା ମାନେ ଥିଲେ ଚାରି ଭାଇ । ମାତ୍ର ଭାଇମାନେ ନିଜ ନିଜ ବିଭାଘରର ଅଳପ ସମୟ ଭିତରେ  ଭାଗ ଭାଗ ହୋଇ ଅଲଗା ରହିବାକୁ ଲାଗିଲେ ।  ନିଶାକର ଆଜ୍ଞାଙ୍କର କୂଳର ବୃତ୍ତିଥିଲା ପୁରୋହିତ କାମ କରିବା । ଜାତି ଭାଇଙ୍କର ଘରେ ବିବାହ ଓ ଶ୍ରାଦ୍ଧାଦି କର୍ମ କରି ବାପା ଓ ଦାଦା ମାନେ କୁଟୁମ୍ବ ପୋଷୁଥିଲେ । ତାହା ଛଡ଼ା ମଜୁରୀ ଲାଗିବା ଉପାର୍ଜନର ଆଉ ଏକ ବାଟ ଥିଲା । ତୁଳସୀ ଗଛରୁ ମାଳି କାଟି ଓ ତାକୁ ରଙ୍ଗ କରି ବିକିରି କରିବା ମଧ୍ୟ ଆୟର ଆଉ ଗୋଟିଏ ବାଟ ଥିଲା ।

ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା ନିମନ୍ତେ ବଡ଼ ଭାଇ (ଦିଜବର ଦାସ), ମଝିଆଁ ଭାଇ (ଭାସ୍କର ଦାସ) ଓ ସାନ ନିଶାକରଙ୍କୁ ଜଣେ ଅବଧାନଙ୍କ ପାଖକୁ ପଠାଇଲେ । ବଡ଼ ନିଜେ ଦାଦାମାନଙ୍କ ଦ୍ୱାରା ଅକ୍ଷର ଜ୍ଞାନ ପ୍ରାପ୍ତ ହୋଇଥିଲେ ଓ କେବଳ ପୋଥି ଓ ଭାଗବତ ଇତ୍ୟାଦି ପଢ଼ିପାରୁଥିଲେ । ମଝିଆଁ ଓ ସାନ ମାତ୍ର ପାଠ ପଢ଼ିଲେ ଅବଧାନଙ୍କ ପାଖରେ । ଅକ୍ଷର ଶିଖିବା ପାଇଁ ନିର୍ଘାତ ମୋଟା ମାଟି ଖଡ଼ିରେ ଭୂଇଁ ଉପରେ ବର୍ଣ୍ଣମାଳାର ଅଭ୍ୟାସ କରିବାକୁ ପଡ଼ୁଥିଲା । ପରେ ଭାଇ ଦୁଇଜଣ ଗାଁର ଇସ୍କୁଲ୍ ରେ ପଢ଼ିବାକୁ ଗଲେ । ସେ ପର୍ଯ୍ୟନ୍ତ ପାଣ କଣ୍ଡରା ସାହିର ପିଲାମାନେ ସାଧାରଣତଃ ବିଦ୍ୟାଧ୍ୟୟନ କରୁନଥିଲେ ।

ବଡ଼ ଭାଇ ଅବଧାନଙ୍କୁ ତାଙ୍କ ପାଉଣା ଦେଉଥିଲେ । ଦୁଇ ବରଷ ଅବଧାନଙ୍କ ପାଖରେ ପଢ଼ି ଇସ୍କୁଲକୁ ଗଲା ବେଳକୁ ବୟସ ଟିକିଏ ଗଡ଼ି ଯାଇଥିଲା । ସେଠାରେ ପାଠ ପଢ଼ା ମାଗଣା ନଥିଲା । ଇସ୍କୁଲ୍ ରେ ମଧ୍ୟ ପାଉଣା ଦେବାକୁ ପଡ଼ୁଥିଲା । ଏହା ଛଡ଼ା ବହି, ଖାତା ଇତ୍ୟାଦିର ଖର୍ଚ୍ଚ ମଧ୍ୟ ଥିଲା । ଦାଦା, ମା ଓ ଭାଇ ମାନେ ନି଼ଜ ନିଜ ଆୟରୁ କିଛି କିଛି ଦେବାରୁ ଦୁଇ ଭାଇଙ୍କର ପାଠ ପଢ଼ା ଖର୍ଚ୍ଚ ଉଠୁଥିଲା । ନିଶାକର ବାବୁ ପିଲା ବେଳେ ବହୁତ ଚଗଲା ଥିଲେ । ମାତ୍ର ଅବଧାନେ ଓ ଇସ୍କୁଲ୍ ର ମାଷ୍ଟର ମାନେ ଛୁଇଁ କରି ତାଙ୍କୁ ବାଡ଼ଉ ନଥିଲେ, ଜାତିଗତ ଭେଦଭାବ ଓ ଅସ୍ପୃଶ୍ୟତା କାରଣରୁ । ନିଶାକର ବାବୁ ଓ ତାଙ୍କ ପରି ଦଳିତ ଜାତିମାନର ଅନ୍ୟ ପାଠପଢ଼ୁଆ ପିଲାମାନେ ସବର୍ଣ୍ଣ ଶ୍ରେ‌ଣୀର ପିଲାଙ୍କଠାରୁ ଅଲଗା ହୋଇ ବସୁଥିଲେ । ଅବଧାନେ ମାଡ଼ ମାରିଲା ବେଳେ ଦଳିତ ଜାତିର ପିଲାଙ୍କୁ ବେତ ଫିଙ୍ଗି ମାରୁଥିଲେ, ଛୁଇଁଲେ ଜାତି ଚାଲିଯିବ, ସେହି ଭୟରେ । ବେତ ଫିଙ୍ଗିଲା ବେଳେ ତାହା ଦଳିତ ପିଲାଙ୍କ ଜାମାରେ ଲାଗିଗଲେ ସେହିଟି ମାରା ହେଇଯାଏ ଓ ତାକୁ ଅଲଗା ରଖିବାକୁ ହୁଏ । କିଛି ସବର୍ଣ୍ଣ ଲୋକ ଦଳିତ ପିଲାଙ୍କର ଛାଇକୁ ମଧ୍ୟ ଡେଇଁ କରିଯାଉଥିଲେ ; କାଳେ ମାରା ହୋଇଯିବେ, ସେହି ଭୟରେ । ଛୁଆଁ ଅଛୁଆଁ ଭାବ ସର୍ବ ବ୍ୟାପି ଥିଲା, ଇସ୍କୁଲ୍ ଓ ଗାଁ ଦାଣ୍ଡରେ ତ ଥିଲା – ଯାନିଯାତ୍ରାରେ ମଧ୍ୟ ଥିଲା । ଦଳିତ ପିଲା ପାଲା, ଯାତ୍ରା ଇତ୍ୟାଦି ଦେଖିବାକୁ ଗଲେ ଦୂରରେ ବସି ଦେଖିବାକୁ ହୁଏ । ନଈ ତୁଠରେ ମଧ୍ୟ ଗାଧୋଇବାରେ ବାରଣ ଥିଲା – ନଦୀର ଉପର ମୁଣ୍ଡରେ ଦଳିତମାନେ ଗାଧୋଇବା ମନାଥିଲା ଏହି ଛୁଆଁ ଅଛୁଆଁ ଭେଦଭାବ କାରଣରୁ । ଏହି ମନୋଭାବ ବିଭିନ୍ନ ଦଳିତ ଜାତି ମଧ୍ୟରେ ବି ଥିଲା - ପାଣ ଜାତିର ଲୋକେ କଣ୍ଡରା ଜାତିର ଲୋକଙ୍କୁ ଛୁଉଁ ନଥିଲେ । କଣ୍ଡରା ଜାତିର ଲୋକେ ଗୋଖା ଜାତିର ଲୋକଙ୍କୁ ଛୁଉଁ ନଥିଲେ ଇତ୍ୟାଦି । 

ସକାଳେ ଭାଇଙ୍କ ସହିତ ଲୁଣ ଲଗାଇ ପଖାଳ ଭାତ ଖାଇ ଇସ୍କୁଲ୍ ଯାଆନ୍ତି ନିଶାକର ବାବୁ । ସେ ପଖାଳରେ ଭାତ କମ ଥାଏ ; ତୋରାଣି ଥାଏ ଅଧିକ । ଇସ୍କୁଲ୍ ରୁ ଅନେକ ସମୟରେ ବଡ଼ ପାସ୍ କହି, ବାହାରକୁ ଯାଇ, ନଇକୁଳରେ ସାଙ୍ଗ ପିଲାମାନଙ୍କ ସହିତ ଖେଳନ୍ତି । ହେଲେ ଡ଼ର ଥାଏ କାଳେ ଭାଇ ବା ଦଦା ମାନଙ୍କ ହାବୁଡ଼େ ପଡ଼ିଯିବେ ବୋଲି । ଚଣା ସମୟରେ ଚଣା ବିଲରୁ ଓପାଡ଼ି ଜଳଖିଆ କାମ ଚଳେ । ସନ୍ଧ୍ୟା ବେଳକୁ ମଝିଆ ଭାଇ ତାଙ୍କର ସିଲଟ ଇତ୍ୟାଦି ନେଇ ଘରକୁ ଆସନ୍ତି । ବେଳେ ବେଳେ ଏଥିସବୁ ଲାଗି ନିଶାକର ବାବୁ ମାଡ଼ ଗାଳି ମଧ୍ୟ ଖାଆନ୍ତି । ସେ ପାଠ ପଢ଼ାରେ ମନ ନ ଦେଇ ଗୀତ ଶିଖିବା, ପାଲା ଦେଖିବା ଇତ୍ୟାଦି କାମରେ ସମୟ ଅତିବାହିତ କରୁଥିଲେ, ହେଲେ ସାତ ବର୍ଷ ବୟସରେ ନିଶାକର ବାବୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉଠିଯାଇଥିଲେ । ମାତ୍ର ଖାଦ୍ୟ ଓ ଅର୍ଥଭାବରୁ ଶେଷକୁ ପାଠ ପଢ଼ାରେ ଡ଼ୋରି ହନ୍ଧା ହେଲା । 

No comments:

Post a Comment